Categories
ବିଶେଷ ଖବର

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ବ୍ରିକ୍ସ ରାଷ୍ଟ୍ର ସମୂହର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଭାସୀ ବ୍ୟବସ୍ଥାରେ ମେ ୧୩ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବ୍ୟାପାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇଥିଲେ।  ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ଗୁରୁତ୍ୱ ଦୃଷ୍ଟିରୁ ଏ ବିଷୟରେ ମିଳିତଭାବେ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ରିକ୍ସର ଏହି ଉଚ୍ଚସ୍ତରୀୟ ବୈଠକ ଏ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ଯାଦବ ମତପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏବେ ପାରମ୍ପରିକ ଇନ୍ଧନର ବ୍ୟବହାରକୁ ଯଥେଷ୍ଟ ହ୍ରାସ କରି କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଊର୍ଜାକୁ ଅଧିକରୁ ଅଧିକ ବ୍ୟବହାର କରିବା ସହିତ ବିକାଶ ପ୍ରକ୍ରିୟାକୁ ନିରନ୍ତର କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆନ୍ତର୍ଜାତିକ ସହଯୋଗର ଗୁରୁତ୍ୱ ଅଧିକ।

ଏହି ଉଚ୍ଚସ୍ତରୀୟ ବୈଠକରେ ଚୀନର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହୁଆଙ୍ଗ ରନ୍‌କି ଅଧ୍ୟକ୍ଷତା କରିଥିଲେ। ଏଥିରେ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦିର ବିଭାଗୀୟ ମନ୍ତ୍ରୀମାନେ ଯୋଗଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ଅଙ୍ଗୀକାରବଦ୍ଧ ଏବଂ ସମୂଳର ଯଥାର୍ଥ ଉପଯୋଗ କରି ଅପଚୟ ରୋକିବା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନିରନ୍ତର ବିକାଶ ହାସଲ କରିବାରୁ ଉଦ୍ୟମ କରୁଛି। ଭାରତର ଦୂରଦ୍ରଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଇତିମଧ୍ୟରେ ଗ୍ରହଣ କରିସାରିଛି। ଅକ୍ଷୟଶକ୍ତି, ସହନଯୋଗ୍ୟ ବସବାସ, ଅତିରିକ୍ତ ଜଙ୍ଗଲ ଓ ବୃକ୍ଷରୋପଣ ଦ୍ୱାରା ଅତିରିକ୍ତ କାର୍ବନ ସିଙ୍କ୍ (ଅଙ୍ଗାର ନିଃଶୋଷଣ ବ୍ୟବସ୍ଥା) ସୃଷ୍ଟି, ବିକଳ୍ପ ଇନ୍ଧନଯୁକ୍ତ ପରିବହନ ବ୍ୟବସ୍ଥାକୁ କ୍ରମଶଃ ପରିବର୍ତ୍ତନ, ଇ-ମବିଲିଟି ଏବଂ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଘରୋଇ କ୍ଷେତ୍ରକୁ ସାମିଲ କରିବା ଆଦି ଭାରତ ଗ୍ରହଣ କରିଥିବା କେତେକ ବଳିଷ୍ଠ ପଦକ୍ଷେପର ଉଦାହରଣ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ।

ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରି ଭାରତ କିପରି ଅର୍ଥନୀତିକ ଅଭିବୃଦ୍ଧି ପ୍ରକ୍ରିୟା ବଢାଇବାରେ ସଫଳ ହେଉଛି ମନ୍ତ୍ରୀ ଶ୍ରୀ ଯାଦବ ତାହାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ବିକାଶଶୀଳ ଦେଶମାନଙ୍କ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ବିଭିନ୍ନ ବିଷୟ ଉପରେ  ନିର୍ଭର କରେ। ଏହା ବିକଶିତ ରାଷ୍ଟ୍ର ଓ ଅନ୍ୟାନ୍ୟ ଧନାଢ୍ୟ ସଂସ୍ଥା ଆବଶ୍ୟକ ଅର୍ଥ, ଟେକ୍‌ନୋଲୋଜି ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ୟୁଏନ୍‌ଏଫସିସି ଓ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏଥିପାଇଁ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଯେଉଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ତଦନୁସାରେ ଏହା କରାଯିବା ଉଚିତ ବୋଲି ସେ କହିଛନ୍ତି। ଗ୍ଲାସଗୋ ନିଷ୍ପତ୍ତି ଏବଂ କୋପ୍‌-୨୬ ପ୍ରେସିଡେନ୍ସି ଦ୍ୱାରା ପ୍ରକାଶିତ ଜଳବାୟୁ  ମୁକାବିଲା ବିତ୍ତଯୋଗାଣ ଯୋଜନା ଫଳରେ ଏହି ଅର୍ଥ ଯୋଗାଣ ଓ ଟେକେ୍‌ନୋଲୋଜି ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହେବା ଘେନି ସେ ଦୃଢ ଆଶାବ୍ୟକ୍ତ କରିଛନ୍ତି।

