Categories
ଆଜିର ଖବର ରାଜ୍ୟ ଖବର

୧୨ଟି ରାଜ୍ୟରୁ ଆସୁଥିବା ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କରୋନା ସଂକ୍ରମଣ ପୁଣି ଦେଶରେ ବଢିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ ସମଗ୍ର ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ଏହି ଷ୍ଟ୍ରେନକୁ ରୋକିବା ପାଇଁ ଓଡିଶା ପ୍ରସ୍ତୁତ ହେଉଛି। ସେଥିପାଇଁ ୧୨ ଟି ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ଯୁନିସିପାଲ କମିଶନରଙ୍କୁ ଏସିଏସ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ଵର ବିମାନ ବନ୍ଦର, ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି କରାଯାଇଛି। ଏହା ସହ ପୂର୍ବତଟ ରେଳବାଇର ଜିଏମଙ୍କୁ ମଧ୍ୟ ଚିଠି ଲେଖି ପରାମର୍ଶ ଦିଆଯାଇଛି।

ମହାରାଷ୍ଟ୍ର, କେରଳ, ତେଲେଙ୍ଗନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶିଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ, ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଏହି ଚିଠିରେ ନିର୍ଦ୍ଦେଶ ହୋଇଛି। ଫେରନ୍ତାଙ୍କୁ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଯଦି କାହାର ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯିବ। ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନରେ ରଖାଯାଇ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରିବା ପାଇଁ ଏସିଏସ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ: ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି। ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଲକଡାଉନ କଟକଣା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲା ଯାଇପାରିବ ନାହିଁ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ଏନେଇ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ କରୋନା ସ୍ଥିତି ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସୀମାନ୍ତ ଜିଲ୍ଲାଗୁଡ଼ିକରେ ନୋଡାଲ ଅଫିସରମାନେ କୋଭିଡ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ କରୋନା ସଂକ୍ରମଣ ରୋକିବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଜରୁରୀ: ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବେଶୀ ବ୍ୟାପୁଥିବାବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ବାଣପୁର ତହସିଲଦାର ତଥା କୋଭିଡ ଏନ୍ଫୋର୍ସମେଣ୍ଟ କମିଟି ଚେୟାରମ୍ୟାନ ଶ୍ରୀ ମନ୍ମଥ ବେହେରା ନିକଟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।  ତଥାପି କରୋନାକୁ ଭୃକ୍ଷେପ ନକରି ନିଜ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରତିଦିନ ବାଣପୁରରେ ପୋଲିସ, ଏନ.ଏ.ସି ଏବଂ ତହସିଲ ପକ୍ଷରୁ ପୃଥକ ପୃଥକ ଭାବେ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ ହେଉଛି। ହେଲେ ଏକାକୀ ତହସିଲ ପ୍ରଶାସନ ଦ୍ୱାରା ତିନି ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି। ଯାହା ସମ୍ପୂର୍ଣ ତହସିଲ ଅଞ୍ଚଳରେ ଦିନ ତମାମ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ କରୁଛି।

ବାଣପୁର ରେ କୋଭିଡ ସଂକ୍ରମଣକୁ କମେଇବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା କହିଛନ୍ତି। କୋଭିଡ ନିୟମ ତଥା ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା କଟକଣାକୁ ଅମାନିଆମାନେ ବେଖାତିରି କରି ନିଜେ ଏବଂ ନିଜ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ବାରମ୍ବାର ସଚେତନ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆମକୁ ବାଧ୍ୟ ହୋଇ ଜରିମାନା ଆଦାୟ କରିବାକୁ ପଡୁଛି ବୋଲି ତହସିଲଦାର କ୍ଷୋଭର ସହ କହିଛନ୍ତି।

ଆଜି ଦିନ ତମାମ ବାଣପୁର ତହସିଲ ପକ୍ଷରୁ ତହସିଲର ବିଭିନ୍ନ ଅଞ୍ଚଳ ଚଢ଼ାଉ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଖୋଦ ତହସିଲଦାର ଶ୍ରୀ ବେହେରା ତହସିଲର ଏନ୍ଫୋର୍ସମେଣ୍ଟ ଟିମ ସହ ବାଣପୁର ବଜାର ବୁଲି ଗୋଟି ଗୋଟି ଦୋକାନରେ କୋଭିଡ ନିୟମର ଯାଞ୍ଚ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ବାଣପୁର ତହସିଲରୁ କୋଭିଡ ଆଇନ ଉଲଂଘନକାରୀଙ୍କ ଠାରୁ ୮୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି।

