ଓଡିଆ ସିନେମା ଇଣ୍ଡଷ୍ଟ୍ରିର ନୂଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ର ଶୁଭ ମହୁରତ

Published: May 31, 2022, 10:37 am IST

ଭୁବନେଶ୍ୱର: ଝିଲିକ୍ ମୋସନ ପିକ୍‌ଚର୍ସର ଚତୁର୍ଥ ଅବଦାନ ‘ପ୍ରିୟେ ତୁ ମୋ ସିଏ’ର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଛି। କଟକ ସ୍ଥିତ ମା’ ଚଣ୍ଡୀ ମନ୍ଦିର ଠାରେ ନୂଆ ସିନେମାର ଶୁଭ ମହୁରତ ସହ ସ୍କ୍ରିପ୍ଟ ପୂଜା ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅରୁଣ ସ୍ୱାଇଁ, ଚଳଚ୍ଚିତ୍ରର ନାୟିକା ଏଲିନା ସାମନ୍ତରାୟ, ଅଭିନେତା ଭୁପତି ତ୍ରିପାଠୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆସନ୍ତା ଜୁନ ୧ ତାରିଖ ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ସିନେମାର ନାୟକ ଭୁମିକାରେ ଅମ୍ଳାନ ଦାସ ଓ ନାୟିକା ଭାବେ ଏଲିନା ସାମନ୍ତରାୟ ନଜର ଆସିଥିବା ବେଳେ ବବି ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସେହିଭଳି ଅନ୍ୟାନ୍ୟ ଭୁମିକାରେ ଭୁପତି ତ୍ରିପାଠୀ, ଇଶା ବେବର୍ତ୍ତା, ଅଭିଷେକ ଗିରି, ଛନ୍ଦିତା ପାଢ଼ୀ ପ୍ରମୁଖ ନଜର ଆସିବେ। ସୁଧାଂଶୁ ମୋହନ ସାହୁ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଓ ସଂଳାପ ରଚନା କରିଛନ୍ତି ଶରଣାବିନ୍ଦ। ପୂର୍ବରୁ ଝିଲିକ୍ ମୋସନ ପିକ୍‌ଚର୍ସ ବ୍ୟାନରରେ ରୁଦ୍ରାଣୀ, କିସମିସ ଓ ତୋର ମୋର କଟି ସୁଟିଂ ଶେଷ ହୋଇ ରିଲିଜ୍ ଅପେକ୍ଷାରେ ରହିଛି। ଆଗାମୀ ରଥଯାତ୍ରାରେ ରୁଦ୍ରାଣୀ ସିନେମା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିସାରିଛି।

Related posts