ଏହି ବୈଠକରେ ବିକ୍ସ ରାଷ୍ଟ୍ର ସମୂହର ପରିବେଶ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ କରିବାକୁ ଅଙ୍ଗୀକାର ପ୍ରକାଶ କରିଥିଲେ। ଆହୁରି ମଧ୍ୟ ସହଯୋଗର ବିଷୟବସ୍ତୁ ଓ କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ସେମାନେ ରାଜି ହୋଇଛନ୍ତି। ବୈଠକ ଶେଷରେ ଜାରି ମିଳିତ ଘୋଷଣା ନାମରେ କୁହାଯାଇଛି ଯେ ବ୍ରିକ୍ସ ରାଷ୍ଟ୍ରମାନେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନିଜ ନିଜ ମଧ୍ୟରେ ନୀତି ଅଦଳବଦଳ (ପଲିସି ଏକ୍ସଚେଞ୍ଜ) କରିବା ସହିତ ସହଯୋଗକୁ ଅଧିକ ନିବିଡ ଓ ବ୍ୟାପକ କରିବାକୁ ଏକମତ ହୋଇଛନ୍ତି।

Categories
ବିଶେଷ ଖବର

ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନଇପି ୨୦୨୦ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟକ୍ରମ ଜରିଆରେ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ସୁଲଭତା, ସମାନତା, ସମାବେଶିତା ଏବଂ ଗୁଣବତ୍ତା ଆଧାରିତ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଠାବ କରିବା ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ଭଳି ପଦକ୍ଷେପ ନିଆଯାଇଛି। ଆମେ ସ୍ବାଧୀନତାର ‘ଅମୃତ କାଳ’ରେ ପ୍ରବେଶ କରୁଥିବାରୁ ଏସବୁ ପଦକ୍ଷେପ ରାଷ୍ଟ୍ର ପ୍ରଗତିକୁ ପରିଭାଷିତ କରିବା ସହିତ ଏଥିପାଇଁ ମାର୍ଗଦର୍ଶନ ମଧ୍ୟ କରିବ।

ବିଦ୍ୟାଳୟ ଶିକ୍ଷା

ଜାତୀୟ ଷ୍ଟିଅରିଂ କମିଟିର ମାର୍ଗଦର୍ଶନରେ ଜାତୀୟ ପାଠ୍ୟକ୍ରମ ଢାଞ୍ଚାର ଗଠନ କାର୍ଯ୍ୟ ଜାରି ରହିଥିବା ନେଇ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉନ୍ନତ ଅଧ୍ୟୟନ ପରିଣାମ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବାଲବାଟିକା ଗୁଡ଼ିକରେ ଇସିସିଇ ଭଳି ଗୁଣବତ୍ତା, ନିପୁଣ ଭାରତ, ବିଦ୍ୟା ପ୍ରବେଶ, ପରୀକ୍ଷାରେ ସଂସ୍କାର ଏବଂ କଳା ସହ ସମନ୍ବିତ ଶିକ୍ଷା, ଖେଳନା ଆଧାରିତ ଶିକ୍ଷାଶାସ୍ତ୍ର ଭଳି ଅଭିନବ ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ନହେବାକୁ ଦେବା ଲାଗି ଅନଲାଇନ ଏବଂ ଅଫଲାଇନ ଶିକ୍ଷାଦାନର ହାଇବ୍ରିଡ୍‌ ପଦ୍ଧତି ବିକଶିତ କରାଯିବା ଉଚିତ୍‌।

