କଟକ : ଓଡ଼ିଶା ହାଇକୋର୍ଟରେ ଦେଖାଦେଇଥିବା ବିଚାରପତି ସଙ୍କଟକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆସନ୍ତା ଅକ୍ଟୋବର ୧ ତାରିଖରୁ କୋର୍ଟ କାର୍ଯ୍ୟରୁ ଓହରିବା ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ନିଷ୍ପତ୍ତି ନେଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାର୍ ଆସୋସିଏସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂଘର କହିବା ଅନୁଯାୟୀ, ହାଇକୋର୍ଟରେ ମୋଟ ୩୩ଟି ଅନୁମୋଦିତ ବିଚାରପତି ପଦବୀ ଥିବା ବେଳେ ବର୍ତ୍ତମାନ ମାତ୍ର ୧୫ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ବିଚାରପତିଙ୍କ ସଂଖ୍ୟା କମ୍ ଥିବାରୁ ମାମଲାଗୁଡ଼ିକର ଶୁଣାଣି ଓ ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆସନ୍ତା ଅକ୍ଟୋବର ୧ ତାରିଖରେ ବାର୍ ଆସୋସିଏସନର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।


