Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ବଦଳିବ କି ଜୁନାଗଡ ରାଜନୀତି ସମୀକରଣ!

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ରାଜନୀତି ସଦାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚା ରେ ରହି ଆସିଛି। କଳାହାଣ୍ଡି ଜିଲ୍ଲା ର ପ୍ରାକ୍ତନ ରାଜଧାନୀ ତଥା ପୁରୁଣା ସହର ଜୁନାଗଡ ରେ ମଧ୍ୟ ରାଜନୀତି ମଧ୍ୟ ସଦାବେଳେ ଚର୍ଚ୍ଚାରେ ରହିଆସିଛି। ରାଜ୍ୟରେ ବିଗତ ୨୪ ବର୍ଷର ବିଜେଡ଼ି ସରକାର ଗତ ୨୦୨୪ ସାଧାରଣ ନିର୍ବାଚନ ରେ ବଦଳିବା ପରେ ମଧ୍ୟ ଜୁନାଗଡ ରାଜନୀତି ବଦଳି ନଥିବା ବେଳେ ତୃତୀୟ ଥର ପାଇଁ ମଧ୍ୟ ଜୁନାଗଡ ବିଜେଡ଼ି ଦଖଲ ରେ ରହିଛି।

ସ୍ବାଧୀନତା ପରେ ସବୁବେଳେ କଳାହାଣ୍ଡି ରାଜ ପରିବାର ର ଦବ ଦବା ଥିବା ଜୁନାଗଡ ବିଧାନସଭା ଆସନ ୨୦୦୯ ମସିହାରୁ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ୧୯୭୭ ମସିହା ପର୍ଯ୍ୟନ୍ତ ରାଜ ପରିବାରର ସିଧା ସଳଖ ଅକ୍ତିଆରରେ ରହିଥିବା ଜୁନାଗଡ ବିଧାନସଭା କ୍ଷେତ୍ର ଚାଣକ୍ୟ ନୀତି ବଳରେ ଦୁଇଥର କଂଗ୍ରେସ ହାତକୁ ଯାଇଥିବା ବେଳେ ୧୯୮୫ ରେ ପୁନଃ ରାଜ ପରିବାରକୁ ଫେରିଆସିଥିଲା।

୧୯୮୫ ( ଜନତା ଦଳ )୧୯୯୦ ଓ ୧୯୯୫ (ବିଜେପି) ରେ କଳାହାଣ୍ଡି ରାଜପରିବାରର ସିଧା ସଳଖ ପ୍ରତିନିଧିତ୍ଵ ଥିବା ବେଳେ ୧୯୯୭, ୨୦୦୦,ଓ ୨୦୦୪ (ବିଜେପି) ରେ ରାଜପରିବାରଙ୍କ ମନୋନୀତ ସମର୍ଥକଙ୍କର ପ୍ରତିନିଧିତ୍ବ ରହିଆସିଛି। ସେହିପରି ୨୦୦୯ ରେ କଂଗ୍ରେସ ଓ ଗତ ୨୦୧୪ ମସିହାରୁ ବିଜେଡ଼ିର ସକ୍ରିୟ ସଂଗଠନ ଆରମ୍ଭ କରି ସମଗ୍ର ଦେଶ ଓ ରାଜ୍ୟରେ ପ୍ରବଳ ମୋଦୀ ହାୱା ସତ୍ବେ ୨୦୧୯ ଓ ୨୦୨୪ ରେ ମଧ୍ୟ ଜୁନାଗଡ ଠାରେ ବିଜେଡ଼ିର ପ୍ରତିନିଧିତ୍ବ ରହିଆସିଛି।

ଅନ୍ୟ ପକ୍ଷରେ ଦେଶ ଓ ରାଜ୍ୟ ରାଜନୀତିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ସଂଘ) ର ପ୍ରମୁଖ ଭୂମିକା ରହିଆସିଥିବା ବେଳେ ଜୁନାଗଡ ଠାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସାଙ୍ଗକୁ ଆତ୍ମ ଘୋଷିତ ସଂଘୀୟ କାର୍ଯ୍ୟକର୍ତ୍ତା ଥିଲେ ସୁଦ୍ଧା ସେଭଳି ପ୍ରଭାବ ବିସ୍ତାର କରିପାରୁ ନ ଥିବା କୁହାଯାଉଛି। କେବଳ ଶିଶୁ ମନ୍ଦିର ମଧ୍ୟରେ ସୀମିତ ରହୁଥିବା ବେଳେ ଦୁଇ ଜଣ ବ୍ୟବସାୟୀ ହିଁ ଜୁନାଗଡ ସଙ୍ଘକୁ ପରିଚାଳନା କରୁଥିବା କୁହାଯାଉଛି। ଦେଶ ମାତୃକା ପାଇଁ ତ୍ୟାଗ ଓ ବଳିଦାନ ଦେବାକୁ ଆଗ୍ରହ ଥିବା କେତେକ ଶିକ୍ଷକ ସାମିଲ ହେଉଥିଲେ ହେଁ ଦୀର୍ଘ ବର୍ଷ ହେବା ପରେ ମଧ୍ୟ ଏହାର ପ୍ରସାର ହେଉଥିବା ଭଳି ଦେଖାଯାଉନହିଁ।

ଯେଉଁମାନେ ଜୁନାଗଡ ମଣ୍ଡଳ ସଂଘର ଦାୟିତ୍ବରେ ଅଛନ୍ତି ସେମାନେ ନିଜ ପଦକୁ ଜାବୁଡି ରଖିବା ଉଦ୍ଦେଶ୍ୟରେ କେବଳ ନିଜକୁ ସୁହାଇବା ଭଳି ସମର୍ଥକ ଏବଂ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ଡାକି ଔପଚାରିକ ଭାବେ କାର୍ଯ୍ୟକ୍ରମ ସାରିଦେଉଥିବା ଦେଖାଯାଉଛି। ଯାହା ଫଳରେ ଅନେକେ ସଂଘ ପ୍ରତି ଆକୃଷ୍ଟ ଥିଲେ ହେଁ କାର୍ଯ୍ୟକ୍ରମର ସୂଚନା ପାଇ ପାରୁନାହାନ୍ତି।

ଚାନ୍ଦାକୁ ଗୁରୁତ୍ବ ଦେଇ ଶିଶୁ ମନ୍ଦିର କମିଟି ଗଠନ କରାଯାଉଥିବା ବେଳେ ବିଗତ ଦଶ ବର୍ଷର ହିସାବ ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ଆସିବ ବୋଲି ବହୁ ବୟସ୍କ ସ୍ଵୟମ ସେବକ ନାମ ଗୋପନ ରଖିବା ସର୍ତ୍ତ ରେ ପ୍ରକାଶ କରିଛନ୍ତି।

ବିଗତ ୨୦୧୯ ସାଧାରଣ ନିର୍ବାଚନ ବୁଥ କମିଟି କଥା ବୁଝିବାକୁ କେତେକ ତଥା କଥିତ ସଚ୍ଚୋଟ କାର୍ଯ୍ୟକର୍ତ୍ତା ଦାୟିତ୍ବ ନେଇଥିବା ବେଳେ ସଠିକ ଭାବେ ବୁଝା ଯାଇ ନ ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏପରିକି ବିଗତ ଦିନରେ ଜୁନାଗଡ ଠାରେ ହୋଇଥିବା ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅତି ସ୍ୱଳ୍ପ ସଂଖ୍ୟକ ଲୋକ ଯୋଗ ଦେଇଥିବାରୁ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ।

ସଂଘର ନୀତି ଆଦର୍ଶର ସହିତ ଦେଶ ମାତୃକା ପାଇଁ ତ୍ୟାଗ ତପସ୍ୟା ଓ ବଳିଦାନ ଦେବାକୁ ସ୍ଵୟମ ସେବକ ମାନେ ସର୍ବଦା ତତ୍ପର ଥିବା ବେଳେ କାର୍ଯ୍ୟକର୍ତ୍ତା ମାନଙ୍କ ସଂକୀର୍ଣ୍ଣତା ଯୋଗୁ କଳେବର ବୃଦ୍ଧି ହୋଇପାରୁ ନ ଥିବା ଦେଖା ଯାଉଛି।

ସେହିପରି ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ସହ ସମ୍ପର୍କ ଥିବା ବେଳେ ସେମାନେ ଦଳୀୟ ରଣନୀତିକୁ ନେଇ ଅନ୍ୟମାନେ ସଫଳ ହେଉଥିବା ବେଳେ ବିଜେପି ବେକ ଫୁଟରେ ରହୁଥିବା କୁହାଯାଉଛି। ଜୁନାଗଡ ଠାରେ ଥିବା କାର୍ଯ୍ୟକର୍ତ୍ତା ମାନେ କେବଳ ନିଜ ମନ ମୁତାବକ ଲୋକଙ୍କୁ ସୂଚନା ଦେଉଥିବା ବେଳେ ଅନ୍ୟ ମାନଙ୍କୁ ପୂରାଇ ଦେଉ ନ ଥିବା କୁହାଯାଉଛି।

