ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ – କେତେବେଳେ ପ୍ରବଳ ବର୍ଷା ତ ଅନ୍ୟ କେତେବେଳେ ଗୁଳୁଗୁଳିଆ ଗରମ ଯୋଗୁଁ ଆଜିକାଲି ପ୍ରାୟ ସମସ୍ତଙ୍କଠାରେ କାଶ, କଫ ଓ ଥଣ୍ଡା ସମସ୍ୟା ଦେଖାଯାଉଛି। ବିଶେଷକରି ଛୋଟ ପିଲାମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି। ଏହିଭଳି ସାଧାରଣ ସମସ୍ୟା ପାଇଁ ବାରମ୍ବାର ଆଲୋପାଥିକ୍ ଔଷଧ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ତେଣୁ ଔଷଧ ବଦଳରେ ଆମ ରୋଷେଇ ଘରେ ମିଳୁଥିବା କିଛି ସହଜ ଓ ପ୍ରାକୃତିକ ଘରୋଇ ଉପଚାର ଆପଣାଇ ଆମେ ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟ ସହଜରେ ଯତ୍ନ ନେଇପାରିବା।
ତୁଳସୀପତ୍ର, ଅଦା ଓ ମହୁ:
ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। କାଶ ବିଶେଷକରି ଶୁଖିଲା କାଶ ବା ଡ୍ରାଏ କଫ୍ କମାଇବା ଲାଗି ତୁଳସୀପତ୍ର ଓ ଅଦାରସରେ ମହୁ ମିଶାଇ ଖାଇଲେ ବେଶ୍ ଭଲ କାମ କରିଥାଏ।
ଅଦା ଓ ଲୁଣ:
ଅଧିକ କାଶ ହେଉଥିଲେ ଖଣ୍ଡେ ଅଦାରେ ଅଳ୍ପ ଲୁଣ ଲଗାଇ କଳରେ ଜାକନ୍ତୁ। ଏହାକୁ ଅଳ୍ପ ଅଳ୍ପ ଚୋବାନ୍ତୁ ଯେପରି ରସ ବାହାରି ଗଳାକୁ ଆରାମ ଦେବ ।
ଗରମ ଲୁଣପାଣି:
ଏହା କାଶ କମାଇବା ଓ କଫ ବାହାର କରିବା ପାଇଁ ସବୁଠୁ ଭଲ ଉପାୟ। ଦିନକୁ ଅତି କମ୍ରେ ୪-୫ଥର ଗରମ ଲୁଣପାଣିରେ ଗାର୍ଗେଲିଂ କରନ୍ତୁ। ଏହାଦ୍ୱାରା କଫ ତରଳିଯିବା ସହ କାଶ ମଧ୍ୟ ଧୀରେ ଧୀରେ କମିଯିବ।
ହର୍ବାଲ ଜୁସ୍ ଏବଂ ହର୍ବାଲ ଟି:
ଏହା କାଶ ରୋକିବାରେ ବେଶ୍ ସାହାଯ୍ୟ କରିଥାଏ। ଏଥିରେ ଥିବା ବିଭିନ୍ନ ଔଷଧୀୟ ଗୁଳ୍ମ ଗଳା କୁଣ୍ଡେଇ ହେବା ଦୂରକରି ଗଳାକୁ ଆରାମ ଦେଇଥାଏ।
ମହୁ:
କାଶ ହେଉଥିଲେ ଥଣ୍ଡାପାଣି କିମ୍ବା ଆଇସ୍କ୍ରିମ୍ ଭଳି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଇବା ଠିକ୍ ନୁହେଁ। କାଶ ହେଉଥିଲେ ମଝିରେ ମଝିରେ ଉଷୁମପାଣିରେ ଅଳ୍ପ ମହୁ ମିଶାଇ ପିଇବା ଦ୍ୱାରା ଗଳାକୁ ଆରାମ ମିଳିବା ସହ ଧୀରେ ଧୀରେ କାଶ କମିଯିବ।
କ୍ଷୀର ଓ ହଳଦୀ:
ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ। ହଳଦୀରେ ଥବା ଆଣ୍ଟି ଇନ୍ଫ୍ଲାମେଟୋରି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଭାଇରାଲ୍ ତତ୍ତ୍ୱ କାଶ ଓ କଫ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।