ପିଲାମାନେ ଅଙ୍ଗନବାଡ଼ିରୁ ସ୍କୁଲକୁ ଯାଇଥାନ୍ତି, ଏହାକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିରେ ରଖାଯାଉଥିବା ପିଲାମାନଙ୍କର ତଥ୍ୟ ବାଧାମୁକ୍ତ ଭାବେ ବିଦ୍ୟାଳୟର ଡାଟାବେସ ସହ ମିଶାଇବାର ଆବଶ୍ୟକତା ରହିଛି। ପ୍ରଯୁକ୍ତି ସହାୟତାରେ ବିଦ୍ୟାଳୟଗୁଡ଼ିକରେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ଓ ସ୍କ୍ରିନିଂ କରାଯିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଷୟଗତ କୌଶଳ ବିକାଶ କରିବା ଲାଗି ସ୍ବଦେଶୀ ଭାବେ ବିକଶିତ ଖେଳନାର ଉପଯୋଗ କରାଯିବା ଆବଶ୍ୟକ। ସେ ଆହୁରି ପରାମର୍ଶ ଦେଇଥିଲେ ଯେ, ବିଜ୍ଞାନ ପରୀକ୍ଷାଗାର ଥିବା ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ଚାଷୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ମୃତ୍ତିକା ପରୀକ୍ଷଣରେ ନିୟୋଜିତ ହେବା ଉଚିତ୍‌। ଏହା ମାଧ୍ୟମରେ ମୃତ୍ତିକା ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିବ।

 ବହୁବିଷୟ ଆଧାରିତ ଉଚ୍ଚଶିକ୍ଷା

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ନମନୀୟତା ପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ଲାଗି ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାସହିତ ଡିଜିଲକର ପ୍ଲାଟଫର୍ମରେ ଏକାଡେମିକ ବ୍ୟାଙ୍କ ଅଫ୍‌ କ୍ରେଡିଟ୍‌ର ଶୁଭାରମ୍ଭ କରାଯିବା ଫଳରେ ଛାତ୍ରଛାତ୍ରୀ ସେମାନଙ୍କ ସୁବିଧା ଓ ବିକଳ୍ପ ଅନୁଯାୟୀ ପାଠ ପଢ଼ିବାର ସୁଯୋଗ ପାଇବେ। ଜୀବନ ବ୍ୟାପୀ ଅଧ୍ୟୟନ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏବଂ ଆନ୍ତଃବିଷୟକ ଚିନ୍ତାଧାରା ବିକଶିତ କରିବା ଲାଗି, ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ଆଧାର କରି ଛାତ୍ରଛାତ୍ରୀମାନେ ଏକକାଳୀନ ଦୁଇଟି ଶିକ୍ଷା ପାଠ୍ୟକ୍ରମରେ ପାଠ ପଢ଼ିପାରିବେ। ଜାତୀୟ ଉଚ୍ଚ ଶିକ୍ଷା ଯୋଗ୍ୟତା ଢାଞ୍ଚା (ଏନଏଚଇକ୍ୟୁଏଫ) ମଧ୍ୟ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଏନଏଚଇକ୍ୟୁଏଫ ଅନୁରୂପ ‘‘ସ୍ନାତକ ପାଠ୍ୟକ୍ରମ ପାଇଁ ବର୍ତ୍ତମାନର ପାଠ୍ୟକ୍ରମ ଢାଞ୍ଚା ଓ କ୍ରେଡିଟ୍‌ ସିଷ୍ଟମ’’ରେ ମଧ୍ୟ ୟୁଜିସି ସଂଶୋଧନ କରୁଛି।

