ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବେ ଅନନ୍ୟା, ବିଜୟଙ୍କ ବିପକ୍ଷରେ ଆସିବେ ନଜର

Published: Feb 20, 2020, 1:05 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ସାଉଥ୍‌ ଫିଲ୍ମରେ ବି ନିଜର ପାରଦର୍ଶିତା ଦେଖାଇବାକୁ ଆଗଭର ହେଲେଣି । ଅନନ୍ୟା ସାଉଥ୍‌ ସୁପରଷ୍ଟାର୍‌ ବିଜୟ ଦେବରୋକୋଣ୍ଡାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଫାଇଟର୍‌’ରେ ନଜର ଆସିବେ । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଉଭୟ ହିନ୍ଦୀ ଓ ତେଲୁଗୁ ଭାଷା ବ୍ୟତୀତ ଅନ୍ୟାନ୍ୟ ଭାଷାରେ ମଧ୍ୟ ରିଲିଜ୍‌ ହେବ। ଫିଲ୍ମଟିକୁ ଫିଲ୍ମ ନିର୍ମାତା କରଣ ଜୋହର୍‌, ଚାର୍ମି କୌର୍‌ ଓ ଅପୂର୍ବ ମେହେଟ୍ଟା ପ୍ରଯୋଜନା କରୁଛନ୍ତି ବୋଲି ଜଣାପଡିଛି।

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ଅନନ୍ୟା ଫିଲ୍ମ ଫେୟାର ନବାଗତାର ଆଓ୍ବାର୍ଡ ମଧ୍ୟ ଜିତିସାରିଛନ୍ତି। ଭୂମି ପେଡେନ୍‌କର୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ‘ପତି ପତ୍ନୀ ଔର ଓ୍ବ’ରେ ମଧ୍ୟ ନଜର ଆସିଥିଲେ ଅନନ୍ୟା।  ତେବେ ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ବିଜୟ ଦେବରୋକୋଣ୍ଡାଙ୍କ ଫିଲ୍ମ ‘ ଓ୍ବାର୍ଲ୍ଡ ଫେମସ୍‌ ଲଭର୍‌’ ପରଦାକୁ ଆସିଥିଲା। ତେବେ ଫିଲ୍ମଟି ଏତେ ସଫଳତା ପାଇନାହିଁ।  ଅନନ୍ୟାଙ୍କ ପ୍ରଥମ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଏଣ୍ଟ୍ରିକୁ ନେଇ ତାଙ୍କୁ ଉଭୟ ପୁରୀ ଜଗନ୍ନାଥ ଓ ବିଜୟ ଦେବରୋକୋଣ୍ଡା ଉଭୟ ସ୍ବାଗତ କରି ଟୁଇଟ୍‌ କରିଛନ୍ତି। (ଏଜେନ୍ସି)

Related posts