ଅପରପକ୍ଷରେ ଦେଖିବାକୁ ଗଲେ ବାଣପୁରରେ ଏବେ ପ୍ରାୟ ସମସ୍ତ ଜନସାଧାରଣ ସଚେତନ ହେଲେଣି ଏବଂ ମାସ୍କ ବ୍ୟବହାର କରିବା ସହ ଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷାକରୁଛନ୍ତି।  ଯଦି ବାଣପୁରବାସି ଏହିପରି କଟକଣା ଗୁଡିକୁ କଡ଼ାକଡ଼ି ଭାବେ ପାଳନ କରିବେ ଯଥା ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତ୍ୱ ରକ୍ଷା କରିବେ, ଭିଡ଼ ଜମେଇବେ ନାହିଁ ତେବେ ଖୁବ ଶୀଘ୍ର ବାଣପୁର କରୋନାରୁ ମୁକ୍ତ ହୋଇପାରିବ ବୋଲି ତହସିଲଦାର ସୂଚନା ଦେବାସହ କଟକଣାଗୁଡିକୁ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ରାଜ୍ୟ୨୯ ଟି ଜିଲ୍ଲାରୁ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦୧୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  କ୍ଵାରେଣ୍ଟିନରୁ ୧୮୬୮ ଜଣ ଏବଂ ସ୍ଥାନୀୟ ମାମଲା ୧୪୬୪ ଜଣ। ଆଜି ଚିହ୍ନଟ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୩୪ କୁ ବୃଦ୍ଧି ହୋଇଛି। କୋରୋନରୁ ସୁସ୍ଥ ହୋଇ ୭୦ ହଜାର ୭୧୪ ଜଣ ଘରକୁ ଫେରିଥିବା ବେଳେ ସକ୍ରିୟ କେସ ଅଛି ୨୯ ହଜାର ୬୮୫।

ତେବେ ଆଜି ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬୮୪ ଚିହ୍ନଟ ହୋଇଥିବା ବେଳେ କଟକରେ ୩୩୪, ମୟୂରଭଞ୍ଜରେ ୨୯୨ , ଗଞ୍ଜାମରେ ୨୧୬, ବାଲେଶ୍ବରରେ ୧୩୮, ବରଗଡରେ ୧୨୪, କୋରାପୁଟରେ ୧୨୦, ରାୟଗଡାରେ ୧୦୪, ସମ୍ବଲପୁରରେ ୧୦୨, ସୁନ୍ଦରଗଡରେ ୯୧, କେନ୍ଦୁଝରରେ ୬୮, ଜଗତସିଂହପୁରରେ ୬୬, କନ୍ଧମାଳରେ ୬୦, ମାଲକାନଗିରିରୁ ୪୯, ଢେଙ୍କାନାଳରୁ ୪୯, ଝାରସୁଗୁଡାରୁ ୪୫, ସୋନପୁରରୁ ୪୪, କେନ୍ଦ୍ରାପଡାରୁ ୪୪, ଭଦ୍ରକରୁ ୪୦, କଳାହାଣ୍ଡିରୁ ୪୦, ଯାଜପୁରରୁ ୩୮, ନବରଙ୍ଗପୁରରୁ ୩୮, ବଲାଙ୍ଗିରିରୁ ୩୫, ନୟାଗଡରୁ ୨୯, ଅନୁଗୁଳରୁ ୨୫, ଗଜପତିରୁ ୯, ନୂଆପଡାରୁ ୭, ଦେବଗଡରୁ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 3 ହଜାର 371ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି 3 ହଜାର 371 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2053ଜଣ ଚିହ୍ନଟ ହୋଇଥିବାବେଳେ 1318ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  87ହଜାର602କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 27 ହଜାର 638ଜଣ। ସେହିପରି ସୁସ୍ଥ ହୋଇଛନ୍ତି 59 ହଜାର 470ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 441ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜନସାଧାରଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଲୋକେ ସତର୍କ ରହିଲେ ହିଁ ନିଜ ଗ୍ରାମ ସଂକ୍ରମଣ ମୁକ୍ତ ରହିବ: ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜିଠାରୁ ଗଂଜାମ ଜିଲ୍ଲାରେ ଜୀବନଜୀବିକା ପାଇଁ କଟକଣାକୁ କୋହଳ କରାଯାଇଛି। ଦୋକାନ ଖୋଲିବା ସମୟ ସୀମା ସକାଳ ୫ ଘଣ୍ଟରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବର୍ତ୍ତମାନ ମଧ୍ୟ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ରହିଛି। ତେଣୁ ସତର୍କତା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ୍ ଅବଲମ୍ବନ କରି ଜୀବନ ଜୀବିକା ଚଳାଇବାକୁ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଆଜି ସକାଳେ ଛତ୍ରପୁରଠାରେ ଭିଡ଼ିଓ କନ୍‌ଫେରେନସିଂ ଜରିଆରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲ୍‌ଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ସ୍ୱାସ୍ଥ୍ୟଧିକାରୀଙ୍କ ସହିତ କୋଭିଡ଼୍ ପରିଚାଳନାଗତ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାରେ ଆକ୍ଟିଭ୍ କେସ ଶୂନ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତା, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଆଡ଼ମିଶନ, ଡ଼ିସ୍‌ଚାର୍ଜ ଓ ମୃତ୍ୟୁଜନୀତ ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା। ଜିଲ୍ଲାରେ ପ୍ରବେଶ ଓ ପ୍ରସ୍ଥାନ ଦିଗରେ କୋହଳ କରାଯାଇଛି। ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀଙ୍କ ଦ୍ୱାରା ହିଁ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ସହିତ ପୂର୍ବ ଯୋଜନାଗୁଡ଼ିକ ଆହୁରି କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଗ୍ରାମସ୍ତରରେ ଗଠିତ ହୋଇଥିବା ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ। ଗାଁ ଲୋକଙ୍କ ଦ୍ୱାରା ହିଁ ଯିବା ଆସିବା ଲୋକଙ୍କ ଉପରେ ନଜର ରଖିହେବ। ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ ସଂପାଦନ କରିବେ ତାଙ୍କ ଗ୍ରାମ ସେତେ କରୋନା ସଂକ୍ରମଣରୁ ମୁକ୍ତ ରହିବ। ଏଣୁ ଗ୍ରାମାଞ୍ଚଳ ସ୍ତରରୁ ପରିଚାଳନାକୁ ସଠିକ୍ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଗ୍ରାମାଞ୍ଚଳସ୍ତରୀୟ କମିଟି ଯେପରି ଠିକ୍ ରୂପେ କାର୍ଯ୍ୟ ସଂପାଦନା କରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

