ନୂଆଦିଲ୍ଲୀ:ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଭୟଙ୍କର ଆକ୍ରମଣ କରିଛନ୍ତି। ଏହି ରକ୍ତାକ୍ତ ବିସ୍ଫୋରଣରେ ୩ ଜଣ ବିଦେଶୀ ନାଗରିକଙ୍କ ପ୍ରାଣହାନି ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ସାଉଦି ରାଜଧାନୀସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଥମ ଆକ୍ରମଣ ହୋଇଥିଲା, ଯେଉଁଥିରେ ଜଣେ ସୁଦାନୀ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି। ସେହିପରି ଆଭା ବିମାନବନ୍ଦର ଉପରେ ହୋଇଥିବା ଦ୍ୱିତୀୟ ଆକ୍ରମଣରେ ଜଣେ ମୋରୋକ୍କୋ ଏବଂ ଜଣେ ଆଲଜେରିଆନ୍ ନାଗରିକ ପ୍ରାଣ ହରାଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ସାଉଦି ଆରବର ବେସାମରିକ ବିମାନ ଚଳାଚଳ ବିଭାଗ ବିମାନବନ୍ଦରରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ହୁତି ବିଦ୍ରୋହୀମାନେ ସାଉଦିର ବିମାନବନ୍ଦର ଓ ସାମରିକ ଘାଟି ଉପରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ୟେମେନର ସରକାର ଶାସିତ ରାଜଧାନୀ ଆଡେନ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ମଧ୍ୟ ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛନ୍ତି। ଏହି ଆକ୍ରମଣ ଯୋଗୁଁ ବିମାନବନ୍ଦରରେ ଉଡ଼ାଣ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ସହ ମିଳିତ ଭାବେ କ୍ଷତିଗ୍ରସ୍ତ ଅଞ୍ଚଳର ଆକଳନ କରାଯାଉଥିବା ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସଂସ୍ଥା ପ୍ରକାଶ କରିଛି। ଅପରପକ୍ଷରେ ସାଉଦି ନେତୃତ୍ୱାଧୀନ ମେଣ୍ଟର ସ୍ପୋକ୍ସପର୍ସନ୍ ମେଜର ଜେନେରାଲ ତୁର୍କୀ ଅଲ-ମାଲିକୀ କହିଛନ୍ତି ଯେ, ରିଆଦର ଉତ୍ତର ପାର୍ଶ୍ୱରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନଷ୍ଟ କରାଯିବା ସହ ୟେମେନର ସାନାରେ ଆକ୍ରମଣ ପାଇଁ ବ୍ୟବହୃତ ଲଞ୍ଚପ୍ୟାଡକୁ ଧ୍ୱଂସ କରାଯାଇଛି।


