୬ ଦିନିଆ ବିଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published: Jun 4, 2023, 6:33 pm IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରିନାମ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଚଳିତ ମାସ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ସୁରିନାମ ଏବଂ ସର୍ବିୟା ଗସ୍ତ କରିବେ। ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ମୁର୍ମୁ ଜୁନ୍ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ସୁରିନାମ ଗସ୍ତରେ ରହିବେ।  ସୁରିନାମ ଗଣତନ୍ତ୍ରର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାଣ୍ଟୋଖୀଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରିଛନ୍ତି।

ଏହି ପରିଦର୍ଶନ ଐତିହାସିକ ମହତ୍ତ୍ବ ଗ୍ରହଣ କରିଛି। କାରଣ ଜୁନ୍ ୫ ତାରିଖ ଦିନ ସୁରିନାମରେ ଭାରତୀୟଙ୍କ ଆଗମନର ୧୫୦ ତମ ବାର୍ଷିକ ଉତ୍ସବରେ ଶ୍ରୀମତୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଭାରତ ଏବଂ ସୁରିନାମ ମଧ୍ୟରେ ବେଶ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ସେଠାରେ ଥିବା ପ୍ରବାସୀ ଭାରତୀୟମାନେ ଏହି ଉତ୍ସବକୁ ବେଶ୍ ଉତ୍ସାହର ସହ ପାଳନ କରିବାକୁ ନିଷ୍ପତି କରିଛନ୍ତି।

ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସର୍ବିୟା ଯିବେ। ସର୍ବିୟାର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଭୁସିଙ୍କ ନିମନ୍ତ୍ରଣ କ୍ରମେ ୭ ରୁ ୯ ଜୁନ୍ ପର‌୍ୟ୍ୟନ୍ତ ସର୍ବିୟାରେ ରହିବେ।

Related posts