ଆଜତକ୍ ନ୍ୟୁଜ ଚ୍ୟାନେଲରେ ଯୋଗଦେଲେ ପ୍ରତିଷ୍ଠିତ ସାମ୍ବାଦିକ ସୁଧୀର ଚୌଧୁରୀ

Published: Jul 11, 2022, 9:50 pm IST

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ଆଜତକରେ ଯୋଗ ଦେଇଛନ୍ତି ଲୋକପ୍ରିୟ ସାମ୍ବାଦିକ ସୁଧୀର ଚୌଧୁରୀ। ଏ ନେଇ ଆଜି ଇଣ୍ଡିଆ ଟୁଡେ ଗ୍ରୁପର ଉପାଧ୍ୟକ୍ଷ କାଲି ପୁରୀ ଘୋଷଣା କରିଛନ୍ତି। ଆଜତକ ଏବଂ ସୁଧୀର ମିଶିଲେ ସାମାଜିକ ଗଣମାଧ୍ୟମରେ 100 ମିଲିୟନ ଦର୍ଶକ ଯୋଡି ହେବେ ବୋଲି କଂପାନୀ ଆଶା କରିଛି।

ଏହି କଂପାନୀରେ ସୁଧୀର ବର୍ତ୍ତମାନ କନସୁଲଟିଙ୍ଗି ଏଡିଟର ଭାବେ ଯୋଗ ଦେଇଛନ୍ତି। ସେ ଆଜତକ ଚ୍ୟାନେଲରେ ମଧ୍ୟ ତାଙ୍କର ସେହି ଲୋକପ୍ରିୟ ସୋ ଡିଏଏନ ପରି ଏକ କାର୍ଯ୍ୟକ୍ରମ କରିବେ। ଏହାର ନାମ ଖୁବ ଶିଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି। ଏହି ସୋ ଟି ଆଜତକ ର ନ୍ୟୁଜ ଡାଇରେକ୍ଟର ସୁପ୍ରିୟା ପ୍ରସାଦଙ୍କ ତତ୍ବାବଧାନରେ ପ୍ରସ୍ତୁତ ହେବ।

ସୁଧୀର ଜୀ ନ୍ୟୁଜ୍ ଛାଡିବା ପରେ ସେ ନିଜେ କିଛି କରିବେ ବୋଲି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ସେ ଆଜତକ ରେ ଯୋଗଦେଇଛନ୍ତି। ମୁଖ୍ୟତଃ ତାଙ୍କ ଫ୍ୟାନମାନଙ୍କୁ ନିରାଶ ନ କରିବା ପାଇଁ ସେ ଆଉ ଏକ ଚ୍ୟାନେଲରେ ଯୋଗଦେବା ପାଇଁ ବାଧ୍ୟ ହେଲେ ବୋଲି ସୁଧୀରଙ୍କ ନିକଟତମ ମହଲରୁ ଜଣାପଡିଛି।

ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ କାର୍ଯ୍ୟକ୍ରମ ହୋଇ ପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ବେଶ୍ ଲୋକପ୍ରିୟ କରାଇ ପାରିଛି। ସୁଧୀର ପ୍ରଥମେ ଜୀରେ ଯୋଗ ଦେଇ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଆଞ୍ଚଳିକ ଚ୍ୟାନେଲ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଏହାପରେ ସେ ଇଣ୍ଡିଆ ଟିଭି ରେ କିଛି ମାସ ପାଇଁ କାର୍ଯ୍ୟ କରିଥିଲେ। ସୁଧୀର ପୁଣି 2012 ରେ ଜୀ ମିଡିଆରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ଜୀ ନ୍ୟୁଜ ଦ୍ବାରା ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ଆଜତକ ପରି ଏକ ଲୋକପ୍ରିୟ ଚ୍ୟାନେଲରେ ଜଣେ ଲୋକପ୍ରିୟ ସାମ୍ବାଦିକ ଯୋଗ ଦେଲେ ଏହା ନିଶ୍ଚିତ ଭାବେ ଭାରତୀୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Related posts