Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ତଳ ମୁହାଁ ସଂକ୍ରମଣ, ବଢୁଛି ସୁସ୍ଥହାର, ଆସନ୍ତାକାଲି ଦିଆଯିବ ୭ଶହ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଲଗାତାର ଭାବେ ନିମ୍ନଗାମୀ ହେଉଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୬ ଜଣ, ଚିଲିକା ବ୍ଲକରେ ୧୨ ଜଣ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୫ ଜଣ, ଚିଲିକା ବ୍ଲକରୁ ୧୨ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୪ ଜଣ, ଚିଲିକା ବ୍ଲକରେ ୬୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ଚାଲୁ ରହିବ। ବାଣପୁର ମାଇନର ସ୍କୁଲ, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସନ୍ତାକାଲି ୧୦୦ ଗୋଟି ଲେଖାଏଁ ୪୦୦ ଟି ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିଭଳି ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଈରୀ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଗୋଟି ଲେଖାଏଁ ୩୦୦ ଟି ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକାରେ ଟୀକାକରଣ: ଜାଣନ୍ତୁ କେବେ, କେଉଁଠି ଏବଂ କେତେଜଣଙ୍କୁ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ବ୍ୟବଧାନପରେ ପୁଣି ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଚିଲିକା ନିର୍ବାଚନମଣ୍ଡଳୀରେ ଟୀକାକରଣ। ତେବେ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନେ କେବଳ ପ୍ରଥମ ଡୋଜ ଟୀକା ନେବେ। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କେତେଜଣଙ୍କୁ ଟୀକା ଦିଆଯିବ:

ଆସନ୍ତା ସୋମବାର (ମଇ ୨୪) ଏବଂ ମଙ୍ଗଳବାର (ମଇ ୨୫) ରେ ସକାଳ ୬ ଘଟିକାରୁ ବାଣପୁର ମାଇନର ସ୍କୁଲ, ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସୁନାଖଳା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣ ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ଅନୁରୂପ ଭାବେ ଗୁରୁବାର(ମଇ ୨୭) ଏବଂ ଶୁକ୍ରବାର (ମଇ ୨୮) ରେ କେବଳ ବାଣପୁର ମାଇନର ସ୍କୁଲ ରେ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିପରି ଆସନ୍ତାକାଲି ସୋମବାର (୨୪ ମଇ) ଜରିପଡ଼ା ଏବଂ ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ବାଲୁଗାଁରେ ଟୀକାକାରଣ ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ ଯେ, ବାଣପୁରରେ ଆସନ୍ତା ସପ୍ତାହ ପାଇଁ ଆଗୁଆ ଟୀକାକରଣ ସୂଚୀ ଜାରି ହୋଇଥିବା ବେଳେ ବାଲୁଗାଁରେ କେବଳ ଆସନ୍ତାକାଲି ପାଇଁ ତଥ୍ୟ ମିଳିଛି। ସାମ୍ଭାବ୍ୟ ବାତ୍ୟା ଯୋଗୁଁ ବାଲୁଗାଁ ଉଚ୍ଚବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଛି। ତେଣୁ ସେଠାରେ ଟୀକାକରଣ ବନ୍ଦ ରହିବ। ଏବଂ ଆଗାମୀ ଟୀକାକରଣର ସବିଶେଷ ତଥ୍ୟ ପରେ ଜାରି କରାଯିବ ବୋଲି ବାଲୁଗାଁ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଗତକାଲି ଚିଲିକାରେ ଅନୁଷ୍ଠିତ ହେଲା ରେକର୍ଡ ସଂଖ୍ୟାରେ ବିବାହ: ଅମାନିଆ ଗଣିଲେ ମୋଟା ଅଙ୍କର ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ରେକର୍ଡ ସଂଖ୍ୟକ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବାଣପୁର ଏବଂ ବାଲୁଗାଁ ଥାନା ଅଧୀନରେ ଥିବା ଅଞ୍ଚଳଗୁଡିକରେ ସର୍ବମୋଟ ୯୮ ଗୋଟି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ ତନ୍ମଧ୍ୟରୁ କେବଳ ବାଣପୁର ଥାନା ଅଧୀନସ୍ଥ ଅଞ୍ଚଳରେ ୮୪ ଗୋଟି ବିବାହ ଅନୁଷ୍ଠିତ ହୋଇଛି।

ତେବେ ପ୍ରାୟତଃ ସବୁ ସ୍ଥାନରେ କୋଭିଡ଼ ଗାଇଡଲାଇନ ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ କେତେକ ସ୍ଥାନରେ ଗାଇଡଲାଇନର ଖୋଲାଖୋଲି ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା।

ସେଥିପାଇଁ ଗତକାଲି ଦିନ ଏବଂ ରାତି ତମାମ ଉକ୍ତ ଅଞ୍ଚଳଗୁଡିକରେ ଉଭୟ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ପୋଲିସ ପ୍ରଶାସନର ମିଳିତ ଚଢ଼ାଉ ଜାରି ରହିଥିଲା।   କାର୍ଯ୍ୟାନୁଷ୍ଠାନସ୍ୱରୂପ ଉଲଂଘନକାରୀଙ୍କଠାରୁ ଉଭୟ ପ୍ରଶାସନ ମିଳିତ ଭାବେ ୨୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିବା ସହ ୧ଟି ମାମଲା ମଧ୍ୟ ରୁଜୁ ହୋଇଛି।

