ଓଡିଶାରୁ ସେହି ଦୁଇ ମନ୍ତ୍ରୀ, ଧର୍ମେନ୍ଦ୍ର କ୍ୟାବିନେଟ, ପ୍ରତାପ ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ, ଦୁଇଦିନ ଧରି ଜାତୀୟ ମିଡିଆର ଚର୍ଚ୍ଚାରେ ଥିଲେ ପ୍ରତାପ

Published: May 30, 2019, 9:49 pm IST
Pratap Sarangi takes oath as minister

ସମୀକ୍ଷା ବ୍ୟୁରୋ

ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଯେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ମୋଦି ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ପଦ ଓ ଗୋପନୀୟତା ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶପଥ ଗ୍ରହଣ ଠିକ ଏକ ଘଣ୍ଟା ପୂର୍ବରୁ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେଉଛନ୍ତି ବୋଲି ଜଣାପଡିଥିଲା। ଏହାପରେ ଧର୍ମେନ୍ଦ୍ର ତାଙ୍କୁ ସାଥୀରେ ନେଇ ଯେତେବେଳେ ରାଷ୍ଟପତି ଭବନର ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ ସେତେବେଳେ ଏହା ସତ ବୋଲି ଜଣାପଡିଥିଲା।

ପ୍ରତାପ ଷଡଙ୍ଗୀଙ୍କୁ ନେଇ ଗତ ଦୁଇ ଦିନ ଧରି ଜାତୀୟ ତଥା ବିଭିନ୍ନ ରାଜ୍ୟ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଥିଲା। କାରଣ ତାଙ୍କର ନିରାଡମ୍ବର ଚାଳିଚଳନ ଏବଂ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଠ କରିଥିଲା। ଏପରିକି ଗାଁ ରେ କିପରି ରୁହନ୍ତି କିପରି କମ ଖର୍ଚ୍ଚରେ ନିର୍ବାଚନରେ ବିଜୟ ହାସଲ କରିଥିଲେ ତାହାକୁ ମିଡିଆ ଉପସ୍ଥାପିତ କରିଥିଲା। ଏପରିକି ସେ ଦୁଇ ଜଣ କୋଟିପତିଙ୍କୁ କିପରି ତାଙ୍କର ସାଧନା ଓ ବ୍ୟବହାର ବଳରେ ହରାଇ ଦେଇଥିଲେ ତାହା ମଧ୍ୟ ମିଡିଆ ଦେଖାଇଥିଲା। ଦୁଇଦିନ ଧରି ମିଡିଆରେ ଏପରି ପ୍ରଚାରରୁ ଓଡିଶାବାସୀ ଜାଣିସାରିଥିଲେ ଯେ ପ୍ରତାପଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି।

ତେବେ ଏହି ଶପଥ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ପୂର୍ବରୁ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ର ଉପରେ ପୁଣିଥରେ ଆସ୍ଥା ପ୍ରକଟ କରି ମନ୍ତ୍ରୀ ପଦ ଦେଇଛନ୍ତି। ସେ ବର୍ତ୍ତମାନ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ମୁଖ୍ୟତଃ ଧର୍ମେନ୍ଦ୍ର ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଉଜ୍ଜଳା ଯୋଜନାକୁ ସାରା ଦେଶରେ ବେଶ୍ ଲୋକପ୍ରିୟତା କରାଇପାରିଥିଲେ।

ଏଥର ରାଜ୍ୟର ବରିଷ୍ଠ ସାଂସଦ ଜୁଏଲ ଓରାମଙ୍କୁ ନିରାଶ ହେବାକୁ ପଡିଛି। ସେ ପୂର୍ବ ସରକାରରେ ଏକମାତ୍ର ସାଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ। ହେଲେ ଏଥର ମୋଦି ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରି ନାହାଁନ୍ତି। ତେବେ ଏଥର ଓଡିଶାରୁ 8 ଜଣ ସାଂସଦ ବିଜେପି ଦେଇଥିବା ବେଳେ ଅଧିକ ମନ୍ତ୍ରୀ ଆଶା କରାଯାଉଥିଲା। ହେଲେ ତାହା ଫସର ଫାଟିଯାଇଛି। ଏହି ମନ୍ତ୍ରୀ ପଦରେ ସୁରେଶ ପୂଜାରୀ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ଶୁଣାଯାଉଥିଲା। ହେଲେ ମୋଦି ଓଡିଶାର ମନ୍ତ୍ରୀ ସଂଖ୍ୟା ସେହି ଦୁଇରେ ସୀମିତ ରଖିଛନ୍ତି।

Related posts