ଏତେ ବର୍ଷ ହେଲା ଶାଖା ଚାଲିଥିବା କୁହାଯାଉଛି, ବରିଷ୍ଠ କାର୍ଯ୍ୟକର୍ତ୍ତା ଥିବାର କୁହାଯାଉଛି କିନ୍ତୁ ସ୍ଵୟମ ସେବକ ସଂଖ୍ୟା ବଢାଇ ପାରୁ ନ ଥିବା ବେଳେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟଧାରା ପ୍ରତି ପ୍ରଶ୍ନବାଛି ସୃଷ୍ଟି ହେଉଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

‘ଦିଦି ନମ୍ବର ୧’ ଯାକପଟ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ

ଭୁବନେଶ୍ଵର: ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି। କେବଳ ଧାରାବାହିକ ନୁହେଁ ବରଂ ରିଏଲିଟି ସୋ ମାଧ୍ୟମରେ ମଧ୍ୟ ସଫଳତାର ସହ ଆଗକୁ ବଢି ଚାଲିଛି। ସଂପୂର୍ଣ୍ଣ ଓଡିଆ ଜାତି ଓ ଆମ ରାଜ୍ୟର ପ୍ରଥା, ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପିଙ୍କ ଉପସ୍ଥାପନାରେ ‘ଦିଦି ନମ୍ବର ୧’ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ଓ ପହଞ୍ଚିଛି ଯାକପଟ ରାଉଣ୍ଡରେ ଯାହାର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡିର ତୁଲାସା ନାୟକ।

‘ଦିଦି ନମ୍ବର ୧’ ର ଏହି ସିଜିନର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ତୁଲାସା ନାୟକ। ଓଡ଼ିଶାର ୬ଟି ଜିଲ୍ଲାର ୬ ଜଣ ପ୍ରତିଯୋଗୀ ଥିଲେ। ଏହି ରିଏଲିଟି ସୋ ର ଫିନାଲେରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ତୁଲାସା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ ନିଜର କର୍ମମୟ ଓ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଥିଲେ, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ସୋର ଏହି ସିଜନରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ମଧ୍ୟ ନେଇ ଆସିଛି।

ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀମାନେ କହିଛନ୍ତି। ‘ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି କାର୍ଯକ୍ରମ ଏକ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର

ସରପଂଚଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଘଟଣା: ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ନିର୍ବାଚନ କମିଶନଙ୍କ ରିପୋର୍ଟ ତଲବ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ଜୁନାଗଡ଼ ବ୍ଳକ ଅନ୍ତର୍ଗତ କାଲୋପଲା ଗ୍ରାମ ପଂଚାୟତର ସରପଂଚ ଙ୍କୁ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଅଯୋଗ୍ୟ ଘୋଷିତ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ଅଭିଯୋଗକାରିଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ନ ମିଳିବାରୁ ନିର୍ବାଚନ କମିଶନଙ୍କ ଅଦାଲତରେ ଅଭିଯୋଗ ଦାଖଲ କରିବା ପରେ ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲୋପଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜନ୍ମେଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ କରିଥିବା ବେଳେ ମହିଚଳା ବାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସୂତ୍ର ରୁ ମିଳିଥିବା ତଥ୍ୟ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା।

ସେହିପର ଜନ୍ମେଜୟଙ୍କର ଦୁଇ ଗୋଟି ଟ୍ରାକ୍ଟର ଥିବା ବେଳେ ତାହା ସତ୍ୟପାଠରେ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରି ନ ଥିଲେ ବୋଲି ପ୍ରମାଣୀତ ହୋଇଥିଲା। ଏ ସମ୍ପର୍କରେ ପୁର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସରୁ ତଥ୍ୟ ସଂଗ୍ରହ କରି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ପ୍ରାଥମିକ ପ୍ରମାଣ ପାଇବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଦାଲ ରେ ଅଭିଯୋଗ ଦାଖଲ କରିଥିଲେ।

ଜିଲ୍ଲାପାଳ ଜି ପି ଇଲେକ୍ସନ୍ କେଶ ନଂ ୭/୨୨ ଅନୁସାରେ ଉଭୟ ପକ୍ଷଙ୍କ ଶୁଣାଣି କରିଥିଲେ। ଏହା ସହିତ ସମସ୍ତ ସରକାରୀ ଅଫିସରୁ ଜିଲ୍ଲାପାଳ କାଗଜାତ ତଦନ୍ତ କରିବା ପରେ ଗତ ୨୭ ଅକ୍ଟୋବର ଦିନ କଲୋପଲା ଗ୍ରାମପଞ୍ଚାୟତର ସରପଂଚ ଜନ୍ମେଜୟ ସାହୁଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏବଂ ସେ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସରକାର ସ୍ୱାୟତ୍ତ ଶାସନରେ କ୍ଷମତାର ବିକେନ୍ଦ୍ରିକରଣ କରିବା ପାଇଁ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରିଥିବା ବେଳେ ଏଭଳି ଆସାଧୁ ଲୋକଙ୍କ ପାଇଁ ଯୋଗ୍ୟ ବ୍ୟକ୍ତି ମାନେ ସୁଯୋଗ ପାଇ ପାରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜୁନାଗଡ଼ ସମେତ ବିଭିନ୍ନ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଂଚ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ବେଳେ ଅଫିସରମାନେ ରାଜନୈତିକ ପ୍ରଭାବରେ ପଡ଼ି ଏଭଳି ଭାବେ ଅଣଦେଖା କରୁଥିବା ହେତୁ ସଠିକ ବ୍ୟକ୍ତି ରାଜନୀତିରୁ ଦୂରେଇ ରହୁଥିବା ସାଧାରଣରେ ଆଲୋଚନା ହେଉଛି।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୨୫(୧) ଅନୁସାରେ ପ୍ରଶାସନ ଏହି ମିଥ୍ୟା ସତ୍ୟପାଠ ଘଟଣାରେ ଜିଲ୍ଲାପାଳ ଦୃଢ ପଦକ୍ଷେପ ଗ୍ରହଣ କରି ଅଯୋଗ୍ୟ ଘୋଷିତ କରିଥିବା ବେଳେ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅଭିଯୋଗକାରୀଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଦାଲତରେ ଅଭିଯୋଗ କରିଥିବା ଜଣାପଡ଼ିଛି। ନିର୍ବାଚନ କମିଶନ ପତ୍ର ସଂଖ୍ୟା ୧୧୪୦/ତା ୦୮/୦୪/୨୦୨୪ ଯୋଗେ ରିପୋର୍ଟ ତଲବ କରିଥିବା ଜଣା ପଡ଼ିଛି। ଏ ସମ୍ପର୍କରେ ଜୁନାଗଡ ବିଡ଼ିଓ ଙ୍କ ମତାମତ ମିଳି ପାରିନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ପାଞ୍ଚ ଲୋକସଭା ଆସନ ପାଇଁ ସଂଯୋଜକ

ଭୁବନେଶ୍ବର: ଆଜି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ସଂଯୋଜକ ନିଯୁକ୍ତି କରିଛି। ସେମାନେ ହେଲେ

ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ

ଭଦ୍ରକ- ଦେବାଶୀଷ ସାମନ୍ତରାୟ

କେନ୍ଦ୍ରାପଡା- ପ୍ରତାପ ଜେନା

କଳାହାଣ୍ଡି- ସୁଜିତ କୁମାର

ପୁରୀ-ଶୁଭାଶୀଷ ଖୁଣ୍ଟିଆ

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ୮୯ ତମ ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିକଟସ୍ଥ ଜାରିଙ୍ଗ ଠାରେ ନବମ ଭାରତୀୟ ରିଜର୍ଭ ବାଟାଲିୟନ ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।  ଏଥିରେ ମୁଖ୍ୟ ଅତିଥି ଭାବେ ନବମ ଭାରତୀୟ ସଂରକ୍ଷିତ ବାହିନୀ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ ଯୋଗଦେଇ ମିଳିତ ପେରେଡ୍ ର ଅଭିବାଦନ ଗ୍ରହଣ କରିଥିଲେ।

ଆୟୋଜିତ ଭବ୍ୟ ପେରେଡ୍ ରେ ସଶସ୍ତ୍ର ପୋଲିସ୍ ନିରୀକ୍ଷକ ହବେଲାଲ ମାଝୀ ପେରେଡ୍ କମାଣ୍ଡର ଏବଂ ସସସ୍ତ୍ର ପୋଲିସ୍ ନିରୀକ୍ଷକ ବିଜୟ ଓରାମ ସହକାରୀ ପେରେଡ୍ କମାଣ୍ଡର ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୨୩ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଟାଲିୟନ ର ସବ୍ ଇନ୍ସପେକ୍ଟର (ଆର୍ମଡ୍) ପର୍ଶୁରାମ ଦଲେଇ, ସହକାରୀ ଉପ ନିରୀକ୍ଷକ ଶୁଭେନ୍ଦୁ ପଟ୍ଟନାୟକ, ହାବିଲଦାର ମଣି କୁମାର ରାୟ ଏବଂ କନେଷ୍ଟବଳ ସନ୍ତୋଷ କୁମାର ପଣ୍ଡା ଙ୍କୁ ପୁରସ୍କୃତ କରାଯାଇଥିଲା।

ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର ବିଶ୍ବାଳ କାର୍ଯ୍ୟ କ୍ରମ ପରିଚାଳନା କରିଥିଲାବେଳେ ପଦ୍ମଶ୍ରୀ ପଟ୍ଟାୟତ୍ ସାହୁ ତଥା ବାଟାଲିୟନର ବରିଷ୍ଠ ଅଧିକାରୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମହେନ୍ଦ୍ର ଭୋଇ ଓ ଦୁର୍ଯୋଧନ ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ ରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ୭ ଟି କକ୍ଷରେ ଏବଂ ସରକାରୀ ମହାବିଦ୍ୟାଳୟର ୭ ଟି କକ୍ଷରେ,ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ସିଟି ସ୍କୁଲ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ ରେ ଏ ଏଲ ଏମ ଟି ଓ ଡି ଏଲ ଏମ ଟି ରୂପେ ନିୟୋଜିତ ବି ଡି ଓ ,ତହସିଲଦାର ଓ ଅନ୍ୟ ଅଧିକାରୀ ତାଲିମ ପ୍ରଦାନ କରୁଛନ୍ତି।

ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ବୁଥ୍ ପର୍ଯ୍ୟନ୍ତ ଯିବେ, ଇ ଭି ଏମ ଓ ଭି ଭି ପାଟ ମେସିନ୍ ର ସଂଯୋଗ ଓ କାର୍ଯ୍ୟକାରିତା, କଣ୍ଟ୍ରୋଲ ୟୁନିଟ ର ବ୍ୟବହାର,ଭୋଟ ଦାନ ପ୍ରକ୍ରିୟା କୁ ଶୃଙ୍ଖଳିତ, ସେକ୍ଟର ଅଧିକାରୀ ଙ୍କୁ ସୁଚନା ଓ ଯୋଗାଯୋଗ ଉପରେ ବିଶେଷ ତାଲିମ ନେବେ।ଧର୍ମଗଡ ଉପଖଣ୍ଡ ରେ ମୋଟ ୧୪୮୨ ଜଣ ଏବଂ ଭବାନୀପାଟଣା ଉପଖଣ୍ଡ ରେ ମୋଟ ୧୮୫୬ ଜଣ ତିନି ଦିନ ୧୫/୩,୧୬/୩ ଏବଂ ୧୭/୩ ପର୍ଯ୍ୟାୟ କ୍ରମେ ତାଲିମ ନେବେ।

ଆଜି ଧର୍ମଗଡ ଉପଖଣ୍ଡ ରେ ୫୨୨ ଜଣ ଓ ଭବାନୀପାଟଣା ଉପଖଣ୍ଡରେ ୬୯୬ ଜଣ ତାଲିମ ନେଉଛନ୍ତି।ଜିଲ୍ଲାରେ ମୋଟ ୧୪୧୨ ଟି ଵୁଥ ରେ ତାଲିମ ନେଉଥିବା କର୍ମଚାରୀ ଭୋଟ ଗ୍ରହଣ ଦିନ ଭୋଟଦାନ ପ୍ରକ୍ରିୟାକୁ ଶ୍ରୁଙ୍ଖଳିତ ଭାବେ ଦାୟିତ୍ଵ ନିର୍ବାହ କରିବେ।

ଭବାନୀପାଟଣା ଉପଖଣ୍ଡ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ଡ଼ ବିଶ୍ୱଜିତ ଦାସ ,ନିର୍ବାଚନ ସଂଯୁକ୍ତ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଏବଂ ଧର୍ମଗଡ ଉପଖଣ୍ଡ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଧୀମନ ଚକମା ଓ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୁଣାତ୍ମକ ଶିକ୍ଷା ଏବଂ ପ୍ରି -ମେଟ୍ରିକ୍ ସ୍କଲାରସିପ୍ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଏନ୍ ଜି ଓ ମାନଙ୍କୁ ନେଇ ୧୪ ମାର୍ଚ୍ଚ ୨୦୨୪ ରେ ଡି ପି ଏମ୍ ୟୁ ସଭା ଗୃହରେ ଶ୍ରୀକାନ୍ତ ଦଳେଇ, ଡେପୁଟି ଡାଇରେକ୍ଟର, ଡି ପି ଏମ୍ ୟୁ ଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମ ଶାଳାରେ ଅରବିନ୍ଦ ରାୟ, ଡବ୍ଲୁଓ, କଳାହାଣ୍ଡି, ପବିତ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି, ଡାକ୍ତର କୁମୁଦିନୀ ମିଶ୍ର, ଜୀବିକା ଏକସ୍ପଟ, ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ, ଡାଇଟ, ନିହାରିକା ଦେବୀ, ବରିଷ୍ଠ ଶିକ୍ଷକ, ଡାଇଟ, ସୌମେନ୍ଦ୍ର ନାଥ ପଟ୍ଟନାୟକ, ପ୍ରୋଗ୍ରାମର, ବିକ୍ରମ କିଶୋର ରଣା ଓ ଚାର୍ଲସ୍ ଜିମି, ପ୍ରୋଗ୍ରାମ ମାନେଜର, ପିରାମଲ୍ ଫାଉଣ୍ଡେସନ ତରଫରୁ ଉପସ୍ଥିତ ଥିଲେ।

ପିରାମଲ ଫାଉଂଡେସନ ତରଫରୁ ଏହି କର୍ମଶାଳା ଟି ସଚଳା ବାରିକ୍ ଙ୍କ ଦ୍ଵାରା ଚେତନା ଗୀତ ସହ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ତାଙ୍କ ଅଭିଭାଷଣରେ ବାଳିକା ଶିକ୍ଷା, ଗୁଣାତ୍ମକ ଶିକ୍ଷାରେ ଏନ୍ ଜି ଓ ର ଯୋଗଦାନ ସହ ପ୍ରି- ମେଟ୍ରିକ ଛାତ୍ରବୃତ୍ତି ପାଇବାରେ କିପରି ସହାୟକ ହୋଇପାରିବେ ତାହା ଅତି ସୁନ୍ଦର ଭାବରେ ବର୍ଣନା କରିଥିଲେ। ଶ୍ରୀକାନ୍ତ ଦଳେଇ, ଡେପୁଟି କଲେକ୍ଟର, ଏସ୍ ଡି ଜି ଲକ୍ଷ -୪ ବିଶେଷ ଆଲୋଚନା କରିବା ସହିତ କିପରି ତାହାର ସମସ୍ତ ଇଂଡିକେଟରକୁ ୨୦୩୦ ସୁଧା ହାସଲ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ଅରବିନ୍ଦ ରାୟ, ଜିଲ୍ଲା ମଂଗଳ ଅଧିକାରୀ ପ୍ରାକ ଛାତ୍ରବୃତ୍ତି ପାଇ ଆମ ଅଂଚଳର ଅଭାବ ଗ୍ରସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ତାହା ଉପରେ ଆଲୋକପାତ କହିଥିଲେ।

ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଅନୁସୂଚୀତ ଜନଜାତି, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ /ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ, ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଛାତ୍ରବୃତ୍ତି ବ୍ୟବସ୍ଥା ରହିଛି।

ନବମ ଏବଂ ଦଶମ ଶ୍ରେଣୀ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟତା –

୧. ଆବେଦନକାରୀ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)ରେ ଅନ୍ତର୍ଭୁକ୍ତ ଥିବେ।

୨. ଆବେଦନକାରୀ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇଥିବେ।

୩. ଆବେଦନକାରୀଙ୍କ ପାରିବାରିକ ବାର୍ଷିକ ଆୟ ସମସ୍ତ ସୁତ୍ରରୁ ଟ.୨,୫୦,୦୦୦/-ଙ୍କା (ଦୁଇଲକ୍ଷ ପଚାଶ ହଜାର) ରୁ ଅଧିକ ହୋଇନଥିବ।

୪. ଆବେଦନକାରୀ ମାନେ ବୈଧ UDISE CODE ପ୍ରାପ୍ତ ସରକାରୀ କିମ୍ବା ମାନ୍ୟତା ପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ପୁର୍ଣ କାଳୀନ ଭିତିରେ ଅଧ୍ୟୟନରତ ଥିବେ।