ସେଥିମଧ୍ୟରୁ ବାଣପୁର ତହସିଲ ଏବଂ ପୋଲିସ ୨୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଥିବାବେଳେ ଚିଲିକା ତହସିଲ ଏବଂ ବାଲୁଗାଁ ପୋଲିସ ୫ ହଜାର ଜରିମାନା ଆଦାୟ କରିଛି। ଏ ନେଇ ଉଭୟ ତହସିଲଦାର ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଗତକାଲି କୋଭିଡ ନିୟମ ଉଲଂଘନ ବାବଦକୁ ବାଲୁଗାଁ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନା ଏବଂ ଫାଣ୍ଡି ଅଞ୍ଚଳରୁ ୭୯ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ତନ୍ମଧ୍ୟରୁ ଅମାନିଆଙ୍କଠାରୁ ୨୪ ହଜାର ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୫୫ ହଜାର ଜରିମାନା ଆଦାୟ ହୋଇଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ବ୍ୟବସାୟ

ବାଣପୁର, ବାଲୁଗାଁରେ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଯୋଗାଣ ବିଭାଗ ଆଖିରେ କଳା ପଟି

ସୀତାରାମ ଅଗ୍ରୱାଲ

ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି।

ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଲାଭ କରିବା ଆଶାରେ ଗରିବ ଲୋକର ପେଟକୁ ଲାତ ମାରିବା କେତେଦୂର ଗ୍ରହଣୀୟ?

ତେବେ ଏଠି ଯୋଗାଣ ବିଭାଗର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଚିଲିକା ଏବଂ ବାଣପୁର ବ୍ଲକରେ ଦୁଇ ଜଣ ଯୋଗାଣ ନିରୀକ୍ଷକ ଅବସ୍ଥାପିତ ହୋଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର କଳାବଜାରୀ ସେମାନଙ୍କ ଦୃଷ୍ଟିକୁ ନଆସିବା ଅତ୍ୟନ୍ତ ଚିନ୍ତାଜନକ।  ଅଭିଯୋଗ ହେଉଛି କି ଯୋଗାଣ ବିଭାଗର ନାକତଳେ ଏ ସବୁ ଅସାଧୁ କାର୍ଯ୍ୟ ଜାରିରହିଥିବା ସ୍ଥଳେ ଜାଣିଶୁଣି ଯୋଗାଣ ବିଭାଗ ଚୁପ ରହୁଛି।

ଆସନ୍ତା ଶନିବାର ଠାରୁ ଦୁଇ ଦିନ ଯାଏଁ ସଟ ଡ଼ାଉନ ହେବାକୁ ଥିବା ବେଳେ ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖୁଲମଖୁଲା ଜାରି ରହିବ। ତେବେ ଏଠି ଦେଖିବାକୁ ବାକି ରହିଲା ବାଣପୁର ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଏଦିଗରେ କେବେ ଏବଂ କି ପଦକ୍ଷେପ ନେବେ?

Categories
ଆଜିର ଖବର ଆଞ୍ଚଳିକ

ଆସନ୍ତାକାଲି ଆଠ ଘଣ୍ଟା ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଆଠ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୯ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର କେବଳ ସୋରଣ, କଳକଳେଶ୍ୱର ଏବଂ ଜରିପଡ଼ା ପଞ୍ଚାୟତ‌କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପରିଚାଳନା ବୈଠକ: ନିୟମ ଉଲଂଘନ କଲେ ରୁଜ୍ଜୁ ହେବ ମାମଲା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସଭାଗୃହ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀର କୋଭିଡ଼ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ ଦାସ ପଟ୍ଟନାୟକ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ ଅଶୋକ ବେଉରିଆ ବୈଠକରେ ସାମିଲ ଥିଲେ।

ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଲଗାତାର କୋଭିଡ ପଜିଟିଭ କେସ ବଢ଼ୁଥିବାରୁ ଏହାକୁ ଏହାକୁ ଆୟତ୍ତ କରିବା ଉପରେ ଉଭୟ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଥିଲେ। ଆସନ୍ତାକାଲିଠାରୁ ସମଗ୍ର ନିର୍ବାଚନମଣ୍ଡଳୀରେ କୋଭିଡ଼କୁ ଆୟତ୍ତ କରିବା ପାଇଁ ନୂତନ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲପାଳ ସୂଚନା ଦେଇଛନ୍ତି।

