ସାଂସଦଙ୍କୁ କିପରି ନିଲମ୍ବନ କରନ୍ତି ବାଚସ୍ପତି ? ସେହି ସମୟରେ ସେମାନେ ଦରମା ପାଆନ୍ତି କି ?

Published: Dec 19, 2023, 12:52 pm IST

ନୂଆଦିଲ୍ଲୀ: ଡିସେମ୍ବର ୧୮ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ କଂଗ୍ରେସର ୧୧ ଜଣ, ତୃଣମୂଳ କଂଗ୍ରେସର ୯ ଜଣ, ଡିଏମକେର ୯ ଜଣ ଏବଂ ଅନ୍ୟ ଦଳର ୪ ଜଣ ସାଂସଦ ରହିଛନ୍ତି ।

ଏମାନଙ୍କ ମଧ୍ୟରୁ ୩୦ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବା ବେଳେ କଂଗ୍ରେସର ୩ ଜଣ ସାଂସଦଙ୍କୁ ପୁନଃ ଅବସ୍ଥାପିତ କରିବା ନେଇ ସ୍ୱାଧିକାର କମିଟି ନିଷ୍ପତ୍ତି ନେବ। ସେମାନେ ବାଚସ୍ପତିଙ୍କ ମଞ୍ଚ ଉପରେ ଚଢ଼ିଥିବା ଅଭିଯୋଗ ହୋଇଛି।

ତେବେ ପ୍ରଶ୍ନ ଉଠୁଛି ଯେ, ବାଚସ୍ପତି କିପରି ସାଂସଦଙ୍କ ଉପରେ ପଦକ୍ଷେପ ଗ୍ରହଣ କରନ୍ତି। ପ୍ରକୃତରେ ସଂସଦର କାର୍ଯ୍ୟଧାରା ପାଇଁ ଏକ ସମ୍ପୂର୍ଣ୍ଣ ନିୟମ ପୁସ୍ତକ ଅଛି। ଏହି ନିୟମ ପୁସ୍ତକ ମାଧ୍ୟମରେ ଗୃହ ପରିଚାଳିତ ହେଉଛି। ଏହି ପୁସ୍ତକର ନିୟମ ୩୭୩ ଅନୁଯାୟୀ, ଯଦି ଲୋକସଭା ବାଚସ୍ପତି ଅନୁଭବ କରନ୍ତି ଯେ ଜଣେ ସାଂସଦ ଗୃହକାର୍ଯ୍ୟରେ କ୍ରମାଗତ ଭାବରେ ବାଧା ସୃଷ୍ଟି କରୁଛନ୍ତି, ତେବେ ସେ ତାଙ୍କୁ ସେହିଦିନ ପାଇଁ ଗୃହରୁ ବହିଷ୍କାର କରିପାରିବେ, କିମ୍ବା ସେ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ ମଧ୍ୟ କରିପାରିବେ।

ଏଥିସହ ବାଚସ୍ପତି ନିୟମ ୩୭୪ ଓ ୩୭୪(ଏ) ଅନୁଯାୟୀ ଅଧିକ ବିଶୃଙ୍ଖଳିତ ସଦସ୍ୟଙ୍କ ସହ ମୁକାବିଲା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କଂଗ୍ରେସ ସାଂସଦଙ୍କ ବିରୋଧରେ ନିୟମ ୩୭୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳି ପରିସ୍ଥିତିରେ ଜାଣନ୍ତୁ ଏହି ନିୟମ ବିଷୟରେ…

1-ଯେଉଁ ସାଂସଦମାନେ ଗୃହରର ଶୃଙ୍ଖଳା ଭାଙ୍ଗିଛନ୍ତି କିମ୍ବା ନିୟମ ଉଲ୍ଲଂଘନ କରିଛନ୍ତି ଏବଂ ଜାଣିଶୁଣି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ସେମାନଙ୍କ ନାମ ଲୋକସଭା ବାଚସ୍ପତି ଘୋଷଣା କରିପାରିବେ।

2-ଯେତେବେଳେ ବାଚସ୍ପତି ଏଭଳି ସାଂସଦଙ୍କ ନାମ ଘୋଷଣା କରନ୍ତି, ସେତେବେଳେ ସେ ଗୃହରେ ଏକ ପ୍ରସ୍ତାବ ରଖିଥାଆନ୍ତି। ପ୍ରସ୍ତାବରେ ହଙ୍ଗାମା କରିଥିବା ସାଂସଦଙ୍କ ନାମ ନେଇ ତାଙ୍କୁ ନିଲମ୍ବିତ କରାଯିବ ବୋଲି କୁହାଯାଇଥାଏ।

3-ଏଥିରେ ନିଲମ୍ବନର ଅବଧି ଉଲ୍ଲେଖ ରହିଥାଏ। ଅଧିବେଶନ ଶେଷ ପର୍ଯ୍ୟନ୍ତ ଏହି ଅବଧି ସର୍ବାଧିକ ହୋଇପାରିବ। ଗୃହ ମଧ୍ୟ ଯେକୌଣସି ସମୟରେ ପ୍ରସ୍ତାବକୁ ବାତିଲ କରିବାକୁ ଅନୁରୋଧ କରିପାରେ।