୫. ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ) ଛାତ୍ରଛାତ୍ରୀମାନେ କେବଳ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ହିଁ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଆବେଦନ ପ୍ରକ୍ରିୟା ୧୫ ଡ଼ିସେମ୍ବର ୨୦୨୩ ରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କ ମାଧ୍ୟମରେ ଆରମ୍ଭ ହୋଇଛି।

ଆବଶ୍ୟକୀୟ ନଥିପତ୍ର –

୧. ଆଧାର କାର୍ଡ
୨. ଜାତି ପ୍ରମାଣ ପତ୍ର
୩. ଆୟ ପ୍ରମାଣ ପତ୍ର ( ଟ. ୨,୫୦,୦୦୦ ରୁ କମ),
୪. ଆଧାର ସଂଯୋଗ ବ୍ୟାଙ୍କ ଖାତା

ବୃତ୍ତିରାଶି ହାର (ଟଙ୍କାରେ) (ବାର୍ଷିକ)

ଅନୁସୂଚୀତ ଜନଜାତି ବର୍ଗ ଦିବାଧ୍ୟାୟୀ -୩୦୦୦ ଏବଂ ଅନ୍ତେବାସୀ ୬୨୫୦
ଅନୁସୂଚୀତ ଜାତି ବର୍ଗ ଦିବାଧ୍ୟାୟୀ -୩୫୦୦ ଏବଂ ଅନ୍ତେବାସୀ ୭୦୦୦

ଅନ୍ୟାନ୍ୟ ପଛୁଆ ବର୍ଗ / ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ- ୪୦୦୦

ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)- ४००० ଅଭିଭାବକ ଏବଂ ଲୋକ ମାନଙ୍କର ସଚେତନତା ବଢିଲେ ଛାତ୍ର ଛାତ୍ରୀମାନେ ଅଧିକରୁ ଅଧିକ ଛାତ୍ରବୃତ୍ତି ଆବେଦନ କରିପାରିବେ ବୋଲି ଆଶା ପୋଷଣ କରାଯାଇଥିଲା। ତେଣୁ ଏଦିଗରେ ସବୁ ଏନ୍ ଜି ଓ ମାନଙ୍କୁ ନିବେଦନ କରାଯାଇଛି କି ସେମାନେ ଏହି ବିଷୟରେ ଅଧିକ ଅଧିକ ଲୋକଙ୍କ ସଚେତନ କରାଇବେ।

ଶେଷରେ ରିକେତା କୁମାରୀ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କର୍ମଶାଳା ଶେଷ କରାଯାଇଥିଲା।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ବିଜେପି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟ, ଜାଣନ୍ତୁ କାରଣ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି କଳାହାଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ଦଳ ଆଗକୁ ଯାହା ଦାୟିତ୍ୱ ଦେବ ତାହାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସମିତି ସଭ୍ୟ ସନ୍ତୋଷ ଦାଶ, ନଳିନୀ ମାଝୀ, ଗୀତା ସାହୁ, ଦାମ ଧରୁଆ, ତିଳୋତ୍ତମା ଜାଲ, ବଲବୀ ନାୟକ, ବିଦ୍ୟାଧର ହଞ୍ଜା, ସାଧବୀ ମାଝୀ, ଶୁକ୍ରୁ ମାଝୀ, ଜଗମୋହନ ମାଝୀ, ଗୋପାଳ ରଣା, ଟେକରାଜ ସାହୁ, ନୀଳେନ୍ଦ୍ରି ଝଙ୍କାର, ଜନନୀ ବେମଳ, ସୁମନ୍ତ ପାଢ଼ୀ, ଜଗଦୀଶ, ପୁର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ସାହୁ, ମେମ୍ବର ଜଗଦୀଶ ଭୋଇ, ବେଲାସେନ ଜାନୀ, ମନୋଜ ଜାନ, ପରମେଶ୍ୱର ଝଙ୍କାର, ବିଶ୍ୱନାଥ ମାଝୀ, ଘାସୀ ମାଝୀ, ଦୟା ବେମଲ, ଜନନୀ ବେମଲଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇ ଥିଲ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟ ବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି କଳା, ସଂସ୍କୃତି ଓ ଐତିହ୍ୟ ତଥା ପରମ୍ପରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିବା ଆଦିବାସୀ, ଜନଜାତିର ଅସ୍ମିତା ଓ ଆତ୍ମସମ୍ମାନ ରକ୍ଷା କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ, ଏ ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ସଶକ୍ତ ଆଦିବାସୀ ସମାଜ ଗଠନ ସହିତ ସମୃଦ୍ଧ ରାଜ୍ୟ ଗଠନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଜି ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପି. ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସ୍ବର୍ଣ୍ଣ ଚମ୍ପା ମାଝୀ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ହଲବା ସମାଜର ଜିଲ୍ଲା ସଭାପତି ସହଦେବ ନେଗୀ, ବିଞ୍ଝାଲ ସମାଜ ସଭାପତି ସମ୍ପଦ ବରିହା, କନ୍ଧ ସମାଜର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ଭତ୍ରା ସମାଜର ସଭାପତି କୈଳାସ ଚନ୍ଦ୍ର ମାଝୀ, ମିର୍ଦ୍ଧା ସମାଜର ସଭାପତି ସ୍ୱୟଂମ୍ବର ମିର୍ଦ୍ଧା, ଧ୍ରୁବଗଣ୍ଡ ସମାଜର ସଭାପତି ଜଗମୋହନ ମାଝୀ, ଗଣ୍ଡ ସମାଜର ସଭାପତି ପଦ୍ମନ ପାତ୍ର, ଆଦିବାସୀ ସଙ୍ଘର ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଋତୁରାଜ ମାଝୀ, ବଂଜାରା ସମାଜର ସଭାପତି ଲଳିତ ନାଏକ ଏହି ଅବସରରେ ମଂଚାସୀନ ଥିଲେ। ଜିଲ୍ଲା ଯୋଜନା ସମ୍ମନ୍ଵୟ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ସଭା ପରିଚାଳନା କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଆଦିବାସୀ ଜନଜାତି ସମୁହର ବହୁସଂଖ୍ୟକ ନେତୃ ସ୍ଥାନୀୟ ପୁରୁଷ, ମହିଳା ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ଆରମ୍ଭ ହେବାକୁ ଥିବା ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀଗୃହରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ନିହାରେନ୍ଦ୍ର ପଣ୍ଡା, ସି ଡି ଓ ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ, ଡି ପି ଏଚ ଓ ଡ ରାକେଶ ସାହୁ, ଡି ଏମ ଓ ଡ ରଂଜନ ମିତ୍ର, ଏ ଡି ପି ଏଚ ଓ ଡ ମୋନୋ ମାଝୀ, ଡି ଆଇ ପି ଆର୍ ଓ ମନୋଜ ବେହେରା ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷା ବିଭାଗ, ସମନ୍ଵିତ ଶିଶୁ ବିକାଶ ବିଭାଗ, ପରିବହନ ବିଭାଗ, ସମାଜ ମଙ୍ଗଳ ବିଭାଗ, ବିଦ୍ୟୁତ ବିଭାଗ, ସମାଜସେବୀ ସଂଗଠନର କର୍ମୀମାନେ ଯୋଗ ଦେଇଥିଲେ।

ଭାରତ ବର୍ଷ ଆଜି ଏକ ପୋଲିଓ ମୁକ୍ତ ଦେଶ ଅଟେ କିନ୍ତୁ କେତେକ ଦେଶରେ ଏବେବି ପୋଲିଓ ରୋଗୀ ଜନ୍ମ ହେଉଛନ୍ତି ତାହା କେବେ ବି ଆମ ଦେଶ ରେ ଦେଖାଦେଇପାରେ। ସମ୍ପୂର୍ଣ୍ଣ ପୋଲିଓ ନିରାକରଣ ପାଇଁ ଜିଲ୍ଲାରେ ମାର୍ଚ୍ଚ ମାସ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ୦ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସମସ୍ତ ବୁଥ ମାନଙ୍କ ରେ ମାର୍ଚ୍ଚ ୩ ତାରିଖ ଏବଂ ମୋବାଇଲ ଟିମ୍ ଓ ଘରକୁ ଘର ଯାଇ ଅଙ୍ଗନବାଡ଼ି କର୍ମୀ ଓ ନିୟୋଜିତ କର୍ମଚାରୀ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଗସ୍ତ କରିବେ। ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଦିଆଯିବ।

