ଆଇପିଏଲ୍ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ଖବର, ଫିଟ୍ ହେଲେ ଜୋଫ୍ରା ଆର୍ଚର

Published: Feb 2, 2023, 11:55 am IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆୟୋଜକ ୨-୧ ରେ ଜିତିଥିଲେ ମଧ୍ୟ ସିରିଜର ତୃତୀୟ ମ୍ୟାଚ୍ ରେ ଜୋଫ୍ରା ଆର୍ଚର ୬ ଟି ୱିକେଟ୍ ନେଇ ବିଶ୍ୱ କ୍ରିକେଟ୍ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଦେଖିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିଶ୍ଚିତ ଭାବେ ବହୁତ ଆଶ୍ଵସ୍ତି ପାଇଥିବ।

ଏହି ସିରିଜର ପ୍ରଥମ ୨ ଟି ମ୍ୟାଚ୍‌ରେ ପରାଜୟ ପରେ ଇଂଲଣ୍ଡ ଦଳ ଉପରେ କ୍ଳିନ ସ୍ୱିପ୍‌ ହେବାର ଆଶଙ୍କା ଦେଖାଦେଇଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଜୋସେ ବଟଲର ଏବଂ ଡେଭିଡ ମାଲାନଙ୍କ ଶଟକୀୟ ଇନିଂସ ଯୋଗୁଁ ଇଂଲଣ୍ଡ ୩୪୬ ରନ୍ ସଂଗ୍ରହ କରିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଟାର୍ଗେଟକୁ ପିଛା କରି ଜୋଫ୍ରା ଆର୍ଚରଙ୍କ ଚମତ୍କାର ବୋଲିଂକୁ ସାମ୍ନା କରିବାକୁ ଯାଇ ବିଫଳ ହୋଇଥିଲା।

ଜୋଫ୍ରା ଆର୍ଚର ସିରିଜର ପ୍ରଥମ ଦିନିକିଆରେ ୧ ୱିକେଟ୍ ନେବା ପରେ ଦ୍ୱିତୀୟ ଦିନିକିଆରେ ଦଳରୁ ବାଦ ପଡିଥିଲେ। ଏହା ପରେ, ତୃତୀୟ ମ୍ୟାଚ୍ ରେ ପ୍ରତ୍ୟାବର୍ତ୍ତନ କରି ଜୋଫ୍ରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହି ମ୍ୟାଚରେ ୯.୧ ଓଭରରେ ଜୋଫ୍ରା ତାଙ୍କ ବୋଲିଂରେ ମୋଟ ୬ ଟି ୱିକେଟ୍ ନେଇଥିଲେ।

୬ ଟି ୱିକେଟ୍ ନେବା ପରେ ଜୋଫ୍ରା ଆର୍ଚର କହିଛନ୍ତି ଯେ, ଦୀର୍ଘ ସମୟ ପରେ ପ୍ରତ୍ୟାବର୍ତ୍ତନ କରି ଫର୍ମକୁ ଆସିବା ସହଜ ନୁହେଁ।

ଆଇପିଏଲର ଗତ ସିଜନରେ ଜୋଫ୍ରା ଆର୍ଚର ଆହତ କାରଣରୁ ଖେଳିପାରିନଥିଲେ ଏବଂ ଏହା ପରେ ଆଇପିଏଲ ୨୦୨୩ ସିଜିନ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଫିଟନେସକୁ ନେଇ ବହୁତ ଚିନ୍ତିତ ଥିଲେ। ତେବେ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ଜୋଫ୍ରା ତାଙ୍କ ଚମତ୍କାର ବୋଲିଂ ସହିତ ଫିଟନେସ୍ ପ୍ରମାଣ କରିବା ସହିତ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଆଶ୍ଵସ୍ତି ଖବର ଦେଇଛନ୍ତି।

Related posts