ପୁରୀ: ଆଜି ମଧ୍ୟାହ୍ନରେ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା ତିନି ରଥ। ଆଜି ଦିନ ତମାମ ସେହି ଶରଧା ବାଲିରେ ଥିବା ତିନି ରଥରେ ତିନିଠାକୁରଙ୍କ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଶନିବାର ଦିନ ତିନିଠାକୁର ନିଜ ଜନ୍ମବେଦୀକୁ ବିଜେ କରିବେ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଜି ସକାଳ ନଅଟା ପରେ ରଥଟଣା ପୁଣି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୃ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଟାଣିଟାଣି ନେଇଥିଲେ। ଏହାପରେ ମା ସୁଭଦ୍ରା ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା।
ଗତକାଲି ରାତି ହୋଇଯିବାରୁ ମହାପ୍ରଭୃଙ୍କ ରଥ ଟଣା ଯାଇପାରି ନ ଥିଲା। ଫଳରେ ତିନି ରଥ ବାଟରେ ଅଟକି ରହିଥିବା ବେଳେ ପ୍ରଭୃ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାରର ଅଳ୍ପ ଦୂର ଗଡିବା ପରେ ଅଟକି ଯାଇଥିଲା। ରାତି ହେବା ପରେ ରଥଟଣା ବନ୍ଦ କରାଯାଇଥିଲା। ଫଳରେ ଆଜି ସେହି ରଥଟଣା ଆରମ୍ଭ କରାଯାଇଥିଲା। ଗତକାଲି ପରି ଆଜି ମଧ୍ୟ ଲକ୍ଷଲକ୍ଷ ଭକ୍ତ ବଡ ଉତ୍ସାହର ସହିତ ରଥଟଣାରେ ସାମିଲ ହୋଇଥିଲେ।


