Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ମନମୋହନ ମହାପାତ୍ର ହୋଇ ଚାଳିଶ ବର୍ଷ ସିନେମା ତିଆରି କରିବା ହିଁ ଗୋଟେ ବିକଳ୍ପ ଇତିହାସ
ବିଶେଷ ଖବର

ଓଡିଶାରେ ମନମୋହନ ମହାପାତ୍ର ହୋଇ ଚାଳିଶ ବର୍ଷ ସିନେମା ତିଆରି କରିବା ହିଁ ଗୋଟେ ବିକଳ୍ପ ଇତିହାସ

January 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାରାଜୀବନ “ମଝି ପାହାଚ”ରେ ଅଟକିଯିବା ହିଁ ହୋଇପାରେ ଗୋଟେ ଅବଧାରିତ ଭାଗ୍ୟ। ଆଉ ସେ ଭାଗ୍ୟରୁ ମୁକ୍ତି ନାହିଁ। ଗୋବିନ୍ଦ ଦାସଙ୍କର ପ୍ରସିଦ୍ଧ ଉପନ୍ୟାସ “ଅମାବାସ୍ୟାର ଚନ୍ଦ୍ର”ରେ ମୁଖ୍ୟନାୟକ କାଉଲ, ସେଥିଲାଗି ବାରମ୍ବାର କହୁଥାଏ- “ସତରେ ଭାଗ୍ୟ ବୋଲି କିଛି ଗୋଟାଏ ଅଛି”। ଯେଉଁମାନେ ମନମୋହନ ମହାପାତ୍ର(୧୦,ନଭେମ୍ବର-୧୯୫୧- ୧୩,ଜାନୁଆରି,୨୦୨୦) ଙ୍କୁ ଜାଣନ୍ତି, ସେମାନେ ଏୟା ମଧ୍ୟ ଜାଣନ୍ତି ଯେ ତାଙ୍କର ଭାଗ୍ୟ ସହିତ ଗୋଟେ ଲୁଚକାଳି ଖେଳ ସବୁବେଳେ ଚାଲିଥିଲା। ତାଙ୍କର ପ୍ରିୟ ଲୋକେ ନିଶ୍ଚୟ ଜାଣନ୍ତି, ସେ ସିନେମା ନିର୍ଦ୍ଦେଶକ ବ୍ୟତୀତ ଭଲ ଜ୍ୟୋତିଷ ମଧ୍ୟ। ଜଣେ କଳାକାର ଓ ତାର ଭାଗ୍ୟ, ସବୁବେଳେ ପରଷ୍ପର ସହିତ ଲୁଚକାଳି ଖେଳୁଥାନ୍ତି। ମନମୋହନ ମହାପାତ୍ରଙ୍କ ଜୀବନ ସେଇ ଭାଗ୍ୟର ହିଁ ଲୁଚକାଳି। ଓଡିଆ ସିନେମାକୁ ୮ ଥର ଜାତୀୟ ପୁରସ୍କାର ଦେଇଥିବା ମନମୋହନ ମହାପାତ୍ରଙ୍କୁ ଓଡିଶା ହୁଏତ ବହୁତ କିଛି ଦେଇନାହିଁ। ହେଲେ ତାଙ୍କ ସିନେମାକୁ ବୃହତ୍ତର ଓଡିଆ ଜାତି ଦେଖିବାର ସୁଯୋଗ ହରାଇଛି, ସେକଥା ଓଡିଶା ଆଜି ନୁହଁ, ବହୁତ ପରେ ଯାଇ ବୁଝିବ।

