ଚିଲିକା ରାଜନୀତି: ଶେଷରେ ମୁହଁ ଖୋଲିଲେ ରଘୁନାଥ ସାହୁ, ‘ସମୀକ୍ଷା’କୁ କହିଲେ ଏପରି କଥା

Published: Jul 29, 2023, 10:32 am IST
Raghunath

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ନୀରବତା ପରେ ଏବେ ମୁହଁ ଖୋଲିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ‘ସମୀକ୍ଷା’ ସହିତ ଏକ ଦୀର୍ଘ ଆଲୋଚନା ପରେ କେତେକ ନୂଆ କଥା ପ୍ରକାଶ କରିଛନ୍ତି। ତେବେ ସଂଗଠନକୁ ନେଇ ସେ ଯାହା କହିଛନ୍ତି ତାହା ହେଲା ଯେ, ଆସନ୍ତା ସପ୍ତାହରେ ସେ ଚିଲିକାର ସମସ୍ତ ବିଜେଡି କର୍ମିଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବେ।

ମୋର ଆଖି ଅପରେସନ ହୋଇଥିଲା, ସେଥିପାଇଁ ମୁଁ ବାହାରକୁ କୁଆଡେ ବାହାରୁ ନ ଥିଲି। ବର୍ତ୍ତମାନ ଭଲ ହୋଇଗଲାଣି। ଖୁବ ଶିଘ୍ର ଚିଲିକାରେ ପୁଣି କାମ ଆରମ୍ଭ କରିବି ବୋଲି ସେ କହିଛନ୍ତି। ସମସ୍ତ ବିଜେଡି କର୍ମିଙ୍କ ସହିତ ବ୍ୟକ୍ତିଗତ ଭାବେ ମିଶିବି ବୋଲି ସେ କହିଛନ୍ତି। ଯେଉଁ କର୍ମିମାନେ ଅସନ୍ତୁଷ୍ଠ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରି ବିଜେଡିକୁ ଆହୁରି ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି ରଘୁନାଥ।

ତେବେ ନିକଟରେ ଚିଲିକା ନିର୍ବାଚନ ମଣ୍ଡଳିକୁ ଜିଲ୍ଲା ସଭାପତି, ବେଗୁନିଆ ବିଧାୟକ ଏବଂ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆସିଥିଲେ। ହେଲେ ଆପଣ ସେଠାକୁ ଆସିଲେ ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହି ଆଖି ପାଇଁ ଯୋଗ ଦେଇପାରି ନ ଥିଲି। ତେବେ ଆପଣଙ୍କୁ ଏଥର ଟିକେଟ ମିଳିବ କି ନାହିଁ ବୋଲି ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ। କହିଥିଲେ ମୋର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ଆମେ ତାକୁ ସମର୍ଥନ କରିବୁ।

ସେହିପରି ନିକଟରେ ଶଙ୍ଖ ଭବନରେ ତାଙ୍କୁ ବୈଠକରୁ ବାହାରି ଯିବା ପାଇଁ କୁହାଯାଇଥିବା ଘଟଣାକୁ ରଘୁନାଥ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ମୁଁ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ପାଇଁ ସେଠାରେ ଦାବୀ କରିଥିଲି। ଏହାକୁ ନେଇ ସେଠାରେ ପ୍ରଶାନ୍ତ ଜଗଦ୍ଦେବ କର୍ମିମାନେ ମୋ ବିରୋଧରେ ହୋ ହାଲ୍ଲା କରିଥିଲେ। ପରିବେଶକୁ ଶାନ୍ତ କରିବା ପାଇଁ ଆମ ଦଳର ସାଂଗଠାନିକ ସଂପାଦକ ବବିବାବୁ ମୋତେ ବାହାରକୁ ଯିବା ପାଇଁ କହିଥିଲେ।

ଏବେ ମୁଁ ପ୍ରଣବ ପ୍ରକାଶ ଦାସଙ୍କ ସହିତ ତିନିଥର ଦେଖା ହୋଇ ଆସିଛି। ସେ ସଂଗଠନ କରିବାକୁ ମୋତେ କହିଛନ୍ତି। ବର୍ତ୍ତମାନ ଚିଲିକାକୁ ବିଭୂତି ବଳବନ୍ତରାୟ ଏବଂ ରାଜେନ୍ଦ୍ର ସାହୁ ଘନଘନ ଗସ୍ତରେ ଆସୁଛନ୍ତି। ସେମାନେ ବର୍ତ୍ତମାନ ବିଧାୟକଙ୍କଠାରୁ କିପରି କର୍ମିମାନଙ୍କୁ ଅଲଗା କରାଯିବ ସେ କାମ କରୁଛନ୍ତି। ଗତଥର ଆମଦାନୀ ନେତାଙ୍କୁ ଟିକେଟ ଦେଇ ଦଳ ଯେଉଁ ଭୁଲ କରିଛି ତାହା ଆଉ ଏଥର ହେବ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ରଘୁନାଥଙ୍କ ସହିତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ସେ ଆଗାମୀ ଦିନରେ ଚିଲିକାରୁ ଟିକେଟ ପାଇବା ଆଶାରେ ଅଛନ୍ତି। ସେଥିପାଇଁ ତାଙ୍କ ପ୍ରତି ଅସନ୍ତୁଷ୍ଠ ଥିବା ବିଜେଡି କର୍ମିମାନଙ୍କୁ ସେ କିପରି ମନେଇବେ ସେ କାମ ଆରମ୍ଭ କରିବେ ବୋଲି ଜଣାପଡିଛି। ହେଲେ ପ୍ରଶ୍ନ ଉଠିଛି ଯେ, ଯେଉଁମାନେ ରଘୁନାଥଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି ସେମାନେ ପୁଣି ଥରେ ପକାଇଲା ଛେପ କିପରି ଢୋକିବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Related posts