ସେଗୁଡିକ ହେଲା କୋଭିଡ ଟେଷ୍ଟିଙ୍ଗ(ଆରଟିପିସିଆର) ବଢ଼ାଯିବ, ୪୫ ବର୍ଷରୁ ଉର୍ଦ୍ଧ୍ଵ ଦୋକାନୀ, ଶିକ୍ଷକ ଏବଂ ସେବାୟତମାନଙ୍କୁ ଟୀକାକରଣରେ ପ୍ରାଥମିକତା ଦିଆଯିବ, ମେଡ଼ିକାଲରେ ଟୀକାଦାନ ପ୍ରକ୍ରିୟାକୁ ସରଳିକରଣ ଏବଂ ଶୃଙ୍ଖଳିତ କରାଯିବ, ଗାଁ ସ୍ତରୀୟ କୋଭିଡ ମ୍ୟାନେଜମେଣ୍ଟ କମିଟି ଗୁଡିକୁ ପୁନଃ ସକ୍ରିୟ କରାଯିବ, ସରପଞ୍ଚ ମାନଙ୍କୁ ସଚେତନତା ଦାୟିତ୍ୱ ଦିଆଯିବ, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା, ପଣା ସଂକ୍ରାନ୍ତି କେବଳ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ, ଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ବାଧ୍ୟତାମୂଳକ ଏବଂ ସର୍ବୋପରି ତହସିଲ, ପୋଲିସ ଏବଂ ଏନଏସି ପ୍ରଶାସନ ଦ୍ୱାରା ଏନ୍ଫୋର୍ସମେଣ୍ଟ କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଦୋକାନ ସମ୍ମୁଖରେ ଗୋଲ ଚି଼ହ୍ନ ବୁଲେଇବେ, ସମସ୍ତେ ମାସ୍କ ପରିଧାନ କରିବେ। ଯଦି କେହି କୋଭିଡ ନିୟମ ଉଲଂଘନ କରେ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ତାଙ୍କ ନାମରେ ଏପିଡେ଼ମିକ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଣପୁର ତହସିଲଦାର ମନ୍ମଥ ବେହେରା, ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏବିଡ଼ିଓ ଚିଲିକା ଅପରାଜିତା ସ୍ୱାଇଁ, ସିଡ଼ିପିଓ ବାଣପୁର ବିଦ୍ୟୁତପ୍ରଭା ରଥ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଥାନା ଏଏସଆଇ ଦିଲ୍ଲୀପ ବିଶ୍ୱାଳ, ଉମାମହେଶ୍ୱର ବ୍ୟବସାୟୀ ସଂଘ ସଭାପତି ରବି ନାରାୟଣ ନାୟକ, ମାଛ ବ୍ୟବସାୟୀ ସଂଘ ସଭାପତି ଜୟନ୍ତ ସ୍ୱାଇଁ, ସମ୍ପାଦକ ବିଜୟ ପାଢ଼ୀ, କାଳିଜାଇ ମୋଟର ବୋଟ ଆସୋସିଏସନ ସଭାପତି ଲଷ୍ମୀଧର ତରେଇ, ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ଆନ୍ତର୍ଜାତିକ ମହିଳା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଆନ୍ତର୍ଜାତିକ ମହିଳା ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ.ଏ.ସି ର ସମସ୍ତ ମହିଳା ସଂଘଗୁଡିକର ମିଳିତ ଆନୁକୁଲ୍ୟରେ ଉକ୍ତ ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏନ୍ଏସିର ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ଵ ମହିଳାମାନେ ସ୍ଥାନୀୟ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ କଲ୍ୟାଣମଣ୍ଡପ ଠାରେ ଏକତ୍ରିତ ହୋଇ ଉକ୍ତ ଦିବସ ପାଳନ କରଥିଲେ। ମହିଳା ମାନଙ୍କ ଦ୍ୱାରା ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତାରୂପେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବାଲୁଗାଁ ଶାଖାର ମୁଖ୍ୟ ଭଉଣୀ ବି. କେ ସରିତା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ବାଲୁଗାଁ ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଆକୃତି ଗୋଏଙ୍କା ଯୋଗଦେଇଥିଲେ।

ସମସ୍ତ ଅତିଥିମାନେ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିବା ସହ କରୋନା କଟକଣାକୁ ମାନି ଚଳିବା ପାଇଁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲୁଗାଁ ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ମିଶ୍ର, ଚିଲିକା ବ୍ଲକ ସାଂସଦ ପ୍ରତିନିଧି ରମେଶ ମହାପାତ୍ର, ବାଣପୁର ବ୍ଲକ ବିଜେଡି ସମ୍ପାଦକ ସୁକାନ୍ତ ଭୋଳ, ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପରିଡା, ସୁକାନ୍ତ ମାଝୀ, ଅକ୍ଷୟ ରଣସିଂହ ଏବଂ ଯୁବ ସଂଗଠକ ରଂଜିତ ସାହୁ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ଓଡିଶା ବନ୍ଦ ଡାକରାକୁ ସଫଳ କଲେ କଂଗ୍ରେସ କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଦେଶରେ ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଏହା ସହିତ ଏଲପିଜି ଗ୍ୟାସ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଏନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ତେବେ ଓଡିଶାରେ ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା।

ତୈଳ ଓ ଏଲପିଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ସାଙ୍ଗକୁ ଦିଗହରା ହେଉଥିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଓଡ଼ିଶାସୀମାନ୍ତରେ ପଶି ଆନ୍ଧ୍ର ନିର୍ବାଚନ କରିବା ଭଳି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିଲା। ସକାଳ ୭ ଟାରୁ ଆରମ୍ଭ ହୋଇଥିବା ବନ୍ଦ ଦିନ ଗୋଟାଏ ଯାଏଁ ଚାଲିଥିଲା।

ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ଖୋର୍ଦ୍ଧା ଜିଲ୍ଲା ଉପସଭାପତି ପ୍ରଦିପ କୁମାର ସ୍ବାଇଁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିଭିନ୍ନ ସ୍ଥାନରେ ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ।

ଏହି ସମୟରେ ବନ୍ଦକୁ ସଫଳ କରିବାପାଇଁ ସେମାନେ ଲୋକମାନଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା। ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ସହ ଦୋକାନ ବଜାର, ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଥିଲା। ତେଣୁ କହିବାକୁ ଗଲେ ଉକ୍ତ ନିର୍ବାଚନ ମଣ୍ଡଳୀରେ ମୋଟାମୋଟି ଭାବେ ବନ୍ଦର ସକାରାତ୍ମକ ପ୍ରଭାବ ପ୍ରତିଫଳିତ ହୋଇଛି। ନିର୍ବାଚନ ମଣ୍ଡଳୀର ଜନସାଧାରଣ ସ୍ଵତଃ ପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ କରି ଉକ୍ତ ବନ୍ଦକୁ ସଫଳ ରୂପାୟନ କରିଥିବାରୁ ଚିଲିକା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଶ୍ରୀ ସ୍ୱାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା ନିର୍ବାଚନମଣ୍ଡଳୀରେ ୨୮୩ ଜଣ ଆଗଧାଡିର କୋଭିଡ ଯୋଦ୍ଧା ନେଲେ କରୋନା ଟିକା

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା କାଳରେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇଥିବା ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କୁ ଆଜି ସାରା ରାଜ୍ୟରେ  କରୋନା ଟିକା ପ୍ରଦାନ କରାଯାଉଛି। ପ୍ରଥମ ପର୍ଯାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ଟିକାକରଣରେ ସାମିଲ କରାଯାଇଥିବାବେଳେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଆଗଧାଡିର କୋଭିଡ ଯୋଦ୍ଧାମାନେ କରୋନା ଟିକା ନେଉଛନ୍ତି।

ଏହି  ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଉକ୍ତ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଅଛି। ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମେ ଚିଲିକା ବ୍ଲକ କାର୍ଯ୍ୟାଳୟ ସୁରକ୍ଷାକର୍ମୀ ପବିତ୍ର କୁମାର ପ୍ରଧାନ ଟିକା ନେବା ପରେ ଅନ୍ୟ ଅଧିକାରୀମାନେ ଯଥା ଚିଲିକା ବିଡ଼ିଓ,ଏବିଡ଼ିଓ, ତହସିଲଦାର, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଆଦି କୋଭିଡ଼ ଟିକା ନେଇଥିଲେ।

ତେବେ ଚିଲିକାରେ ଆଜି ସମୁଦାୟ ୧୦୮ଜଣ କରୋନା ଯୋଦ୍ଧା ଟିକା ନେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ବାଲୁଗାଁ ଏନ.ଏ.ସି, ବାଲୁଗାଁ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ରହିଯାଇଥିବା ଅବଶିଷ୍ଟ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଡ. ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁରର ନେହେରୁ ସେବା ସଂଘ ସମେତ ଗମ୍ଭାରୀମୁଣ୍ଡା ଏବଂ ନୀଳାଦ୍ରିପ୍ରସାଦରେ ଏକାକାଳୀନ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା ଟିକା ନେବା ପରେ ଅନ୍ୟ ଅଧିକାରୀମାନେ ଯଥା ବାଣପୁର ଏବିଡ଼ିଓ, ଅଗ୍ନିଶମ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଏନ.ଏ.ସି କର୍ମଚାରୀ, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ପୋଲିସ ଗୃହରକ୍ଷୀମାନେ  ଏବଂ  ଅଗ୍ନିଶମ ବିଭାଗର କର୍ମଚାରୀମାନେ କୋଭିଡ ଟିକା ଗ୍ରହଣ କରିଥିଲେ।

ତେବେ ବାଣପୁରରେ ୯୭ ଜଣ, ଗମ୍ଭାରୀମୁଣ୍ଡାରେ ୭0 ଜଣ, ନୀଳାଦ୍ରିପ୍ରସାଦ ରେ ୧୦ ଜଣ ଏଭଳି ସମୁଦାୟ ୧୭୭  ଜଣ କରୋନା ଯୋଦ୍ଧାମାନେ ଆଜି ଟିକା ନେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ବିଭିନ୍ନ ବିଭାଗର  ରହିଯାଇଥିବା ଅବଶିଷ୍ଟ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଡ଼ା ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ସରବରାହ ବନ୍ଦ ରହିବ: ଜାଣନ୍ତୁ କେଉଁ ଅଞ୍ଚଳ ଏଥିରୁ ବାଦ୍ ପଡ଼ିବ

  • ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଛଅ  ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନର   ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ଜାଣନ୍ତୁ କେଉଁ ଅଞ୍ଚଳରେ ବିଦ୍ୟୁତ ସରବରାହ ଚାଲୁ ରହିବ ଏବଂ କେଉଁ ଅଞ୍ଚଳରେ ୬ ଘଣ୍ଟା ପାଇଁ ବନ୍ଦ ରହିବ:

