Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳର ପୃଷ୍ଠଭୂମିରେ ଓଡିଶା ରାଜନୀତିରେ ପରିବର୍ତ୍ତନର ସ୍ଵର ସତରେ ଶୁଭୁଛି କି?
ବିଶେଷ ଖବର

ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳର ପୃଷ୍ଠଭୂମିରେ ଓଡିଶା ରାଜନୀତିରେ ପରିବର୍ତ୍ତନର ସ୍ଵର ସତରେ ଶୁଭୁଛି କି?

December 14, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏଗାର ଡିସେମ୍ବର ସକାଳେ ଯେତେବେଳେ ପାଞ୍ଚୋଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷିତ ହେଉଥିଲା, ସେଦିନ ମୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଆଖପାଖ ଅଞ୍ଚଳରେ ବୁଲୁଥିଲି। ପ୍ରାୟତଃ ନିର୍ବାଚନ ଫଳ ବାହାରିଲା ସମୟରେ ମୁଁ କୌଣସି ନା କୌଣସି ଟେଲିଭିଜନ ଚ୍ୟାନେଲର ନ୍ୟୁଜରୁମ ରେ ବସି ସମୀକ୍ଷା କରୁଥାଏ। ଏଥର କିନ୍ତୁ ଟେଲିଭିଜନ ଷ୍ଟୁଡିଓ ବାହାରେ ରହିବାର ନିଷ୍ପତ୍ତି ମୁଁ ଜାଣିଶୁଣି ନେଇଥିଲି। ଅନ୍ୟ ରାଜ୍ୟର ନିର୍ବାଚନକୁ ନେଇ ସାଧାରଣ ଲୋକଙ୍କ ପ୍ରତିକ୍ରିୟା କଣ, ସେକଥା ଜାଣିବାକୁ ମୋର ବିଶେଷ ଆଗ୍ରହ ଥିଲା। ସେଦିନ ପ୍ରାୟ ସମସ୍ତଙ୍କ ପ୍ରତିକ୍ରିୟା ଥିଲା, ବିଜେପି ହାରିବା ନିହାତି ଜରୁରୀ ଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ଫଳାଫଳ ଘୋଷଣାରେ ଯେଉଁ ପ୍ରକାର ରାଜନୈତିକ ଉତ୍ତେଜନା ଓ ଉଦବିଗ୍ନତା ଥିଲା, ସେଥିରେ ଲୋକେ ବିଜେପିର ନମ୍ବର ବଢିଗଲା ବେଳେ କେତେ ହତାଶ ହେଉଥିଲେ, ସେକଥା ମୁଁ ଅନେକ ଜାଗାରେ ଦେଖିଛି। ହୁଏତ ଟେଲିଭିଜନରେ ଆମେ ବିଭିନ୍ନ ଦୃଷ୍ଟିକୋଣରୁ ନିର୍ବାଚନର ସମୀକ୍ଷା ଶୁଣୁଥିଲୁ, ହେଲେ ସାଧାରଣ ଲୋକଙ୍କ ଲାଗି ଏକମାତ୍ର ଧ୍ୟେୟ ଥିଲା ବିଜେପିର ପରାଜୟ।