ମନମୋହନ ମହାପାତ୍ର ଏମିତି ଏକ ରାଜ୍ୟରେ ମୌଳିକ ସିନେମା ତିଆରି କରୁଥିଲେ, ଯେଉଁଠି ଆଜି ମଧ୍ୟ ସିନେମା କହିଲେ ଆମେ ଦ୍ଵିଅର୍ଥବୋଧକ ସଂଳାପ ଓ ମେଲୋଡ୍ରାମାକୁ ବୁଝିଥାଉ। ଏବେବି ନିରର୍ଥକ ପ୍ରଳାପ ଆମ ମୁଖ୍ୟ ଧାରାର ସିନେମାକୁ ମାଡି ବସିଛି। ସେଥିଲାଗି ମନମୋହନ ମହାପାତ୍ର ଓ ନୀରଦ ମହାପାତ୍ରଙ୍କ ପଛରେ ଆମେ ଗୋଟେ ନୂଆ ଶବ୍ଦ ଯୋଡିଦେଲୁ- ସମାନ୍ତରାଳ ସିନେମାର ନିର୍ମାତା। ସିନେମା ତ ସିନେମା- ସମାନ୍ତରାଳ ସିନେମା ପୁଣି କଣ? କେହି କେହି ସମାନ୍ତରାଳ ସିନେମାକୁ ନେଇ ନିର୍ଲଜ ଭାବରେ କହନ୍ତି- ସେଇ ସିନେମା ଯାହାକୁ ଲୋକ ଦେଖନ୍ତି ନାହିଁ, କିନ୍ତୁ ସେସବୁ ଭଲ ପୁରସ୍କାର ପାଏ। ଏହାହିଁ ଆମ ସମୟର ଦୁର୍ଭାଗ୍ୟ। ଭଲ ସିନେମା ଦେଖିବା, ଭଲ ଗୀତକୁ ଶୁଣିବା, ଭଲ ଚିତ୍ରକୁ ବୁଝିବା ଓ ଭଲ ସାହିତ୍ୟକୁ ପଢିବାର ପ୍ରବଣତା ଆମର ନଥାଏ। ଅଥଚ ଆମେ ଛାତି ଫୁଲେଇ କହୁ, ଆମର ଉତ୍କର୍ଷ କଳାର ଦେଶ। ଯଦି ଉତ୍କର୍ଷ କଳାର ଦେଶ ଆମର ହୋଇଥାନ୍ତା, ତାହେଲେ ମନମୋହନ ମହାପାତ୍ର ଏ ରାଜ୍ୟର ସବୁଠୁ ବଡ ସେଲେବ୍ରିଟି ହୋଇଥାନ୍ତେ। “ଶୀତରାତି” , “କ୍ଳାନ୍ତ ଅପରାହ୍ନ” “ମଝି ପାହାଚ” ଭଳି ସିନେମା ଓଡିଶାର ସବୁଠୁ ଅଧିକ ଦେଖା ହୋଇଥିବା ସିନେମା ରୂପେ ବିବେଚିତ ହୋଇଥାନ୍ତା।

ନା, ଆମକୁ ସିନେମା ଦେଖି ଆସେନା। ଆମର ରୁଚି ଦାରିଦ୍ର୍ୟ ପ୍ରବଳ। ତେଣୁ ଆମେ ମନମୋହନ ମହାପାତ୍ରଙ୍କ ସିନେମାର ଭାଷାକୁ ବୁଝି ପାରୁନା। ମଧ୍ୟବିତ୍ତ ଜୀବନର ସଙ୍କଟ ଓ ପୀଡାକୁ ନେଇ ମନମୋହନ ମହାପାତ୍ର ତାଙ୍କ ସିନେମାର ଜଗତ ତିଆରି କରିଥିଲେ। ସେ ଜଗତରେ ବାସ୍ତବତା କେତେବେଳେ କାହାଣୀ ହୋଇଯାଏ ତ ପୁଣି କେବେ କାହାଣୀ ଭିତରୁ ବାସ୍ତବତାର ଚିତ୍ର ବିଛେଇ ହୋଇପଡେ। ଛାଇ ଆଲୁଅର ଖେଳ ଭିତରେ ଜୀବନର ବହୁ ପ୍ରକାର ବିମ୍ବରେ କବିତା ରଚନା କରିବାର ସାମର୍ଥ୍ୟ ମନମୋହନ ମହାପାତ୍ରଙ୍କ ସିନେମାରେ ରହିଥିଲା। ସେ ସିନେମା କୁ ଭଲ ନପାଇ ପାରିବା, ଗୋଟେ ସମାଜର ଟ୍ରାଜେଡି। ସେଥିରେ ଶିଳ୍ପୀର କୌଣସି ଅସୁବିଧା ନାହିଁ।