ସଂପ୍ରତି ଯେଉଁ କୋହଳ କରାଯାଇଛି ତାହା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଂଚଳ ପାଇଁ ଲାଗୁ ହେବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଘୋଷିତ ଅଂଚଳରେ ଆର୍‌ଆର୍‌ଟି ଟେଷ୍ଟ ଓ କରୋନା ସଂକ୍ରମିତ ଲକ୍ଷଣ ଯାଞ୍ଚ ଚାଲି ରହିବ। ହୋମ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କୁ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ। ଆକ୍ଟଭ୍ କେସ ଥିବା ଅଂଚଳରେ ଜିରୋ କରିବା ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଗ୍ରାମରେ ପଜିଟିଭ୍ ସଂଖ୍ୟା ଶୂନ ରହିଛି ସେହି ଗ୍ରାମଗୁଡ଼ିକ ଗ୍ରୀନ୍ ଜୋନ୍ ଘୋଷଣା ହେବ। ହୋମ୍ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କର ଯଦି ମଧୁମେହ ଥାଏ ତେବେ ସେମାନଙ୍କୁ ହୋମ୍ ଆଇସୋଲେସନ୍‌ରେ ନରଖି କୋଭିଡ଼୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉ। ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ବାରଣ କରାଯାଇଛି। ପଞ୍ଚସୂତ୍ରୀ ନିୟମ ଆହୁରି କଡ଼ାକଡ଼ି ପାଳନ ହେବ।

ଆସନ୍ତା ସେପ୍ଟେମ୍ବର ମାସରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବାର ଯୋଜନା ରହିଛି। ବିଡ଼ିଓମାନେ ପୂର୍ବାହ୍ନରେ କୋଭିଡ଼୍ ପରିଚାଳନା କାର୍ଯ୍ୟ ଏବଂ ଅପରାହ୍ନରେ ନରେଗା ଓ ବୃକ୍ଷରୋପଣ କାର୍ଯ୍ୟ ସଂପାଦନ କରିବେ। ତହସିଲ୍‌ଦାରମାନେ ପୂର୍ବାହ୍ନରେ କୋଭିଡ଼୍ କାର୍ଯ୍ୟ ଓ ଅପରାହ୍ନରେ ରାଜସ୍ୱ କାର୍ଯ୍ୟରେ ନିୟୋଜିତ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭିଡ଼ିଓ କନ୍‌ଫେରେନସିଂରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ, ଉପଜିଲ୍ଲାପାଳ ବ୍ରହ୍ମପୁର ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଡ଼ୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ଡ. ଆର୍ ଜଗଦୀଶ ପଟ୍ଟନାୟକ, ଡ଼େପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ୨୭୧ ନୂତନ ସଂକ୍ରମିତ ଚିହ୍ନଟ: ୩ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ହେଲା ଗଂଜାମରେ ଦୁଇଶହରୁ କମ୍ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇ ଏହି ସଂଖ୍ୟା ୨୭୧ରେ ପହଞ୍ଚିଛି। ଗଂଜାମରେ ଅଧିକ ପରିମାଣରେ ଟେଷ୍ଟ ହେଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରଶାସନ କହିଛି। ଆଜି ଗଂଜାମରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଜଣେ ୬୦ ବର୍ଷୀୟ ବୃଦ୍ଧ, ଜଣେ ୬୧ ବର୍ଷୀୟ ବୃଦ୍ଧ ଏବଂ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

