ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସମୁଦ୍ର ଭିତରେ ବୁଡିଲେ, କଣ ରହିଛି କାରଣ ??

Published: Feb 25, 2024, 6:30 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଆଜି ପ୍ରଧାନମନ୍ତ୍ରୀ ସମୁଦ୍ର ବୁଡାଳି ପୋଷାକ ପିନ୍ଧି ଗଭୀର ସମୁଦ୍ର ଭିତରକୁ ବୁଡିଥିଲେ। ଆଉ ସେହି ଭିତରେ ବେଶ କିଛି ସମୟ ମଧ୍ୟ ରହିଲେ। ତାଙ୍କ ସହିତ ତଟରକ୍ଷୀ ବାହିନୀ ମଧ୍ୟ ଥିଲେ। ହେଲେ ପ୍ରଶ୍ନ ଉଠୁଛି ଯେ ସମୁଦ୍ର ଭିତରେ ବୁଡିବା ପ୍ରଧାନମନ୍ତ୍ରୀଙ୍କ କଣ ଆବଶ୍ୟକ ପଡିଲା।

ଏହାର ଉତ୍ତର ହେଉଛି ଯେ, ଆଜି ପ୍ରଧାନମନ୍ତ୍ରୀ ଗଭୀର ସମୁଦ୍ରରେ ବୁଡି ଦ୍ବାରକା ଦର୍ଶନ କରିଛନ୍ତି। ଦ୍ବାରକା ହେଉଛି ପ୍ରାଚୀନ ଯୁଗର ଏକ ସହର ଯାହାର ଶାସକ ଥିଲେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ। ତେବେ ସେହି ସହର କୃଷ୍ଣଙ୍କ ଦେହାବସାନ ପରେ କାଳକ୍ରମେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି ବୋଲି କୁହାଯାଉଛି। ଆଉ ସେହି ଦ୍ବାରକାକୁ ପ୍ରତ୍ନତତ୍ବବିତମାନେ ପରବର୍ତ୍ତି ସମୟରେ ସମୁଦ୍ର ଗର୍ଭରୁ ଠାବ କରିଛନ୍ତି।

ପ୍ରଧାନମନ୍ତ୍ରୀ ଦୁଇଦିନିଆ ଗୁଜୁରାଟ ଗସ୍ତ ବେଳେ ସେ ଏହି ଦ୍ବାରକା ଯାଇ ସେଠାରେ ପ୍ରାଚୀନ ଦ୍ବାରକା ଦେଖିବାକୁ ଇଚ୍ଛା ପ୍ରକାଶ କଲେ। ଯାହା ଫଳରେ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହାତରେ ଏକ ମୟୁରପୁଚ୍ଛ ଯାହା ଶ୍ରୀକୃଷ୍ଣ ନିଜ ମସ୍ତକରେ ଧାରଣ କରନ୍ତି ତାହାକୁ ଧରି ସେ ସମୁଦ୍ରରେ ବୁଡିଥିଲେ। ପ୍ରାଚୀନ ସହରର ଏକ ସ୍ଥାନରେ ସେ ସେହି ମୟୁରପୁଚ୍ଛ ସ୍ଥାପନା କରିଥିଲେ।

ପାଣି ଭିତରୁ ବାହାରିବା ପରେ ମୋଦି କହିଥିଲେ ଯେ, ଆଜି ଦ୍ବାରକା ଦର୍ଶନ କରି ଏକ ଦିବ୍ୟ ଅନୁଭବ ହାସଲ କଲି। ପ୍ରାଚୀନ ଦ୍ବାରକାକୁ ଶାସକ ଥିଲେ ସ୍ବଂୟ ପ୍ରଭୃ ଶ୍ରୀକୃଷ୍ଣ। କୁହାଯାଏ ଏହି ସହରକୁ ପ୍ରଭୃ ବିଶ୍ବକର୍ମା ନିର୍ମାଣ କରିଥିଲେ।

ବହୁତ ବର୍ଷ ଧରି ମୋର ଯେଉଁ ଇଚ୍ଛା ଥିଲା ତାହା ଆଜି ପୂରଣ ହୋଇଛି। ମୁଁ ଆଜି ଆନନ୍ଦିତ, ଖୁସି ଏବଂ ଭାବତ୍ମାକ ହୋଇପଡିଛି। ମୁଁ ଯେତେବେଳେ ଦ୍ବାରକା ସହରକୁ ସ୍ପର୍ଶ କଲି ସେତେବେଳେ ମୋ ଦେହରେ ଏକ ଶିହରଣ ଖେଳିଗଲା। ଯାହା ବର୍ଣ୍ଣନା କରିବା ସହଜ ନୁହେଁ ବୋଲି ମୋଦି କହିଛନ୍ତି।

ଏହା ପୂର୍ବରୁ ମୋଦି ଦ୍ବାରକାସ୍ଥିତି ପ୍ରଭୃ ଶ୍ରୀକୃଷ୍ଣା ମନ୍ଦିରକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ସହିତ ପ୍ରାର୍ଥନା କରିଥିଲେ।

Related posts