ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ: ଜୀବନକୁ ଜୀଇଁବାର କଳା ଶିଖାଇଲା ‘ଦିଲ୍‌ ବେଚାରା’

Published: Jul 24, 2020, 10:07 pm IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁର ଦେଢ ମାସ ପରେ ତାଙ୍କର ଶେଷ ଫିଲ୍ମ ’ଦିଲ୍‌ ବେଚେରା’ ଆଜି ରିଲିଜ୍‌ ହୋଇଛି।  ଏହି ଫିଲ୍ମଟି  ଦେଶ ବିଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯାଇଛି। ଜୀବନକୁ ନୂଆ ଢଙ୍ଗରେ ବଞ୍ଚାଇବା ଶିଖାଇଛି ଏହି ଫିଲ୍ମଟି। ସୁଶାନ୍ତଙ୍କ ଶେଷ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିବାବେଳେ ଫିଲ୍ମରେ ଥିବା ଥିମ୍‌ ଟିକେ ତାଙ୍କର ପୂର୍ବ ଫିଲ୍ମ ‘ଛିଚୋର୍‌’ ଫିଲ୍ମ ସହିତ ଟିକେ ସାମଞ୍ଜସ୍ୟ ରହିଛି। ତେବେ ଏହି ଫିଲ୍ମଟିର କାହାଣୀକୁ ଆନନ୍ଦ ଓ ଆଖିୟୋଁ କି ଝର୍‌କୋର କାହାଣୀ ସହ ଟିକେ ସାମଞ୍ଜସ୍ୟ ରହିଛି।

ଦିଲ୍‌ ବେଚାରା ହେଉଛି 2014 ହଲିଉଡ୍‌ ଚଳଚ୍ଚିତ୍ର ‘ଦ ଫଲ୍ଟ ଇନ୍‌ ଆଓ୍ବାର୍‌ ଷ୍ଟାର୍ସ’ର ରିମେକ୍‌। ଫିଲ୍ମର ଟ୍ରେଲର୍‌ଟି ଦର୍ଶକଙ୍କୁ  ବେଶ୍‌ ପସନ୍ଦ ଆସିଥିବାବେଳେ ଫିଲ୍ମଟିକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମଟିରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜାନା ସାଙ୍ଗୀ ନଜର ଆସିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ ଛାବ୍ରା। ଫିଲ୍ମଟି ଡିଜ୍‌ନୀ ହଟଷ୍ଟାରରେ ମୁକ୍ତିଲାଭ କରିଛି।

ମୃତ୍ୟୁ ଓ ପ୍ରେମକୁ ନେଇ ଫିଲ୍ମଟିର ଥିମ୍‌ ପର୍ଯ୍ୟବସିତ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ରହିଥିବାବେଳେ ଏହି ଫିଲ୍ମରେ ଜୀବନକୁ ଜୀଇଁବାର କୌଶଳ ଶିଖାଇଛନ୍ତି ସୁଶାନ୍ତ। ଏହି ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରର ନାମ ମୈନୀ ରହିଥିବାବେଳେ ସେ  ଜଣେ ଦିବ୍ୟାଙ୍ଗର ଚରିତ୍ର ନିଭାଇଛନ୍ତି। ମୈନୀ ଦିବ୍ୟାଙ୍ଗ ହେବା ସତ୍ତ୍ବେ ଜୀବନକୁ ଭରପୂର ଉପଭୋଗ କରୁଥିବାର ନଜର ଆସିଛନ୍ତି। ସେହିପରି ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ନବାଗତା ସଞ୍ଜନା ସାଂଘୀ। ଯିଏକି ଜଣେ ଥାଇରଏଡ୍‌ କ୍ୟାନସରରେ ପୀଡ଼ିତ ବଙ୍ଗାଳୀ ଝିଅ କୀଜେ ବାସୁ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି।  କିଜେ ସର୍ବଦା ନିଜ ସହିତ ଏକ ଅକ୍ସିଜେନ୍‌ ସିଲିଣ୍ଡର ନେଇ ଚାଲୁଥିବାବେଳେ ନିଜ ଜୀବନରେ ସର୍ବଦା ଦୁଃଖୀ ରହୁଥିଲେ। କିନ୍ତୁ ମୈନୀଙ୍କ ସହ କିଜେ ଭେଟ ହେବା ପରେ ତାଙ୍କ ଜୀବନ କିପରି ପରିବର୍ତ୍ତନ ହେଉଛି ତାହା ହେଉଛି ଫିଲ୍ମର କାହାଣୀ। ଜୀବନର କଠିନ ପରିସ୍ଥିତିରେ ବି ସର୍ବଦା ଜୀବନକୁ ଖୁସିରେ ଗ୍ରହଣ କରିବାର ବାର୍ତ୍ତା ଦେଇଛନ୍ତି ସୁଶାନ୍ତ। ଫିଲ୍ମର ମୁଖ୍ୟ ଆକର୍ଷଣ ହେଉଛନ୍ତି ସୁଶାନ୍ତ ଓ ସଞ୍ଜନାଙ୍କ କେମେଷ୍ଟ୍ରି।

ଫିଲ୍ମରେ ଏ ଆର ରହମାନଙ୍କ ସଙ୍ଗୀତ ରହିଥିବାବେଳେ ଫିଲ୍ମର କାହାଣୀଟି ବେଶ୍‌ ବଳିଷ୍ଠ ରହିଛି। ସୁଶାନ୍ତଙ୍କ ଶେଷ ଫିଲ୍ମ ଭାବେ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଫିଲ୍ମଟିରେ କମେଡି, ରୋମାନ୍ସ ଓ ଇମୋସନ୍‌ର ଫୁଲ୍‌ ଡୋଜ୍‌ ରହିଛି। ଫିଲ୍ମର ଶେଷରେ ସୁଶାନ୍ତ ଜୀବନକୁ ଜୀଇଁବାର କଳା ଶିଖାଇ ଏହି ଦୁନିଆରୁ ଅଲ୍‌ବିଦା ନେଇଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ସୁଶାନ୍ତଙ୍କ ମୃତଦେହ। ସେବେଠାରୁ ଏବେ ପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତଦନ୍ତ ହେବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁପରେ ବଲିଉଡ୍‌ରେ ନେପଟୋଜିମ୍କୁ ନେଇ ଏକ ତର୍କ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବହୁ ବଲିଉଡ୍‌ ହସ୍ତୀମାନଙ୍କ ହାତ ରହିଥିବାର ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପ୍ରଶଂସକମାନେ। ଏପରିକି ବହୁ ନାମୀଦାମୀ ବଲିଉଡ ହସ୍ତୀମାନଙ୍କୁ ପୋଲିସ୍‌ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପଚରାଉଚୁରା ଜାରି ରଖିଛି।

Related posts