୨୭୧ ସଂକ୍ରମିତ ମଧ୍ୟରୁ ଭଂଜନଗର ବ୍ଲକ୍‌ରୁ ୮, ଜଗନ୍ନାଥପ୍ରସାଦରୁ ୭, ବେଲଗୁଣ୍ଠାରୁ ୫, ବୁଗୁଡ଼ାରୁ ୧୨, ସୋରଡ଼ାରୁ ୪, ପୋଲସରାରୁ ୧, ବେଗୁନିଆପଡ଼ାରୁ ୨୪, କବିସୂର୍ଯ୍ୟନଗରରୁ ୫, ଆସିକାରୁ ୬, ଧରକୋଟରୁ ୨, ସାନଖେମୁଣ୍ଡିରୁ ୮, ହିଂଜିଳିକାଟୁରୁ ୧୧, ପୁରୁଷୋତ୍ତମପୁରରୁ ୮, ଖଲିକୋଟରୁ ୧୧, ଗଂଜାମରୁ ୭, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୨୪, କୁକୁଡ଼ାଖଣ୍ଡିରୁ ୮, ଚିକିଟିରୁ ୧୩, ପାତ୍ରପୁରରୁ ୭, ଦିଗପହଣ୍ଡି ବ୍ଲକ୍‌ରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମରୁ ୪୨ ଏବଂ ଅନ୍ୟାନ୍ୟ ଦୁଇଜଣ ଅଛନ୍ତି।

ସମୁଦାୟ ୧୬୩୪୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୧୭୯(୮୬.୭୭%) ସୁସ୍ଥ ହୋଇଛନ୍ତି। ୧୯୮୮ (୧୨.୧୭%) ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ୧୭୪ (୧.୦୬%) ଜଣଙ୍କ ମୁଣ୍ଡ ନେଇଛି କରୋନା। ସେହପରି ବ୍ରହ୍ମପୁରରେ ଆଜିର ନୂତନ ୪୨ ଜଣଙ୍କୁ ମିଶାଇଲେ ସମୁଦାୟ ସଂକ୍ରମିତ ସଂଖ୍ୟା ୨୯୪୩ରେ ପହଞ୍ଚିଛି। ୨୬୦୨ (୮୮.୪୧%) ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୮୮ (୯.୭୯ ଜଣ ଆକ୍ଟିଭ୍ କେସ ରହିଥିବାବେଳେ ୫୩ (୧.୮୦%) ଜଣଙ୍କ ମୃତ୍ୟୁ ଘଟିଛି।

Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ୧୬୨ ନୂତନ ସଂକ୍ରମିତ ଚିହ୍ନଟ: ୪ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ପ୍ରଶାସନର ନିୟନ୍ତ୍ରଣରେ ରହିଛି। ପ୍ରାୟ ଏକମାସ ପରେ ଆଜି ସଂକ୍ରମିତ ସଂଖ୍ୟା ଦୁଇଶହ ତଳକୁ ଖସି ୧୬୨ ଚିହ୍ନଟ ହୋଇଛି। ସମୁଦାୟ ୮୦୭୩ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିପାରୁନାହିଁ। ଆଜି ମଧ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୪୨ ବର୍ଷୀୟ ଯୁବକ, ଜଣେ ୫୦ ବର୍ଷୀୟ ମହିଳା, ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ ଜଣେ ୫୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।