ଏହି ଅଭିଯାନର ବିଶେଷ ପ୍ରଚାର ପ୍ରସାର ପାଇଁ ଲିଫ୍ଲେଟ୍, ପୋଷ୍ଟର ସହ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା, ବୁଥ ମାନଙ୍କରେ ସବିଶେଷ ବ୍ୟବସ୍ଥା, ଟୀକା ପରିବହନ ବ୍ୟବସ୍ଥା, ମନିଟରିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା। ଡବ୍ଲୁ ଏଚ ଓ ମେଡ଼ିକାଲ ଅଧିକାରୀ ଡ ଶ୍ୟାମ ଆଡପା ପିପିଟି ମାଧ୍ୟମରେ ଗୃହରେ ସମସ୍ତ ବିଷୟ ରେ ତଥ୍ଯ ରଖିଥିଲେ ଓ ଜିଲ୍ଲାପାଳ ଏହି ଅଭିଯାନ କୁ ସଫଳ କରିବାପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ କୁ ଗୁରୁତ୍ଵ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାରେ ୫ଟି ଉପକ୍ରମରେ “ଆମ ହସ୍ପିଟାଲ” ଯୋଜନା ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪.୩୦ ମି ସମୟରେ “ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲାକୁ ସାମିଲ କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। “ଆମ ହସ୍ପିଟାଲ” ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪ ଟି ହସ୍ପିଟାଲ ମୂଖ୍ୟ ଡାକ୍ତରଖାନା, ଭବାନୀପାଟଣା, ସରକାରୀ ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, ଜୁନାଗଡ ଏବଂ ବିଶ୍ୱନାଥ ପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସାମିଲ କରି ରୁପାନ୍ତିକରଣ କରାଯାଇଛି।

ଏହି ଚାରିଟି ରୂପାନ୍ତରଣ ଡାକ୍ତରଖାନା ମାନଙ୍କରେ ପଞ୍ଜିକରଣ କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ସହାୟତା କେନ୍ଦ୍ର, ରୋଗୀଙ୍କ ଅପେକ୍ଷା ଗୃହ, ଶୌଚାଳୟ , ପାର୍କିଂ ବ୍ୟବସ୍ଥା, ପିଇବା ପାଣି, ମିଶନ ଶକ୍ତି କଫେ, ଏଲ୍ଇଡି ବ୍ୟବସ୍ଥା, କର୍ମଚାରୀ ମାନଙ୍କ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା, ଆଇ ଭି ଆର୍ ପଦ୍ଧତିରେ ରୋଗୀଙ୍କ ମତାମତ ସଂଗ୍ରହ ସହ ଧର୍ମଗଡ଼ ଏମସିଏଚ କୋଠାର ସମ୍ପୂର୍ଣ୍ଣ ଓ ଅନ୍ୟ ବିଭାଗର ମରାମତି ଓ ନୂତନ କୋଠା ର ନିର୍ମାଣ ସହ ରୁପାନ୍ତିକରଣ କରାଯାଇଛି। ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ନିଜ ବକ୍ତବ୍ୟ ରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ, ମେଡିକାଲ କଲେଜ, କ୍ୟାନ୍ସର ହସପିଟାଲ ଉଲ୍ଲେଖ କରି ଜିଲ୍ଲାବାସୀ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ର ସୁଯୋଗ ପାଉ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ସୂଚେତା ପାଣି, ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ଏ ଡି ପି ଏଚ ଓ ଡ ରଞ୍ଜନ ମିତ୍ର, ଡ ନିହାରେନ୍ଦ୍ର ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା ,ସହରର ବିଶିଷ୍ଟ ବ୍ୟକ୍ତି,ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଏସ ଏ ଚ ଜି ଓ ମିଶନ ଶକ୍ତି ମା ସଭ୍ୟା, ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ, ଜନ ସାଧାରଣ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ସହର ଓ କଳାହାଣ୍ଡି ଲାଞ୍ଜିଗଡ଼ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋପାଳପଲ୍ଲୀ ଠାରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିଥିଲା। ସଚେତନତା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଗୁଣ୍ଡରି ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଥିଲା। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଥିଲେ। ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଯାତ୍ରା ରହଣୀ ସ୍ଥଳରେ ସ୍ବାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନର ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୩୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୦୬ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଜଣ ଙ୍କୁ ସହାୟତା ମଞ୍ଜୁର କରାଯାଇଥିଲା।

ସଦର ବ୍ଲକର ରିଶି ଗାଁ ପଞ୍ଚାୟତର ତପସ୍ଵିନୀ ବାଗଙ୍କୁ ୫୦୦୦ ଟଙ୍କା ଏବଂ ନିଲା ଦେଇ ଙ୍କୁ ୨୦୦୦ ଟଙ୍କା, କୋକସରା ବ୍ଲକ ଆମପାଣିର ବୈଜନ୍ତି ସୁନଙ୍କୁ ୫୦୦୦ ଟଙ୍କା, ଜୁନାଗଡ଼ ବ୍ଲକର ଛୋରିଆଗଡ ଗ୍ରାମର ସଚ୍ଚିଦାନନ୍ଦ ନାଏକଙ୍କୁ ୫୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବିଜେପିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ, ବ୍ୟାକଫୁଟ ରେ ସାଂସଦ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ଭାରତୀୟ ଜନତା ପାର୍ଟିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସେଥିରେ କଳାହାଣ୍ଡି ସାଂସଦ ପଦସ୍ତ ହେଉଥିବାର ଦେଖାଯାଉଛି। ସଂଗଠନକୁ ତୃଣମୂଳ ସ୍ତରରେ କିପରି ମଜବୁତ କରାଯାଇ ପାରିବ ଓ ଲୋକସମ୍ପର୍କ କିପରି ସୁଦୃଢ ହେବ ସେ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ କର୍ମୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି।

ଗତ ୨୦୧୯ ରେ ନିର୍ବାଚିତ ହେବା ପରେ ନିଜକୁ ନୂଆପଡ଼ା- କଳାହାଣ୍ଡି ସାଂସଦ ବୋଲି ପରିଚୟ ଆରମ୍ଭ କରିଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ଅଣ ଦେଖା କରୁଥବା ଏପରିକି ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ତଥା ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ମାନଙ୍କୁ ଚିହ୍ନି ନ ଥିବା ବେଳେ ନିର୍ବାଚନ ପାଖକୁ ଆସିଥିବାରୁ ଏବେ ସାଙ୍ଗଠନିକ ସଭା କରିବା କେତେ ଦୂର ସଠିକ ବୋଲି କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।

ନିଜର ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଅଲୋଡା ହେବା ପରେ ରାଜ୍ୟ ସଭାପତି ଥିବା ହେତୁ ନିଜର ରାଜନୈତିକ ପତିଆରା ବଜାୟ ରଖିବା ନିମନ୍ତେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ସଂସଦୀୟ କ୍ଷେତ୍ରକୁ ବାଛି ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନାମରେ ଭୋଟ ପାଇ ଜିତିଯିବା ପରେ କେବଳ ହାତ ଗଣତି କିଛି ନିକଟ ସମ୍ପର୍କୀୟ ମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଧରାଛୁଆ ଦେଉନଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ସାଙ୍ଗରେ ନେଇ କଳାହାଣ୍ଡି ବିଜେପି ସଙ୍ଗଠନକୁ ଦୁର୍ବଳ କରିଦେଇଥିବା ଚର୍ଚ୍ଚା ହେଉଛି।

ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସାଂସଦ କର୍ମୀ ମାନଙ୍କ କଥା ବୁଝୁ ନ ଥିବା ହେତୁ ଏବଂ ସାଂସଦ ନିଜ ସମର୍ଥକଙ୍କୁ ଜିଲ୍ଲା ସଭାପତି କରାଇଥିବା ବେଳେ ସେ ମଧ୍ୟ ସାଂସଦଙ୍କ କଥାରେ ଉଠ ବସ ହେଉଥିବା ହେତୁ କର୍ମୀ ମାନେ ଏକପ୍ରକାର ମୁରବି ଶୂନ୍ୟ ହୋଇ ପଡିଥିବା ଆଲୋଚନା ହେଉଥିଲା।

ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାତ ଗୋଟି ବିଧାନସଭା କ୍ଷେତ୍ରରୁ କେବଳ ଭବାନୀପାଟଣା ବିଧାନ ସଭାରେ ପ୍ରଦୀପ୍ତ ନାୟକ ନିଜସ୍ବ ପାତୀୟାରାରେ ବିଜେପିରୁ ନିର୍ବାଚିତ ହୋଇଥିବା ବେଳେ ସାଂସଦଙ୍କ ନିଜସ୍ବ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡ଼ି ଜୟତୀ ଥିବା ହେତୁ ସାଂସଦଙ୍କ ଲୋକପ୍ରିୟତା ସ୍ପଷ୍ଟ ଜଣାପଡ଼ୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଏପରିକି ୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଧାୟାକ ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ୍ଚ ଦେଇ ନ ଥିବା ଏବଂ ଜନୈକ ପ୍ରାର୍ଥୀଙ୍କୁ ଘର ଡିହ ବଦଳରେ ଟିକଟ ଦେଇ ଥିବାର ଅଭିଯୋଗ ହୋଇଥିବା ବେଳେ ସେହି ଅଭିଯୋଗକୁ ବସନ୍ତ ପଣ୍ଡା ଖଣ୍ଡନ କରିଛନ୍ତି। ତଥାପି ମଧ୍ୟ କର୍ମୀ ମହଲରେ ଅସନ୍ତୋଷ ଲାଗି ରହୁଥିବା ଦେଖା ଯାଉଛି।