୧- ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି-

(କ) ଦାମିଆ ବରବରା ପଞ୍ଚାୟତ

(ଖ) ନୀଳାଦ୍ରି ପ୍ରସାଦ ପଞ୍ଚାୟତ

(ଗ) ତୋରସିଂହ ପଞ୍ଚାୟତ

(ଘ) ଭେଟେଶ୍ଵର ପଞ୍ଚାୟତ

(ଙ) ନନ୍ଦପୁର ପଞ୍ଚାୟତ

(ଚ) ଗାଲୁଆ ପଞ୍ଚାୟତ

(ଛ) ଗମ୍ଭାରିମୁଣ୍ଡା ପଞ୍ଚାୟତ

(ଜ) ଆୟତପୁର ପଞ୍ଚାୟତ

(ଝ) କୁଲେଇ ପଞ୍ଚାୟତ

(ଞ) ନାଚୁଣୀ ପଞ୍ଚାୟତ

ଏହି ସବୁ ପଞ୍ଚାୟତକୁ ବାଦ ଦେଇ ଅନ୍ୟ ସବୁ ପଞ୍ଚାୟତରେ ବିଦ୍ୟୁତ ସରବରାହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ସହ ବାଣପୁର ବିଜ୍ଞପିତ ଅଞ୍ଚଳର ସମସ୍ତ ୱାର୍ଡରେ  ବିଦ୍ୟୁତ ସରବରାହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ।

୨- ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି:

(କ) ନଇରୀ ପଞ୍ଚାୟତ

(ଖ) ବଉଳାବନ୍ଧ ପଞ୍ଚାୟତ

(ଗ) ହରିପୁର ପଞ୍ଚାୟତ

(ଘ) କଳକଳେଶ୍ଵର ପଞ୍ଚାୟତ

(ଙ) ସୋରଣ ପଞ୍ଚାୟତ

ଏହି ୫ ଟି ପଞ୍ଚାୟତକୁ ବାଦ ଦେଇ ବାକି ସମସ୍ତ ପଞ୍ଚାୟତରେ ଆସନ୍ତାକାଲି ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ସେହିପରି ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଏହି ସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀ ରେ ଚାରି ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି  ଚିଲିକା ବ୍ଲକ୍‌ର ସୋରଣ ଓ ଚଣ୍ଡେଶ୍ବର ପଞ୍ଚାୟତ‌ ବାଦ୍‌ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ

ଅକ୍ଟୋବର ଶେଷ ସୁଦ୍ଧା ବାଣପୁର ଏବଂ ଚିଲିକାକୁ କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବାକୁ ଲକ୍ଷ୍ୟ: ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଭିଡ଼ିଓ କନଫରେନ୍ସ ଦ୍ୱାରା ଦୁଇଗୋଟି ପର୍ଯ୍ୟାୟରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବି.ଡ଼ି.ଓ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। କୋଭିଡକୁ ପ୍ରତିହିତ କରିବା ପାଇଁ ଆଜି ଯାଏଁ ନିଜ ନିଜ ପଞ୍ଚାୟତରେ କରିଥିବା କଠିନ ପରିଶ୍ରମ ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ଚିଲିକା ବ୍ଲକରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲପାଳ ଉଭୟ ବ୍ଲକର ଚାରି ଜଣ ସରପଞ୍ଚଙ୍କ ସହ ପ୍ରତ୍ୟେକ୍ଷ ଭାବେ କୋଭିଡ ପରିଚାଳନା ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ମତାମତ ଏବଂ ଅଭିଯୋଗ ମଧ୍ୟ ଗ୍ରହଣ କରିଥିଲେ। କଣ୍ଟେନମେଣ୍ଟ କଡ଼ାକଡ଼ି, ଷ୍ଟିକରିଂ, ସବୁ ଗ୍ରାମରେ ସି.ଏମ.ସି ବୈଠକ, କରୋନା ସଚେତନତା କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜିଲ୍ଲାପାଳ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଧୀରେ ଧୀରେ କରୋନା ଆୟତ୍ତକୁ ଆସିଲାଣି ଏବଂ ଯଦି ଏ ସବୁ ନିୟମ କଡାକଡି ଭାବେ ପାଳନ କରାଯାଏ ତାହାଲେ ଆଗାମୀ ଦିନରେ ଚିଲିକାରେ ଜ଼ିରୋ କୋଭିଡ କେସ ଲକ୍ଷ ପୂରଣ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ବାଣପୁର ବ୍ଲକ କୁ ଅକ୍ଟୋବର ୨୦ ଏବଂ ଚିଲିକା ବ୍ଲକକୁ ଅକ୍ଟୋବର ୩୧ ସୁଦ୍ଧା କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏଥିଲାଗି ଆଉ କିଛି ଦିନ ଉଭୟ ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧି ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିଲେ।