ବହୁମୁଖି ଶିକ୍ଷାଦାନ

ଅନଲାଇନ, ମୁକ୍ତ ଏବଂ ବହୁମୁଖି ଶିକ୍ଷାଦାନ ବ୍ୟବସ୍ଥାକୁ ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସଂସ୍ଥାନରେ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି। ଏହି କାର୍ଯ୍ୟକ୍ରମ କୋଭିଡ ୧୯ ମହାମାରୀ ଜନିତ ପାଠପଢ଼ା କ୍ଷତିକୁ ହ୍ରାସ କରିବା ଏବଂ ଦେଶର ଉପାନ୍ତ ଓ ଅପହଞ୍ଚ ଇଲାକାରେ ଶିକ୍ଷାର ଆଲୋକ ପହଞ୍ଚାଇବା କ୍ଷେତ୍ରରେ ବିଶେଷ ଭାବେ ଯୋଗଦାନ ଦେଇପାରିବ। ସ୍ବୟମ, ଦିକ୍ଷା, ସ୍ବୟଂପ୍ରଭା, ଭର୍ଚୁଆଲ ଲାବ୍‌ ଏବଂ ଅନ୍ୟ ଅନଲାଇନ ରିସୋର୍ସ ପୋର୍ଟାଲଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଉଛି। ଏଗୁଡ଼ିକର ଲୋକପ୍ରିୟତା ବଢ଼ିବା ସହିତ ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରୁଛନ୍ତି। ଏସବୁ ପୋର୍ଟାଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସାଙ୍କେତିକ ଭାଷା ସମେତ ବିଭିନ୍ନ ଭାରତୀୟ ଭାଷାରେ ପାଠପଢ଼ା ସାମଗ୍ରୀ ଯୋଗାଇ ଦିଆଯାଉଛି।

ଉପରୋକ୍ତ ବ୍ୟତୀତ, ୟୁଜିସି ପକ୍ଷରୁ ମୁକ୍ତ ଓ ଦୂର ଅଧ୍ୟୟନ (ଓଡିଏଲ) ଏବଂ ଅନଲାଇନ ପାଠ୍ୟକ୍ରମ ନିୟାମକ ବ୍ୟବସ୍ଥା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ଅଧୀନରେ ୫୯ଟି ଉଚ୍ଚଶିକ୍ଷା ସଂସ୍ଥାନ ୩୫୧ଟି ପୂର୍ଣ୍ଣକାଳୀନ ଅନଲାଇନ ପାଠ୍ୟକ୍ରମ ସୁବିଧା କରିଛନ୍ତି। ସେହିପରି ୮୬ଟି ଉଚ୍ଚ ଶିକ୍ଷାନୁଷ୍ଠାନ ୧୦୮୧ଟି ଓଡିଏଲ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଗୋଟିଏ ପାଠ୍ୟକ୍ରମରେ ଅନଲାଇନ ବିଷୟବସ୍ତୁର ଅନୁମତିପ୍ରାପ୍ତ ସୀମାକୁ ବୃଦ୍ଧି କରି ୪୦% କରି ଦିଆଯାଇଛି।

ନବସୃଜନ ଏବଂ ଷ୍ଟାର୍ଟଅପ୍

ଷ୍ଟାର୍ଟଅପ୍‌ ଓ ନବସୃଜନର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୮ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨,୭୭୪ଟି ଶିକ୍ଷାନୁଷ୍ଠାନ ନବସୃଜନ ପରିଷଦ ପ୍ରତିଷ୍ଠା କରାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁକୂଳ ନବସୃଜନ ଉପଲବ୍ଧି ଉପରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଟଳ ରେଙ୍କିଙ୍ଗ (ଏଆରଆଇଆଇଏ) ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇଥିଲା। ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍‌ ପାଇଁ ଏକ ସଂସ୍କୃତି ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏଆରଆଇଆଇଏରେ ୧୪୩୮ଟି ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଘୋଷା ପାଠ ପରିବର୍ତ୍ତେ ପରୀକ୍ଷାମୂଳକ ଅଧ୍ୟୟନ ପାଇଁ ‘ବିଚାର ବିକାଶ, ମୂଲ୍ୟାୟନ ଏବଂ ପ୍ରୟୋଗ’(ଆଇଡିଆ) କାର୍ଯ୍ୟକ୍ରମ ପାଇଁ ଏଆଇସିଟିଇ ପକ୍ଷରୁ ଉଦ୍ୟୋଗ ଜଗତର ସହଭାଗିତାରେ ୧୦୦ଟି ଶିକ୍ଷାନୁଷ୍ଠାନକୁ ପାଣ୍ଠି ଯୋଗାଇ ଦିଆଯାଇଛି।

