ଭୁବନେଶ୍ୱର: ରାଜ୍ୟର ଜନସାଧାରଣଙ୍କୁ ସ୍ୱଚ୍ଛ, ଦ୍ରୁତ ଏବଂ ସୁଗମ ରାଜସ୍ୱ ସେବା ଯୋଗାଇଦେବା ସହ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପର ଅଗ୍ରଗତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ଏବଂ ନାଗରିକ କେନ୍ଦ୍ରିକ ସେବାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ଥିବା ପ୍ରାୟ ସମସ୍ତ ଭୂଦାନ ଜମିର ପୁରାତନ ରେକର୍ଡଗୁଡ଼ିକର ସ୍କାନିଂ, ଡିଜିଟାଲାଇଜେସନ ଏବଂ ବିଶେଷ ପୋର୍ଟାଲ ମାଧ୍ୟମରେ ଭୂଲେଖ ସହିତ ଯୋଡ଼ାଯିବାର ବ୍ୟବସ୍ଥା କରାଯିବ। ଡିଜିଟାଲ ରେକର୍ଡ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭୂଦାନ ଜମିର ଅବୈଧ ହସ୍ତାନ୍ତର ଏବଂ ନାମଜାରୀ ଉପରେ କଟକଣା ଲଗାଯିବ। ଏହା ସହିତ ଭୂଦାନ ଜମି ସମ୍ପର୍କିତ ଜାଲିଆତିର ଦୃଢ଼ ତଦନ୍ତ କରାଯିବା ସହ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ଆଚାର୍ଯ୍ୟ ବିନୋବା ଭାବେଙ୍କ ମହତ ଉଦ୍ଦେଶ୍ୟକୁ ପ୍ରାଥମିକତା ଦେଇ କେବଳ ପ୍ରକୃତ ବାସହୀନଙ୍କ ସପକ୍ଷରେ ହିଁ ଭୂଦାନ ଜମି ଆବଣ୍ଟନ କରାଯିବ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟର ପ୍ରାଥମିକ ପର୍ଯ୍ୟାୟରେ ୧୭ଟି ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୩୧,୯୦୬.୫୨ ଏକର (ଖୋର୍ଦ୍ଧା ଜିଲ୍ଲାରେ ୨୦,୫୦୭.୩୬ ଏକର) ଜମି ହାଲ୍ ରେକର୍ଡ ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ ଏବଂ ରାଜସ୍ୱ ମାମଲାର ଦ୍ରୁତ ସମାଧାନ ପାଇଁ କଡ଼ା ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲା ତଥା ଅନ୍ୟ ରାଜ୍ୟମାନଙ୍କରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଏବଂ ପୁନରୁଦ୍ଧାରକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟ ରାଜ୍ୟଗୁଡ଼ିକୁ ପର୍ଯ୍ୟାୟକ୍ରମେ ଚିଠି ଲେଖାଯାଇ ସେହିସବୁ ରାଜ୍ୟରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତି ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସଂଗ୍ରହ ସହ ସେଗୁଡ଼ିକର ପୁନରୁଦ୍ଧାର କରାଯାଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସପକ୍ଷରେ ସମ୍ପୂର୍ଣ୍ଣ ପଞ୍ଜୀକରଣ ନିମନ୍ତେ ପଦକ୍ଷେପ ନିଆଯିବ।
ଏଥିସହିତ ବସୁନ୍ଧରା ଯୋଜନାରେ ସର୍ଭେ କରାଯାଇ ଗତ ଦୁଇ ବର୍ଷରେ ୩୪,୨୫୧ ଯୋଗ୍ୟ ଭୂମିହୀନ ପରିବାରକୁ ଘରଡ଼ିହ ଆବଣ୍ଟନ କରାଯାଇଥିବା ବେଳେ ଯୋଜନାର ସଫଳ ରୂପାୟନ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଥମିକତା ଦେଇ ବିଭିନ୍ନ ସମସ୍ୟାର ସୁବ୍ୟବସ୍ଥିତ ସମାଧାନ ନିମନ୍ତେ ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ରାଜ୍ୟର ମୋଟ ୫୨,୦୫୬ଟି ଶିକ୍ଷାନୁଷ୍ଠାନ (ଡିଗ୍ରୀ କଲେଜ, ହାଇସ୍କୁଲ ଏବଂ ପ୍ରାଥମିକ ବିଦ୍ୟାଳୟ) ମଧ୍ୟରୁ ୨୭,୫୫୬ଟି ଅନୁଷ୍ଠାନ ସପକ୍ଷରେ ଜମିପଟ୍ଟା ସଂଶୋଧନ ସରିଛି। ଲିଜ୍ ଯୋଗ୍ୟ ଜମିରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୩୧ ଡିସେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ସତ୍ତ୍ୱ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ରାଜସ୍ୱ ପରିଷଦର ସଚିବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।


