Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏମଏସଏମଇ ପାଇଁ ନୂତନ ପୋର୍ଟାଲ ଲଞ୍ଚ କଲେ ନୀତିନ ଗଡକରୀ

ନାଗପୁର : କେନ୍ଦ୍ର ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରୁ ଏକ ଭିଡିଓ କନଫରେନ୍ସ ଜରିଆରେ ବ୍ୟାଙ୍କ ଅଫ ସ୍କିମ, ଆଇଡିଆ, ଇନୋଭେସନ ଆଣ୍ଡ ରିସର୍ଚ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ । ଏହି ପୋର୍ଟାଲ http://ideas.msme.gov.in/ରେ ଉପଲବ୍ଧ ହେବ । ଏହି କନଫରେନ୍ସରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଚିବ ଡଃ ଅରୁଣ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ପୋର୍ଟାଲରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମସ୍ତ ପ୍ରକାର ସ୍କିମକୁ ଆକ୍ସେସ କରାଯାଇପାରିବ । ଆଇଡିଆର କ୍ରାଉନ ସୋର୍ସିଙ୍ଗ ସହିତ ସେସବୁର ମୂଲ୍ୟାୟନ ଓ ରେଟିଂ ବ୍ୟବସ୍ଥା ଏହି ପୋର୍ଟାଲର ବିଶେଷତ୍ଵ । ଏହାମଧ୍ୟ ଭେଞ୍ଚର କ୍ୟାପିଟାଲ ଓ ବିଦେଶୀ ସହଯୋଗ ଆଦି ପାଇଁ ସହାୟକ ହୋଇପାରିବ ।

ଏହି ପୋର୍ଟାଲରେ ନିର୍ଦ୍ଦିଷ୍ଟ ଭାବେ ଏମଏସଏମଇ ଏବଂ ସାମଗ୍ରିକ ଭାବେ ଭାରତୀୟ ଅର୍ଥବ୍ୟବସ୍ଥାକୁ ବଦଳାଇବାର କ୍ଷମତା ରଖିଛି ବୋଲି ଗଡକରୀ ପ୍ରକାଶ କରିଛନ୍ତି । ଏହାକୁ ଏକ ଉତ୍ତମ ଅୟମାରମ୍ଭ ଭାବେ ଅଭିହିତ କରି ସେ କହିଛନ୍ତି ଯେ, ପୋର୍ଟାଲରେ ବର୍ଗ ଭିତ୍ତିକ ସୂଚନା, ବିଭିନ୍ନ ଉପଲବ୍ଧି ଓ ସୂଚନା ପ୍ରକାଶ ଦ୍ଵାରା ଅନ୍ୟମାନେ ଏଥିରୁ ଅନେକ କିଛି ଶିଖିପାରିବେ । ପୋର୍ଟାଲଟି ପେସାଦାରଙ୍କ ଦ୍ଵାରା ପରିଚାଳିତ ହେବା ଉପରେ ସେ ଗୁରୁତ୍ଵାରୋପ କରିବା ସହ ଜ୍ଞାନକୁ ସମ୍ପଦରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଗବେଷଣା, ପ୍ରଯୁକ୍ତିବିଦ୍ୟା, ଅଭିନବତା ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଆବଶ୍ୟକ, କାରଣ ଏହା ସାମଗ୍ରୀର ଉତ୍ପାଦନ ମୂଲ୍ୟ ହ୍ରାସ କରିବା ସହ ମାନରେ ଉନ୍ନତି ଆଣିଥାଏ ।

ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଥିଲେ ଯେ, ଏହି ପୋର୍ଟାଲ ସୂଚନା ବଣ୍ଟନ କରି ଏମଏସଏମଇ ଉଦ୍ୟୋଗକୁ ବିଶେଷ ସାହାଯ୍ୟ କରିବ । ଏହାଛଡା ଏହି ପୋର୍ଟାଲ ଗ୍ରାମାଞ୍ଚଳ ଜନଜାତିର ବୁଦ୍ଧି, ଦକ୍ଷତା, କୌଶଳ ଓ ଜ୍ଞାନକୁ ସମ୍ପ୍ରସାରିତ କରିବାରେ ସହାୟକ ହେବ । ଚାଷବାସ ସଂକ୍ରାନ୍ତ ପ୍ରସ୍ତୁତି, ଉତ୍ପାଦନ, ଭଣ୍ଡାରଣ ଏବଂ କୃଷିଜାତ ସାମଗ୍ରୀର ବିପଣନ କାମରେ ସାହାଯ୍ୟ କରିବ । ବ୍ୟବହାରକାରୀ ନବସୃଜନ ଓ ଗବେଷଣାଲବ୍ଧ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବେ ।

Categories
ବିଶେଷ ଖବର

ରାଉରକେଲାରେ ହେବ ଦୁଇଶହ କୋଟିର ବିଶ୍ବସ୍ତରୀୟ ଟୁଲରୁମ ପ୍ରଶିକ୍ଷଣ କେନ୍ଦ୍ର, ଉପକୂଳ ଓଡିଶାରେ 6 ହଜାର ଏକରର ଆକ୍ବାକଲଚର ପ୍ରକଳ୍ପ

ଭୁବନେଶ୍ବର, ଖୁବ ଶିଘ୍ର ରାଉରକେଲାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଟୁଲରୁମ ଏବଂ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇଦେଲେ ଏହାର କାମ ଆରମ୍ଭ ହେବ। ଆଜି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ରାଉରକେଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ସହଯୋଗରେ ହେବ। ରାଜ୍ୟ ସରକାର କେବଳ ଜମି ଯୋଗାଇଦେବେ।