ଭାରତୀୟ ଭାଷାକୁ ପ୍ରୋତ୍ସାହନ

କୌଣସି ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଇଂରାଜୀ ଜ୍ଞାନର ଅଭାବ ଯେପରି ବାଧା ସୃଷ୍ଟି ନକରିବ ତାହା ସୁନିଶ୍ଚିତ କରିବା ଲାଗି ବହୁଭାଷୀ ଶିକ୍ଷାଦାନ ଓ ପରୀକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହି ଲକ୍ଷ୍ୟକୁ ସାକାର କରିବା ଲାଗି ରାଜ୍ୟମାନେ ମୌଳିକ ଶିକ୍ଷା ସ୍ତରରେ ଦ୍ବିଭାଷୀ/ତ୍ରିଭାଷୀ ପାଠ୍ୟପୁସ୍ତକ ପ୍ରକାଶନ କରୁଛନ୍ତି ଏବଂ ଦୀକ୍ଷା ପ୍ଲାଟଫର୍ମରେ ୩୩ଟି ଭାରତୀୟ ଭାଷାରେ ପାଠ୍ୟ ବିଷୟ ପ୍ରସାରଣ କରାଯାଉଛି। ଏନଆଇଓଏସ ପକ୍ଷରୁ ମାଧ୍ୟମିକ ଶିକ୍ଷା ସ୍ତରରେ ଏକ ଭାଷା ବିଷୟ ଭାବେ ଭାରତୀୟ ସାଙ୍କେତିକ ଭାଷା ପ୍ରଚଳନ କରାଯାଇଛି।

ନେସନାଲ ଟେଷ୍ଟିଂ ଏଜେନ୍ସି-ଏନଟିଏ ୧୩ଟି ଭାଷାରେ ଜେଇଇ ପରୀକ୍ଷା ଆୟୋଜନ କରିଛି। ଏଆଇସିଟିଇ ପକ୍ଷରୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଅନୁବାଦ ଆପ୍‌ ବିକଶିତ କରାଯାଇଛି ଏବଂ ପାଠ୍ୟ ବିଷୟକୁ ଭାରତୀୟ ଭାଷାରେ ଅନୁବାଦ କରାଯାଉଛି। ହିନ୍ଦୀ, ମରାଠୀ, ବେଙ୍ଗଲୀ, ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ବୈଷୟିକ ପୁସ୍ତିକା ଲେଖା ଯାଉଛି। ୨୦୨୧-୨୨ ଠାରୁ ୧୦ଟି ରାଜ୍ୟର ୧୯ଟି ଇଞ୍ଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶିକ୍ଷା ଦିଆଯାଉଛି। ଏଆଇସିଟିଇ ଦ୍ବାରା ଆଞ୍ଚଳିକ ଭାଷାରେ ଅତିରିକ୍ତ ୩୦/୬୦ ସିଟ୍‌ ବ୍ୟବସ୍ଥା କରାଯାଇଛି ଏବଂ ମଞ୍ଜୁରି ପ୍ରାପ୍ତ ପ୍ରବେଶ ମଧ୍ୟରୁ ୫୦% ଆଞ୍ଚଳିକ ଭାଷାରେ ନିଆଯାଉଛି।

ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସ ଅନୁଯାୟୀ ଭାରତୀୟ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହିତ କରାଯାଉଛି। ଏଆଇସିଟିଇରେ ଏକ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ପ୍ରତିଷ୍ଠା କରାଯାଇଛି ଏବଂ ସାରା ଦେଶରେ ୧୩ଟି ଆଇକେଏସ କେନ୍ଦ୍ର ଖୋଲାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁଭାଷ ସରକାର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରାଜ କୁମାର ରଞ୍ଜନ ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ୟୁଜିସି ଅଧ୍ୟକ୍ଷ, ଏଆଇସିଟିଇ ଅଧ୍ୟକ୍ଷ, ଏନସିଭିଇଟିର ଅଧ୍ୟକ୍ଷ, ଏନସିଇଆରଟିର ନିର୍ଦ୍ଦେଶକଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି।

