Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
BRICS DRRG Meeting
BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

BRICS DRRG Meeting: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପବିତ୍ର ସହର ପୁରୀରେ ବ୍ରିକ୍ସ ବିପର୍ଯ୍ୟୟ ଆଶଙ୍କା ହ୍ରାସ ଗ୍ରୁପ ର ବୈଷୟିକ ବୈଠକକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇବା ସହ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବଢୁଥିବା ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଓ ଆନ୍ତଃ-ରାଜ୍ୟ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି।

ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି, ବିଶେଷଜ୍ଞ ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀକୁ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ଆଶଙ୍କା ହ୍ରାସ ପ୍ରୟାସକୁ ଆଗକୁ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ବର୍ଣ୍ଣନା କରିଛନ୍ତି।

ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ବୈଠକର ମୂଳ ବିଷୟବସ୍ତୁ ହେଉଛି ବିପର୍ଯ୍ୟୟ ପରିଚାଳନାରେ “ପ୍ରତିରୋଧ, ଅଭିନବତ୍ବ, ସହଯୋଗ ଏବଂ ସ୍ଥାୟୀ ବିକାଶ ପାଇଁ ପ୍ରସ୍ତୁତି” । ଜୀବନ, ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ମାଝୀ କହିଛନ୍ତି ଯେ, ବିପର୍ଯ୍ୟୟ ଆଶଙ୍କା ହ୍ରାସ ଏବେ କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ବରଂ ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ, ଦ୍ରୁତ ସହରୀକରଣ ଏବଂ ପରିବେଶର ଅବକ୍ଷୟ ଯୋଗୁଁ ସାରା ବିଶ୍ୱରେ ବାରମ୍ବାର ବିପର୍ଯ୍ୟୟ ହେବା ସହିତ ଏହାର ତୀବ୍ରତା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ଦୃଢ଼ ପ୍ରସ୍ତୁତି ଏବଂ ସମନ୍ୱିତ ପଦକ୍ଷେପ ଆବଶ୍ୟକ।

ମୁଖ୍ୟମନ୍ତ୍ରୀ ସମଗ୍ର ବିଶ୍ୱଦ୍ବାରା ଓଡ଼ିଶାର ସ୍ୱୀକୃତିପ୍ରାପ୍ତ ବିପର୍ଯ୍ୟୟ ପରିଚାଳନା ମଡେଲ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଆମର ବିପର୍ଯ୍ୟୟ ପରିଚାଳନା ମଡେଲ “ଶୂନ୍ୟ ମୃତ୍ୟୁହାର” ର ନୀତି ଉପରେ ଆଧାରିତ। ସେ କହିଛନ୍ତି ଯେ ପ୍ରମାଣ-ଆଧାରିତ ଯୋଜନା, ସୁଦୂରପ୍ରସାରୀ ଆଗୁଆ ସୂଚନା ପ୍ରଣାଳୀ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ବିଭିନ୍ନ ସଂସ୍ଥାର କ୍ଷମତା ବୃଦ୍ଧି ଏବଂ ସମାବେଶୀ ଶାସନ ବ୍ୟବସ୍ଥା ମାଧ୍ୟମରେ ଓଡିଶା ନିଜର ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥାକୁ କ୍ରମାଗତ ଭାବରେ ସୁଦୃଢ଼ କରୁଛି।

ବାତ୍ୟା, ଗ୍ରୀଷ୍ମ ପ୍ରବାହ, ବଜ୍ରପାତ, ଉପକୂଳ କ୍ଷୟ ଏବଂ ଜଳବାୟୁ ପ୍ରେରିତ ସହରୀ ଆଶଙ୍କା ପ୍ରତି ଓଡ଼ିଶାର ଆଶଙ୍କା ବିଷୟରେ ଉଲ୍ଲେଖ କରି ଶ୍ରୀ ମାଝୀ ପ୍ରତିରୋଧ-ନିର୍ମାଣ ପଦକ୍ଷେପଗୁଡ଼ିକରେ ନିରନ୍ତର ନୂତନ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି, “ପୂର୍ବ ପ୍ରସ୍ତୁତି, ଦୃଢ଼ ଅନୁଷ୍ଠାନ ଏବଂ କମ୍ୟୁନିଟି ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇ ପାରିବ। ତେବେ, ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଆହୁରି ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି।”

