ଆଉ ନାହାନ୍ତି ଅଭିନେତା ଜୀମୂତ ପଟ୍ଟନାୟକ

Published: Nov 22, 2020, 11:06 am IST

ଭୁବନେଶ୍ବର : ଓଲିଉଡ଼ ଜଗତକୁ ଆଉ ଏକ ବଡ ଝଟକା । ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 62ବର୍ଷ ବୟସ ହୋଇଥିଲା। ସେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ 10 ଦିନ ହେଲା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନିକଟରେ ପତ୍ନୀ ଏବଂଦୁଇ  ଝିଅ ଉପସ୍ଥିତ ଥିଲେ ।

ସୂଚନା ଯେ, ଜିମୂତ ପଟ୍ଟନାୟକ ନିକଟରେ ‘ମହାଦେବୀ’ ଧାରାବାହିକରେ ଅଭିନୟ କରୁଥିଲେ । ମଞ୍ଚ ନାଟକରୁ କ୍ୟାରିଅର ଆରମ୍ଭ କରି ଟିଭି ତଥା ବଡପରଦାରେ ଜଣେ ସଫଳ ଅଭିନେତା ଭାବେ ଜୀମୂତ ପଟ୍ଟନାୟକ ନିଜକୁ ଉପସ୍ଥାପିତ କରିପାରିଛନ୍ତି । ଲୋକପ୍ରିୟ ଆଧ୍ୟାତ୍ମିକ ଧାରାବାହିକ ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରର ଜୀମୂତଙ୍କ ଅଭିନୟ ଏବେବି ଜୀବନ୍ତ । ସେ 10ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଅଭିନୟ କରିଥିବାବେଳେ ଲୋକପ୍ରିୟ ଧାରାବାହିକ ‘କଥା କହୁଥିଲେ ସରିବନି’, ‘ମା’, ‘ସିନ୍ଦୂର’ ଆଦିରେ ଅଭିନୟ କରିଥିଲେ । ଏତଦ୍‌ବ୍ୟତୀତ ବହୁ ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ମୃତ୍ୟୁ ଖବରରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି ।

Related posts