ନୂଆଦିଲ୍ଲୀ: ଦିଲ୍ଲୀରେ ପେପର ଲିକ୍ ମାମଲାକୁ ନେଇ ଦିନ ତମାମ ବିରୋଧ ପ୍ରଦର୍ଶନ ପରେ ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ପେପର ଲିକ୍ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାକୁ ସହଜରେ ଛାଡିଦିଆଯାଇପାରିବ ନାହିଁ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, ସେମାନେ ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ସେମାନେ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ପ୍ରତି ବହୁତ ଗମ୍ଭୀର।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, “ଆମେ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ପ୍ରତି ବହୁତ ଗମ୍ଭୀର। ରାଧାକୃଷ୍ଣନ କମିଟି ରିପୋର୍ଟ କାର୍ଯ୍ୟକାରୀ ହେବ। କିନ୍ତୁ ସରକାର ଏହାଠାରୁ ଅଧିକ ପଦକ୍ଷେପ ନେବେ। ଅନେକ ଘଟଣା ଘଟିବାକୁ ଯାଉଛି।” ସଲିସିଟର ଜେନେରାଲ ତୁଷାର ସୁପ୍ରିମକୋର୍ଟଙ୍କୁ ଗୋଟିଏ ସପ୍ତାହ ସମୟ ମଧ୍ୟ ମାଗିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, “ଠିକ୍ ଅଛି। ଆମେ ମଧ୍ୟ ଚାହୁଁଛୁ ଯେ ସମଗ୍ର ବ୍ୟବସ୍ଥା ସୁରୁଖୁରୁରେ ରହୁ। ଆପଣ ଉତ୍ତର ଦାଖଲ କରନ୍ତୁ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ ତାରିଖରେ ହେବ।”