ଏଥିସହିତ ଓଡିଶାରେ 4ଟି ଟୁଲରୁମର ସଂପ୍ରସାରିତ ଶାଖା ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି 4ଟି ଶାଖା ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଏବଂ ବାଲେଶ୍ବରରେ ପ୍ରତିଷ୍ଠା କରାଯିବ। ଏଥିପାଇଁ 20 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଓଡିଶାକୁ 45ଟି ଏମଏସଏମଇ କ୍ଲଷ୍ଟର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସାରା ଦେଶରେ 226ଟି କ୍ଲଷ୍ଟର କରାଯିବାକୁ ଥିବା ବେଳେ ଓଡିଶାରେ 45 ଟି କରାଯିବ। ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ତେବେ ଆଉ ଏକ ବଡ ପ୍ରକଳ୍ପ ଓଡିଶା ପାଇଁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଥିଲେ। ତାହା ହେଲା ଓଡିଶାର ଉପକୂଳ ଜିଲ୍ଲାର କୌଣସି ଏକ ସ୍ଥାନରେ କରାଯିବ ଲୁଣି ଆକ୍ବାକଲଚର ପ୍ରକଳ୍ପ। ଏଥିପାଇଁ ପ୍ରାୟ 6700 ଏକର ପରିମିତ ସ୍ଥାନର ଆବଶ୍ୟକତା ରହିଛି। ଉପକୂଳ ଅଞ୍ଚଳରେ ଥିବା ଅବ୍ୟବହୃତ ସ୍ଥାନ ରାଜ୍ୟ ସରକାର ଯୋଗାଇ ଦେଲେ ତାହାର କାମ ମଧ୍ୟ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ। ଏହି ପ୍ରକଳ୍ପ ଦ୍ବାରା କ୍ଷୁଦ୍ର ଓ ମଧ୍ୟମ ମତ୍ସ୍ୟଚାଷୀ ଉପକୃତ ହୋଇପାରିବେ।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସହ 5ଟି ସଚିବ ଭି କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଠା ଆର କେ ବାଳକୃଷ୍ଣନ ମଧ୍ୟ ଭାଗ ନେଇଥିଲେ।

Categories
ବିଶେଷ ଖବର

ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡେଣା କାଟିବା ଲାଗି ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଶୀର୍ଷ ନେତୃତ୍ଵ ଅଧିକ ଗୁରୁତ୍ଵ ଦେଉଛନ୍ତି କି?

କେଦାର ମିଶ୍ର

ଏମିତି ଦେଖିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର କୌଣସି ତୁଳନା ସମ୍ଭବ ନୁହେଁ। ସରକାର ଭିତରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଢେର ଉଚ୍ଚରେ। ମୋଦୀ ସରକାରରେ ମୂଳରୁ ପେଟ୍ରୋଲିୟମ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ଏକ ବିରଳ ରେକର୍ଡର ଅଧିକାରୀ। ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଗତ କିଛି ବର୍ଷ ଭିତରେ କେହି ବି ଏତେ ବର୍ଷ ନିରନ୍ତର କାମ କରିବାର ସୁଯୋଗ ପାଇନଥିଲେ। ପ୍ରଥମ ମୋଦୀ ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ସହିତ ଦକ୍ଷତା ବିକାଶ ଓ ଦ୍ଵିତୀୟ ପାଳିରେ ଇସ୍ପାତ ବିଭାଗର ଦାୟିତ୍ଵ ମଧ୍ୟ ପାଇଛନ୍ତି। ଓଡିଶାରୁ ବହୁ ବର୍ଷ ହେଲା ସେ ନିର୍ବାଚନ ଜିତିନାହାନ୍ତି କି ଲଢି ନାହାନ୍ତି, ତଥାପି ବିଜେପି ତାଙ୍କୁ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପଠେଇଛି। ଏଥିରୁ ଦଳ ଓ ସରକାରରେ ତାଙ୍କର ପତିଆରା ସ୍ପଷ୍ଟ ପ୍ରମାଣିତ। ହେଲେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ସବୁବେଳେ ପରାଜିତ ନାୟକ ହୋଇ ରହୁଛନ୍ତି ଓ ଓଡିଶାରେ ବିଜେପି ଆଶାନୁରୂପ ସଫଳତା ପାଉନାହିଁ। ଓଡିଶାର ବହୁ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ରଙ୍କୁ ନିଜର ନେତା ମାନିବାକୁ ନାରାଜ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵ ସବୁଠୁ ବଡ ଆହ୍ୱାନର ସମ୍ମୁଖୀନ ହୋଇଛି।

୨୦୧୯ ନିର୍ବାଚନରେ ଓଡିଶାରୁ ବିଜେପିର ଆଠ ଜଣ ଲୋକସଭା ପ୍ରାର୍ଥୀ ଜିଣିକି ଯାଇଥିବା ବେଳେ ହଠାତ ଜାତୀୟ ଗଣମାଧ୍ୟମରେ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଏକ ପ୍ରଚାର ଅଭିଯାନ ଆରମ୍ଭ ହେଲା। ତାଙ୍କୁ ଜାତୀୟ ଗଣମାଧ୍ୟମରେ ଓଡିଶାର ମୋଦୀ ବୋଲି ପ୍ରଚାର କରିବା ପଛରେ ଏକ ବଡ ଶକ୍ତିର ହାତ ରହିଥିବା ସୁନିଶ୍ଚିତ। ଯୋଜନାବଦ୍ଧ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ତ୍ୟାଗୀ, ତପସ୍ଵୀ, ବାଗ୍ମୀ ଓ ଓଜସ୍ଵୀ ବୋଲି କୁହାଯାଉଛି। ଯେଉଁ ଓଡିଆ ଗଣମାଧ୍ୟମ ତାଙ୍କୁ ଗତ ୨୦ ବର୍ଷ ଭିତରେ ବିଶେଷ କିଛି ଗୁରୁତ୍ଵ ଦେଉନଥିଲେ, ସେମାନେ ହଠାତ୍ ପ୍ରତାପଙ୍କ ଜୟଗାନ ଆରମ୍ଭ କଲେ। ଏହା ପୂର୍ବରୁ ଓଡିଶା ବିଜେପି ସଭାପତି ପଦ ଲାଗି ଯେବେ ବି ପ୍ରତାପ ଷଡଙ୍ଗୀଙ୍କ ନାମ ଉଠିଛି, ତାକୁ କଳେ ବଳେ କୌଶଳେ ଚାପି ଦିଆଯାଉଥିଲା। ଏପରିକି ପ୍ରତାପ ଷଡଙ୍ଗୀଙ୍କୁ ଟିକେ ଅଧିକ ଟିଭି ଫୁଟେଜ ଦେଇଥିବାରୁ ଜଣେ ବରିଷ୍ଠ ସମ୍ପାଦକଙ୍କ ଚାକିରି ଚାଲିଯାଇଥିବା କଥା ମଧ୍ୟ ଶୁଣାଯାଏ। ପ୍ରତାପ ଓ ଧର୍ମେନ୍ଦ୍ରଙ୍କ ଭିତରେ ଖୁବ ଗୋଟେ ମଧୁର ସମ୍ପର୍କ ଯେ ନଥିଲା, ଏକଥା ବିଜେପି ନେତା ଓ ବିଜେପି କଥା ରିପୋର୍ଟ କରୁଥିବା ସାମ୍ବାଦିକ ମାନେ ଭଲ ଭାବରେ ଜାଣନ୍ତି।