ବିଜେପି ପ୍ରତି ସାଧାରଣ ଲୋକଙ୍କ ଭିତରେ ଏପ୍ରକାର ଅନାସ୍ଥା ଗତ ଚାରି ବର୍ଷ ଭିତରେ ମୁଁ କେବେ ଦେଖିନଥିଲି। ଯଦିଓ ବ୍ୟକ୍ତିଗତ ଭାବରେ ମୁଁ ବିଜେପିର ରାଜନୀତିକୁ ବିରୋଧ କରି ଆସିଛି, କିନ୍ତୁ ସାମ୍ବାଦିକ ଭାବରେ ବିଜେପି ଓ ମୋଦୀଙ୍କ ପ୍ରତି ମଧ୍ୟବିତ୍ତ ଓଡିଆଙ୍କ ସମର୍ଥନକୁ ମୁଁ ମର୍ମେ ମର୍ମେ ଅନୁଭବ ମଧ୍ୟ କରିଛି। ୨୦୧୪-୧୫ ବେଳକୁ ମୋଦୀଙ୍କ ବିରୋଧରେ ପଦେ ଲେଖିଦେଲେ ଅନେକ ଲୋକ ଆମ ଉପରେ ଆକ୍ରାମକ ଭାବରେ ମାଡି ପଡୁଥିଲେ। ସାଢେ ଚାରି ବର୍ଷ ପରେ ଏ ଚିତ୍ର କିନ୍ତୁ ବଦଳି ଯାଇଛି। ଲୋକ ସ୍ପଷ୍ଟ ଭାବରେ କହୁଛନ୍ତି, ମୋଦୀ ହାରିବା ଦରକାର। ସାଧାରଣ ଲୋକଙ୍କ ମତ ହେଉଛି, ଏମାନେ ବହୁତ ଅହଙ୍କାରୀ ହୋଇଗଲେଣି। ଏମାନେ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି।

ସବୁଠି ବିଜେପି ବିରୋଧୀ ଚର୍ଚ୍ଚା ଥିବାବେଳେ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱ କୁ କିଛି ଲୋକ ବେଶ ତାରିଫ ମଧ୍ୟ କରୁଥିଲେ। ତେବେ ଏହି ନିର୍ବାଚନର ପ୍ରଭାବ ଓଡିଶା ଉପରେ ପଡିବ କି, ଏମିତି ଏକ ପ୍ରଶ୍ନ ମୁଁ ଗୋଟେ ଚା ଦୋକାନରେ ପଚାରିଥିଲି। ବିନା ଦ୍ଵିଧାରେ, ଦୋକାନୀଙ୍କ ଉତ୍ତର ଥିଲା, ଓଡିଶାରେ ନବୀନଙ୍କୁ କେହି ହରାଇପାରିବେ ନାହିଁ। ଏତେ ଦୃଢତାର କାରଣ କଣ ବୋଲି ପଚାରିବାରୁ ସେ କହିଥିଲେ, ନବୀନ ଲୋକଙ୍କ ଲାଗି ଏତେ କଥା କରିଛି ଯେ, ତା ଛଡା ଆଉ କାହାକୁ ଭୋଟ ଦେଇହେବ ନାହିଁ।

ମୁଁ ଜାଣେନା, ଏହାକୁ ରାଜନୈତିକ ଦୃଷ୍ଟିରୁ କଣ ବୋଲି କୁହାଯିବ। ୧୯ ବର୍ଷ ଶାସନ କଲାପରେ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କର ଆସ୍ଥା ଅତୁଟ ରହିବାର କାରଣ କଣ? ବିରୋଧୀ ନବୀନଙ୍କ ବିରୋଧରେ ବହୁତ ଅଭିଯୋଗ ଆଣୁଛନ୍ତି, ଗଣମାଧ୍ୟମରେ ସରକାର ବିରୋଧରେ ଏତେ କଥା ବାହାରୁଛି, ବିରୋଧୀ ଦଳ ଗୁଡିକ ବେଶ ସଂଗଠିତ ଓ ଆକ୍ରାମକ, ତଥାପି ନବୀନଙ୍କ ଲୋକପ୍ରିୟତାରେ ଆଞ୍ଚ ଆସୁନି କାହିଁକି? ଶ୍ରାମୋଷା ପ୍ରଧାନ ନାମକ ଜଣେ ସାରଙ୍ଗୀ ବଜାଉଥିବା ଲୋକଙ୍କୁ ପଚାରିଲି- ନବୀନ କଣ ଟଙ୍କାକିଆ ଚାଉଳ ଦେଉଛି ବୋଲି ତମେ ଭୋଟ ଦେବ! ସେ କହିଲେ- ଖାଲି କଣ ଚାଉଳ, ଓଷଧ ମିଳୁଛି, ଜଙ୍ଗଲ ଜମି ପଟ୍ଟା ମିଳୁଛି, ଜୋତା,ଛତା,କମ୍ବଳ ମିଳୁଛି। ଆଉ  ନବୀନ ବାବୁଟା ଶାନ୍ତ ଲୋକ। ତେଣୁ ତାକୁ ଭୋଟ ଦେବା। ଆଉ ଟିକେ ଉଖାରିକି ମୁଁ ପଚାରିଥିଲି, ଅନ୍ୟ କିଏ ଆସିଲେ ସେଟା ମିଳିବ ନାଇଁ କି? ପ୍ରଧାନଙ୍କ ଉତ୍ତର ଥିଲା, ବାକି ସବୁ ବଡ ବଡ କଥା କହୁଛନ୍ତି, କିଛି ଦେଉନାହାନ୍ତି।

