ଅଷ୍ଟ୍ରେଲିଆ ଦଳକୁ ବଡ ଝଟକା: ତୃତୀୟ ଟେଷ୍ଟରେ ଖେଳିପାରିବେନି ଅଧିନାୟକ ପାଟ କମିନ୍ସ

Published: Feb 24, 2023, 1:09 pm IST

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟକା ଲାଗିଛି। ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଉପଲବ୍ଧ ହେବେ ନାହିଁ। ଦିଲ୍ଲୀ ଟେଷ୍ଟ ପରେ ପ୍ୟାଟ୍ କମିନ୍ସ ତୁରନ୍ତ ଅଷ୍ଟ୍ରେଲିଆ ଫେରିଥିଲେ। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ, ପାରିବାରିକ କାରଣରୁ ଇନ୍ଦୋର ଟେଷ୍ଟ ପର୍ଯ୍ୟନ୍ତ ପ୍ୟାଟ୍ କମିନ୍ସ ଭାରତ ଫେରି ପାରିବେ ନାହିଁ। ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ୦-୨ ରେ ପଛରେ ରହିଛି। ବର୍ତ୍ତମାନ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ଵ ଉପ-ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଙ୍କ ହାତରେ ରହିବ।

କ୍ୟାପଟେନ କମିନ୍ସଙ୍କ ଅନୁପସ୍ଥିତ ହେତୁ ଅଷ୍ଟ୍ରେଲିଆ ଦଳ ଅସୁବିଧାରେ ପଡିପାରେ। ଅଧିନାୟକ କମିନ୍ସ ଦଳର ମୁଖ୍ୟ ଦ୍ରୁତ ବୋଲର ଅଟନ୍ତି। ଏଭଳି ପରିସ୍ଥିତିରେ ଦଳ ଦୁଇଟି କ୍ଷତି ସହିବ। ମାର୍ଚ୍ଚ ୧ ତାରିଖରୁ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଉପ-ଅଧିନାୟକ ଷ୍ଟିଭ୍ ସ୍ମିଥ୍ ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ଦଳର ଅଧିନାୟକ ନଜର ଆସିବେ।

ଆହତ କାରଣରୁ ଦଳର ଷ୍ଟାର ଓପନର୍ ଡେଭିଡ ୱାର୍ନର ବାକି ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି। ଏଭଳି ପରିସ୍ଥିତିରେ ଦଳ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ତେବେ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଦର୍ଶନ କିପରି ହେବ, ତାହା ଦେଖିବା ବାକି ରହିଲା।

ସୂଚନାଯୋଗ୍ୟ, ଦଳର ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ତାରକା ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ତେଣୁ ଉଭୟ ଖେଳାଳିଙ୍କୁ ଇନ୍ଦୋର ଟେଷ୍ଟର ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶା କରାଯାଉଛି।

Related posts