କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

Published: Feb 13, 2023, 5:56 pm IST
BijayPatnaikCong

ଭୁବନେଶ୍ବର: ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯାଇଥିଲା।  ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ବିଜୟ ପଟ୍ଟନାୟକ ସମ୍ବୋଧିତ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ସରକାର ଲୋକଙ୍କୁ ପାଖକୁ ପହଞ୍ଚିପାରୁ ନାହିଁ। ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନେ ବର୍ତ୍ତମାନ କିଛି କରିପାରୁ ନାହାଁନ୍ତି। ତାଙ୍କ ପାଖକୁ ଗୁହାରୀ କଲେ ସେମାନଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ତେଣୁ ଏପରି କ୍ଷେତ୍ରରେ ରାଜ୍ୟ ସରକାର ଲୋକଙ୍କୁ ଶାସନ ଦେବାରେ ବିଫଳ ହୋଇଛି।

ସେହିପରି ବିଜୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ଓଡିଶା ଲୋକେ ନିର୍ଯ୍ୟାତିତ। ବଡ ବଡ କାମ କଥା ଛାଡନ୍ତୁ ଛୋଟଛୋଟ କାମ ମଧ୍ୟ ଅଣ ଓଡିଆ କଣ୍ଟ୍ରାକ୍ଟର କରୁଛନ୍ତି। ତେବେ ଓଡିଆ କଣ୍ଟ୍ରାଟର ଯିବେ କୁଆଡେ। ବର୍ତ୍ତମାନ ତୃତୀୟ ମହଲାରୁ ସବୁକିଛି ନିୟନ୍ତ୍ରଣ ହେଉଛି ବୋଲି ବିଜୟ ପଟ୍ଟନାୟକ କହିଥିଲେ।

ସେହିପରି ନବ ଦାସ ହତ୍ୟାକାଣ୍ଡ ନେଇ ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଗୋପାଳ କରି ନାହିଁ, ଏହା ପଛରେ ଆଉ ଜଣେ କିଏ ଅଛି। ତାହାକୁ କ୍ରାଇମ ବ୍ରାଞ୍ଚ ଖୋଲି ବାହାର କରୁ। ଯଦି ସେ ନ ପାରିପାରୁଛି ତେବେ ଏହାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜୟ ଦାବୀ କରିଛନ୍ତି। ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ଦୃଢତାର ସହ ବିଜୟ କହିଛନ୍ତି।

Related posts