୧୯୮୧ରେ ମନମୋହନ ମହାପାତ୍ରଙ୍କ “ଶୀତରାତି” ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପରେ ତାହା ଗୋଟେ ପ୍ରକାର ଧାରା ପାଲଟି ଗଲା। ଲାଗ ଲାଗ ତାଙ୍କର ସିନେମା ଜାତୀୟ ପୁରସ୍କାର ପାଇଛି। ନୀରବ ଝଡ, ଅନ୍ଧ ଦିଗନ୍ତ, ନିଷିଦ୍ଧ ସ୍ଵପ୍ନ, କିଛି ସ୍ମୃତି କିଛି ଅନୁଭୂତି, ମଝି ପାହାଚ, ଭିନ୍ନ ସମୟ, ଓ କ୍ଳାନ୍ତ ଅପରାହ୍ନ ଜାତୀୟ ପୁରସ୍କାର ପାଇଛି। ଓଡିଶା ବାହାରେ ଓଡିଆ ସିନେମାର ମୌଳିକତା କଥା ଉଠିଲେ, ନୀରଦ ମହାପାତ୍ର ଓ ମନମୋହନ ମହାପାତ୍ରଙ୍କ ନାଁ ଆପେ ଆପେ ଲିପିବଦ୍ଧ ହୋଇ ରହିଛି। ହେଲେ ଏ ସବୁ ସିନେମାକୁ ବୃହତ୍ତର ଓଡିଆ ସମାଜ ଦେଖି ନପାରିବାର କ୍ଷୋଭ ବି ରହିଛି।

ମନମୋହନ ମହାପାତ୍ରଙ୍କ ପ୍ରତିଭା ଓ ସାମର୍ଥ୍ୟର ପୂର୍ଣ୍ଣ ଉପଯୋଗ ହୋଇନାହିଁ। ରାହୁଲ ବୋଷ, ଦିଆ ମିର୍ଜା, ନନ୍ଦିତା ଦାସ ପ୍ରମୁଖଙ୍କୁ ନେଇ ସେ ତିଆରି କରିଥିବା ହିନ୍ଦୀ ସିନେମା “ବିଟ୍ସ ଆଣ୍ଡ ପିସେସ”ରେ ତାଙ୍କର ସମ୍ଭାବନା ଯେ କେତେ ବ୍ୟାପକ ଥିଲା, ସେ କଥା ବାରି ହୋଇପଡେ। ହେଲେ ଭଲ ସିନେମା କରିବା ଲାଗି ଖାଲି ପ୍ରତିଭା ବା ସାମର୍ଥ୍ୟ କାମ କରେନାହିଁ। ଭଲ ସିନେମା ଲାଗି ଭଲ ପଇସା, ଭଲ ସହାୟତା ଓ ଭଲ ଦର୍ଶକର ବି ଆବଶ୍ୟକତା ରହିଛି। ଆମ ପାଖରେ ମନମୋହନ ମହାପାତ୍ରଙ୍କ ପରି ମହାନ ଶିଳ୍ପୀ ଥିଲେ, ହେଲେ ତାଙ୍କୁ ଚିହ୍ନିବା ଓ ତାଙ୍କ ପାଇଁ ଗୋଟେ ବଡ କାନଭାସ ଯୋଗାଇ ଦେବାର ଯୋଗ୍ୟତା ଆମର ନଥିଲା।

ରୁଚିପୂର୍ଣ୍ଣ ସିନେମାର ଭାଷା ବିଷୟରେ ଅଜ୍ଞ ଓ ନିରକ୍ଷର ଲୋକଙ୍କ ଆଗରେ ସବୁଠୁ ସାର୍ଥକ ସିନେମା ତିଆରି କରିବାକୁ ୪୦ ବର୍ଷ ଧରି ମନମୋହନ ମହାପାତ୍ରଙ୍କର ସଂଘର୍ଷ ଆମ ଇତିହାସର ଏକ ବଡ ଟ୍ରାଜେଡି ବୋଲି ଆମେ କହିପାରିବା। ଏ ଟ୍ରାଜେଡ଼ିର ନାୟକ ଆମଠୁ ବିଦାୟ ନେଇଛନ୍ତି, ହେଲେ ତାଙ୍କର ବିଦାୟ ପରେ ଯେଉଁ ଶୂନ୍ୟତା, ତାହା ଏ ଜାତିକୁ ଅଧିକ ଦରିଦ୍ର କରିଦେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

June 9, 2026

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.