ହଠାତ ପ୍ରତାପଙ୍କୁ ହିରୋ ଭାବରେ ଉପସ୍ଥାପନ କରିବା, ତାଙ୍କୁ ମନ୍ତ୍ରୀ ଭାବରେ ଦାୟିତ୍ଵ ଦେବା, ତାଙ୍କ ସଂସ୍କୃତ କୁ ନେଇ ବଢେଇ ଚଢେଇ ଆଲୋଚନା କରିବା ଓ ସର୍ବ ଶେଷରେ ଲୋକସଭାରେ ରାଷ୍ଟ୍ରପତିଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବାର ସୁଯୋଗ ଦେବା ଭଳି ଘଟଣାକ୍ରମରେ ଏକ ଭିନ୍ନ ରାଜନୀତିର ଆଭାସ ସ୍ପଷ୍ଟ ବାରି ହୋଇ ପଡୁଛି। ଓଡିଶା ରାଜନୀତିରେ ଧର୍ମେନ୍ଦ୍ରଙ୍କୁ ଅଲଗା କରି ରଖିବାକୁ ଓ ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ରାଜନୈତିକ ଗୁରୁତ୍ଵ ଦେବାକୁ ବୋଧେ ବିଜେପି ଶୀର୍ଷ ନେତୃତ୍ଵ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ଧର୍ମେନ୍ଦ୍ର ଆଦୌ ଗ୍ରହଣୀୟ ନେତୃତ୍ଵ ନୁହନ୍ତି ଓ ତାଙ୍କ ନେତୃତ୍ବରେ ଦଳ ଓଡିଶାରେ କେବେହେଲେ କ୍ଷମତା ଦାଖଲ କରିପାରିବ ନାହିଁ ବୋଲି ବିଜେପିର ହୃଦବୋଧ ହୋଇ ସାରିଛି। ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ମିଡିଆ ପ୍ରଚାରର କେନ୍ଦ୍ରରେ ରଖି ତାଙ୍କର ଏକ ନୂଆ ବ୍ରାଣ୍ଡ ପ୍ରସ୍ତୁତ କରାଯାଉଛି।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପୂର୍ଣ୍ଣ ସନ୍ତୁଷ୍ଟ କରି ରଖିବା ସହିତ ନବୀନଙ୍କ ବିରୋଧରେ ବିଜେପିର କୌଣସି ଶୀର୍ଷ ନେତା କିଛି ନ କହିବାକୁ କୁହାଯାଇଛି। ତାହା ସହିତ ପ୍ରତାପ ଷଡଙ୍ଗୀଙ୍କର ଏକ ସକାରାତ୍ମକ ଭାବମୂର୍ତ୍ତି ନିର୍ମାଣର ଉଦ୍ୟମ ମଧ୍ୟ ଚାଲିଛି। ଏହା ପୂର୍ବରୁ ପ୍ରତାପଙ୍କୁ ଜଣେ ଉଗ୍ର ହିନ୍ଦୁତ୍ଵବାଦୀ ନେତା ଭାବରେ ଓଡିଶାର ଗଣମାଧ୍ୟମ ଚିତ୍ରିତ କରୁଥିଲା। ଏବେ ହଠାତ ତାଙ୍କୁ ସନ୍ଥ ଓ ମହାତ୍ମାର ସ୍ତରକୁ ଉନ୍ନୀତ କରିବାର ଉଦ୍ୟମ ଚାଲିଛି। ଏହି ଉଦ୍ୟମର ଦୁଇଟି ରାଜନୈତିକ ଉଦ୍ଦେଶ୍ୟ ରହିଛି। ପ୍ରଥମରେ ଏହା ଦ୍ଵାରା ନବୀନ ପଟ୍ଟନାୟକଙ୍କ ଏକ ବିକଳ୍ପ ନିର୍ମାଣ ଓ ଦ୍ବିତୀୟରେ ରାଜ୍ୟ ରାଜନୀତିରୁ ଧର୍ମେନ୍ଦ୍ରଙ୍କ ଅପସାରଣ। ଧର୍ମେନ୍ଦ୍ରଙ୍କୁ ଜାତୀୟ ରାଜନୀତିରେ ଉପଯୋଗ କରି ଓଡିଶାରେ ପ୍ରତାପ ଷଡଙ୍ଗୀଙ୍କୁ ସର୍ବଜନ ଗ୍ରହଣୀୟ କରିବାର ଯୋଜନାବଦ୍ଧ ଉଦ୍ୟମ ନିର୍ବାଚନ ପରେ ପରେ ହିଁ ଆରମ୍ଭ ହୋଇଛି। ନିର୍ବାଚନ ସମୟରୁ ହିଁ  ଓଡିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵ ସଫଳ ହେବ ନାହିଁ ବୋଲି ବିଜେପି ନେତୃତ୍ଵ ଜାଣି ସାରିଥିଲେ। ତେଣୁ ତାଙ୍କର ବିକଳ୍ପ ଭାବରେ କେତେବେଳେ ଅପରାଜିତା ଷଡଙ୍ଗୀ ତ ପୁଣି କେବେ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା। ତେବେ ଏ ଦୁହେଁ ସଂଘ ବିଚାର ଓ ହିନ୍ଦୁତ୍ଵ ରାଜନୀତିରୁ ଆସିନଥିବାରୁ ପ୍ରତାପ ହିଁ ପରିଶେଷରେ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବରେ ବିଜେପି ଶୀର୍ଷ ନେତୃତ୍ବର ସମର୍ଥନ ପାଇଛନ୍ତି।