କର୍ମୀ ମାନଙ୍କୁ ସାଙ୍ଗରେ ନେବାରେ ବସନ୍ତ ବିଫଳ ହେଉଥିବା ଏବଂ କଥା କଥାରେ ଗାଳି ଗୁଲାଜ କରୁଥିବା, କୌଣସି ସମସ୍ୟାର ସମାଧାନ ପାଇଁ କହିଲେ ତୁମେ ଅନ୍ୟ ଦଳର ଲୋକ ହୋଇଥିବ ବୋଲି କହିବା, ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡାଙ୍କ ଭବାନୀପାଟଣା କାର୍ଯ୍ୟକ୍ରମରେ ଖାଇବାକୁ ବନ୍ଦୋବସ୍ତ କରି ନ ପାରି ହୋଟେଲରୁ ଖାଇବା ଆଣିବାରୁ ଅତିଥି ମାନେ ନ ଖାଇ ଚାଲିଯିବା ଆଦି ଘଟଣା ଯୋଗୁ ବସନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଉପରେ କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେବଳ ମୋଦୀ ହାୱା ରେ ଥରେ ସିନା ନିର୍ବାଚନୀ ବୈତରଣୀ ପାର ହୋଇଗଲେ ଆଗକୁ କିପରି ପାରି ହେବେ ସେହି ଆଶାରେ ଶେଷ ମୂହୁର୍ତ୍ତ ରେ ସାଙ୍ଗଠନିକ ସଭାରେ ଯୋଗ ଦେବା ନିଷ୍ଫଳ ପ୍ରୟାସ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ ଦେବାଦେବୀଙ୍କ ଉପରେ ପ୍ରଗାଢ ବିଶ୍ବାସ ରଖୁଥିବା ସାଂସଦ ବସନ୍ତ ପଣ୍ଡା ଗୁରୁ ଗୁଣିଆ ମାଧ୍ୟମରେ ନିଜର ଓ ନିଜ ସମର୍ଥକଙ୍କ ପାଇଁ ବିଧାନ ସଭା ଟିକଟ ଆଣିବା ସହିତ ନିର୍ବାଚନ ବୈତରଣୀ ମଧ୍ୟ ପାରି ହୋଇଯିବେ ବୋଲି ମଧ୍ୟ ଆଲୋଚନା ହେବାରେ ଲାଗିଛି।

Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ଆଖି ବୁଜିଲେ ଗଜରାଜ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଉତ୍ତର ବନ ଖଣ୍ଡ ନର୍ଲା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ସେକ୍ସନର ଗନ୍ଧରବାରୁର ଏକ କପା ବିଲରେ ଗୋଟିଏ ଦନ୍ତା ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଗୁରୁବାର ରାତିରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀଟିକୁ ଚିକିତ୍ସା କରିଥିଲେ।

ହେଲେ ବନ ବିଭାଗର ଶତ ପ୍ରଚେଷ୍ଟା ସତ୍ତ୍ୱେ କାମ ଦେଲାନି ବନ ବିଭାଗର ପ୍ରୟାସ। ମୃତ୍ୟୁ ସହ ସଂଗ୍ରାମ କରୁଥିବା ଗଜରାଜ ଶେଷରେ ଆଖି ବୁଜିଦେଲେ। ବନ ବିଭାଗ ଅଧିକାରୀଙ୍କୁ ହାତୀଟିର ଅସୁସ୍ଥତାର କାରଣ ପଚାରିବାରୁ ବୁଧବାର ରାତିରେ ଦୁଇ ହାତୀଙ୍କ ମଧ୍ୟରେ ଲଢ଼େଇ ପରେ ଏହି ହାତୀଟି ଆହତ ହୋଇଛି। ହାତୀଟିର ବେକ ପାଖରେ ଆଘାତ ଲାଗିଥିବା ପ୍ରକାଶ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଦକ୍ଷିଣ ଓ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ବନବିଭାଗ ପଦାଧିକାରୀ ଏବଂ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ହାତୀଟିର ଚିକିତ୍ସା କରାଯାଉଥିଲା। ଶୁକ୍ରବାର ସକାଳେ ହାତୀ ଅଚେତ ଅବସ୍ଥାରେ ପଡିରହିଥିଲା ବେଳେ ଚିକିତ୍ସା ଦେବା ପରେ ତା’ର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିଲା। ହେଲେ ଶନିବାର ଭୋର ପ୍ରାୟ ଦୁଇଟା ବେଳେ ହାତୀଟି ଆଖି ବୁଜିଦେଇଥିବା ଜଣା ପଡ଼ିଛି। ମୃତ ହାତୀଟିକୁ ବ୍ୟବଚ୍ଛେଦ କରାଯିବା ପରେ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ତାକୁ ପୋତି ଦିଆଯିବ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନସମର୍ଥନ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାର ବୋରିଗୁମ୍ମା ବ୍ଲକ୍‌ ଶଶାହାଣ୍ଡି ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ। ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପଞ୍ଜୀକରଣ କରାଯାଇଥିଲା। ସ୍ଥାନୀୟ ଲୋକମାନେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଯାତ୍ରାର ସଚେତନତା ରଥ ଜିଲ୍ଲାର କୋଣଅନୁକୋଣରେ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛି। ଜିଲ୍ଲାର କୋରୁକୋଣ୍ଡା ବ୍ଲକ୍‌ ପୋଟ୍ରେଲ ଠାରେ ଆୟୋଜିତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠନୀକରଣ ଯୋଜନା, ପୋଷଣ ଅଭିଯାନ ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଏକ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ସେମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍‌ ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ସଚେତନତା ବାହନକୁ ବିପୁଳ ସ୍ୱାଗତ କରାଯାଇଥିଲା। ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ସଚେତନତା ପୁସ୍ତିକା ମଧ୍ୟ ବିତରଣ କରାଯାଇଥିଲା। ସେହିପରି ଊଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଗ୍ୟାସ୍‌ ବିତରଣ କରାଯାଇଥିଲା। କିଛି ହିତାଧିକାରୀ ଯୋଜନାର ଲାଭ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଥିଲେ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ବାଉରୀପଡ଼ା ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସହାୟତା ମଧ୍ୟ ବିତରଣ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଜନାର୍ଦ୍ଦନପୁର ଠାରେ ମଧ୍ୟ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ହିତାଧିକାରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହିତ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ସାଧାରଣ ଲୋକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଶପଥ ପାଠ କରିଛନ୍ତି। ଏହି ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ ସେମାନଙ୍କୁ ସହାୟତା ମଧ୍ୟ ବିତରଣ କରାଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ସୁନିଶ୍ଚିତ କରିବା ଲାଗି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ୨୫ ଜାନୁଆରୀ ୨୦୨୪ରେ ସମାପନ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ଜାଲ ନୋଟ କାରବାର, ୩ ଗିରଫ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଞ୍ଚଳରେ ଜାଲ ନୋଟ କାରବାରରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି। ବୋର୍ଡା ବଜାର ନକଲି ନୋଟ ଦେଇ ଜିନିଷ କିଣୁଥିବାର ଖବର ପାଇ ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ବଜାରକୁ ଯାଇ ଜାଲ ନୋଟ ଦେଇ ସାମଗ୍ରୀ କିଣୁଥିବା ସମୟରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ତିନି ଜଣ ହେଲେ ବୋର୍ଡା ଗ୍ରାମର କାହ୍ନା ମହାପାତ୍ର, ରଜନାପୁର ଗ୍ରାମର ମଣ୍ଟୁ ଚନ୍ଦନ ଓ କୁସୁମସିଲ ଗ୍ରାମର ସନ୍ତୋଷ ଭୋଇ। ଏହି ତିନି ଜଣ ସନ୍ତୋଷ ଭୋଇଙ୍କ ଘରରେ ଏକ ପ୍ରିଣ୍ଟର ରଖି ନକଲି ନୋଟ ପ୍ରିଣ୍ଟ କରୁଥିଲେ। ଏହି ୩ ଜଣଙ୍କୁ କେଗାଁ ଥାନାକୁ ଆଣି ତଦନ୍ତ କରାଯାଇଥିବା ବେଳେ ଏହି ତିନିଜଣ ଠାରୁ ପୋଲିସ ୭ ହଜାର ୩୦୦ ଟଙ୍କା ଜବତ କରିଥିବା ନୋଟ ଛାପିବାରେ ବ୍ୟବହୃତ ପ୍ରିଣ୍ଟରକୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି।