ଭାରତର ବିକାଶ ଆଜେଣ୍ଡାର କେନ୍ଦ୍ରବିନ୍ଦୁରେ ବିପର୍ଯ୍ୟୟ ଆଶଙ୍କା ହ୍ରାସକୁ ସ୍ଥାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ବିପର୍ଯ୍ୟୟ ଆଶଙ୍କା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦଶ-ଦଫା କାର୍ଯ୍ୟସୂଚୀ ଏକ ବିସ୍ତୃତ ରୂପରେଖ ପ୍ରଦାନ କରିଛି। ଏହା ପ୍ରତିରୋଧ, ପ୍ରସ୍ତୁତି, ପ୍ରଯୁକ୍ତିବିଦ୍ୟା ପ୍ରୟୋଗ, ଆଶଙ୍କା-ଭିତ୍ତିକ ବିକାଶ ଏବଂ ଅନ୍ତର୍ଜାତୀୟ ସହଯୋଗ ଉପରେ କେନ୍ଦ୍ରୀଭୂତ ବୋଲି ସେ କହିଥିଲେ।

ବିପର୍ଯ୍ୟୟ ଆଶଙ୍କା ହ୍ରାସ ଦିଗରେ ପ୍ରତିରୋଧୀ ଭିତ୍ତିଭୂମିର ଭୂମିକା ସମ୍ପର୍କରେ ଆଲୋକପାତ କରି ଶ୍ରୀ ମାଝୀ ସୂଚନା କହିଛନ୍ତି ଯେ, ନିକଟରେ ଅନୁମୋଦିତ ହୋଇଥିବା ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ କରିବ।

ଏହି ପ୍ରକଳ୍ପ ଓଡ଼ିଶାର ବାତ୍ୟା ପ୍ରବଣ ଉପକୂଳରେ ଏକ ଦୃଢ଼ ବିକଳ୍ପ ପରିବହନ କରିଡର ପ୍ରଦାନ କରିବ ବୋଲି ଆଶା କରାଯାଉଛି, ଯାହା ଗୁରୁତର ବିପର୍ଯ୍ୟୟ ସମୟରେ ଦ୍ରୁତ ଗଣ-ସ୍ଥାନାନ୍ତରଣକୁ ସୁଦୃଢ କରିବ, ବାଧାହୀନ ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବ ଏବଂ ଜରୁରୀକାଳୀନ ମୁକାବିଲା ତଥା ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରକଳ୍ପ ଓଡ଼ିଶା ପାଇଁ ଅନୁମୋଦିତ ଅନ୍ୟାନ୍ୟ ରୂପାନ୍ତରଣମୂଳକ ଭିତ୍ତିଭୂମି ପଦକ୍ଷେପଗୁଡ଼ିକର ପରିପୂରକ। ଏହା ହେଉଛି-

• ପ୍ରାୟ ୮,୩୦୭ କୋଟି ଟଙ୍କାର ବିନିଯୋଗରେ ୧୧୧ କିଲୋମିଟର ବ୍ୟାପୀ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପ୍ରକଳ୍ପ।
• ନୀତି ଆୟୋଗର ସହାୟତାରେ କେନ୍ଦ୍ରୀୟ ଅନୁଦାନରୁ ୫,୦୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ।

ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ କେବଳ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ନାହିଁ, ବରଂ ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରତିରୋଧ ଏବଂ ଜଳବାୟୁ ଅନୁକୂଳ ପଦକ୍ଷେପ ନେବାରେ ମଧ୍ୟ ସାହାଯ୍ୟ କରିବ।

ଓଡ଼ିଶାବାସୀଙ୍କ ପକ୍ଷରୁ ଶ୍ରୀ ମାଝୀ ଏହି ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ପ୍ରକଳ୍ପକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାକୁ ଏକ ରୂପାନ୍ତରଣ ପଦକ୍ଷେପ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଓଡ଼ିଶାର ବିକାଶ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ପ୍ରୟାସ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅବିଚଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ଭବିଷ୍ୟତର ଅର୍ଥନୈତିକ ଓ ସାମାଜିକ ପ୍ରଗତି ପାଇଁ ଏକ ଦୃଢ଼ ମୂଳଦୁଆ ସୃଷ୍ଟି କରୁଛି।