Categories
ବିଶେଷ ଖବର

ନନାଙ୍କ ସଂସ୍କୃତ ଓ ଭକ୍ତଙ୍କ ଭାଗବତ; ଏହାରି ଭିତରେ ବ୍ରାହ୍ମଣର ଯଜମାନି ପାଲଟି ଯାଉଛି ଆମର ଗଣତନ୍ତ୍ର

କେଦାର ମିଶ୍ର 

ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ।

ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ।

ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା।

ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ।

ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ।

ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି।

ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି।

ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି।

ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!!

ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ ବିଷୟରେ ଏମିତି ବ୍ରହ୍ମଜ୍ଞାନ ହଠାତ ଉଦୟ ହେଲା କାହିଁକି? ସବୁଠୁ ମଜାର କଥା ହେଲା, ସେ ମନ୍ତ୍ରୀ ହେବାର ଲବି ଆରମ୍ଭ ହେଲା ବେଳକୁ ତାଙ୍କର ଦାରିଦ୍ର୍ୟ ଓ ସରଲା ଜୀବନକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। (ଦୁଇଥର ବିଧାୟକ ହୋଇ ଦରମା ଓ ପେନସନ ପାଇ କି ପ୍ରକାର ଦାରିଦ୍ର୍ୟ!) ଏବେ ତାଙ୍କର ସଂସ୍କୃତ ବ୍ୟବହାର କୁ ନେଇ ଚର୍ଚ୍ଚା ଚାଲିଛି। ହଠାତ ସେ ସଂସ୍କୃତ ଭାଷାର ରାଷ୍ଟ୍ରଦୂତ ଭାବରେ ସାମ୍ବାଦିକଙ୍କ ଦ୍ଵାରା ପୂଜିତ ହେବା ଆରମ୍ଭ କରିଛନ୍ତି।

ଯେଉଁ ସାମ୍ବାଦିକମାନେ ସଂସ୍କୃତର ଗୋଟିଏ ଶବ୍ଦ ବୁଝିପାରନ୍ତି ନାହିଁ, ସେମାନେ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ଜ୍ଞାନକୁ ନେଇ ଗଦଗଦ ହୋଇ ପଡ଼ୁଛନ୍ତି। ଓଡିଶାର ଦୁଇଟି ଟେଲିଭିଜନ ଚାନେଲ ଏବେ ପ୍ରତାପ ବାବୁଙ୍କୁ ( ଏ ନନା ଶବ୍ଦଟି କେବେ,କେଉଁଠି, କେମିତି ପ୍ରତାପ ଷଡଙ୍ଗୀଙ୍କ ନାଁ ଆଗରେ ଯୋଡିହେଲା, ତାହା ମଧ୍ୟ ବିଶେଷ ଅନୁସନ୍ଧାନର ବିଷୟ) ମହାପୁରୁଷ କରିବାର ପୂର୍ଣ୍ଣକାଳୀନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେମାନେ ଏବେ ପୂର୍ଣ୍ଣ ପ୍ରତାପଗତ ପ୍ରାଣ!!

ହଁ, ଏବେ ପଣ୍ଡିତ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ପାଖକୁ ଫେରିବା। ପ୍ରତାପ ବାବୁ ମନ୍ତ୍ରୀ ଭାବରେ ହିନ୍ଦୀରେ ଓ ଲୋକସଭା ସଦସ୍ୟ ଭାବରେ ସଂସ୍କୃତରେ ଶପଥ ନେଲେ। ହିନ୍ଦୀ ଅବା ସଂସ୍କୃତ ତାଙ୍କର ମାତୃଭାଷା କି? ଆମ ଜାଣିବାରେ ୧୩୦ କୋଟି ଲୋକଙ୍କର ଭାରତରେ ମାତ୍ର ୨୪,୮୨୧ ଜଣ ଲୋକ ନିଜ ମାତୃଭାଷା ସଂସ୍କୃତ ବୋଲି ୨୦୧୧ ଜନଗଣନା ସମୟରେ କହିଥିଲେ। ପ୍ରତାପ ବାବୁ କଣ ସେଇ ମାନଙ୍କ ଭିତରୁ ଅନ୍ୟତମ? ଲୋକସଭାରେ ସେ ଯେଉଁ ଭାଷାରେ ଶପଥ ନେଲେ ତାହା ତାଙ୍କର ମାତୃଭାଷା ନଥିଲା କିମ୍ବା ତାଙ୍କୁ ନିର୍ବାଚିତ କରିଥିବା ଲୋକଙ୍କର ମଧ୍ୟ ଭାଷା ନଥିଲା। ତାହେଲେ ସେ ସଂସ୍କୃତକୁ ନିଜର ଭାଷା ଭାବରେ ବାଛିଲେ କାହିଁକି? ଉଦ୍ଦେଶ୍ୟମୂଳକ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିଦୁତ୍ଵ ମୁଖା ଭାବରେ ବ୍ୟବହାର କରାଯାଉଛି। ସଂସ୍କୃତ ଓ ସଂସ୍କୃତ ଆଧାରିତ ବ୍ରାହ୍ମଣବାଦକୁ ଲୋକସଭା ଭିତରେ ଅଧିକ ପ୍ରାଧାନ୍ୟ ଦେବାର ଏହା ଏକ ସୁଚିନ୍ତିତ ରଣନୀତି।