ଏସଂକ୍ରାନ୍ତରେ କେଗାଁ ଥାନା କେସ ନମ୍ବର ୨୬୩/୨୦୨୩ ରେ ଏକ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧାନ ଧାରା ୨୯୪, ୪୬୮, ୪୮୯(କ), ୪୮୯(ଖ),୪୮୯(ଗ), ୪୮୯(ଘ), ୫୦୬, ୩୪ ଅନୁଯାୟୀ ଆଜି ତିନି ଜଣଙ୍କୁ କୋର୍ଟ ଚଲାଣ କରାଯାଇଥିବା କେଗାଁ ଥାନା ଆଇଆଇସି ମୁକୁନ୍ଦ ନାଏକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡିରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ହିଲ ଟାଉନ୍ ୭ ନମ୍ବର ଗଲିରେ ରାଜ୍ୟର ୮୬ ତମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ଏକ ଉତ୍ସବରେ ଭବାନୀ ପାଟଣା ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ବର୍ଷୀୟାନ ସାମ୍ବାଦିକ, ପୂର୍ବତନ ମନ୍ତ୍ରୀ, ସାଂସଦ, ଲେଖକ ଓ ଗବେଷକ ରାସ ବିହାରୀ ବେହେରା ମୂଖ୍ୟ ଅତିଥି ଓ ବ୍ରହ୍ମପୁରରୁ ପ୍ରକାଶିତ ସର୍ବ ପୁରାତନ ସାପ୍ତାହିକ “ନବୀନ” ର ସମ୍ପାଦକ ରବି ରଥ ଓ କଳାହାଣ୍ଡି ସିଡିଏ ସଭାପତି ତଥା ରାଜ୍ୟ ସଂଯୋଜକ ଅଶୋକ କୁମାର୍ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ଦୱା ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ପ୍ରିୟ ରଞ୍ଜନ ମହାନ୍ତି ଏହି ଅବସରରେ ଜେନେରିକ ଔଷଧ ସେବନ ଦ୍ଵାରା ସେବନକାରୀ ୯୦ ପ୍ରତିଶତ ଅର୍ଥ ସଞ୍ଚୟ କରି ପାରିବା ସହ ଉନ୍ନତ ଓ ସୁରକ୍ଷିତ ଔଷଧ ସହ ବଜାରରେ ଉପଲବ୍ଧ ଔଷଧ ଠାରୁ ବହୁ କମ ଦାମରେ ଔଷଧ ଗୁଡ଼ିକ ପାଇ ପାରିବେ ବୋଲି ପ୍ରକାଶ କରିଥିଲେ। ଔଷଧ ଦୋକାନ ମାଲିକ ପ୍ରତ୍ୟୁଷ କୁମାର୍ ପଟ୍ଟନାୟକ ଅତିଥି ମାନଙ୍କୁ ଫୁଲତୋଡ଼ା ସ୍ଵାଗତ କରିଥିଲେ।

କଳାହାଣ୍ଡି ପରି ଜିଲ୍ଲାରେ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଖୋଲିବା ଫଳରେ ଜିଲ୍ଲାର ନିୟମିତ ଔଷଧ ସେବନ କରୁଥିବା ଜନ ସାଧାରଣ ଉପକୃତ ହେଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ପଟୱନ୍ତ୍ ସିଂହ ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ଅତିଶୀଘ୍ର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଜୁନାଗଡ଼ରେ ମଧ୍ୟ ଦୁଇଟି ଜେନେରିକ ଔଷଧ ବିତରଣ କେନ୍ଦ୍ର ଖୋଲାଯିବ ବୋଲି ଆଞ୍ଚଳିକ ମ୍ୟାନେଜର ସୂଚନା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାତି ଅଧିଆ ଇନ୍ଦ୍ରାବତୀ କେନାଲ ରାସ୍ତା କାର୍ଯ୍ୟ ମରାମତି, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଯୋଜନାରେ ବାମ ମୁଖ୍ୟ କେନାଲରୁ ବାହାରିଥିବା ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରାସ୍ତାର ମରାମତି କାର୍ଯ୍ୟ ରାତି ଅଧିଆ କରାଯାଉଥିବା ଦେଖା ଯାଇଛି। ସୋମବାର ସକାଳୁ କ୍ରଶର ଗୁଣ୍ଡ ମିଶା ଗେଟୀ ପକାଇ ଦେବା ପରେ ରୋଲର ବୁଲାଇ ଦିଆ ଯାଇ ଥୁକ ପାଳିଶ କରି ଦେଇଥିବା ଅଭିଯୋଗ ହେଉଛି।

ସୋମବାର ରାତି ରେ ପିଚୁ କାମ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇ ସନ୍ଧ୍ୟା ହେବା ପରେ ଅନ୍ଧାର ରାତି ୭ ଟା ସମୟରେ ହାଇୱା ଯୋଗେ ପିଚୁ ଅଣାଯାଇ ଉକ୍ତ ରାସ୍ତାରେ ପିଚୁ କାମ କରାଯାଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଠିକାଦାର ଯେନତେନ ପ୍ରକାରେ ରାତି ଅଧିଆ କାମ ସାରି ଦେବାକୁ ବ୍ୟବସ୍ଥା କରୁଥିବା ପ୍ରକାଶ।

ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଠିକାଦାର ଏଭଳି ଭାବେ ରାତି ଅଧିଆ କାମ କରିବା ନିଶ୍ଚିତ ପକ୍ଷେ ନିମ୍ନ ମାନର ହୋଇଥାଇ ପାରେ ବୋଲି ଜନସାଧାରଣରେ ଅଭିଯୋଗ ହେଉଛି। ଏସମ୍ପର୍କରେ ରାଜ୍ୟ କ୍ଵାଲିଟି ନିୟନ୍ତ୍ରଣ ବିଭାଗ ଦ୍ବାରା ନିରପେକ୍ଷ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Categories
ବିଶେଷ ଖବର

ଆମ ଓଡିଶା ନବୀନ ଓଡିଶା: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ କଳାହାଣ୍ଡି ଜିଲ୍ଲାର  ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି  ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୁନାଗଡ, ଲାଞ୍ଜିଗଡ, ନର୍‌ଲା, ଧର୍ମଗଡ, ଭବାନିପାଟଣା।  ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକ୍‌‌ର ୩୧୦ଟି  ଗ୍ରାମ ପଞ୍ଚାୟତରେ ୪୬୭୮ଟି ପ୍ରକଳ୍ପ ହେବ। ସେହିପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୪.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଡାବୁଗାଁ, ନବରଙ୍ଗପୁର, ଉମରକୋଟ, ଝରିଗାଁ। ଏଥିରେ ୧୦ଟି ବ୍ଲକ୍‌ର ୧୮୯ଟି   ଗ୍ରାମପଞ୍ଚାୟତରେ ୨୯୪୨ଟି ପ୍ରକଳ୍ପ କରାଯିବ।

ଆଜିର କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ଓ ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଗାଁଗୁଡିକ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର। ଗାଁର ଲୋକମାନେ ହିଁ ନୂଆ ଓଡିଶାର ପରିଚୟ ସୃଷ୍ଟି କରିବେ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏହି ପାଳିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ରୂପାନ୍ତରର ଯୁଗ ଆରମ୍ଭ କରିବା ସହିତ ମା’ ମାନଙ୍କୁ ୫ଟି ସୁନ୍ଦର ଉପହାର ଦେଉଛନ୍ତି।

– ୫ ଟଙ୍କାରେ ଆହାର,

– ମମତା ଯୋଜନାରେ ଗର୍ଭବତୀ ମା’ ମାନଙ୍କୁ ୫ ହଜାର ଟଙ୍କା ସହାୟତା,

– ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ ମାନଙ୍କୁ ୫ ଟଙ୍କାରେ ପାଇଁ ବସରେ ଯିବାଆସିବାର ସୁବିଧା,

