ବିଜୁ ଜନତା ଦଳ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ କାର୍ଯ୍ୟ କରି ଚାଲିବ: ମୁଖ୍ୟମନ୍ତ୍ରୀ

Published: Dec 26, 2023, 11:00 pm IST

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ୨୬ ବର୍ଷ ଧରି ସେହି ଦଳ ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଏବଂ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି। ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଆଜି ଏହା ଦେଶର ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରଶଂସନୀୟ ପରିଚିତି ହାସଲ କରିଛି ଏବଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏକ ଛୋଟ ଚାରାଗଛରୁ ମହାଦ୍ରୁମରେ ପରିଣତ ହୋଇଥିବା ବିଜେଡି ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ ନିଷ୍ଠାପର ଭାବେ କାମ କରିଚାଲିବ।

ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜ୍ୟବାସୀଙ୍କୁ ଏଭଳି ବିଶ୍ବାସ ଓ ଭରସା ଦେଇଛନ୍ତି ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କ ସହିତ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ରାଜ୍ୟର ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପଳିତ ହୋଇଥିଲା। ଦଳର ଲକ୍ଷଲକ୍ଷ କର୍ମୀ ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେମାନେ ଓଡ଼ିଶାବାସୀଙ୍କ ସେବା ଏବଂ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସଂକଳ୍ପ ନେବା ସହ ଏକ ସଶକ୍ତ, ସମୃଦ୍ଧ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବେ ବୋଲି ଶପଥ ପାଠ କରିଥିଲେ।

ସକାଳ ୭ଟାବେଳେ ଶଙ୍ଖ ଭବନରେ ବିଜୁ ଜନତା ଦଳର ପତାକା ଉତ୍ତୋଳନ କରାଯିବା ସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସକାଳ ୮ଟାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବିଶାଳ ସାଇକଲ ରାଲି କଟକର ଆନନ୍ଦ ଭବନରୁ ବାହାରି ଦିନ ପ୍ରାୟ ସାଢ଼େ ୯ଟାବେଳେ ବିମାନବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା।

ଏହି ସାଇକଲ ଶୋଭାଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଯୁବ ବିଜେଡି ଉପଦେଷ୍ଟା ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ସମସ୍ତେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶଙ୍ଖଭବନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

Related posts