ବିଧାନସଭାକୁ ସରଗରମ କଲା ଅର୍ଚ୍ଚନା ନାଗ ପ୍ରସଂଗ, ବିରୋଧୀଙ୍କ ହାଙ୍ଗାମା

Published: Nov 24, 2022, 10:58 pm IST

ଭୁବନେଶ୍ବର: ବିଧାନସଭାରେ ଉଠିଲା ନାଗ ଦମ୍ପତ୍ତି ପ୍ରସଙ୍ଗ। ଏନେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ ରହୁଛନ୍ତି ସେଇ ପ୍ରଶ୍ନ ଉଠାଇଛନ୍ତି  ବିରୋଧୀ କଂଗ୍ରେସ ଓ ବିଜେପି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ଏହାକୁ ନେଇ ଗୃହର ସ୍ଥିତି ସରଗରମ ଥିଲା।

ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନର ଅପରାହ୍ନ ଅଧିବେଶନ କାଳରେ ପ୍ରଥମେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା ଦୁଃଖର ବିଷୟ। ତେଣୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ।

ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଥିଲେ, ନାଗ ଦାମ୍ପତ୍ତିଙ୍କ ପାଇଁ ରାଜ୍ୟର ଭାବମୂର୍ତ୍ତି ନଷ୍ଟ ହୋଇଛି I ଏଥିରେ ଶାସକ ଦଳର ନେତା, ପ୍ରଶାସକ ସିଧାସଳଖ ସମ୍ପୃକ୍ତ। ତେଣୁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବାର ଅଧିକାର ନାହିଁ। ସେ ତୁରନ୍ତ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ଏଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଶ୍ରୀ ମାଝୀ ଦାବି କରିଥିଲେ।

ଶେଷରେ କଂଗ୍ରେସ, ବିଜେପି ସଭ୍ୟ ଗୃହ ଭିତରେ ହାଟଗୋଳ ସହ ନାରାବାଜି ଦେଇଥିଲେ।  ଏହି ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତାରାଫୁର ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ପରେ ବାଚସ୍ପତି ଗୃହକୁ 5.10ରେ ଶୁକ୍ରବାର ସାଢ଼େ 10 ଯାଏ ମୁଲତବୀ ଘୋଷଣା କରିଥିଲ ।

Related posts