ଆଜି ହେଉଛି ପଖାଳ ଦିବସ, କେବେଠାରୁ ଏବଂ କାହିଁକି ପାଳନ କରାଯାଏ

Published: Mar 20, 2023, 8:27 am IST
pakhal

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି।

ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ।

ପ୍ରକୃତରେ ମାର୍ଚ୍ଚ ୨୦ ତାରିଖରେ ଏହାକୁ ପାଳନ କରିବାର ଏକ ତାତ୍ପର୍ଯ୍ୟ ମଧ୍ୟ ରହିଛି। ସୂର୍ଯ୍ୟଙ୍କ ଗତିବିଧିକୁ ଲକ୍ଷ ରଖି ପ୍ରାୟ ମାର୍ଚ୍ଚ ୨୧ ତାରିଖ ପରଠାରୁ ଦିନର ଅବଧି ବୃଦ୍ଧି ପାଇ ଖରାର ପ୍ରକୋପ ଆରମ୍ଭ ହୋଇଥାଏ। ହେଲେ ମାର୍ଚ୍ଚ ୨୦ ତାରିଖରେ ଦିନ ଓ ରାତି ପୁରା ସମାନ ରହିଥାଏ। ତା ପରଦିନ ଖରା ଆରମ୍ଭ ହେଉଥିବାରୁ ଆଉ ଦିନ ବଡ ରହୁଥିବାରୁ ଏହି ଦିନରୁ ପଖାଳ ଖାଇ ଦିବସର ଶୁଭାରମ୍ଭ କରାଯାଇଛି।

ଏହାର ଲୋକପ୍ରିୟତାକୁ ଦେଖି ତାରକା ହୋଟେଲଗୁଡିକ ମଧ୍ୟ ବ୍ୟବସାୟିକ ଦୃଷ୍ଟିରଖି ଏହି ଦିବସକୁ ପାଳନ ଆରମ୍ଭ କଲେ। ତାରକା ହୋଟେଲରୁ କଂସାବେଲାରେ ପଖାଳ ସହିତ ଶୁଖୁଆ ଭଜା, ଶାଗଭଜା, ବଡିଚୁରା, ବାଇଗଣ ପୋଡା ପ୍ରଭୃତି ଖାଣ୍ଟି ଓଡିଆ ଖାଦ୍ୟ ଗ୍ରାହକଙ୍କୁ ପରଷି ଦେଲେ। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ ତରଫରୁ ବିଜ୍ଞାପନ ମଧ୍ୟ ଦିଆଗଲା। ଫଳରେ ସହରୀ ଲୋକେ ତାରକା ହୋଟେଲରେ ପଖାଳ ଖାଇବା ମଜା ମଧ୍ୟ ନେଲେ।

ଆଜି ପଖାଳ ଦିବସ ଓଡିଆ କ୍ୟାଲେଣ୍ଡର ଏକ ମହତପୂର୍ଣ୍ଣ ଦିବସ ଭାବେ ପରିଗଣତି ହୋଇଯାଇଛି।

Related posts