– ମିଶନ ଶକ୍ତିରେ ମା’ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ,

– ତା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ମା’ ମାନଙ୍କ ପାଇଁ ଆଉ ଅଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଲମପୁର ଓ ଜୁନାଗଡ ବ୍ଲକରେ ହାତୀ ନଦୀର ବାମ ପାର୍ଶ୍ୱ ବନ୍ଧର ସୁଦୃଢିକରଣ ପାଇଁ ୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଜୁନାଗଡ ମା’ ଲଙ୍କେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗୋଟିଏ କଲେଜ ଓ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତର ସାମିଲ। ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୦.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପ୍ରସିଦ୍ଧ ମା’ ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ନିକଟରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା’ ମାଣିକେଶ୍ୱରୀଙ୍କ ନାମରେ  ନାମିତ କରିଛନ୍ତି। ଥୁଆମୂଳ-ରାମପୁର ଜଗନ୍ନାଥ ମନ୍ଦିର, ପିପଳନଳାଠାରେ ପର୍ଯ୍ୟଟନ ବିକାଶ, ରାବଣଧାରା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଭଟଙ୍ଗପଦର ଓ କାଚଲେଖାଠାରେ ୧୨୦ ଆସନ ବିଶିଷ୍ଟ ୩ଟି ହଷ୍ଟେଲ ନିର୍ମାଣ କରାଯିବ। ଏଥିପାଇଁ ୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ନର୍‌ଲା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ସହିତ ତୁଳାପଡାଠାରେ ଏକ ST Girls Hostel ରହିଛି। ଏହା ସହିତ ଉତେଇ ମୁଖ୍ୟ କେନାଲର Service Roadର ଉନ୍ନତିକରଣ ଏବଂ ରିଷିଡା ଦିଷ୍ଟି  UIPର Service Roadର ଉନ୍ନତିକରଣ ପାଇଁ ୫.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଆମପାଣି ବୁଢାରାଜା ମନ୍ଦିର, ଧର୍ମଗଡ ମା’ ଭଣ୍ଡାରଘରଣୀ ମନ୍ଦିର ଓ କରକ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ। ଧର୍ମଗଡ ଯଶୋଦା ଆଶ୍ରମ ହଷ୍ଟେଲ ପାଇଁ ୩.୨୧ କୋଟି ଟଙ୍କା, Town Hall ପାଇଁ ୨.୭୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଅନେକ ସ୍କୁଲ ଓ କଲେଜ ମଧ୍ୟ ରହିଛି। ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ୧.୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ଡିସେମ୍ବର ସୁଦ୍ଧା ସରିବ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ଉଚ୍ଚ ଶିକ୍ଷା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସେହିପରି ଭବାନିପାଟଣା ମହିଳା କଲେଜ କାମ ମଧ୍ୟ ଡିସେମ୍ବର ସୁଦ୍ଧା ସରିବ। ଭବାନିପାଟଣା ଆଶାସାଗର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ ପାଇଁ ୬.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ କାର୍ଲାପଡାରେ ୧୨୦ ଆସନ ବିଶିଷ୍ଟ ST Girls Hostel ପାଇଁ ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପରି କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୬.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁଚ୍ଛାଗୁଡାଦେଇ ଏକୋରି ପର୍ଯ୍ୟନ୍ତ ରାସ୍ତା ଉପରେ ସେତୁ କରିବା ପାଇଁ ୮.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୩ ହଜାର ୫୦୦ ଲୋକ ଉପକାର ପାଇବେ। ସେହିପରି ନୂଆଗୁଡାଠାରେ ଏକ ସେତୁ ପାଇଁ ୫.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୪୩୧୮ ଲୋକ ଉପକାର ପାଇବେ। ପାପଡାହାଣ୍ଡି- ଉମରକୋଟ ରାସ୍ତା ତୁରିନାଳ ଉପରେ ସେତୁ ପାଇଁ ୭.୧୪ କୋଟି ଟଙ୍କା, ୫ ଲକ୍ଷ ଲୋକ ଉପକାର ପାଇବେ।

ଏହା ସହିତ ଅନେକ ସେତୁ, ସଡକ ଓ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଝରିଗାଁ ନିର୍ବାଚନ ମଣ୍ଡଳୀରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୧.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଚନ୍ଦାହାଣ୍ଡିରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୬୧.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୧୧ ହଜାର ଚାଷୀ ଉପକାର ପାଇବେ। ସେହିପରି ଝରିଗାଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୫ ହଜାର ଚାଷୀ ଉପକାର ପାଇବେ। ଚନ୍ଦନଧାରା ଓ ଭୈରଘୁମର ଜଳପ୍ରପାତରେ ୨ଟି ପର୍ଯ୍ୟଟନ ପ୍ରକଳ୍ପ ହେବ, ଏଥିରେ ପ୍ରାୟ ୮୦ ହଜାର ଲୋକ ଉପକୃତ ହେବେ। ଭାସ୍କେଲ ନଦୀ ଉପରେ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ କରାଯିବ, ଏହା ଦ୍ୱାରା ୫୦ ହଜାର ଲୋକ ଉପକାର ପାଇବେ। ସେହିପରି ମା’ ବିଦ୍ରୀ ମନ୍ଦିରର ଉନ୍ନତିକରଣ ଓ ଅନେକ ସ୍କୁଲ କଲେଜ ରହିଛି।

ଉମରକୋଟ ନିର୍ବାଚନ ମଣ୍ଡଳୀରେ  ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭାକେଲ ଡ୍ୟାମ ଉପରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୫.୬୭ କୋଟି, ପୋଡାଗଡ ପ୍ରସିଦ୍ଧ ଶୈବ ପୀଠ ଓ ଐତିହାସିକ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ୨ଟି ପ୍ରକଳ୍ପ ଦ୍ୱାର ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ସେହିପରି ନାୟକଗୁଡାରୁ ପିତିସିଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କା, ଭାସ୍କେଲ ଡ୍ୟାମର ତଳପଟେ ପିଲାଙ୍କ ପାର୍କ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ  ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩.୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନବରଙ୍ଗପୁର ପୌରାଞ୍ଚଳରେ ୪ଟି ବହୁମୂଖୀ କମ୍ୟୁନିଟି ହଲ୍‌ ପାଇଁ ୩.୮୩ କୋଟି, ମାଙ୍ଗରାଡୋରା ଜଳପ୍ରପାତ ପର୍ଯ୍ୟଟନ ଭିତ୍ତି ପାଇଁ ୩.୨୦ କୋଟି, ମାଣ୍ଡାଡୋଗରି ଶୈବକ୍ଷେତ୍ର ଉନ୍ନତି ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ସବୁ ପ୍ରକଳ୍ପ ଦ୍ୱରା ୨ ଲକ୍ଷରୁ ଅଧିକ ଲୋକ ଉପକରା ପାଇବେ। ନବରଙ୍ଗପୁର କଲେଜ ଓ ମଡେଲ ଡିଗ୍ରୀ କଲେଜ ଉନ୍ନତିକରଣ ସହିତ ମା’ ଭଣ୍ଡାରଘରଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ମଧ୍ୟ ନିଆଯାଇଛି। ନବରଙ୍ଗପୁରର ଲାଖ କାରିଗରଙ୍କ ପାଇଁ ଏକ କଞ୍ଚାମାଲ ବ୍ୟାଙ୍କ ମଧ୍ୟ କରାଯିବ। ଏହା ଦ୍ୱାର ୨୦୦ କାରିଗର ପରିବାର ଉପକାର ପାଇବେ। ଏହି ପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୮.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହିପରି ୨ଟି ଜିଲ୍ଲାରେ ସମୁଦାୟ ୭୫ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୦୫.୪୧ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଧାୟକ ପ୍ରଦୀପ କୁମାର ଦିଶାରି, ବିଧାୟକ ଭୂପିନ୍ଦର ସିଂ, ବିଧାୟକ ମୌସଧି ବାଗ, ବିଧାୟକ ମନୋହର ରନ୍ଧାରି, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବିଧାୟକ ସଦାଶିବ ପ୍ରଧାନୀଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

ଜୁନାଗଡରେ ଉପସ୍ଥିତ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଲେ ଯେ କଳାହାଣ୍ଡିରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଆଦି ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ଶିକ୍ଷାର ବିକାଶ ଜରିଆରେ ଜିଲ୍ଲାକୁ ମା ସରସ୍ୱତୀକୁ ଆଣିଛନ୍ତି। ପୂର୍ବରୁ ଇନ୍ଦ୍ରାବତୀ ଜରିଆରେ ମା ଗଙ୍ଗାଙ୍କୁ ଆଣିଛନ୍ତି ଏବଂ ନିକଟରେ  ପରିବହନ ବ୍ୟବସ୍ଥାରେ ମା ଲକ୍ଷ୍ମୀଙ୍କୁ ମଧ୍ୟ ଆଣିଛନ୍ତି। ଏବେ କଲାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦେବୀଙ୍କ ଆଶୀର୍ବାଦ ମିଳିଛି। ନର୍‌ଲାରେ ଉପସ୍ଥିତ ବିଧାୟକ ଭୂପିନ୍ଦର ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ କହନ୍ତି କଳାହାଣ୍ଡି ତାଙ୍କ ହୃଦୟରେ ଅଛି। ଆଜି ସେ ତାହା କାର୍ଯ୍ୟରେ କରି ଦେଖାଇଛନ୍ତି।

ନବରଙ୍ଗପୁର ଝରିଗାଁରେ ଉପସ୍ଥିତ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଅନ୍ୟ ବିଧାୟକମାନେ କହିଥିଲେ ଯେ ୫-ଟି ଅଧ୍ୟକ୍ଷ ଜିଲ୍ଲାଗସ୍ତ ସମୟରେ ଆମର ଯେଉଁ ସବୁ ପ୍ରସ୍ତାବ ନେଇଥିଲେ ସେସବୁ ମାତ୍ର ୭ଦିନ ଭିତରେ ସମାଧାନ ହୋଇଗଲା। ଏଭଳି ଅନୁଭବ ଆମ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଓ ବିରଳ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।