ନୂତନ ସଂକମ୍ରିତ ମଧ୍ୟରେ ଜଗନ୍ନାଥପ୍ରସାଦରୁ ୩, ଭଂଜନଗରରୁ ୩, ବେଲଗୁଣ୍ଠାରୁ ୩, ବୁଗୁଡ଼ାରୁ ୧, ସୋରଡ଼ାରୁ ୧, ଆସିକାରୁ ୧୬, ପୋଲସରାରୁ ୬, ଖଲିକୋଟରୁ ୯, ସାନଖେମୁଣ୍ଡିରୁ ୩, କବିସୂର୍ଯ୍ୟନଗରରୁ ୯, ପୁରୁଷୋତ୍ତମପୁରୁର ୪, ହିଂଜିଳିକାଟୁରୁ ୧୦, ଗଂଜାମରୁ ୭, ଛତ୍ରପୁରୁରୁ ୧୫, ରଙ୍ଗେଇଲୁଣ୍ଡାରୁ ୧୫, କୁକୁଡ଼ାଖଣ୍ଡିରୁ ୬, ଚକିଟିରୁ ୫, ଦିଗପହଣ୍ଡିରୁ ୩, ପାତ୍ରପୁରରୁ ୧୦ ଏବଂ ବ୍ରହ୍ମପୁର ମହାନଗର ନିଗମରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତ ବ୍ୟକ୍ତି ସଂଖ୍ୟା ୧୫୮୮୬ ରହିଥିବାବେଳେ ୧୩୭୭୩ ସୁସ୍ଥ ହୋଇଛନ୍ତି। ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯୪୩ ଆକ୍ଟଭ୍ କେସ ରହିଛି। ସେହିପରି ବ୍ରହ୍ମପୁରରେ ସମୁଦାୟ ୨୮୬୧ ମାମଲା ଚିହ୍ନଟ ହୋଇଥିବାବେଳେ ୨୪୯୬ ଜଣ ସୁସ୍ଥ ହୋଇଛନ୍ତି। ୩୧୫ଟି ଆକ୍ଟିଭ୍ କେସ ରହିଥିବାବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ସଂପୂର୍ଣ୍ଣ ନିୟନ୍ତ୍ରଣରେ: ୫ ମାସ ପରେ ପ୍ରଥମଥର ପାଇଁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲା କରୋନା ସଂକ୍ରମଣରେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଦୈନିକ ୮ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ ହେଉଥିଲେ ମଧ୍ୟ ଆଉ ସଂକ୍ରମଣ ଚିହ୍ନଟ ହେଉନାହିଁ। ଗତ ୪ ଦିନର ହିସାବକୁ ଦେଖିଲେ ୨୪୩, ୨୪୬, ୨୪୨ ଏଭଳି ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ଗତ ମାସର ସର୍ବନିମ୍ନ ସ୍ତରରେ ୧୬୨ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ହୋଇଛି।

ସୋମବାରଠାରୁ ୫ ମାସ ପରେ ପ୍ରଥମ ଥର ପାଇଁ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାବାସୀଙ୍କ ସଂଯମତା ଏବଂ ଅଧିକାରୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏଭଳି ଗ୍ରାଫ୍ ହ୍ରାସ ପାଇଛି। ତେଣୁ ଆଗକୁ ମଧ୍ୟ ଲୋକେ ସତର୍କ ହୋଇ କରୋନାର ସମସ୍ତ ନିୟମ ମାନିଲେ ଏହି ସଂଖ୍ୟା ଶୂନରେ ପହଞ୍ଚିବ ବୋଲି କହିଥିଲେ। ତେଣୁ ଗଂଜାମରେ “ଜିରୋ ଆକ୍ଟିଭ୍ କେସ” ଆରମ୍ଭ କରାଗଲା ବୋଲି କହିଥିଲେ। ସେ ପୁଣି କହିଥିଲେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି। ସବୁସ୍ଥାନରେ ଟେଷ୍ଟି ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଲକ୍ଷଣ ଦେଖାଦେଲେ ସଂଗେ ସଂଗେ ପରୀକ୍ଷା କରିବାକୁ କୁହାଯାଇଛି।

ବର୍ତ୍ତମାନ ଗଂଜାମରେ ୧୫୮୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ ମାତ୍ର ୧୯୩୫ ଆକ୍ଟିଭ୍ କେସ ରହିଛି। ଜିଲ୍ଲାର ସୁସ୍ଥତା ହାର ୮୭ ପ୍ରତିଶତ। ଗତ ସପ୍ତାହ ମଧ୍ୟରେ ଦୁଇଟି ବ୍ଲକ୍‌ରୁ କୌଣସି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ। ସପ୍ତାହନ୍ତ ସଟ୍‌ଡ଼ାଉନ୍ ଜାରି ରହିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଥିଲେ। ବ୍ରହ୍ମପୁରରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ବ୍ୟବସାୟୀ ରହିଛନ୍ତି। କୌଣସି ଦୋକାନୀ କରୋନା ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣେଶ ପୂଜାକୁ ବାରଣ କରାଯାଇଛି ତେଣୁ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହୋଇପାରିବ ନାହିଁ। ତେଣୁ ସମସ୍ତେ ସାମାଜିକ ଦୂରତା, ମାସ୍କ ପିନ୍ଧି, ପଞ୍ଚସୂତ୍ର ନିୟମ ପାଳନ କରିଲେ ଆଉ ଅଳ୍ପ ଦିନ ମଧ୍ୟରେ ଗଂଜାମରେ କରୋନା ମୁକ୍ତ ହୋଇଯିବ ବୋଲି ଅଧିକାରୀମାନେ କହିଥିଲେ।

Categories
ବିଶେଷ ଖବର

ଲକ ଡାଉନ ଯେତିକି ବଢୁଛି, ସଂକ୍ରମଣ ବି ସେତେ ବ୍ୟାପକ ହେଉଛି, ତାହେଲେ ତାଲା ପଡୁଛି କାହିଁକି?      