ପରିଶେଷରେ ଜିଲ୍ଲାପାଳ ପ୍ରତି ଗ୍ରାମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, କଡା ଆଇସୋଲେସନ ବ୍ୟବସ୍ଥା କରିବା ଏବଂ କୋଭିଡରୁ ସୁସ୍ଥ ହୋଇଥିବା ୧୮-୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ନେଇ ଉତ୍ସହିତ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ। ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ବାଣପୁର ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଉକ୍ତ ବୈଠକକୁ ପରିଚାଳନା କରିଥିଲେ।

 

Categories
ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀର ଏହି ସବୁ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବା ନେଇ ସୂଚନା ମିଳିଛି। ବାଣପୁର ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଚିଲିକା ବ୍ଲକର କିଛି ଗ୍ରାମଗୁଡିକରେ ଆଜିଠାରୁ ଅକ୍ଟୋବର ୨୫ ଯାଏଁ ପର୍ଯ୍ୟାୟକ୍ରମେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏ ନେଇ ସୂଚନା ଦେଇଛନ୍ତି ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଇଲେକ୍ଟ୍ରିକ ଡିଭିଜନ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ର।

ବାଣପୁର ୧ ଏବଂ ବାଣପୁର ୨ ଫିଡ଼ର ଅଧୀନରେ ଥିବା ସବୁ ଗ୍ରାମ ଏବଂ ସହରରେ ଆଜିଠାରୁ ଦିନେ ଛଡା ଦିନେ ଅକ୍ଟୋବର ୨୫ ଯାଏଁ ସକାଳ ୭ ଘଟିକାରୁ ୧୧ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ଫିଡ଼ରର ରକ୍ଷଣାବେକ୍ଷଣ ବିଶେଷକରି ଗଛ ଡାଳ କଟାଯିବା ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାତ୍ର। ଏବଂ ଅଗାମୀଦିନରେ ବାଣପୁରରେ ନିରବଚ୍ଚିନ୍ନ ବିଦ୍ୟୁତ ପ୍ରବାହ ଜାରି ରଖିବାକୁ ହେଲେ ଏହିପରି ଉନ୍ନତମାନର ମରାମତି କାର୍ଯ୍ୟ ଜରୁରୀ ବୋଲି ଶ୍ରୀ ପାତ୍ର କହିଛନ୍ତି। ସେଥିପାଇଁ  ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି।

ଅପରପକ୍ଷରେ ଏ ନେଇ ବାଣପୁର ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଅଛି ବୋଲି ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଇଲେକ୍ଟ୍ରିକ ଡିଭିଜନ ଏସ.ଡ଼ି.ଓ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

ପର୍ଯ୍ୟାୟକ୍ରମେ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ଗ୍ରାମ ଏବଂ ସହର

ବାଣପୁର-୧ ଫିଡ଼ର

ତେନ୍ତୁଳିଡିହ ଗ୍ରାମ, ସୁନାକେରା ଗ୍ରାମ, ବାଲିପଦର ଗ୍ରାମ, ନିମିଖେତା ଗ୍ରାମ, ବେଲପଡା ଗ୍ରାମ, ଦୋଳମୁଣ୍ଡାଇ ଗ୍ରାମ, ସରନଇ ଗ୍ରାମ, ଆଙ୍କୁଲା ଗ୍ରାମ, ବଡକୁଳ ଗ୍ରାମ, ନୂଆଗଡ ଗ୍ରାମ, ବିଷ୍ଣୁଡିହ ଗ୍ରାମ, ପାରିକଂସାରୀ ଗ୍ରାମ, କୋତରି ଗ୍ରାମ ଏବଂ ପାଇକକୋସଡିହ ଗ୍ରାମ।

ବାଣପୁର-୨ ଫିଡ଼ର

ଗୋପୀନାଥପୁର, ଅଲାଇଡିହ, ଅନ୍ତରକିଆରୀ, ନନ୍ଦପୁର, ପ୍ରତାପ, କୁମାରାଙ୍ଗ, ରାଣୀପଡ଼ା, ପୁଞ୍ଜିଆମା, କେଶପୁର, ଦଣ୍ଡିଗାଡ଼ିଆ, ମଙ୍ଗଳପୁର, ଵାଲେଡିହ ଏବଂ ବାଣପୁର ଏନ.ଏ.ସି ଅଞ୍ଚଳ।

ସୂଚନା ଯୋଗ୍ୟ କି, ଆଜି ବାଣପୁର-୧ ଫିଡ଼ର ଅଧୀନରେ ଆସୁଥିବା ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ଆସନ୍ତାକାଲି ବାଣପୁର-୨ ଫିଡ଼ର ଅଧୀନରେ ଆସୁଥିବା ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହିପରି ଭାବରେ ଦିନେ ଛଡା ଦିନେ ଏହିସବୁ ଅଞ୍ଚଳଗୁଡିକରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ପୁଣି ବଢୁଛି କରୋନା ଗ୍ରାଫ: ଏହି ସବୁ ଗ୍ରାମ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀରେ କିଛିଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଏବେ ପୁଣି ଏହା ବଢ଼ିବାରେ ଲାଗିଛି। ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀରେ ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଚିଲିକା ବ୍ଲକ