ଏବେ ଆସନ୍ତୁ ଜାଣିବା ନିୟମ ୩୭୪(ଏ) କ’ଣ କହୁଛି

୨୦୦୧ ଡିସେମ୍ବର ୫ତାରିଖରେ ନିୟମ ପୁସ୍ତକରେ ଆଉ ଏକ ନିୟମ ଯୋଡ଼ାଯାଇଥିଲା। ଏହାକୁ ନିୟମ ୩୭୪(ଏ) କୁହାଯାଏ। ଯଦି କୌଣସି ସାଂସଦ ଜାଣିଶୁଣି ଗୃହ ମଧ୍ୟକୁ ଆସି କିମ୍ବା ଗୃହରେ ସ୍ଲୋଗାନ ଦେଇ କିମ୍ବା କାର୍ଯ୍ୟରେ ବାଧା ସୃଷ୍ଟି କରି ନିୟମ ଉଲ୍ଲଂଘନ କରନ୍ତି, ତେବେ ଏହି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ଯେତେବେଳେ ବାଚସ୍ପତି ଏଭଳି ସାଂସଦଙ୍କ ନାମ ନିଅନ୍ତି, ତାଙ୍କୁ ୫ଟି ବୈଠକ କିମ୍ବା ଅଧିବେଶନର ଅବଶିଷ୍ଟ ଅବଧି (ଯାହା କମ୍ ଥିବ) ପାଇଁ ଆପେ ଆପେ ନିଲମ୍ବିତ କରାଯାଏ।

ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବାର ପ୍ରକ୍ରିୟା କ’ଣ ?

ଜଣେ ସାଂସଦଙ୍କୁ ନିଲମ୍ବିତ କରିବାର ଅଧିକାର ବାଚସ୍ପତିଙ୍କର ଅଛି, କିନ୍ତୁ ନିଲମ୍ବନ ପ୍ରତ୍ୟାହାର କରିବାର ଅଧିକାର ତାଙ୍କର ନାହିଁ। ସେହି କ୍ଷମତା ଗୃହ ଉପରେ ରହିଛି। ଗୃହ ଚାହିଁଲେ ସଂକଳ୍ପ ମାଧ୍ୟମରେ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିପାରିବ।

ଏହି ସମୟ ମଧ୍ୟରେ ସାଂସଦମାନେ ଦରମା ପାଆନ୍ତି କି ?

ଗୃହରେ ବାଧା ସୃଷ୍ଟି କରିଥିବାରୁ ନିଲମ୍ବିତ ଜଣେ ସାଂସଦଙ୍କୁ ମିଳିଥାଏ ପୂରା ଦରମା। ‘କାମ ନାହିଁ, ବେତନ ନାହିଁ’ ନୀତିକୁ କେନ୍ଦ୍ରର ସରକାରମାନେ ଦଶନ୍ଧି ଧରି ବିଚାର କରୁଛନ୍ତି। ହେଲେ ଏହାକୁ ଏପର୍ଯ୍ୟନ୍ତ ପ୍ରଚଳନ କରାଯାଇନାହିଁ।

ପ୍ରଥମ ଥର ପାଇଁ ସାଂସଦଙ୍କୁ ନିଲମ୍ବିତ କରାଯାଇଛି କି ?

ସାଂସଦଙ୍କ ନିଲମ୍ବନର ପ୍ରଥମ ଉଦାହରଣ ୧୯୬୩ ମସିହାରେ ଦେଖିବାକୁ ମିଳିଥିଲା। ୧୯୮୯ରେ ସବୁଠାରୁ ବଡ଼ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ରାଜୀବ ଗାନ୍ଧୀ ସରକାର ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ମାମଲାରେ ଠକ୍କର କମିଶନ ରିପୋର୍ଟ ସଂସଦରେ ଆଗତକୁ ନେଇ ସାଂସଦମାନେ ହଙ୍ଗାମା କରୁଥିଲେ। ଏହାପରେ ହଙ୍ଗାମା କରିଥିବାରୁ ବିରୋଧୀ ଦଳର ୬୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

୨୦୧୯ ଜାନୁଆରୀରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଦୁଇଦିନ ମଧ୍ୟରେ ୪୫ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଥିଲେ।

୨୦୧୪ରେ କଂଗ୍ରେସ ନିଜ ସାଂସଦଙ୍କୁ ନିଲମ୍ବନ କରିଥିଲା

୨୦୧୪ ଫେବ୍ରୁଆରି ୧୩ରେ ଲୋକସଭା ବାଚସ୍ପତି ମୀରା କୁମାର ୧୮ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ନିଲମ୍ବିତ ସାଂସଦଙ୍କ ମଧ୍ୟରୁ କିଛି ତେଲେଙ୍ଗାନା ରାଜ୍ୟ ଗଠନ ଦାବିକୁ ବିରୋଧ କରୁଥିବାବେଳେ କିଛି ଅଲଗା ରାଜ୍ୟ ଦାବି କରୁଥିଲେ।

ଏହି ସମୟରେ ଏକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଥିଲା, କାରଣ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଂଗ୍ରେସର ଏଲ୍ ରାଜଗୋପାଳ। ରାଜଗୋପାଳଙ୍କ ବିରୋଧରେ ଗୃହରେ ଲଙ୍କାଗୁଣ୍ଡ ସ୍ପ୍ରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

Related posts