ନବୀନ ପଟ୍ଟନାୟକ ଟାଇଗରକୁ ଛାଡି ନ ଥିଲେ ଶୃଗାଳକୁ ପଚାରେ କିଏ?

Published: Nov 29, 2020, 1:53 pm IST

ହେମାଙ୍ଗ ପ୍ରସାଦ ରାଉଳ

ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ ବିଜେଡି ଦଳର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନବୀନ ପଟ୍ଟନାୟକ।  ସେ ଦିନ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ। କୁହାଯାଏ ଓଡ଼ିଶା ରାଜନୀତିରେ ରାମକୃଷ୍ଣ ପଟ୍ଟନାୟକ ଜଣେ ଅନୁଭବୀ ଏବଂ ଦକ୍ଷ ମଣିଷ। କିନ୍ତୁ ଯେତେବେଳେ ନବୀନ ପଟ୍ଟନାୟକଙ୍କ ରାଜନୀତି ଓ କ୍ଷମତା ପ୍ରତି ବିପଦ ସୃଷ୍ଟି କରିବାରେ ଗଞ୍ଜାମ ର ରାଜନୀତି ଟାଇଗର ପ୍ରମୁଖ ଭୂମିକା ନେବାର ସୂଚନା ଓ ଆଶଙ୍କା ବଢିଲା ସବୁ ଦିନ ପାଇଁ ଅହଂକାରୀ ପ୍ରକୃତିର ରାମ କୃଷ୍ଣ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର କେବଳ ବଳି ପଡିଲାନି ବରଂ ସେ ଓଡ଼ିଶା ରାଜନୀତିରେ ଏକ ପ୍ରକାର ଅସ୍ତ ଗଲେ । ଏହି ଗଞ୍ଜାମ ଜିଲ୍ଲାର ତରୁଣ ପିଢ଼ିର ରାଜନେତା ପ୍ରଦୀପ ପାଣିଗ୍ରାହୀ ଦେଖିବାକୁ ଗଲେ ରାମ କୃଷ୍ଣ ପଟ୍ଟନାୟକଙ୍କ ଅନୁଭବ ଦକ୍ଷତା ଓ କୌଶଳ ଆଗରେ ନିଷ୍ପ୍ରଭ। ପ୍ରଦୀପ ପାଣିଗ୍ରାହୀ ଗୋଟିଏ ସାଙ୍ଘାତିକ ଚରିତ୍ର ଧରି ରାଜନୀତିରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପରିବର୍ତ୍ତେ ଅନେକ ସମୟରେ ଜନ ପ୍ରତିନିଧିର ଅହଙ୍କାରର ଏକ ସ୍ଵର ହୋଇ ଯେଉଁ ମନ୍ଦ ଉଦ୍ଦେଶ୍ୟ ନେଇ ଅନେକ କାହାଣୀ ରଚନା କରିବା ସହ ନିଜ ଅଞ୍ଚଳ ସ୍ବାର୍ଥକୁ ଗୌଣ କରି ପରିବାରର ନିଜ ସ୍ବାର୍ଥ ଦୃଷ୍ଟିରୁ ଦଳରେ ରହି କ୍ଷମତାର ଅପବ୍ୟବହାର କରି ଆସୁଥିଲେ ତାଙ୍କୁ ଉଚିତ୍ ଦଣ୍ଡ ଦିଆଯାଇ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠିକ୍ ନ୍ୟାୟ ମିଳିଛି କହିଲେ ଅତ୍ୟୁକ୍ତି ହେବନାହିଁ।

ରାମକୃଷ୍ଣ ପଟ୍ଟନାୟକ ଟାଇଗର ଥିଲେ କିନ୍ତୁ କେବେ ଶୃଗାଳ ହୋଇ ନ ଥିଲେ। କିନ୍ତୁ ଗୋଟିଏ ଶୃଗାଳ ଆଜି ବିଜେଡ଼ିରେ ରହି ଟାଇଗରର ରୂପ ଧରି କେତେବଳେ କର୍ମୀଙ୍କୁ ପୁଣି କେତେବେଳେ ପଦାଧିକାରୀଙ୍କୁ ଅତି ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ। ନିର୍ବାଚନ ମଣ୍ଡଳୀରେ ଅନେକ ସମୟରେ ନିଜ ଲୋକଙ୍କୁ ଯେଉଁ ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ ସେ ସବୁ ଥିଲା ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ। ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗର ଭ୍ରଷ୍ଟ ଅଫିସର୍ ଅଭୟ ପାଠକଙ୍କ ପୁତ୍ର ଆକାଶ ସହ ଝିଅ ବିବାହ ଦେବା ପାଇଁ ବହୁ ଆଗରୁ ଯୋଜନା କରି ପ୍ରଦୀପ ପାଣିଗ୍ରାହୀ କ୍ଷମତାର ଅପବ୍ୟବହାର କରି ଆସୁଥିଲେ ଅନେକ ଦିନ ଧରି। ଗୋଟିଏ ଉଦ୍ଧତ ଚରିତ୍ରର ଶୃଗାଳ ଆଜି ନିଜ କରିଥିବା ଅପକର୍ମ ପାଇଁ ଉତ୍ତରଦାୟୀ ଅଟେ। ଅତୀତରେ ଟାଇଗର କୁ ନବୀନ ପଟ୍ଟନାୟକ ଫିଙ୍ଗି ଦିଆଯାଇଥିବା ବେଳେ ଶୃଗାଳର ସ୍ଥାନ କେଉଁଠି ରହିବ? ଜନ ପ୍ରତିନିଧି ଯଦି ଜନ ବିରୋଧୀ କାର୍ଯ୍ୟ ସମ୍ପାଦନ କରିବାକୁ ସାହାସ କରେ ତା କୁ ଦଣ୍ଡ ନ ଦେଲେ ରାଜ ଧର୍ମ ମଧ୍ୟ ପଥ ଭ୍ରଷ୍ଟ ହେବ।

Related posts