ହରିପୁର ଗ୍ରାମ ପଞ୍ଚାୟତର ବଳିଆ ଗ୍ରାମ, ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତର ଚଣ୍ଡେଶ୍ୱର(କଜଳେଈ ସାହି ) ଏବଂ ବିରିବାଡି ଗ୍ରାମ ପଞ୍ଚାୟତର ଛକଡ଼ିପୁର(ପୁରୁଣା ସାହି ) କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୦୨ .୧୦.୨୦ ଠାରୁ ତା୧୨.୧୦.୨୦ ଯାଏଁ ଯାଏଁ କଟକଣା ଜାରି ରହିବ।

ବାଣପୁର ବ୍ଲକ

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବଡ଼ସିରେଇପୁର ଏବଂ ହଳନ୍ଦା ଗ୍ରାମ, ଭେଟେଶ୍ୱର ଗ୍ରାମ ପଞ୍ଚାୟତର ଭେଟେଶ୍ୱର ଏବଂ ଭାପୁର ଗ୍ରାମ, ନାଚୁଣୀ ଗ୍ରାମ ପଞ୍ଚାୟତର ନାଚୁଣୀ ଏବଂ ବଡ଼ପଦର ଗ୍ରାମ, ନନ୍ଦପୁର ଗ୍ରାମ ପଞ୍ଚାୟତର ନନ୍ଦପୁର, ଭେସରି ଏବଂ ଦୋଳମୁଣ୍ଡାଇ ଗ୍ରାମ, ଭବାନୀପୁର ଗ୍ରାମ ପଞ୍ଚାୟତର ଭବାନୀପୁର ଗ୍ରାମ, ଏବଂ କୁମାରାଙ୍ଗ ଗ୍ରାମ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୦୨.୧୦.୨୦ ଠାରୁ ୦୯.୧୦.୨୦ ଯାଏଁ କଟକଣା ଜାରି ରହିବ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ପୁଣି ଏହି ସବୁ ଗ୍ରାମଗୁଡିକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ 

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ ଧୀରେ ଧୀରେ ତଳକୁ ଖସୁଥିବାବେଳେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମନୋବଳ ବଢୁଛି। ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କୋଭିଡ କେସ ଲକ୍ଷ୍ୟ ନେଇ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ କୋଭିଡ କେସ ଯେଉଁ ଅଞ୍ଚଳରୁ ବାହାରୁଛି ସ୍ଥାନୀୟ ପ୍ରଶାସନ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଏନେଇ ଅବଗତ କରାଉଛି ଏବଂ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରୁଛି। ଆଜି ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମରୁ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଥିବାରୁ ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମଗୁଡିକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଅଛି।

ବାଣପୁର ବ୍ଲକ
୧-ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଏବଂ ଗମ୍ଭାରୀମୁଣ୍ଡା ଗ୍ରାମ
୨-କୁଲେଇ ପଞ୍ଚାୟତ ର ହରିଚନ୍ଦନପୁର ଏବଂ କୁଲେଇ ଗ୍ରାମ
୩-ଭବାନୀପୁର ପଞ୍ଚାୟତର ଭୁଷ୍କାପଡା ଗ୍ରାମ
-ଆୟତପୁର ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମ

ଚିଲିକା ବ୍ଲକ
୧-ସୋରଣ ପଞ୍ଚାୟତର ଏକ ନମ୍ବର ୱାର୍ଡ ହନୁମନ୍ତ ଗ୍ରାମ
୨-ଡୁଙ୍ଗମାଳ ସିଟି ପଞ୍ଚାୟତ ର ଆଖୁପୋଖରା ଗ୍ରାମ
୩-ଜରିପଡା ପଞ୍ଚାୟତ ର ବାଉଁଶମୂଳା ଏବଂ ନଳୀଗାଡ଼ିଆ ଗ୍ରାମ

ତେବେ ଏହି ସବୁ ଗ୍ରାମଗୁଡିକୁ ଆଜି ତା ୨୪.୦୯.୨୦ ଠାରୁ ୦୧.୧୦.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କଟକଣା ଜାରି ରହିବ।

Categories
ଆଞ୍ଚଳିକ

ଚିଲିକାରେ କୋଭିଡସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ: ଲଗାତାର ତୃତୀୟ ଦିନରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଅଣାୟତ୍ତ ହେଲାଣି କରୋନା। କୋଭିଡ ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ରଣନୀତି ପ୍ରୟୋଗ କରୁଛି। ପ୍ରତିଦିନ ଚିଲିକା ନିର୍ବାଚନମଣ୍ଡଳୀକୁ ଜିଲ୍ଲା ଅଧିକାରୀମାନଙ୍କ ଗସ୍ତ ଲାଗି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅପରାହ୍ନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ କରୋନା ସେବକମାନଙ୍କ ଟିମକୁ ଉତ୍ସାହିତ ମଧ୍ୟ କରିଥିଲେ। କରୋନା ସେବକ ମାନେ ଆଗାମୀ ଦିନରେ ଜନସାଧାରଣମାନଙ୍କୁ ସଚେତନ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସ୍ୱତଃ ପ୍ରବୃତ ଭାବେ କୋଭିଡ ଟେଷ୍ଟିଙ୍ଗ କରାଇବା ପାଇଁ ଉତ୍ସାହିତ କରିବେ ଏବଂ ସେମାନଙ୍କ ମନୋବଳ ମଧ୍ୟ ବଢ଼ାଇବେ।