ଏହି ବୈଠକରେ ଆଇଏମଡି ଏବଂ ଏନଡିଏମଏର ବରିଷ୍ଠ ପଦାଧିକାରୀମାନେ ଦେଶରେ ମାର୍ଚ୍ଚ-ମେ ୨୦୨୨ ମାସ ମଧ୍ୟରେ ଅନୁଭୂତ ହୋଇଥିବା କ୍ରମାଗତ ଉଚ୍ଚ ତାପମାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ରାଜ୍ୟ, ଜିଲ୍ଲା ଏବଂ ସହରାଞ୍ଚଳ ସ୍ତରରେ ଏକ ‘ମାନକ ମୁକାବିଲା ପ୍ରସ୍ତୁତି ଯୋଜନା’ ଭାବେ ଗ୍ରୀଷ୍ମପ୍ରବାହ ମୁକାବିଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟମାନଙ୍କୁ ଏକ ‘ବନ୍ୟା ମୁକାବିଲା ପ୍ରସ୍ତୁତି ଯୋଜନା’ ବିକଶିତ କରିବା ଲାଗି କୁହାଯାଇଥିଲା।

ଅନୁରୂପ ଭାବେ ବନ୍ୟା ପ୍ରବଣ ରାଜ୍ୟମାନଙ୍କ ପାଇଁ ଉଦ୍ଧାରକାରୀ ଦଳ ନିୟୋଜନ ଯୋଜନା ବିକଶିତ କରିବା ଲାଗି ଏନଡିଆରଏଫକୁ ପରାମର୍ଶ ଦିଆଯାଇଥିଲା। ଜନସାଧାରଣଙ୍କୁ ସଚେତନ କରିବା ଲାଗି ସାମାଜିକ ଗଣମାଧ୍ୟମର ସକ୍ରିୟ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ, ଗ୍ରୀଷ୍ମପ୍ରବାହ କିମ୍ବା ଅଗ୍ନିକାଣ୍ଡ ଭଳି ଘଟଣା ଜନିତ ଜୀବନହାନି ରୋକିବା ଲାଗି ଆମ ସମସ୍ତଙ୍କୁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏପରି ଘଟଣାର ମୁକାବିଲା କରାଯିବା ଉଚିତ୍‌।

ସେ ଜୋର ଦେଇ କହିଥିଲେ ଯେ ତାପମାତ୍ରା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି, ଡାକ୍ତରଖାନା ମାନଙ୍କରେ ଅଗ୍ନି ସୁରକ୍ଷା ଅଡିଟ୍‌ କରାଯିବା ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିବିଧ ଜଙ୍ଗଲର ପ୍ରାକୃତିକ ପରିବେଶ ନିଆଁ ଦାଉରୁ ରକ୍ଷା କରିବା ପାଇଁ ମିଳିତ ପ୍ରୟାସ କରାଯିବା ଜରୁରି। ସମ୍ଭାବ୍ୟ ଅଗ୍ନିକାଣ୍ଡକୁ ଠିକ୍‌ ସମୟରେ ଠାବ କରିବା, ଅଗ୍ନି ନିର୍ବାପନ କରିବା ଏବଂ ଅଗ୍ନିକାଣ୍ଡ ପରେ ସ୍ଥିତି ସ୍ବାଭାବିକ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବନ କର୍ମଚାରୀ ଓ ସଂସ୍ଥାର କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଗାମୀ ସୌସୁମୀ ପ୍ରସ୍ତୁତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ କେତେକ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।  ଜଳବାହିତ ରୋଗ ସଂକ୍ରମଣ ଏବଂ ପ୍ରସାରକୁ ନିରାକରଣ କରିବା ଲାଗି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଶେଷ ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ।

ଗ୍ରୀଷ୍ମ ପ୍ରବାହ ଓ ପରବର୍ତ୍ତୀ ମୌସୁମୀକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସବୁ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥା ମଧ୍ୟରେ ପ୍ରଭାବୀ ସମନ୍ବୟ ସ୍ଥାପନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଗଣ, କ୍ୟାବିନେଟ ସଚିବ, ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ, ଜଳ ଶକ୍ତି ମନ୍ତ୍ରଣାଳୟର ସଚିବଗଣ, ଏନଡିଏମଏ ସଦସ୍ୟ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ୍‌-୧୯ ଓ ଟିକାଦାନ ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଏକ ପୂର୍ଣ୍ଣାଙ୍ଗ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ପରିସ୍ଥିତିର ସବିଶେଷ ସମୀକ୍ଷା କରିଛନ୍ତି। ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ନୂଆ କୋଭିଡ ଭୂତାଣୁ “ଓମିକ୍ରନ”ର ସଂକ୍ରମଣ, ଟିକାଦାନ, ଚିକିତ୍ସା ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।

ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ ମହାମାରୀର ବୈଶ୍ୱିକ ଧାରା, ସଂକ୍ରମଣ ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ଅବଗତ କରାଯାଇଥିଲା। ମହାମାରୀ ଆରମ୍ଭ କାଳରୁ ବିଶ୍ୱର ବିଭିନ୍ନ ଦେଶରେ ତୁହାକୁ ତୁହା ନୂଆପ୍ରକାର ଭୂତାଣୁ ସଂକ୍ରମଣ ଘଟଣାମାନ ଘଟିଆସୁଛି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଓ ହାର  ସହିତ କୋଭିଡସ୍ଥିତି କ’ଣ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ଏହି ବୈଠକରେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ  ଦେଶରେ କୋଭିଡ ଟିକାଦାନର ପ୍ରଗତି ସମ୍ପର୍କରେ ଅବଗତ କରାଯିବା ସହିତ “ହର ଘର ଦସ୍ତକ” ଅଭିଯାନ କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ସୂଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ କ୍ଷୀପ୍ରତର କରିବାର  ଆବଶ୍ୟକତା ରହିଛି। ଯେଉଁମାନେ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ ଟିକାଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ସେରୋ ପଜିଟିଭିଟି ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଭିନ୍ନ ସମୟରେ ହେଉଥିବା ଏହି ପରୀକ୍ଷାର ସୁଫଳ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କିପରି ପଡୁଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ନୂଆ କରୋନା ଭୂତାଣୁ ‘ଓମିକ୍ରନ”, ଏହାର ଲକ୍ଷଣ, ବିଭିନ୍ନ ଦେଶରେ ପଡିଥିବା ଏହାର ପ୍ରଭାବ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତ ଉପରେ ଏହି ଭୂତାଣୁର କି ପ୍ରକାର ସମ୍ଭାବ୍ୟ ପ୍ରଭାବ ପଡିପାରେ ତାହା ମଧ୍ୟ ଆଲୋଚିତ ହୋଇଥିଲା। ନୂଆ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଏଥିପ୍ରତି ସତର୍କ ଓ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ନୂଆ ସଂକ୍ରମଣ ପରିପ୍ରେକ୍ଷୀରେ ଜନସାଧାରଣ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ଚଳିବା ଆବଶ୍ୟକ। ବିଦେଶରୁ ଯେଉଁମାନେ ଦେଶକୁ ଆସୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁସାରେ କରାଯିବା ଆବଶ୍ୟକ। ଯେଉଁ ଦେଶଗୁଡିକ ସଂକ୍ରମଣ ଦୃଷ୍ଟିରୁ ବିପଦପୂର୍ଣ୍ଣଭାବେ ଚିହ୍ନଟ ହୋଇଛନ୍ତି, ସେଠାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ କହିଛନ୍ତି। ଯେଉଁ ଦେଶଗୁଡିକ ସଂକ୍ରମଣମୁକ୍ତ ତାହାକୁ ପ୍ରମାଣଭିତ୍ତିରେ ଠାବ କରି ଆନ୍ତର୍ଜାତିକ ଭ୍ରମଣ କଟକଣାକୁ କୋହଳ କରିବାକୁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଦେଶରେ ଚାଲିଥିବା କରୋନା ବିରୋଧୀ ଅନୁ୍‌କ୍ରମଣ(ସିକ୍ୟୁଏନ୍ସିଂ)ପ୍ରୟାସ ତଥା ସଂକ୍ରମଣକାରୀ ଭୂତାଣୁଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିୟମ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀ ଓ ସମୁଦାୟଙ୍କ ଜେନମ୍ ସିକ୍ୟୁଏନି୍ସଂ ନମୁନା ସଂଗ୍ରହ କରାଯିବା ଉଚିତ। ସମଗ୍ର ସିକୁଏନି୍ସଂ ପ୍ରକ୍ରିୟାକୁ ବ୍ୟାପକ ଓ ସୁସଂହତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଲା ଓ ପ୍ରାଦେଶିକସ୍ତରରେ ନୂଆ ସଂକ୍ରମଣ ରୋକିବାକୁ ଆବଶ୍ୟକ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇ ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ଓ  ସଚେତନ କରାଇବାକୁ ସେ କହିଥିଲେ। ଯେଉଁସବୁ ରାଜ୍ୟରେ ଅଧିକ ଭୂତାଣୁ ସଂକ୍ରମଣ ଘଟଣା ନିଜରକୁ ଆସୁଛି ସେଠାରେ ତଦାରଖ ଓ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଆବଶ୍ୟକ ପଡିଲେ ରାଜ୍ୟ ସରକାରମାନଙ୍କୁ ବୈଷୟିକ ସହାୟତା ଯୋଗାଇଦେବାକୁ କହିଥିଲେ। ବାୟୁ ସଂଚାର ଓ ପବନ ଦ୍ୱାରା କେତେକ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସେଥିପ୍ରତି ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନ ମୁକାବିଲା କ୍ଷେତ୍ରରେ ସେମାନେ ନୂଆ ଔଷଧପତ୍ରର ପ୍ରୟୋଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ସୁବିଧା ଉପଲବ୍ଧ କରାଉଛନ୍ତି । ସବୁ ରାଜ୍ୟରେ ଯେପରି ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ମହଜୁଦ ରହେ ତାହା ନିଶ୍ଚିତ କରିବାକୁ ଉପଯୁକ୍ତ ସମନ୍ୱୟ ବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ସବୁ ରାଜ୍ୟର ସ୍ୱାସ୍ଥ୍ୟସେବା ସୁବିଧା, ଭିତ୍ତିଭୂମି ତଥା ବିଶେଷକରି ଶିଶୁଚିକିତ୍ସା  ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ରାଜ୍ୟମାନଙ୍କରେ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ଓ ଭେଣ୍ଟିଲେଟର ସୁବିଧା କିପରି କାର୍ଯ୍ୟ କରୁଛି ତାହା ଦେଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡକ୍ଟର ଭି.କେ.ପାଲ, ସ୍ୱରାଷ୍ଟ୍ର ସଚିବ ଏ.କେ. ଭଲ୍ଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ବାୟୋ ଟେକ୍‌ନୋଲୋଜି ସଚିବ ଡକ୍ଟର ରାଜେଶ ଗୋଖଲେ, ଆଇସିଏମ୍‌ଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା, ସହରାଞ୍ଚଳ ବିକାଶ ସଚିବ ଦୁର୍ଗାଶଙ୍କର ମିଶ୍ର, ଏନ୍‌ଏଚ୍‌ଏର ସିଇଓ ଆର.ଏସ୍‌.ଶର୍ମା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ ବିଜୟ ରାଘବନ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: ସୀମା ଶୁଳ୍କ ଛାଡ ନେଇ ଘୋଷଣା

