ଭୁବନେଶ୍ୱର: ଓଡ଼ିଶାକୁ ରେଳ ବଜେଟ୍ ଆବଣ୍ଟନ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟ ୧୩ ଗୁଣ ବୃଦ୍ଧି ପାଇଛି। ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟକୁ ବାର୍ଷିକ ୮୩୮ କୋଟି ଟଙ୍କାର ରେଳ ବଜେଟ୍ ମିଳୁଥିଲା। ୨୦୨୬-୨୭ରେ ଏହା ୧୩ ଗୁଣ ବୃଦ୍ଧି ପାଇ ୧୦ ହଜାର ୯୨୮ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଓଡ଼ିଶାରେ ନୂଆ ରେଳ ଟ୍ରାକ୍ ନିର୍ମାଣ ସାଢ଼େ ୩ଗୁଣ ବଢ଼ିଛି । ୨୦୦୯-୧୪ ମଧ୍ୟରେ ବାର୍ଷିକ ହାରାହାରୀ ନୂଆ ଟ୍ରାକ୍ ନିର୍ମାଣ ୫୩ କିମି ଥିବା ବେଳେ୨୦୧୪-୨୬ରେ ଏହା ୧୮୬ କିମିକୁ ବୃଦ୍ଧି ପାଇଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଏପ୍ରିଲ୍ ପହିଲା ୨୦୨୬ ସୁଦ୍ଧା ୧୯ଟି ନୂଆ ଲାଇନ୍ ଏବଂ ୩୬ଟି ରେଳ ଲାଇନର ଦୋହରୀକରଣ/ପ୍ରଶସ୍ତିକରଣ ସମେତ ମୋଟ୍ ୫୫ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ମୋଟ୍ ୪,୨୫୬ କିମି ରେଳ ଲାଇନ୍ ନିର୍ମାଣ ଲାଗି ୮୧,୭୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନିକଟରେ ଦୈତାରୀ-ବାଂଶପାଣୀ ନୂଆ ଲାଇନ, ଝାରସୁଗୁଡ଼ା-ସରଡେଗା ନୂଆ ଲାଇନ, ହରିଦାସପୁର-ପାରାଦୀପ ନୂଆଲାଇନ, ସମ୍ବଲପୁର-ଟିଟିଲାଗଡ଼ ଲାଇନ ଦୋହରୀକରଣ ଆଦି ସମେତ ୩୨ଶହ କୋଟି ଟଙ୍କାର ୧୧ଟି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ୨୬ଟି ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି।
ଶ୍ରୀ ବୈଷ୍ଣବ କହିଛନ୍ତି, ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ମୋଟ୍ ୫୯ଟି ଷ୍ଟେସନର ପୁନର୍ବିକାଶ କାମ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ୯ଟି ଷ୍ଟେସନ – ବଲାଙ୍ଗୀର, ବାରିପଦା, ବରପାଲି, ବିମଳାଗଡ, କଟକ, କେସିଙ୍ଗା, ଖରିଆର ରୋଡ, ପାରଳାଖେମୁଣ୍ଡି, ତାଲଚେର ର ପୁନର୍ବିକାଶ କାମ ଶେଷ ହୋଇଛି। ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ଲାଗି ବ୍ୟାପକ ବିକାଶ କାମ ଜାରି ରହିଛି। କଟକ, ପୁରୀ, ମଞ୍ଚେଶ୍ୱର, ଲିଙ୍ଗରାଜରୋଡ ଷ୍ଟେସନକୁ ମଧ୍ୟ ବିକଶିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ଗୋପାଳପୁର-ରାଇରଖୋଲ ନୂଆ ଲାଇନ ନିର୍ମାଣ ଲାଗି ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି।