ଏହା ସହିତ ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପଜିଟିଭ ବଢୁଥିବା ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେହି ଗ୍ରାମ ଗୁଡିକ ହେଲା- 

୧-ଚିଲିକା ବ୍ଲକର ବିରିବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆସାହିକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୮.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

୨-ବାଣପୁର ବ୍ଲକର ଦାମିଆ ବରବରା ଗ୍ରାମ ପଞ୍ଚାୟତର ଦାମିଆ ବରବରା ଗ୍ରାମ ଏବଂ ନନ୍ଦପୁର ଗ୍ରାମପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୫.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।

୩-ବାଣପୁର ଏନ.ଏ.ସି ର ୱାର୍ଡ ନମ୍ବର ୪, ୱାର୍ଡ ନମ୍ବର ୧୧ ର ବଡ଼ହନ୍ତୁଆଡ଼ ହରିଜନ ସାହି ଏବଂ ରଙ୍କନାଥପାଟଣା ରେ ଆଜି ତା ୧୮.୦୯ ୨୦୨୦ ଠାରୁ ୨୨.୦୯.୨୦ ପର୍ଯ୍ୟନ୍ତ କଟକଣା ଲଗୁ ରହିବ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ଏହି ସବୁ ଗ୍ରାମ ଏବଂ ୱାର୍ଡକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀ ରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବର୍ତ୍ତମାନ ଏହା ସର୍ବାଧିକ ସ୍ଥାନକୁ ପହଁଚିଛି ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଅପରପକ୍ଷେ କରୋନା ରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢିଚାଲିଛି।

ଗତକାଲି କୋଭିଡରେ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ର ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ସୂଚନା ଅଛି। ଯାହାକି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତିଦିନ ଜିଲ୍ଲା ଉଚ୍ଚ ଅଧିକାରୀମାନେ ବାଲୁଗାଁ ଏବଂ ବାଣପୁରରେ ତୁହାକୁ ତୁହା ବୈଠକ କରୁଛନ୍ତି। ଗତକାଲି ଖୋର୍ଦ୍ଧା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ସଭାଗୃହ ମଧ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ବୈଠକ କରିଥିବାବେଳେ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବାଣପୁର ଏନ.ଏ.ସି ସଭାଗୃହ ମଧ୍ୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସମୀକ୍ଷା ବୈଠକ କରିଥିଲେ। କିନ୍ତୁ ଯାହା ଜଣାପଡୁଛି ଚିଲିକାରେ ସବୁ ରଣନୀତି ଏକ ରକମର ଫେଲ ମାରୁଛି। କରୋନା ଦିନକୁ ଦିନ ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଏବଂ ଉଭୟ ଏନ.ଏ.ସି ର ଦୁଇ ଗୋଟି ୱାର୍ଡକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଚିଲିକା ବ୍ଲକ-

ନିମିକ୍ଷେତା ଗ୍ରାମ ପଞ୍ଚାୟତର ବେଲପଡା ଗ୍ରାମ, ବଡକୁଳ ଗ୍ରାମ ପଞ୍ଚାୟତର ଖଡ଼ିକାପଲ୍ଲୀ ଗ୍ରାମ ଏବଂ ଅଠରବାଟିଆ ଗ୍ରାମ ପଞ୍ଚାୟତର ଛେଡ଼ାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ତା୨୬.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଲୁଗାଁ ଏନ.ଏ.ସି-

ସେହିପରି ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୧୬.୦୯.୨୦ ରୁ ୨୬.୦୯.୨୦ କଣ୍ଟେନମେଣ୍ଟ କଟକଣା ଜାରି ରହିବ।

ବାଣପୁର ବ୍ଲକ-

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗମେଇଁ ଏବଂ ବଡ଼ସିରେଇପୁର ଗ୍ରାମ, ଭେଟେଶ୍ୱର ଗ୍ରାମ ପଞ୍ଚାୟତର ବୋରିଗାଁ ଗ୍ରାମ, ବିଷ୍ଣୁଡିହ ଗ୍ରାମ ପଞ୍ଚାୟତର ଖଣତ ଗ୍ରାମ, ମୋରାମୋରି ଗ୍ରାମ ପଞ୍ଚାୟତର ସଲପଡିହ, ମୋରାମୋରି ଗ୍ରାମ ଏବଂ ୭ ନମ୍ବର ୱାର୍ଡ କନ୍ଧ ଆମ୍ବଝର, ନନ୍ଦପୁର ଗ୍ରାମ ପଞ୍ଚାୟତର ନନ୍ଦପୁର ଗ୍ରାମ ଏବଂ ଆୟତପୁର ଗ୍ରାମ ପଞ୍ଚାୟତର ଆୟତପୁର ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ୨୩.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଣପୁର ଏନ.ଏ.ସି-

ସେହିପରି ବାଣପୁର ଏନ.ଏ.ସି ର ୧୦ ନମ୍ବର ୱାର୍ଡ ତଳସାହିକୁ ୧୬.୦୯.୨୦ ରୁ ୨୩.୦୯.୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।