ଭୁବନେଶ୍ୱର: ଓଡିଶା ଏବେ ୧୯ଟି ରାଜ୍ୟର ଗୁଟ୍ଖା, ଖଇନି, ପାନମସଲା, ବିଡି ଓ ସିଗାରେଟ୍ ବ୍ୟବସାୟୀମାନଙ୍କ ପାଇଁ ଗୋଟିଏ ଲାଭଜନକ ସ୍ଥାନ ପାଲଟିଛି । ଗୋଟିଏ ବର୍ଷରେ ଓଡିଶାକୁ ୧୨ ଶହ କୋଟି ଟଙ୍କାରୁ ଅଧିକ ପରିମାଣର ଏହିସବୁ ସାମଗ୍ରୀ ରାଜ୍ୟକୁ ଆସିଛି। ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ବୈଠକ କରି ବିଦ୍ୟାଳୟ ଆଖପାଖରେ ପାନ ଦୋକାନ ରହିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା କେତେ ପରିମାଣରେ କାର୍ଯ୍ୟକାରୀ ହେବ ତାହା ବଡକଥା ହୋଇଥିବାବେଳେ ବର୍ଷକୁ ୧୨ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୁଟ୍ଖା, ପାନମସଲା ଆଦି ଓଡିଶାକୁ ପ୍ରବେଶ କରୁଥିବାରୁ ତାହାସବୁ କେଉଁଠି କିଭଳି ବିକ୍ରି ହେବ ତାହା ବଡ ପ୍ରଶ୍ନବାଚୀ ହୋଇଛି। ରାଜ୍ୟ ସରକାର ୨୦୧୩ ମସିହାରେ ବିଜ୍ଞପ୍ତି ଜାରି କରି ରାଜ୍ୟରେ ଗୁଟ୍ଖା, ତମାଖୁଯୁକ୍ତ ପାନମସଲା ଆଦିର ଉତ୍ପାଦନ, ମହଜୁଦ, ବିକ୍ରୟକୁ ନିଷେଧ କରିଥିବାବେଳେ ରାଜ୍ୟରେ କିନ୍ତୁ ବେଧଡକ ଭାବେ ଏହିସବୁ ସାମଗ୍ରୀର ବେପାର ଚାଲିଛି।
ବ୍ୟବସାୟୀମାନେ ଯୁବବର୍ଗଙ୍କୁ ନଜରରେ ରଖି ଅନ୍ୟ ରାଜ୍ୟରୁ ବିପୁଳ ପରିମାଣର ଗୁଟ୍ଖା, ତମାଖୁଯୁକ୍ତ ପାନମସଲା ଆମଦାନୀ କରିବାରେ ଲାଗିଛନ୍ତି । କେବଳ ଗତ ଆର୍ଥିକ ବର୍ଷରେ ୧୯ଟି ରାଜ୍ୟରୁ ୧୨୦୫ କୋଟି ୬୨ଲକ୍ଷ ୩୦ହଜାର ଟଙ୍କାର ଗୁଟ୍ଖା, ପାନମସଲା, ବିଡି, ସିଗାରେଟ ଆଦି ଓଡିଶା ବଜାରକୁ ଆସିଛି । ଏଥିରେ ସବୁଠାରୁ ଆଗରେ ରହିଛି ପଶ୍ଚିମବଙ୍ଗ । ଏହି ପଡୋଶୀ ରାଜ୍ୟରୁ ଓଡିଶାକୁ ୬୬୮ କୋଟି ଟଙ୍କାର ଏହିସବୁ ସାମଗ୍ରୀ ଆସିଛି । ଏହା ପଛକୁ ରହିଛି ଉତ୍ତରପ୍ରଦେଶ । ସେହି ରାଜ୍ୟରୁ ଆସିଛି ପାଖପାଖି ୨୦୦ କୋଟି ଟଙ୍କାର ଏହିସବୁ ନିଶାଯୁକ୍ତ ସାମଗ୍ରୀ । ଆନ୍ଧ୍ରପ୍ରଦେଶରୁ ୩୨ କୋଟି ଟଙ୍କାର ସାମଗୀ ଆସିଥିବାବେଳେ ବିହାରରୁ ୧୦୪ କୋଟି, ଛତିଶଗଡରୁ ୨୦ କୋଟି, ଗୁଜୁରାଟରୁ ୩୫ କୋଟି, କର୍ଣ୍ଣାଟକରୁ ୮୭ କୋଟି, ଝାଡଖଣ୍ଡରୁ ୧୩ କୋଟି, ମହରାଷ୍ଟ୍ରରୁ ୧୦ କୋଟି ଟଙ୍କାର ସାମଗ୍ରୀ ବି ଆସିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ରାଜ୍ୟ ସରକାର ୨୦୧୩ରୁ ଗୁଟ୍ଖା, ପାନମସଲା ଭଳି ସାମଗ୍ରୀ ଉପରେ କଟକଣା ଜାରି କରିଥିବାବେଳେ ସେହିସବୁ ସାମଗ୍ରୀରୁ କିନ୍ତୁ ଟିକସ ଆଦାୟ କରିବାରେ ଲାଗିଛନ୍ତି। ୨୦୧୬-୧୭ ମସିହାରେ ଏଥିରୁ ୨୬୪ କୋଟି ଟଙ୍କାର ଟିକସ ଆଦାୟ କରିଥିବାବେଳେ ୨୦୨୪-୨୫ରେ ଆଦାୟ ଟିକସ ପରିମାଣ ୧୨୩୪ କୋଟି ଟଙ୍କାକୁ ଟପିଯାଇଛି। ବର୍ଷକୁ ବର୍ଷ ଏହିସବୁ ନିଷିଦ୍ଧ ସାମଗ୍ରୀର ବ୍ୟବସାୟ ବଢିବା ସହିତ ସରକାର ବି ଅଧିକ ପରିମାଣର ଟିକସ ଆଦାୟ କରିବାରେ ଲାଗିଛନ୍ତି। ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି କଟକଣା ଜାରି କରିଥିବାବେଳେ ଅର୍ଥ ବିଭାଗ କିନ୍ତୁ ରାଜକୋଷର ସୁରକ୍ଷା ପାଇଁ ଟିକସ ଆଦାୟ କରିବାରେ ଲାଗିଛି। ବର୍ତ୍ତମାନ ସରକାର ନିଶା ମୁକ୍ତ ଭାରତ ଅଭିଯାନରେ ଲୋକଙ୍କୁ ନିଶା ଠାରୁ ଦୂରରେ ରହିବାକୁ ଅନୁରୋଧ କରୁଥିବାବେଳେ ରାଜ୍ୟକୁ ପ୍ରବେଶ କରୁଥିବା ହଜାର ହଜାର କୋଟି ଟଙ୍କାର ଗୁଟ୍ଖା, ତମାଖୁଯୁକ୍ତ ପାନମସଲାର ଆମଦନୀ କେବେ ଓ କିଭଳି ବନ୍ଦ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସରକାର ଯଦି ଏହାକୁ ବନ୍ଦ କରିନପାରିବେ ଓ ରାଜକୋଷ ଭରିବାପାଇଁ ଟିକସ ଆଦାୟ ଜାରି ରଖିବେ ତେବେ ନିଶାମୁକ୍ତ ଭାରତ ଅଭିଯାନ କେବଳ ଭାଷଣରେ ରହିଯିବ ବୋଲି ନିଶାମୁକ୍ତି ଅଭିଯାନ ସହିତ ଜଡିତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି।