ପ୍ରତାପ ଷଡଙ୍ଗୀ ନିଜର ଓଡିଆ ପରିଚୟ ଅପେକ୍ଷା ନିଜର ସଂସ୍କୃତ ପରିଚୟକୁ ନେଇ ଏତେ ଉତ୍ସାହିତ କାହିଁକି? ଏ ପ୍ରଶ୍ନ ପଚାରିବା ଗଣମାଧ୍ୟମର ଦାୟିତ୍ଵ। ହେଲେ ଗଣମାଧ୍ୟମ ତାଙ୍କର ସଂସ୍କୃତ ଶୁଣି ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି। ପ୍ରତାପ ନନାଙ୍କ(ନନା କହିଲେ କି ଅର୍ଥ ବହନ କରେ ତାକୁ ନେଇ ବହୁ ଆଞ୍ଚଳିକ ମତ ରହିଛି। ପୁରୀ ଓ ଗଞ୍ଜାମରେ ନନା ହେଉଛନ୍ତି ବାପା, ଉତ୍ତର ଓଡିଶାରେ ନନା ହେଉଛନ୍ତି ବଡଭାଇ, ପଶ୍ଚିମ ଓଡିଶାରେ ଏହା ପିଉସୀ ଅଥବା ଆଈ) ବାଷ୍ପୀୟ ଶକଟ ଜାତୀୟ ସଂସ୍କୃତ(ୟାର ଅର୍ଥ କିଛି ବୁଝିଲେ? ଦେଶୀ ଓଡିଆରେ କହିଲେ ରେଳଗାଡି ପରିକା ଦଉଡୁଥିବା ସଂସ୍କୃତ) ବୁଝିବାର ସାମର୍ଥ୍ୟ ଆମର କେତେଜଣ ସାମ୍ବାଦିକଙ୍କର ରହିଛି ସେମାନେ ହାତ ଟେକିବେ କି?

ବ୍ୟକ୍ତିଗତ ଭାବରେ ମୁଁ ସଂସ୍କୃତ ପଢିପାରେ, ବୁଝିପାରେ, ଟିକେ ଟିକେ କହି ମଧ୍ୟ ପାରେ। ପ୍ରତାପ ବାବୁଙ୍କର ସଂସ୍କୃତ ସାକ୍ଷାତ୍କାରଟିକୁ ମୁଁ ଶୁଣିବାକୁ ଚେଷ୍ଟା କରୁଥିଲି। ସେ ଏତେ ତୀବ୍ର ଗତିରେ ସଂସ୍କୃତ କହୁଥିଲେ ଯେ, ସେଥିରେ ମୋତେ ଗୋଟିଏ ଶବ୍ଦକୁ ବୁଝିବା କାଠିକର ହେଉଥିଲା। ତେଣୁ ଯାହା ବୁଝି ନହୁଏ ତାହା ସଂସ୍କୃତ ବୋଲି ଆମେ କହିପାରିବା କି? ଲୋକ ଜୀବନରେ ଯେଉଁ ଭାଷାର କୌଣସି ବ୍ୟବହାର ଆଉ ନାହିଁ, ତାକୁ ଲୋକସଭାରେ ଭାଷା ବୋଲି ବାହାଷ୍ଫୋଟ ମାରିବାର ମାନେ କଣ? ତେବେ ଏହି ଘଟଣାର ପରବର୍ତ୍ତୀ ପ୍ରତିକ୍ରିୟା ଆମେ ଉତ୍ତର ପ୍ରଦେଶରେ ଦେଖୁଛୁ। ଉତ୍ତର ପ୍ରଦେଶ ସରକାର କହିଲେଣି, ଏଣିକି ସବୁ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ମଧ୍ୟ ପ୍ରକାଶ ପାଇବା। ଏଇ ସମଗ୍ର ଘଟଣାକ୍ରମ ର ମଞ୍ଜକଥାଟି ଏଇଆ । ଦେବତା ଓ ବ୍ରାହ୍ମଣଙ୍କର ପ୍ରାୟ ମରିଆସୁଥିବା ଓ ଏ ଦେଶର ମାତ୍ର ୦.୦୦୧% ଲୋକ ଜାଣିଥିବା ଏକ ଭାଷାକୁ ଲୋକତନ୍ତ୍ରର ଭାଷା ଭାବରେ ପ୍ରତିଷ୍ଠା କରିବାର ଏ ଉଦ୍ୟମ ପଛରେ କେତେ ବଡ ଷଡଯନ୍ତ୍ର ରହିଛି, ତାକୁ ବୁଝିଲା ବେଳକୁ ନେଡି ଗୁଡ କହୁଣୀକି ବୋହି ସାରିଥିବ!

ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ Sankhipta ଆପ୍

Categories
ଆଜିର ଖବର

ଏକତ୍ର ଦାୟିତ୍ବ ଗ୍ରହଣ କଲେ ନିତୀନ ଗଡକରୀ ଓ ପ୍ରତାପ ଷଡଙ୍ଗୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରୀ ଏବଂ ପ୍ରତାପ ଷଡ଼ଙ୍ଗୀ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଉଭୟେ ମଙ୍ଗଳବାର ପୂର୍ବାହ୍ନରେ ଏକାଠି କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଥିଲେ। ପରେ ସେଠାରେ ଏକା ସମୟରେ ଦାୟିତ୍ଵ ନେଇଥିଲେ। ନିତିନ ଗଡ଼କରୀ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ(ଏମଏସଏମଇ) କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିବାବେଳେ ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ ଥର ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ଷଡଙ୍ଗୀ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହିତ ଗୋପାଳନ , ମତ୍ସ୍ୟ ଏବଂ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି।

Categories
ବିଶେଷ ଖବର

ସନ୍ଥ ଓ ମହାପୁରୁଷ ତିଆରି କରିବାର କୃତ୍ରିମ ରାଜନୈତିକ ଉପାୟ- ପ୍ରସଙ୍ଗ ପ୍ରତାପ ଷଡଙ୍ଗୀ

କେଦାର ମିଶ୍ର

ସେ ଯେ ଆଜି ରାଜନୀତିକୁ ଆସିଲେ, ସେୟା ନୁହଁ। ଗତ କୋଡିଏ ବର୍ଷ ଧରି ଓଡିଶାର ରାଜନୈତିକ ଜୀବନରେ ତାଙ୍କର ଚଳ ପ୍ରଚଳ ରହିଛି। ତାଙ୍କୁ ଅନେକ ସମୟରେ ଜଣେ ଉଗ୍ରବାଦୀ ଧାର୍ମିକ ନେତା ଭାବରେ ଆମେ ଟେଲିଭିଜନ ପରଦାରେ ଯୁକ୍ତି ତର୍କ କରୁଥିବାର ଦେଖିଛୁ। ଭୋପାଳରୁ ଜିତିଥିବା ଲୋକସଭା ସାଂସଦ ପ୍ରଜ୍ଞା ସିଂ କହିବାର ବହୁ ଆଗରୁ, ସେ ଗାନ୍ଧୀଙ୍କ ହତ୍ୟାକାରୀକୁ ଜଣେ ଦେଶଭକ୍ତ ବୋଲି କହିବାର ଆମେ ଶୁଣିଛୁ। ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ଅନେକ ଟିଭି ବିତର୍କରେ ମୁଁ ତାଙ୍କର ପ୍ରତିପକ୍ଷ ହୋଇ ଛିଡା ହୋଇଛି। ସାଧାସିଧା ଲାଗୁଥିବା ଏ ବ୍ୟକ୍ତି ଜଣକ ୨୦ ବର୍ଷ ଧରି ଆମ ରାଜନୀତିରେ ଥିଲେ ବି, କାଇଁ ତାଙ୍କୁ ତ କେବେ ଆମେ ସନ୍ଥ କି ମହାପୁରୁଷ ବୋଲି କହୁନଥିଲୁ। ଏପରିକି ଏଥର ନିର୍ବାଚନ ଲଢିବା ବେଳେ ମଧ୍ୟ ସେ ଅନ୍ୟ ସାଧାରଣ ବିଜେପି ପ୍ରାର୍ଥୀଙ୍କ ପରି ଥିଲେ। ହଠାତ ତାଙ୍କୁ ସନ୍ଥ ଓ ମହାପୁରୁଷ କରିଦେବାର କାରଣ କଣ? ରାତାରାତି ଲମ୍ବା ଦାଢି ପରି ଏବେ ପ୍ରତାପ ଷଡଙ୍ଗୀ ନାମକ ଜଣେ ମହାପୁରୁଷଙ୍କ ଆବିର୍ଭାବ ହେବାର ପୃଷ୍ଠଭୂମିଟି ସତରେ କଣ?

ମୁଁ ଜାଣେ, ଏ କଥା ଭକ୍ତଙ୍କୁ ବହୁତ ବାଧିବ। ସେମାନେ ଯେଉଁ ମହାପୁରୁଷ ନିର୍ମାଣର କଳା କୌଶଳ ପ୍ରୟୋଗ କରୁଛନ୍ତି, ସେଥିରେ ଯୁକ୍ତି, ତଥ୍ୟ ଓ ପ୍ରମାଣ ସବୁଠୁ ବଡ ଶତ୍ରୁ। ତେଣୁ ସେମାନେ ଚିତ୍କାର କରିବେ ଓ ଗାଳି ଦେବେ, ସେକଥା ଆମକୁ ଜଣା ଅଛି। ହେଲେ ଆମକୁ ସତ କହିବାକୁ ଓ ଶୁଣିବାକୁ ପଡିବ। ବିଧାୟକ, ସାଂସଦ ଓ ମନ୍ତ୍ରୀ ହେବା ଆଗରୁ ପ୍ରତାପ ଷଡଙ୍ଗୀ ସଙ୍ଘ ପରିବାରର ସଂଗଠନ ବଜରଙ୍ଗ ଦଳର ରାଜ୍ୟ ମୁଖିଆ ଥିଲେ। ତାଙ୍କ ନେତୃତ୍ଵରେ ଓଡିଶାର ସବୁଠୁ ହିଂସ୍ର ଓ ଅମାନବୀୟ ଦୁଇଟି ଘଟଣାକୁ ଆମେ ଅଣଦେଖା କରି ପାରିବା ନାହିଁ। ୨୨, ଜାନୁଆରୀ, ୧୯୯୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର ମନୋହରପୁର ଗାଁରେ ଅଷ୍ଟ୍ରେଲିଆ ର ଡାକ୍ତର ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁ ପୁତ୍ର ଫିଲିପ ଓ ତିମୋଥିଙ୍କୁ ଜିଅନ୍ତା ପୋଡି ମାରି ଦିଆ ଗଲା। ଏହି ଘଟଣାରେ ସଂପୃକ୍ତ ଥିବା ଦାରା ସିଂ ସୁପ୍ରିମ କୋର୍ଟଙ୍କ ଦ୍ଵାରା ଆଜୀବନ କାରାଦଣ୍ଡ ପାଇ ସାରିଛି। ତେବେ ୧୯୯୯ ଓ ୨୦୦୦ ମସିହାରେ ଦାରା ସିଂର ସବୁଠୁ ବଡ ସମର୍ଥକ ଥିଲେ ତତ୍କାଳୀନ ବଜରଙ୍ଗ ଦଳର ମୁଖିଆ ପ୍ରତାପ ଷଡଙ୍ଗୀ। ଜଣେ ହତ୍ୟାକାରୀ ଯିଏ  ତିନୋଟି ପ୍ରାଣକୁ ଜିଅନ୍ତା ପୋଡି ମାରି ଦେଇପାରେ, ତା ସପକ୍ଷରେ ଯୁକ୍ତି କରୁଥିବା ଲୋକ ମହାପୁରୁଷ ହେବା ଆମ ସମୟର ସବୁଠୁ ବଡ ବିଡମ୍ବନା।