ଦେଶରେ ମୋଟ୍ ୧୪୨ଟି ଏବଂ ଓଡ଼ିଶାରେ ୧୨ଟି ଗତିଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ଆହୁରି ୩୬ଟି ଗତିଶକ୍ତି ଟର୍ମିନାଲକୁ ନୀତିଗତ ମଞ୍ଜୁରି ମିଳିଛି । ଓଡ଼ିଶାରେ ସମ୍ପୂର୍ଣ୍ଣ ବ୍ରଡଗଜ୍ ନେଟୱର୍କର ବିଦ୍ୟୁତିକରଣ ଶେଷ ହୋଇଛି। ଦେଶରେ ୨୦୧୪ ପୂର୍ବରୁ ୨୧,୮୦୧ କିଲୋମିଟର ବ୍ରଡ୍ ଗଜ ନେଟୱର୍କର ବିଦ୍ୟୁତିକରଣ ହୋଇଥିବା ବେଳେ ୨୦୧୪ରୁ ୨୦୨୬ ମଧ୍ୟରେ ୪୮,୦୭୨ କିଲୋମିଟର ବ୍ରଡଗଜ୍ ନେଟୱର୍କର ବିଦ୍ୟୁତିକରଣ କରାଯାଇଛି। ଏହାଛଡ଼ା ଓଡ଼ିଶାରେ ଯେଉଁ ନୂଆ ଲାଇନ୍ ଏବଂ ରେଳ ଲାଇନର ଦୋହରୀକରଣ କରାଯାଉଛି, ସେଗୁଡ଼ିକର ବିଦ୍ୟୁତିକରଣ ସହିତ ନିର୍ମାଣ କରାଯାଉଛି। ଓଡ଼ିଶା ସମେତ ଦେଶରେ ରେଳ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଏବଂ ସମନ୍ୱିତ ଢଙ୍ଗରେ ଶେଷ କରିବା ଲାଗି ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ପ୍ରକଳ୍ପଗୁଡ଼ିକୁ ସାମିଲ କରାଯାଉଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି।
ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ ସୁରକ୍ଷା ସଂକ୍ରାନ୍ତ ବଜେଟ୍ ୨୦୧୩-୧୪ରେ ୩୯,୨୦୦ କୋଟି ଟଙ୍କା ଥିବା ବେଳେ ୨୦୨୬ -୨୭ରେ ଏହା ୧ ଲକ୍ଷ ୨୦ ହଜାର ୩୮୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସରକାର ଉଚ୍ଚ ମାନର ରେଳ ଭିତ୍ତିଭୂମି ନିର୍ମାଣ କରିବା ସହିତ କବଚ୍ ଭଳି ସୁରକ୍ଷା ପ୍ରଣାଳୀ କାର୍ଯ୍ୟକାରୀ କରିଥିବା ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଲାଗି ପ୍ରଯୁକ୍ତିଗତ ଉନ୍ନତିକରଣ ସହିତ ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ୩,୬୯୧ଟି ଷ୍ଟେସନରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସୁବିଧା ରହିଛି ଯାହା ୨୦୧୩-୧୪ ତୁଳନାରେ ୪ ଗୁଣ ବୃଦ୍ଧି ପାଇଛି । ସେହିପରି ଫଗ୍ ପାସ୍ ସୁରକ୍ଷା ଉପକରଣ ସଂଖ୍ୟା ୩୫୨ ଗୁଣ ବୃଦ୍ଧି ପାଇଛି । ନୂତନ ଟ୍ରାକ୍ ନିର୍ମାଣ ଅଢ଼େଇ ଗୁଣ ବଢ଼ିଥିବା ବେଳେ ରେଳବାଇ ଫ୍ଲାଇଓଭର ଏବଂ ଅଣ୍ଡରପାସ୍ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି । ଏଲଏଚବି କୋଚ୍ ସଂଖ୍ୟା ୨୧ ଗୁଣ ବଢ଼ିଛି ଅର୍ଥାତ୍ ୪୯ ହଜାର ୩୬୬କୁ ବୃଦ୍ଧି ପାଇଛି ।
ଉଚ୍ଚ ସ୍ତରର ସୁରକ୍ଷା ପାଇଁ ସ୍ୱଦେଶୀ ଜ୍ଞାନକୌଶଳର ସ୍ୱୟଂକ୍ରିୟ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ କାର୍ଯ୍ୟକାରୀ କରାଯାଇଛି। ୧୪୬୫ ରୁଟ୍ କିଲୋମିଟରରେ କବଚ୍ ୩.୨ କାର୍ଯ୍ୟକ୍ଷମ କରାଯାଇଛି। ୨,୪୯୦ ରୁଟ୍ କିଲୋମିଟରରେ ସେହିପରି କବଚ ୪.୦ କାର୍ଯ୍ୟକ୍ଷମ ହୋଇଛି। କବଚ କାମ ବାବଦରେ ଏବେ ସୁଦ୍ଧା ୩୮୭୪.୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ୨୦୬୬.୨୪ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି।


