ଭୁବନେଶ୍ୱର: ରାଜ୍ୟରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନୀ ମଇଦାନରେ ଶ୍ରେଷ୍ଠ ସଫଳତା ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏହି ବୈଠକରେ ପୌରୋହିତ୍ୟ କରି ଦଳୀୟ କାର୍ଯ୍ୟକ୍ରମ, ସଂଗଠନର କାର୍ଯ୍ୟଶୈଳୀ ଏବଂ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି।
ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ଜିଲ୍ଲା ଇନ୍ଚାର୍ଜ, ଜିଲ୍ଲା ସଭାପତି, ସମସ୍ତ ମୋର୍ଚ୍ଚାର ସଭାପତି ଏବଂ ରାଜ୍ୟ କାର୍ଯ୍ୟକର୍ତ୍ତାମାନେ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ବିଶେଷ କରି ତୃଣମୂଳ ସ୍ତରରୁ ଦଳକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବା, ବୁଥ୍ ସ୍ତରରେ ଦଳର ସ୍ଥିତି ମଜଭୁତ କରିବା ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକାରିତାକୁ ଆହୁରି ଗତିଶୀଳ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ଜାତୀୟ ସଭାପତି ନିତିନ ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପିକୁ ସାଂଗଠନିକ ଭାବେ ଅଧିକ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଦଳର ନେଟୱର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟ ଏବଂ ସଫଳତାଗୁଡ଼ିକୁ ସିଧାସଳଖ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆକସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ବୁଥ୍ ସ୍ତରର ସାଧାରଣ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡି. ପୁରନ୍ଦେଶ୍ୱରୀ ପରାମର୍ଶ ଦେଇଛନ୍ତି।
ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ସହ ଘରକୁ ଘର ଯାଇ ଜନସମ୍ପର୍କ ଅଭିଯାନକୁ ବ୍ୟାପକ କରିବାକୁ କୁହାଯାଇଛି। ପଞ୍ଚାୟତ ସ୍ତରରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଆସନଗୁଡ଼ିକ ପାଇଁ ଯୋଗ୍ୟ, ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ଓ ଲୋକପ୍ରିୟ ପ୍ରାର୍ଥୀଙ୍କୁ ଚୟନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ଜନସେବା ସହ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହ ଆଗକୁ ନେବା ପାଇଁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି।