ଦ୍ଵିତୀୟ ଘଟଣାଟି ଆହୁରି ଚିନ୍ତାଜନକ। ୧୬, ଡିସେମ୍ବର, ୨୦୦୧ ରେ ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓ ଦୁର୍ଗା ବାହିନୀର ସଦସ୍ୟମାନେ ଓଡିଶା ବିଧାନସଭା ଭିତରକୁ ଧସେଇ ପଶି ସବୁକିଛି ଭାଙ୍ଗିରୁଜି ପକାଇଥିଲେ। ବିଧାନସଭା ଚାଲୁଥିବା ବେଳେ ଏ ପ୍ରକାର ଆକ୍ରମଣ ଭାରତୀୟ ଗଣତନ୍ତ୍ର ଉପରେ ସବୁଠୁ ବଡ ଦେଶୀ ଆକ୍ରମଣ ଥିଲା। ସେହି ଘଟଣାରେ ଓଡିଶା ପୋଲିସ ତତ୍କାଳୀନ ବଜରଙ୍ଗ ଦଳର ମୁଖିଆ ତଥା ଆଜିର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଗିରଫ କରିଥିଲା। ପ୍ରତାପ ବାବୁ ଏ ଆକ୍ରମଣକୁ କେବେ ନିନ୍ଦା କରିବାର ଆମେ ଶୁଣିନାହୁଁ।

ତେବେ ପ୍ରତାପ ଷଡଙ୍ଗୀ ଗୋଟେ ସରଳ ଜୀବନ ବଞ୍ଚନ୍ତି, ଏ କଥା ସ୍ଵୀକାର କରିବାକୁ ଅବଶ୍ୟ ପଡିବ। ସେ ତାଙ୍କ ଗାଁ ଗୋପୀନାଥପୁରରେ କେମିତି ରହନ୍ତି ମୁଁ ଦେଖିନାହିଁ, ହେଲେ ଅଧିକାଂଶ ସମୟ ସେ ଭୁବନେଶ୍ବରର ବିଧାୟକ କଲୋନୀର ଏକ ସରକାରୀ ଘରେ ସେ ରହୁଥିବା ମୁଁ ଜାଣେ। ରବୀନ୍ଦ୍ର ମଣ୍ଡପରୁ ତାଙ୍କ ସରକାରୀ ଘର ଯାଏ ସେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଅନେକଙ୍କ ଆଖିରେ ପଡିଥିବ। ଏହା ଛଡା ତାଙ୍କର ନିର୍ବାଚନୀ ପ୍ରଚାରରେ ଆଡମ୍ବର ନ ଥାଏ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ମିଛ ଇ କହୁଛନ୍ତି। ଗତ ଦୁଇଟି ଯାକ ନିର୍ବାଚନରେ ବାଲେଶ୍ବରରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ସେ ବେଶ ଭଲ ପ୍ରଚାର କରିଛନ୍ତି। ତାଙ୍କ ବିପକ୍ଷରେ ଯଦିଓ ଦୁଇଜଣ ଧନୀ ପ୍ରାର୍ଥୀ ଥିଲେ, ପ୍ରତାପଙ୍କ ପ୍ରଚାରରେ କିନ୍ତୁ ସେମିତି କିଛି ଅଭାବ ନଥିଲା। ସେ ସାଇକଲରେ ନିର୍ବାଚନ ପ୍ରଚାର କରୁଥିବା କଥା ଟି ନିହାତି ଗାଲୁଗପ।

ସରଳ ଜୀବନର ମହତ୍ତ୍ଵ ଉଚ୍ଚ ଚିନ୍ତନରୁ ଆସିଥାଏ। ହିଂସା ଓ ହତ୍ୟାର ରାଜନୀତିକୁ ସମର୍ଥନ କରି ସରଳ ଜୀବନକୁ ମହାପୁରୁଷ ସୁଲଭ କହିବା ହାସ୍ୟାସ୍ପଦ ନୁହେଁ କି? ପ୍ରତାପ ଷଡଙ୍ଗୀ କେବଳ ଦାରା ସିଂ ସପକ୍ଷରେ ଠିଆ ହୋଇ ନାହାନ୍ତି, ସେ ଅନେକ ବିତର୍କରେ ନାଥୁରାମ ଗଡସେକୁ ଦେଶ ଭକ୍ତ ଓ କର୍ଣ୍ଣୀ ସେନାର ହିଂସାକୁ ଜାତୀୟତାବାଦ ବୋଲି ସମର୍ଥନ ଦେଇଛନ୍ତି। ରାଜନୀତିରେ ଉଗ୍ର ଜାତୀୟତାବାଦର କଥା କହି ହିଂସା ଏକ ଆବଶ୍ୟକୀୟ ମାଧ୍ୟମ ବୋଲି ସେ କହି ଆସୁଛନ୍ତି। ରାଜନୈତିକ ହିଂସାର ସମର୍ଥକ ହେବା କୌଣସି ସନ୍ଥର ଲକ୍ଷଣ କଦାପି ନୁହେଁ।