ନୂଆଦିଲ୍ଲୀ: ଅମ୍ଳଜାନ ଅଭାବ ଓ ଯୋଗାଣ ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ଅମ୍ଳଜାନ ଏବଂ ତତସମନ୍ଧୀୟ ଉପକରଣ ଉପରେ ସୀମା ଶୁଳ୍କ ଛାଡ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛି।

ଶୁଳ୍କ ଛାଡ ଦ୍ଵାରା ଅମ୍ଳଜାନ ଯୋଗାଣ ସହଜ ହେବ। ଏହାସହିତ ଅମ୍ଳଜାନ ସମ୍ପର୍କିତ ଉପକରଣ ଆମଦାନୀ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କରୋନା ଟୀକା ଉପରେ ମଧ୍ୟ କେନ୍ଦ୍ର ସରକାର ସୀମା ଶୁଳ୍କ ଛାଡ କରିଛନ୍ତି। ସୀମା ଶୁଳ୍କ ଛାଡ ଦ୍ଵାରା ବିଦେଶରୁ ଟୀକା ମଧ୍ୟ ସୁଲଭ ଦରରେ ମିଳିପାରିବ। ଆମଦାନୀ ବେଳେ ଏସବୁ ଦ୍ରବ୍ୟରୁ ୩ ମାସ ଯାଏଁ ସୀମା ଶୁଳ୍କ ଛାଡ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।