ଉଦୟନିଧିଙ୍କ ସନାତନ ଧର୍ମ ମନ୍ତବ୍ୟ ଉପରେ ମମତା ବାନାର୍ଜୀଙ୍କ ବଡ ବୟାନ: ଜାଣନ୍ତୁ କ’ଣ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Published: Sep 4, 2023, 7:00 pm IST

ନୂଆଦିଲ୍ଲୀ: ତାମିଲନାଡୁ ସରକାରର ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପରେ ବିବାଦ ଉପୁଜିଛି। ଏହି ପ୍ରସଙ୍ଗ ଉଠାଇ ବିଜେପି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମଧ୍ୟ ଟାର୍ଗେଟ କରିଛି। ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଆଜି ମମତା ବାନାର୍ଜୀ କହିଛନ୍ତି ଯେ, “ମୁଁ ତାମିଲନାଡୁର ଲୋକ, ସିଏମ ଏମ.କେ ଷ୍ଟାଲିନଙ୍କୁ ସମ୍ମାନ କରେ। ପ୍ରତ୍ୟେକ ଧର୍ମର ଭିନ୍ନ ଭାବନା ରହିଛି। ଭାରତ ‘ବିବିଧତା ମଧ୍ୟରେ ଏକତା’ ବିଷୟରେ, ଯାହା ଆମର ମୂଳ ଅଟେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଆମେ କୌଣସି ପ୍ରସଙ୍ଗରେ ଜଡିତ ହେବା ଉଚିତ ନୁହେଁ ଯାହାକି ଲୋକଙ୍କ ଏକ ବର୍ଗକୁ ଆଘାତ ଦିଏ।

ଆମେ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଉଚିତ୍:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ସନାତନ ଧର୍ମକୁ ସମ୍ମାନ କରେ। ପୂଜାପାଠ କରୁଥିବା ପୁରୋହିତମାନଙ୍କୁ ଆମେ ପେନ୍ସନ୍ ପ୍ରଦାନ କରୁଛୁ। ବଙ୍ଗଳାରେ ଦୁର୍ଗା ପୂଜା ପାଳନ କରାଯାଏ। ଆମେ ମନ୍ଦିର, ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚକୁ ଯାଇଥାଉ। ମୁଁ ଭାବୁଛି ଯେ, ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଉଚିତ୍। ”

ଉଦୟାନିଧି ଷ୍ଟାଲିନ କ’ଣ କହିଥିଲେ?:

ଉଲ୍ଲେଖ ଯୋଗ୍ୟ ଯେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ କରୋନା ଜୀବାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହିତ ତୁଳନା କରିଥିଲେ ଏବଂ ଏପରି ଘଟଣାକୁ ବିରୋଧ କରାଯିବା ଉଚିତ ନୁହେଁ, କିନ୍ତୁ ଏହାକୁ ଦୂର କରାଯିବା ଉଚିତ ବୋଲି କହିଥିଲେ।

ତାଙ୍କ ବିବୃତ୍ତିକୁ ବିରୋଧ କରି କଂଗ୍ରେସ ତଥା ବିରୋଧୀ ମେଣ୍ଟ ଇଣ୍ଡିଆର ଅନ୍ୟ ଦଳ ଉପରେ ମଧ୍ୟ ବିଜେପି ଆକ୍ରମଣ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡା ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ, ସିଏମ ଏମ.କେ ଷ୍ଟାଲିନ ଏହି ବିବୃତ୍ତି ଉଲ୍ଲେଖ ନକରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Related posts