କ୍ରମାଗତ ଭାବେ ବଢ଼ୁଥିବା ତାପମାତ୍ରା, ଅସହ୍ୟ ପାଣିପାଗ ଏବଂ ଦ୍ରୁତ ସହରୀକରଣ ପାଇଁ ପ୍ରତିରୋଧ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। ଜଳବାୟୁ-ସଂବେଦନଶୀଳ ସହରାଞ୍ଚଳ ଯୋଜନା, ସ୍ଥାୟୀ ଜମି ବ୍ୟବହାର ନୀତି ଏବଂ ବ୍ୟାପକ ଗ୍ରୀଷ୍ମ ପ୍ରବାହ ମୁକାବିଲା ପଦକ୍ଷେପଗୁଡ଼ିକୁ ଭବିଷ୍ୟତ ରଣନୀତିର ଅପରିହାର୍ଯ୍ୟ ଅଙ୍ଗ ଭାବରେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଗ୍ରୀଷ୍ମ ପ୍ରବାହ, ବଜ୍ରପାତ ଏବଂ ଉପକୂଳ କ୍ଷୟରୁ ବଢ଼ୁଥିବା ଆଶଙ୍କାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଉନ୍ନତ ବୈଜ୍ଞାନିକ ପଦ୍ଧତି, ଜନସଚେତନତା ଅଭିଯାନ ଏବଂ ପ୍ରତିଷେଧକ ମୂଳକ ପଦକ୍ଷେପ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି।

ବିପର୍ଯ୍ୟୟ ଆଶଙ୍କା ହ୍ରାସ, ଜଳବାୟୁ ଅନୁକୂଳ ତଥା ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଏବଂ ସଂସ୍ଥା ଗୁଡିକର କ୍ଷମତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିକାଶଶୀଳ ଅର୍ଥନୀତିଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବାରେ ବ୍ରିକ୍ସ ମଞ୍ଚର ଗୁରୁତ୍ୱ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି।

ଅଂଶଗ୍ରହଣକାରୀ ଦେଶ ଏବଂ ବିଶେଷଜ୍ଞମାନଙ୍କୁ କେବଳ ଆଲୋଚନାରେ ସୀମିତ ନ ରହି ଆଲୋଚିତ ବିଷୟଗୁଡ଼ିକୁ ବାସ୍ତବ ସହଭାଗିତା ଏବଂ ଏଥିରୁ ଯେପରି ଉପଯୁକ୍ତ ସୁଫଳ ମିଳିବ, ସେଥିପାଇଁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ବିଶ୍ୱର ଅସୁରକ୍ଷିତ ଜନସଂଖ୍ୟା ଉପକୃତ ହୋଇପାରିବେ। ସେ କହିଛନ୍ତି ଯେ ଆଗୁଆ ସୂଚନା ପ୍ରଣାଳୀ, ପ୍ରତିରୋଧୀ ଭିତ୍ତିଭୂମି, ଜଳବାୟୁ ଅନୁକୂଳ ତଥା ସାଂସ୍ଥାଗତ କ୍ଷମତା ବୃଦ୍ଧି ଉପରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବ୍ରିକ୍ସ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଛି। ଆଲୋଚନାକୁ କାର୍ଯ୍ୟରେ ପରିଣତ କରିବା ହିଁ ସମୟର ଆହ୍ୱାନ ବୋଲି ସେ କହିଥିଲେ।

