ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ, “ବିଜେପି ଏମ୍‍.ପି. ଆପଣଙ୍କ ପାଇଁ କିଛି କରିଛନ୍ତି କି?”: ଜାଣନ୍ତୁ କ’ଣ କହିଲେ ଜନତା

Published: May 24, 2024, 8:56 pm IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ବାଲେଶ୍ୱର, ଓ ଯାଜପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି। ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ କୋରେଇ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦଳୀୟପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତେଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ରାଇରଙ୍ଗପୁର ଓ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।

ରାଷ୍ଟ୍ରପତିଙ୍କ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଲେ ଯେ, ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ, ମୋ ଭଉଣୀ। ଏ ମାଟିର ଝିଅକୁ ସମ୍ନାନ ଦେଇକି ବିଜୁ ଜନତା ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲା।

ଏହାପରେ ସେ ଘୋଷଣା କରିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ। ଆପଣମାନେ ଖୁସି ତ ? ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ ।

ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍‍, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିର କାମ ସବୁପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’ । ନବୀନ ପଟ୍ଟନାୟକ ଭଲ କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ ।

ବିରୋଧି ଦଳ ବିଷୟରେ ସେ କହିଲେ ଯେ, ବିରୋଧି ନେତାମାନେ ମିଛ କଥା କହୁଛନ୍ତି । ଲୋକ ସବୁ ବୁଝି ସାରିଲେଣି । ସେମାନଙ୍କ କୁମ୍ଭୀର କାନ୍ଦଣା ଆଉ ଚଳିବନି । ଲୋକେ ସେମାନଙ୍କୁ ଗ୍ରହଣ କରିବେନି ।

ବାଲେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ ବିଜେପି ଏମ୍‍.ପି. ଆପଣଙ୍କ ପାଇଁ କିଛି କରିଛନ୍ତି କି ? ସମବେତ ଜନତାଙ୍କ ଉତ୍ତର ଆସିଥିଲା – ‘ନା’

ଏହାପରେ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଉଦବୋଧନ ଦେଇ କହିଲେ ଯେ, ଏ ସରକାର ଆପଣମାନଙ୍କ ସରକାର । ଆଦିବାସୀ ଭାଇଭଉଣୀଙ୍କ ସରକାର । ଚାଷୀଭାଇ ଓ ଯୁବପିଢ଼ିର ସରକାର ।

ସେ ପୁଣି କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲଜାଗାରେ ଆଦିବାସୀ ଭାଇଭଉଣୀମାନେ ଅଛନ୍ତି । ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାହିରାର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଭାରତବର୍ଷରେ କେହି ଚିନ୍ତା କରିନାହାନ୍ତି । ଏଥିପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀମାନଙ୍କ ଉପରୁ ୫୦ ହଜାର ପୋଲିସ କେସ୍‍ ରଦ୍ଦ କରିଛନ୍ତି । ଏହା ଅନ୍ୟ କେଉଁଠାରେ ହୋଇନାହିଁ । ଲକ୍ଷ ଲକ୍ଷ ଝିଅଙ୍କ ପାଠପଢ଼ାର ସୁବିଧା ପାଇଁ ହଜାର ହଜାର ହଷ୍ଟେଲ ଖୋଲିଛନ୍ତି । ଆଦିବାସୀ ଭାଇଭଉଣୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି ।

ସେ ପୁଣି କହିଲେ ଯେ ବିରୋଧି ଦଳମାନେ ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ କିଛି ବି କରିନାହାନ୍ତି । ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବିଛନ୍ତି ।

ମୟୁରଭଞ୍ଜରେ ସରକାରଙ୍କ ବିକାଶ କାମର ହିସାବ ଦେଇ କହିଲେ ଯେ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୩ କୋଟି ଟଙ୍କା ଦେଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁ’ରେ ମେଡିକାଲ କଲେଜ କରିଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି । ତିରିଙ୍ଗରେ ଡିଗ୍ରୀ କଲେଜ କରିଛନ୍ତି । ବାରିପଦା ରିଙ୍ଗ ରୋଡ ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି । ଦୁର୍ଘଟଣାପ୍ରବଣ ବାଙ୍ଗିରିପୋଷି ଘାଟି ପାଇଁ ନୂଆ ରାସ୍ତା କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାରକୁ ପାଣ୍ଡିଆନଙ୍କ ତୀବ୍ର ନିନ୍ଦା । ନବୀନ ବାବୁଙ୍କୁ ଆକ୍ରମଣ କରିବା ଅର୍ଥ ପର୍ବତକୁ ପଥର ପକାଇବା ସହ ସମାନ ।

ବିରୋଧି ନେତାମାନେ ଆସି କହୁଛନ୍ତି ଓଡ଼ିଶାରେ କିଛି ଭଲ କାମ ହେଉନାହିଁ । ଓଡ଼ିଶାର ବିକାଶ ସମସ୍ତଙ୍କୁ ଦିଶୁଛି ସେମାନଙ୍କୁ ଦେଖାଯାଉନି । ନବୀନ ବାବୁଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇ କହୁଛନ୍ତି । ନବୀନ ବାବୁ କୁଆଡ଼େ ଘରୁ ବାହାରୁ ନାହାନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ବୋଲି ଅପପ୍ରଚାର କରୁଛନ୍ତି । ଅଥଚ ନବୀନ ବାବୁ ଆପଣଙ୍କ ସାମ୍‍ନାରେ ଅଛନ୍ତି, ଆପଣଙ୍କ ସହ କଥା ହେଉଛନ୍ତି । କେତେ ମିଛ କଥା କହୁଛନ୍ତି ଏମାନେ ଦେଖନ୍ତୁ ତ !