କେଦାର ମିଶ୍ର

ଆଜିକାଲି ଅନେକ ମଜାଦାର ଖବର କରୋନାକୁ ନେଇ ଆସୁଛି। ଏତେବଡ ମହମାରିକୁ ଆମେ ମଜାଦାର ଖବର କହୁଛୁ ବୋଲି କେହି କେହି ଆମ ଉପରେ ରାଗି ପାରନ୍ତି। ତେବେ ଅସଲରେ କଥାଟି ମଜାଦାର। ଏବେ ଟିଭିରେ ଖବର ଆସୁଛି, କରୋନା ସଂକ୍ରମଣ ରୋକିବାକୁ ଅମୁକ ଜିଲ୍ଲାକୁ ସରକାର ଶଟ ଡାଉନ କି ଲକ ଡାଉନ ଘୋଷଣା କରିଛନ୍ତି। ମାର୍ଚ୍ଚ ମାସ ୧୫ ତାରିଖରୁ ଏହି ସମାନ କଥା ଆମେ ଶୁଣି ଆସୁଛୁ। ଶଟ ଡାଉନ ହେଉଛି, ସମାନ୍ତରାଳରେ କରୋନା ସଂକ୍ରମଣ ବି ବଢୁଛି।ମାସେ ତଳେ ଠିକ ଜୁଲାଇ ୧୦ ତାରିଖ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ ଥିଲା। ମାସେ ପରେ ଓଡିଶାରେ ଏହି ସଂଖ୍ୟା ୪୫, ୯୨୭ ରେ ପହଞ୍ଚିଛି। ମାସେ ଭିତରେ ୩୩,୯୭୧ ଆକ୍ରାନ୍ତ ରାଜ୍ୟରେ ବଢିଛନ୍ତି। କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଏହାରି ଭିତରେ ଢେର ବଢିଛି। ଏହି ସଙ୍ଖ୍ଯାରୁ ଆମେ ସଂକ୍ରମଣ ଉପରେ ଲକ ଡାଉନ ବା ଶଟ ଡାଉନ ର ଫଳାଫଳ ଦେଖିପାରିବା।

ଓଡିଶା ସରକାର ଅଗଷ୍ଟ ମାସରେ ମଧ୍ୟ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଗଜପତି  ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ସପ୍ତାହାନ୍ତ ଶଟଡାଉନ ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ଅନେକ ଜିଲା ଓ ସହର ଏବେବି ଶଟ ଡାଉନ ଅବସ୍ଥାରେ ରହିଛନ୍ତି।  ଲକ ଡାଉନ ଘୋଷଣା ପୂର୍ବରୁ ସ୍ଵାଭାବିକ ଭାବରେ ସରକାରୀ ଅଧିକାରୀମାନେ ଯାହା କହିଛନ୍ତି, ତାହା ଗତ ଚାରିମାସ ହେଲା ଆମେ ଶୁଣି ଆସୁଛୁ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ହେଲେ ସେଥିସହିତ ଦେଶରେ “ଅନଲକ” ପ୍ରକ୍ରିୟା ମଧ୍ୟ ଅବ୍ଯାହତ ରହିଛି। ଜୁନ ଓ ଜୁଲାଇ ମାସରେ ସାରା ଦେଶରେ “ଅନଲକ” ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ସରକାର ଏହି ଦୁଇ ମାସ ଏକ ପ୍ରକାର ମନମୁଖି ଶୈଳୀ ରେ ୧୦ ଟି ଜିଲ୍ଲାକୁ ୧୨ ଦିନ ପୂରା ଶଟ ଡାଉନ କରି ରଖିଥିଲେ। କରୋନାର ମୁକାବିଲା କରିବାକୁ  ଲକ ଡାଉନକୁ ରାଜ୍ୟ ସରକାର ନିଜର ଏକମାତ୍ର ଆଶ୍ରୟ ବୋଲି ଭାବିଛନ୍ତି।

ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୫୧ ଲକ୍ଷ କରୋନା ପୀଡିତ ଓ ପ୍ରାୟ ୧ ଲକ୍ଷ ୬୫ ହଜାର ମୃତ ଲୋକଙ୍କ ସଙ୍କଟ ସତ୍ତ୍ୱେ ଆମେରିକାର ବିଭିନ୍ନ ରାଜ୍ୟ ଏବେ ଲକ ଡାଉନ ହଟାଇବା ଆରମ୍ଭ କରିଛନ୍ତି। ଆମେରିକାର ସଙ୍ଘୀୟ ବ୍ୟବସ୍ଥାରେ ଜାତୀୟ ଲକ ଡାଉନ ଘୋଷଣା କରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରେ ସମ୍ଭବ ନଥିଲା। ସମୟ କ୍ରମେ ଲକ ଡାଉନ ଆମେରିକାର ବିଭିନ୍ନ ରାଜ୍ୟରେ କୋହଳ ହେଉଛି।

