ବାଲେଶ୍ବର ଲୋକସଭା ଆସନରେ ପ୍ରଚାର ଜୋରଦାର କଲେ ଲେଖାଶ୍ରୀ, ବିଜେପିକୁ ମାରିଲେ ବାଣ

Published: Apr 17, 2024, 11:37 am IST

ବାଲେଶ୍ବର: ମହିଳାମାନଙ୍କୁ ପ୍ରକୃତରେ ବିଜେପି ସମ୍ମାନ ଦିଏ ନାହିଁ। ମହିଳା ସଂରକ୍ଷଣ ବିଲ ପାଶ କରିବା ଏକ ଲୋକ ଦେଖିଣିଆ କଥା। ବର୍ତ୍ତମାନ ଓଡିଶାରେ ବିଜେପି ଲୋକସଭା ପାଇଁ ଯେଉଁ ପ୍ରାର୍ଥୀ ଦେଇଛି ସେଥିରେ କେତେ ମହିଳା ଅଛନ୍ତି ? ଏହିପରି କିଛି ବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର।

ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିର ଏକ ପ୍ରଚାର ସଭାରେ ଲେଖାଶ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବିଜେପି ଓଡିଶାରେ ଯେଉଁ ପ୍ରାଥୀ ଦେଇଛି ତାହା ମାତ୍ର ସାତ ପ୍ରତିଶତ। କୁଆଡେ କହିଲା ମହିଳା ସଂରକ୍ଷଣ ବିଲ, କୁଆଡେ ଗଲା 33 ପ୍ରତିଶତ ସଂରକ୍ଷଣ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ମୁଁ ଜଣେ ମହିଳା ହୋଇଥିବାରୁ ଦଳ ମୋତେ ବହୁ ପୂର୍ବରୁ ପର କରିସାରିଥିଲା। ଯେତେବେଳେ ମୁଁ ଜାଣିଲି ବିଜେପିରେ ମହିଳାମାନଙ୍କ ସ୍ଥାନ ନାହିଁ ସେତେବେଳେ ଦଳ ଛାଡିବି ବୋଲି ନିଷ୍ପତି କଲି। ଏହା କହିଛନ୍ତି ଲେଖାଶ୍ରୀ।

ସେହିପରି ସେ କହିଛନ୍ତି ଯେ, ବିଜେପି ପାଇଁ ମୁଁ କଣ ନ କରିଛି। ମୋର ସୀମାହ୍ରଦ ଡେଇଁ ଦଳ ପାଇଁ ସବୁକିଛି ତ୍ୟାଗ କରିଥିଲି। ହେଲେ ଦଳ ମୋତେ ପଚାରିଲା ନାହିଁ। କାରଣ ମୁଁ ଜଣେ ମହିଳା। ସେ କହିଛନ୍ତି ଯେ, ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ମୋତେ ତାଙ୍କ ଦଳରେ ସାମିଲ କଲେ। ମୁଁ କେବେ ବି ଭାବି ନ ଥିଲି ଯେ, ନବୀନ ପଟ୍ଟନାୟକ ମୋତେ ତାଙ୍କ ଦଳରେ ନେବେ ବୋଲି। ଦେଖନ୍ତୁ ନବୀନ ପଟ୍ଟନାୟକଙ୍କ କିପରି ବିଶାଳ ହୃଦୟ, ସେ ମୋତେ ତାଙ୍କ ଦଳରେ ସାମିଲ କଲେ।

ବାଲେଶ୍ବରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଦଳ ଚିନ୍ତା କରି ସେ ଆସନରେ ପ୍ରାର୍ଥୀ ଦେଇ ନ ଥିଲେ। ଜଣେ ମହିଳା ପ୍ରାର୍ଥୀ ମିଳିବା ପରେ ବିଜେଡି ବାଲେଶ୍ବରରେ ମୋତେ ପ୍ରାର୍ଥୀ କରିଛି। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ପ୍ରକୃତରେ ବିଜେଡି ହେଉଛି ମହିଳାଙ୍କ ବଳ। ବିଜୁ ଜନତା ଦଳ ମହିଳାଙ୍କ ବଳ ବୋଲି ଲେଖାଶ୍ରୀ ଜନସଭାକୁ କହିଥିଲେ।

ଲେଖାଶ୍ରୀ ବର୍ତ୍ତମାନ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେମାନଙ୍କୁ ଧିରେ ଧିରେ ବିଜେଡି କର୍ମି ଆଦରି ନେବାରେ ଲାଗିଛନ୍ତି। ଆଗକୁ ସେ ଏହି ପ୍ରଚାରକୁ ଆହୁରି ତୀବ୍ର କରିବେ ବୋଲି ଜଣାପଡିଛି। ଏପରିକି ତାଙ୍କ ପାଇଁ ପ୍ରଚାର କରିବାକୁ ଭୁବନେଶ୍ବରରୁ ପ୍ରମୁଖ ନେତାମାନେ ଯିବେ ବୋଲି ବିଜେଡି ରଣନୀତି ତିଆରି କରୁଛି।

Related posts