ପ୍ରତାପ ଷଡଙ୍ଗୀ ଜଣେ ଉଗ୍ର ହିନ୍ଦୁତ୍ଵବାଦୀ ନେତା। ତାଙ୍କ ବ୍ୟକ୍ତିତ୍ବର ଭଲ ଦିଗଟି ହେଲା ସେ ତାଙ୍କ ଦଳର ଅନ୍ୟ ନେତାଙ୍କ ପରି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁ ନାହାନ୍ତି। ତାଙ୍କର ସରଳ ଓ ନିରାଡମ୍ବର ଜୀବନ ରହିଛି। ହେଲେ ରାଜନେତିରେ ହିଂସା ଓ ଉଗ୍ରବାଦର ସମର୍ଥନ ତାଙ୍କର ବ୍ୟକ୍ତିଗତ ସରଳତାକୁ ସବୁବେଳେ ସନ୍ଦେହ ଘେରରେ ରଖିଥିବ। ସୋସିଆଲ ମିଡିଆରେ ଚାଳ ଛପର ଘର ଓ ସାଇକଲ ଦେଖି କାହାକୁ ସନ୍ଥ ଓ ମହାପୁରୁଷ ବୋଲି ଘୋଷଣା କରିବା ପୂର୍ବରୁ ତାଙ୍କର ରାଜନୈତିକ ଅତୀତ ବିଷୟରେ ଜାଣିବା ନିହାତି ଜରୁରୀ।

Categories
ବିଶେଷ ଖବର

ଓଡିଶାରୁ ସେହି ଦୁଇ ମନ୍ତ୍ରୀ, ଧର୍ମେନ୍ଦ୍ର କ୍ୟାବିନେଟ, ପ୍ରତାପ ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ, ଦୁଇଦିନ ଧରି ଜାତୀୟ ମିଡିଆର ଚର୍ଚ୍ଚାରେ ଥିଲେ ପ୍ରତାପ

ସମୀକ୍ଷା ବ୍ୟୁରୋ

ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଯେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ମୋଦି ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ପଦ ଓ ଗୋପନୀୟତା ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶପଥ ଗ୍ରହଣ ଠିକ ଏକ ଘଣ୍ଟା ପୂର୍ବରୁ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେଉଛନ୍ତି ବୋଲି ଜଣାପଡିଥିଲା। ଏହାପରେ ଧର୍ମେନ୍ଦ୍ର ତାଙ୍କୁ ସାଥୀରେ ନେଇ ଯେତେବେଳେ ରାଷ୍ଟପତି ଭବନର ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ ସେତେବେଳେ ଏହା ସତ ବୋଲି ଜଣାପଡିଥିଲା।

ପ୍ରତାପ ଷଡଙ୍ଗୀଙ୍କୁ ନେଇ ଗତ ଦୁଇ ଦିନ ଧରି ଜାତୀୟ ତଥା ବିଭିନ୍ନ ରାଜ୍ୟ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଥିଲା। କାରଣ ତାଙ୍କର ନିରାଡମ୍ବର ଚାଳିଚଳନ ଏବଂ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଠ କରିଥିଲା। ଏପରିକି ଗାଁ ରେ କିପରି ରୁହନ୍ତି କିପରି କମ ଖର୍ଚ୍ଚରେ ନିର୍ବାଚନରେ ବିଜୟ ହାସଲ କରିଥିଲେ ତାହାକୁ ମିଡିଆ ଉପସ୍ଥାପିତ କରିଥିଲା। ଏପରିକି ସେ ଦୁଇ ଜଣ କୋଟିପତିଙ୍କୁ କିପରି ତାଙ୍କର ସାଧନା ଓ ବ୍ୟବହାର ବଳରେ ହରାଇ ଦେଇଥିଲେ ତାହା ମଧ୍ୟ ମିଡିଆ ଦେଖାଇଥିଲା। ଦୁଇଦିନ ଧରି ମିଡିଆରେ ଏପରି ପ୍ରଚାରରୁ ଓଡିଶାବାସୀ ଜାଣିସାରିଥିଲେ ଯେ ପ୍ରତାପଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି।

ତେବେ ଏହି ଶପଥ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ପୂର୍ବରୁ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ର ଉପରେ ପୁଣିଥରେ ଆସ୍ଥା ପ୍ରକଟ କରି ମନ୍ତ୍ରୀ ପଦ ଦେଇଛନ୍ତି। ସେ ବର୍ତ୍ତମାନ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ମୁଖ୍ୟତଃ ଧର୍ମେନ୍ଦ୍ର ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଉଜ୍ଜଳା ଯୋଜନାକୁ ସାରା ଦେଶରେ ବେଶ୍ ଲୋକପ୍ରିୟତା କରାଇପାରିଥିଲେ।

ଏଥର ରାଜ୍ୟର ବରିଷ୍ଠ ସାଂସଦ ଜୁଏଲ ଓରାମଙ୍କୁ ନିରାଶ ହେବାକୁ ପଡିଛି। ସେ ପୂର୍ବ ସରକାରରେ ଏକମାତ୍ର ସାଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ। ହେଲେ ଏଥର ମୋଦି ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରି ନାହାଁନ୍ତି। ତେବେ ଏଥର ଓଡିଶାରୁ 8 ଜଣ ସାଂସଦ ବିଜେପି ଦେଇଥିବା ବେଳେ ଅଧିକ ମନ୍ତ୍ରୀ ଆଶା କରାଯାଉଥିଲା। ହେଲେ ତାହା ଫସର ଫାଟିଯାଇଛି। ଏହି ମନ୍ତ୍ରୀ ପଦରେ ସୁରେଶ ପୂଜାରୀ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ଶୁଣାଯାଉଥିଲା। ହେଲେ ମୋଦି ଓଡିଶାର ମନ୍ତ୍ରୀ ସଂଖ୍ୟା ସେହି ଦୁଇରେ ସୀମିତ ରଖିଛନ୍ତି।