ଏହି ବୈଠକର ସଫଳତା ଉପରେ ଆତ୍ମବିଶ୍ୱାସ ପ୍ରକଟ କରି ଶ୍ରୀ ମାଝୀ କହିଛନ୍ତି ଯେ, “ପୁରୀ ଅଧିବେଶନ” ବିଶ୍ୱସ୍ତରୀୟ ବିପର୍ଯ୍ୟୟ ଆଶଙ୍କା ହ୍ରାସ ପ୍ରୟାସରେ ଏକ ସ୍ମରଣୀୟ ଅବଦାନ ଭାବେ ଉଭା ହେବାର ସାମର୍ଥ୍ୟ ରଖିଛି। ସେ ବ୍ରିକ୍ସ DRRG ବୈଷୟିକ ବୈଠକର ଆୟୋଜକ ଭାବରେ ଓଡ଼ିଶାର ଚୟନକୁ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳତା ଏବଂ ଦକ୍ଷତାର ସ୍ୱୀକୃତି ବୋଲି ବର୍ଣ୍ଣନା କରିଛନ୍ତି।

ସେ କହିଛନ୍ତି, “ପୁରୀର ଏହି ଐତିହାସିକ ସମାବେଶରୁ ଯେଉଁ ଫ୍ରେମ୍‌ୱାର୍କ ପ୍ରକାଶ ପାଇବ, ତାହା ବିଶ୍ୱ ସୁରକ୍ଷା ପାଇଁ ମାର୍ଗ ପ୍ରଦର୍ଶନ କରିପାରିବ ଏବଂ ବିପର୍ଯ୍ୟୟ ଆଶଙ୍କା ହ୍ରାସ କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗକୁ ପୁନସ୍ଥାପିତ କରିପାରିବ।”

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଆଶା ପ୍ରକଟ କରିଥିଲେ ଯେ ଏହି ଆଲୋଚନାଚକ୍ର ଆଗାମୀ ପିଢ଼ି ପାଇଁ ଅଧିକ ସୁରକ୍ଷିତ, ପ୍ରତିରୋଧୀ ଏବଂ ସ୍ଥାୟୀ ସମାଜ ଗଠନ ପାଇଁ ଆମର ସାମୂହିକ ସଂକଳ୍ପକୁ ସୁଦୃଢ଼ କରିବ।

ଏହି ଅବସରରେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ୧୯୯୯ ମସିହାର ମହାବାତ୍ୟାରୁ ମିଳିଥିବା ଶିକ୍ଷା ଆମକୁ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଆଜି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଶାସନ ମଡେଲ ରହିଛି ବୋଲି ସେ କହିଛନ୍ତି।

ରାଜ୍ୟର ପଦକ୍ଷେପଗୁଡ଼ିକ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଗୁଆ ସୂଚନା ପ୍ରଣାଳୀ ସହିତ ଆମେ ଯେଉଁ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କରିଛୁ, ତାହା ବ୍ୟତୀତ ଆମେ ଗୋଷ୍ଠୀଗତ ପ୍ରତିକ୍ରିୟା (Response) ଉପରେ ଗୁରୁତ୍ବ ଆରୋପ କରିଛୁ। ବିପର୍ଯ୍ୟୟ ପରିସ୍ଥିତିରେ ସମୁଦାୟ ବା ଗୋଷ୍ଠୀ ହିଁ ପ୍ରଥମ ପଦକ୍ଷେପ ନେଇଥାନ୍ତି ଏବଂ ଏଭଳି ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାପାଇଁ ଆମେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ସୂଚନା ପହଞ୍ଚାଇବାର ବ୍ୟବସ୍ଥା ସୃଷ୍ଟି କରିପାରିଛୁ। ଏହା ସହ ସେମାନେ ଯେପରି ତୁରନ୍ତ କିଛି ପଦକ୍ଷେପ ନେଇପାରିବେ, ସେଥିପାଇଁ ସେମାନଙ୍କ କ୍ଷମତା ବୃଦ୍ଧି କରିଛୁ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ର ସଦସ୍ୟ ଏବଂ ବିଭାଗୀୟ ମୁଖ୍ୟ ଶ୍ରୀ କୃଷ୍ଣ ଏସ୍. ବତ୍ସ ଏବଂ NDMA ସଦସ୍ୟା ଶ୍ରୀମତୀ ରୀତା ମିଶ୍ର ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ।

BRICS DRRG Meeting Puri ଜଳବାୟୁ ପୁରୀ ପ୍ରାକୃତିକ ବିପର୍ଯ୍ୟୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବ୍ରିକ୍ସ ବ୍ରିକ୍ସ ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

June 4, 2026
Latest News

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.