ଜଗତସିଂହପୁର: ସ୍ଥାନୀୟ ଶିଶୁ ଆଶ୍ରମର ଦ୍ୱିତୀୟ ମହଲା ‘ଆଫ୍ଟର କେୟାର’ କୋଠରୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମ୍ପୃକ୍ତ ନାବାଳିକା ଜଣକ ଗତ ୮ ମାସ ଧରି ଏଠାରେ ରହୁଥିଲେ। ସେ ମାନସିକ ଚାପରେ ଥାଇ ଆତ୍ମହତ୍ୟା କରିଥିବା ନେଇ ଆଶ୍ରମ କର୍ତ୍ତୃପକ୍ଷ ଦାବି କରିବା ସହ ଏହାର କାରଣ ଦର୍ଶାଇଛନ୍ତି। ତଥାପି, ମୃତ୍ୟୁର ଅସଲ କାରଣ ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ଏନେଇ ଜଗତସିଂହପୁର ଥାନାରେ ୪୦/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।
ସେପଟେ ନାବାଳିକାଙ୍କ ପାରିବାରିକ ପୃଷ୍ଠଭୂମି ସମ୍ପର୍କରେ ଶିଶୁ ଆଶ୍ରମ ସଭାପତି ବିନାୟକ ପଟ୍ଟନାୟକ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ନାବାଳିକାଙ୍କ ବାପାଙ୍କ ଘର ପୁରୀ ଓ ମାଆଙ୍କ ଘର ନାଉଗାଁ ଅଞ୍ଚଳରେ। ବାପା-ମାଆଙ୍କ ମଧ୍ୟରେ ଛାଡ଼ପତ୍ର ପରେ ମାଆ ଝିଅକୁ ନେଇ ବାପଘରକୁ ଚାଲିଆସିଥିଲେ। ପରବର୍ତ୍ତୀ ସମୟରେ ମାଆ ତିର୍ତ୍ତୋଲ ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିବା ବେଳେ ନାବାଳିକା ଜଣକ ମାମୁ ଘରେ ରହିଆସୁଥିଲେ।


