ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ୩ ଖେଳାଳି ହେଲେ କରୋନା ଆକ୍ରାନ୍ତ, ଜାଣନ୍ତୁ ସବିଶେଷ ତଥ୍ୟ

Published: Feb 2, 2022, 10:58 pm IST

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ୩ ତାରକା ଖେଳାଳି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅହମ୍ମଦାବାଦରେ ପହଞ୍ଚିବା ପରେ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ, ଶ୍ରେୟାସ ଆୟର ଏବଂ ରୁତୁରାଜ ଗାଇକୱାଡଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏହି ତିନି ଖେଳାଳିଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫ୍ ର ୫ ଜଣ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ, ଏହି ସମସ୍ତ ଖେଳାଳୀ ଏବଂ କର୍ମଚାରୀମାନେ ପୃଥକବାସରେ ଅଛନ୍ତି ଏବଂ ଡାକ୍ତରମାନେ ସେମାନଙ୍କ ଉପରେ ନଜର ରଖିଛନ୍ତି।

ବିସିସିଆଇର ଅଧିକାରୀମାନେ ଏ ବାବଦରେ ଏକ ବୈଠକ କରିଥିଲେ। ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ କିଛି ଦିନ ସ୍ଥଗିତ ରଖିବାକୁ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଏବଂ ଶୀଘ୍ର ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ। ଫେବୃଆରୀ ୬ ତାରିଖରୁ ଅହମ୍ମଦାବାଦରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳାଯିବ। କିନ୍ତୁ କରୋନା ସଂକ୍ରମଣ ପରେ ସଙ୍କଟର କଳା ବାଦଲ ଘେରିଯାଇଛି।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ ତାରିଖ, ଦ୍ୱିତୀୟ ଦିନିକିଆ ଫେବୃଆରୀ ୯ ତାରିଖ ଏବଂ ତୃତୀୟ ମ୍ୟାଚ ଫେବୃଆରୀ ୧୧ ତାରିଖରେ ଖେଳାଯିବ। ଏହି ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜ୍ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ମଧ୍ୟ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍ ଫେବୃଆରୀ ୧୬ ତାରିଖ, ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧୮ ତାରିଖ ଏବଂ ତୃତୀୟ ମ୍ୟାଚ୍ ଫେବୃଆରୀ ୨୦ ତାରିଖରେ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ କୋଲକାତାରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହି କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରାଯାଇପାରେ।

Related posts