କରୋନା ଦ୍ଵାରା ସର୍ବାଧିକ ପୀଡିତ ଇଟାଲି ଓ ସ୍ପେନ ମଧ୍ୟ ଲକ ଡାଉନ ଉଠାଇବାର ପ୍ରକ୍ରିୟା ଆରମ୍ଭ କଲେଣି। ଚୀନ ନିଜ ଦେଶରେ ପ୍ରଥମେ ଲକ ଡାଉନକୁ ସ୍ଥାନୀୟ ସ୍ତରରେ ସୀମିତ ରଖିଥିଲା ଓ ଏହାର ସୁଫଳ ମଧ୍ୟ ପାଇଥିଲା। ଏସିଆର ଦେଶ ଗୁଡିକ ସବୁ କ୍ଷେତ୍ରରେ ଲକ ଡାଉନକୁ ସୀମିତ ଏବଂ ହଟ ସ୍ପଟ କୈନ୍ଦ୍ରିକ ରଖିଛନ୍ତି। ଲକ ଡାଉନ ସମୟରେ ବ୍ୟାପକ ପରୀକ୍ଷା କରିବା ସହିତ କ୍ବାରେଣ୍ଟାଇନ ନିୟମକୁ ଲାଗୁ କରିଛନ୍ତି। ଏସିଆରେ କେବଳ ଭାରତ ସବୁଠୁ ଅଧିକ ସମୟ ଲକ ଡାଉନ ଲାଗୁ କରିଛି ଓ ଏହାକୁ ଅଧିକ କଡାକଡି ଲାଗୁ କରୁଛି। ତେବେ ଲକ ଡାଉନ ସତ୍ତ୍ୱେ ପୂରା ଏସିଆର ୬୦% କରୋନା ଆକ୍ରାନ୍ତ ଏବେ କେବଳ ଭାରତରୁ ବାହାରୁଛନ୍ତି। ସରକାରୀ ଅଧିକାରୀମାନେ ଲକ ଡାଉନ କୁ ଯେତେ ବିଜ୍ଞାନ ସମ୍ମତ ଓ ସଂକ୍ରମଣ ରୋକିବାର ଏକମାତ୍ର ପନ୍ଥା ବୋଲି କହିଲେ ମଧ୍ୟ, ଆମ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିନାହିଁ କିମ୍ବା ଆଗକୁ ପଡିବାର ସମ୍ଭାବନା ଦିଶୁନାହିଁ।

ସାରା ପୃଥିବୀ ଏବେ କରୋନା ସହିତ କେମିତି ବଞ୍ଚିହେବ ଓ ଅର୍ଥନୀତିକୁ ମଧ୍ୟ କେମିତି ବଞ୍ଚାଇ ହେବ, ସେ ବାଟ ଖୋଜୁଛି।ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ବିଭିନ୍ନ ଭାଷଣରେ ସେ କଥାର ଆଭାସ ମଧ୍ୟ ଦେଇଥିଲେ। “ବଚନା ଭି ହୈ, ଆଗେ ବଢନା ଭି ହୈ”। ତେବେ ଅନଲକ-୧ ଓ ୨ ବେଳକୁ ଓଡିଶା ନିଜକୁ ତାଲାବନ୍ଦ କରି ରଖିବା ପରେ ଏବେ ରାଜ୍ୟର ପ୍ରମୁଖ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ତାଲା ପକାଇ ରଖିଛି। ଏହାର ପରିଣାମ ଆଗକୁ ଯଥେଷ୍ଟ  ମହଙ୍ଗା ସାବ୍ୟସ୍ତ ହେବ। ଏବେ ଅର୍ଥନୀତିକୁ ଆମେ ବଞ୍ଚାଇବାର ବାଟ ଖୋଜିବା ନା ଏକ ଦୀର୍ଘକାଳୀନ ଅର୍ଥନୈତିକ ଆତ୍ମହତ୍ୟାର ବାଟ ବାଛିବା, ତାହା ହିଁ ବଡ ପ୍ରଶ୍ନ। ଲକ ଡାଉନ ଖୋଲିବା ବା ଆଗକୁ ବଢାଇବା ଉପରେ ଅର୍ଥନୀତି ଆଜି ଆଉ ନିର୍ଭର କରୁନାହିଁ। ଏବେ ଆଇସିୟୁ ରେ ଥିବା ଅର୍ଥନୀତି ଓ ରାଜ୍ୟର ଆର୍ଥିକ ପରିଚାଳନାକୁ ଜୀବନ ଦେଇ ହେବ କି ନାହିଁ, ତାହା ହିଁ ପ୍ରଶ୍ନ।

