କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ନିର୍ବାଚନ ଓ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳକୁ ନେଇ ଦାୟର ମାମଲାରେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଶେଷ ହୋଇଛି। କାର୍ଯ୍ୟକାଳ ଶେଷ ହୋଇସାରିଥିବା ବେଳେ ବର୍ତ୍ତମାନର କମିଟି କିପରି ନୀତିଗତ ନିଷ୍ପତ୍ତି ନେଉଛି, ତାହାକୁ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଆସନ୍ତା ୨୮ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ପୂର୍ବତନ ରଣଜୀ ଖେଳାଳି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦାବି କରାଯାଇଛି ଯେ, ଓସିଏର ନିର୍ବାଚିତ କମିଟିର ଅବଧି ସରିଯାଇଥିବାରୁ ସେମାନେ କୌଣସି ଆର୍ଥିକ କାରବାର କିମ୍ବା ନୀତିଗତ ନିଷ୍ପତ୍ତି ନେବା ଉଚିତ ନୁହେଁ। ଏହାସହ ଏଥିପାଇଁ ତୁରନ୍ତ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବା ସହ ଓସିଏର ସୁପରିଚାଳନା ପାଇଁ ଜଣେ ପ୍ରଶାସକ ନିଯୁକ୍ତ କରିବାକୁ କୋର୍ଟଙ୍କୁ ନିବେଦନ କରାଯାଇଛି। ଅପରପକ୍ଷରେ, ଓସିଏର ଯୁଗ୍ମ ସମ୍ପାଦକଙ୍କ ପକ୍ଷରୁ ସଫାଇ ଦିଆଯାଇଛି ଯେ, ବିସିସିଆଇ ପକ୍ଷରୁ ନୂଆ ନିର୍ବାଚନ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ। ଗତ ଫେବୃୟାରୀ ୨୨ରେ ଅନୁଷ୍ଠିତ ‘ସ୍ପେଶାଲ ଜେନେରାଲ ବଡି’ ବୈଠକରେ ୫୮ ଜଣ ସଦସ୍ୟଙ୍କ ସମ୍ମତିକ୍ରମେ ବର୍ତ୍ତମାନର କମିଟି ୨୦୨୬ ଡିସେମ୍ବର ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି। ଏହାଛଡ଼ା, ‘ନ୍ୟାସନାଲ ସ୍ପୋର୍ଟ୍ସ ଗଭରନାନ୍ସ ଆକ୍ଟ ୨୦୨୫’ ଅଧୀନରେ କ୍ରିକେଟ୍ ଆସୋସିଏସନଗୁଡ଼ିକ ଆସୁଛନ୍ତି କି ନାହିଁ, ସେ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ବିଚାରାଧୀନ ଥିବା ବିଷୟରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।