ସେ ପୁଣି କହିଲେ ଯେ, ସାରା ଓଡ଼ିଶା ଜାଣିଛି ଯେ, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ଛାଡ଼ ହେବ । ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ । ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା । ଏ ସବୁ ଶୁଣି ବିରୋଧିଙ୍କ ନିଦ ହଜିଗଲାଣି ।

ବିଜେପିର ଚକ୍ରାନ୍ତ ବିଷୟରେ ଲୋକଙ୍କୁ ସତର୍କ କରି ଶ୍ରୀ ପାଣ୍ଡିଆନ କହିଲେ ଯେ, ସୁଯୋଗ ପାଇଲେ ବିଜେପି ଦଳ ଆପଣମାନଙ୍କ ମିଶନଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିଦେବ । ବି.ଏସ୍‍.କେ.ୱାଇ, ସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆଦି ସବୁ ଭଲ ଭଲ ଯୋଜନାକୁ ବନ୍ଦ କରିଦେବ ।

ନିର୍ବାଚନ ସମୟରେ ବିଜେପି ଦଳ ଆସି କହୁଛି, ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଛାତ ଉପରେ ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ତା’ପରେ ଆପଣ ସୂର୍ଯ୍ୟକିରଣରୁ ବିଜୁଳି ପାଇପାରିବେ । ଆପଣଙ୍କୁ ବିଜେପି ଦଳ ଦିନରେ ଲଣ୍ଠନ ଦେଖାଉଛି ।

ବାଲେଶ୍ୱରରେ ସେ କହିଲେ ଯେ, ଆପଣଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି । ନୂଆ ଓଡ଼ିଶା ଗଠନରେ ବାଲେଶ୍ୱରର ବହୁତ ବଡ଼ ଅବଦାନ ରହିବ । ଆମ ଘୋଷଣାପତ୍ର ଅନୁଯାୟୀ ବାଲେଶ୍ୱର, ବାରିପଦାକୁ ନେଇ ଏକ Industrial Cluster କରାଯିବ । ବହୁତ ବଡ଼ ବଡ଼ ଇଣ୍ଡଷ୍ଟ୍ରି ଆସିବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ରୋଜଗାର ବଢ଼ିବ ।

ଏହାପରେ ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ, ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜ କିଏ କରିଛନ୍ତି ? ବିଭିନ୍ନ ମନ୍ଦିର, ମଠ ଓ ମସ୍‍ଜିଦ୍‍ର ବିକାଶ କିଏ କରିଛନ୍ତି ? ଚାନ୍ଦିପୁର ଓ ଉଦୟପୁର ବେଳାଭୂମିର ବିକାଶ କିଏ କରିଛନ୍ତି ? ସମସ୍ତ ପ୍ରଶ୍ନର ଗୋଟିଏ ଉତ୍ତର ଆସିଥିଲା ଜନତାଙ୍କ ପାଖରୁ – ନବୀନ ପଟ୍ଟନାୟକ ।

ସେ ପୁଣି କହିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣଙ୍କ ଉନ୍ନତି ପାଇଁ ୨୪ ଘଣ୍ଟା କାମ କରୁଛନ୍ତି । ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି । ତାଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ । କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଜିଲ୍ଲା ପରିଷଦ ନିର୍ବାଚନ ଭଳି । ଏଥର ମଧ୍ୟ ସମାନ ପରିଶ୍ରମ କରନ୍ତୁ । ନିର୍ବାଚନରେ ଆଉ କିଏ ଜିତିଲେ ଯୋଉ ସ୍ପିଡରେ କାମ ଚାଲିଛି ବନ୍ଦ ହୋଇଯିବ ।

ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ ଯେ, ରାଜନୀତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଅନେକ ରାଜନୈତିକ ଦଳ କହିଥିଲେ । କିନ୍ତୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଏହାକୁ କାମରେ କରି ଦେଖାଇଲା । ବାଲେଶ୍ୱରେ ୩୩ ନୁହେଁ, ୫୦ ପ୍ରତିଶତ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ହିଁ ସୁଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଚିର ଋଣୀ । ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣର ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ ଓ ସମସ୍ତ ବିଧାନ ସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ନିବେଦନ କରିଥିଲେ।

Related posts