ସେଦିନ ଆଠ ଦଶ ଖଣ୍ଡ ଗାଁ ରେ ଏଇ ସମାନ କଥା ଇ ଶୁଣିବାକୁ ମିଳିଛି। ଏତକ ଶୁଣି ସାରିଲାପରେ ମୁଁ କଣ ଲେଖିବି ଯେ, ଯେହେତୁ ଛତିଶଗଡରେ ଲୋକପ୍ରିୟ ଯୋଜନା ସତ୍ତ୍ୱେ ରମଣ ସିଂ ପରାଜିତ ହେଲେ, ସେହି ଯୁକ୍ତିରେ ଓଡିଶାରେ ମଧ୍ୟ ବିଜେଡି ସରକାରର ପତନ ଘଟିବ?ସତ କଥା ହେଉଛି, ଓଡିଶାରେ ଏବେବି ନବୀନଙ୍କ ଲୋକପ୍ରିୟତା ଯେମିତି କି ସେମିତି ରହିଛି। ସରକାର ବିରୋଧରେ କ୍ରୋଧ ତ ଦୂରର କଥା, ସରକାର ବିରୋଧରେ ଶୁଣିବାର ଆଗ୍ରହ ମଧ୍ୟ ଲୋକଙ୍କ ଭିତରେ ନାହିଁ। ଜଣେ ରାଜନୈତିକ ସମୀକ୍ଷକ ପାଇଁ ଏହା ସବୁଠୁ ବଡ ଆଶ୍ଚର୍ୟର କାରଣ ହୋଇପାରେ। ଲୋକଙ୍କ ସହ କେଉଁ ଭାଷା ଓ କେଉଁ ଭାବରେ ନବୀନଙ୍କ ସମ୍ପର୍କ ସ୍ଥାପିତ ହେଉଛି, ତାକୁ ବୁଝିବା ଲାଗି ଆମେ ସାମ୍ବାଦିକ ମାନେ ଅସମର୍ଥ। ଆଜିର ତାରିଖରେ ଏତିକି କୁହାଯାଇପାରେ ଯେ- ଓଡିଶା ରାଜନୀତିରେ ମୋଦୀ-ବିଜେପି ପ୍ରତି କୌଣସି ବିଶ୍ଵାସ ନାଇଁ। କଂଗ୍ରେସର ଶୀର୍ଷ ନେତୃତ୍ୱ ପ୍ରତି ଆଗ୍ରହ ଅଛି, ହେଲେ ସ୍ଥାନୀୟ ସଂଗଠନ ଅତ୍ୟନ୍ତ ଦୁର୍ବଳ। ସେଥିରେ ନବୀନ ଦିନୁଦିନ ଅଧିକ ଲୋକପ୍ରିୟ ହୋଇ ଚାଲିବା, ଓଡିଶା ରାଜନୀତିର ଏକମାତ୍ର ବାସ୍ତବତା।

Share. Facebook Twitter LinkedIn Email WhatsApp Copy Link

Related Posts

ସେମିକନ୍ ୨.୦ ର ସମସ୍ତ ୬ ଟି ସ୍ତମ୍ଭ ପାଇଁ ବିଜ୍ଞପ୍ତି ଜାରି

August 31, 2026

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026

ଓଡ଼ିଶାର ହିତରେ ଏମଏମଡିଆର ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କ ଦୃଢୋକ୍ତି

August 31, 2026
Latest News

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.