ପୂର୍ବର ଲକ ଡାଉନ ସମୟରେ ଆମର ଉତ୍କଟ ଦାରିଦ୍ର୍ୟ ଓ ଅସହାୟତାର ଚିତ୍ର ଅଧିକ ସ୍ପଷ୍ଟ ହୋଇଛି।ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଆମକୁ ଯାହା ଦେଖାଉଛନ୍ତି, ସେଥିରେ ମିଛର ପରିମାଣ ବହୁ ଅଧିକ। ଗଞ୍ଜାମ ଓ ଖୁର୍ଦ୍ଧା ଜିଲାରେ ସଂକ୍ରମଣ ବ୍ୟାପକ ହେବାର କାରଣ ଭାବେ ଏବେ କାହାକୁ ଦାୟୀ କରାଯିବ? ସର୍ବାଧିକ ଲକ ଡାଉନ ପରେ ବି ଏହି ଦୁଇ ଜିଲାରେ ସଂକ୍ରମଣ କମୁନି। ଚାରିମାସ ଧରି ଓଡିଶା ସରକାର ଆମକୁ କେବଳ ପ୍ରବଚନ ଶୁଣାଉଛନ୍ତି, ହେଲେ ସଂକ୍ରମଣ ରୋକିବାରେ ସରକାରଙ୍କର କୌଣସି ଉଦ୍ୟମ ସଫଳ ହେଉନାହିଁ। “ଲକ ଡାଉନ” କୁ କରୋନା ସଂକ୍ରମଣ ରୋକିବାର ଏକ ମାର୍ଗ ଭାବେ ବିବେଚନା ନ କରି ଏହାକୁ ଆଉ ଏକ “ମଣିଷ ସଙ୍କଟ” ରେ ଆମର ସରକାର ଜାଣିଶୁଣି ରୂପାନ୍ତରିତ କରିଚାଲିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଅଗଷ୍ଟ ୧୫ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାର ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା

ରମେଶ ମହାନ୍ତି

ଜଗତସିଂହପୁର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୫.୦୮.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ପ୍ରଶାସନର ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ନଚେତ୍ ହ୍ୱାଟସଆପ୍ ମାଧ୍ୟମରେ ଦାଖଲ କରିପାରିବେ।

ଏତଦବ୍ୟତୀତ ଜନସାଧାରଣ ତଥା ଅଧିକାରୀ ଓ କର୍ମଚାରୀଙ୍କ ନିରାପଦ ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ନିକଟରେ ଥିବା ଅଭିଯୋଗ ବାକ୍ସରେ ପକାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋରାପୁଟ ଜିଲ୍ଲା ଆଜିଠୁ 48 ଘଣ୍ଟା ସଟ୍ ଡାଉନ୍, ଜାଣନ୍ତୁ ଜିଲ୍ଲାରେ କିପରି ବଢୁଛି ସଂକ୍ରମଣ

କୋରାପୁଟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କୋରାପୁଟ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରୁ ଅଗଷ୍ଟ 1 ତାରିଖ ମଧ୍ୟରାତ୍ର ଯାଏଁ 48 ଘଣ୍ଟା କୋରାପୁଟ ଜିଲ୍ଲା ସଟ୍ ଡାଉନ୍ ରହିବ। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ଜିଲ୍ଲାରୁ 66 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। କୋରାପୁଟ ଜିଲ୍ଲାରେ ଆଜି 66 ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 756ରେ ପହଞ୍ଚିଛି। ଏଯାଏଁ 220 ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ସକ୍ରିୟ ସଂଖ୍ୟା 536 ରହିଛି।

Categories
ଆଜିର ଖବର ଜାତୀୟ ଖବର

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ କରୋନା ଭୂତାଣୁ, ରାଜ୍ୟରେ ବଢୁଛି ସଂକ୍ରମଣ

ପାଟନା, କିଛି ଦିନ ହେଲା ବିହାରରେ କରୋନା ସଂକ୍ରମଣ ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ ପହଞ୍ଚିଛି କରୋନା ଭୂତାଣୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଙ୍କୁ ପାଟନା ଏମସରେ ଭର୍ତ୍ତି କରାଯାଇଛି।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନିକଟରେ ନୀତୀଶ କୁମାର ବିଧାନ ପରିଷଦ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହ ଓ ତାଙ୍କୁ ପତ୍ନୀଙ୍କୁ ଭେଟିଥିଲେ। ଏହା ପରେ ସିଂହ ଦମ୍ପତି କରୋନା ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଇତିମଧ୍ୟରେ ଜେଡିୟୁ-ବିଜେପି ସରକାରକୁ ସମାଲୋଚନା କରି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବନୀ ଯାଦବ କହିଛନ୍ତି, ରାଜ୍ୟରେ ନା ଅଧିକ ପରୀକ୍ଷା କରାଯାଉଛି ନା ଚିକିତ୍ସା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। କିଛି ବି ହେଉନଥିବା ସେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତି ଲାଗି ରହିଲେ ଅଗଷ୍ଟ-ସେପଟେମ୍ବର ମାସ ବେଳକୁ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇ ପଡିବ ବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି। (ଏଜେନ୍ସି)