Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲେ ୮ ଓଡିଆ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି। ଏହି ୮ ଜଣଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ୪ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଲଢାଳିଆ ଗ୍ରାମର ସ୍ବର୍ଗତ ସୁରେଶ ଦାସଙ୍କ ପୁଅ ମରୁତ ଦାସ, ନିମପୁର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା, ଜଗତସିଂହପୁର ଜିଲ୍ଲାର ନେହୁଳିଆ ଗ୍ରାମର ଶତ୍ରୁଘ୍ନ ସାମଲଙ୍କ ପୁଅ ନାରାୟଣ ସାମଲ, କଟକ ଜିଲ୍ଲାର କଳପଡା ଗ୍ରାମର ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ପୁଅ ମିଟୁ ପଟ୍ଟନାୟକ, କୋରପଡା ଗ୍ରାମର ବିମ୍ବାଧର ହାତୀଙ୍କ ୩ ପୁଅ ରମେଶ ହାତୀ, ନରେଶ ହାତୀ, ବିଚିତ୍ରାନନ୍ଦ ହାତୀ ଓ କୁଳସରିଚୁହାଁ ଗ୍ରାମର ଦୂଶାସନ ପ୍ରଧାନଙ୍କ ପୁଅ ପିତବାସ ପ୍ରଧାନ ଗତ ମେ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯାଇଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ। ଅନିଚ୍ଛା ପ୍ରକାଶ କରିବାରୁ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ସେମାନେ ବହୁ ଦୁଃଖ କଷ୍ଟରେ ଏକ ମସଜିଦରେ ଆଶ୍ରୟ ନେଇଥିଲେ।

ନିରୁପାୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ପହଞ୍ଚିବା ପରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ ସାକ୍ଷତ କରି କୃତ୍ତଜ୍ଞତା ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ୱ ଶକ୍ତି କଂଗ୍ରେସର ମନ୍ତ୍ରିସ୍ତରୀୟ ରାଉଣ୍ଡ ଟେବୁଲ ସମ୍ମିଳନୀ: ଶକ୍ତି କ୍ଷେତ୍ରରେ ତ୍ରିବିଧ ସମସ୍ୟା ଉପରେ ଆଲୋଚନା

ନୂଆଦିଲ୍ଲୀ: ନେଦରଲାଣ୍ଡର ରୋଟେରଡାମଠାରେ ବିଶ୍ୱ ଶକ୍ତି କଂଗ୍ରେସର ମନ୍ତ୍ରିସ୍ତରୀୟ ରାଉଣ୍ଡ ଟେବୁଲ୍ ସମ୍ମିଳନୀ ଏପ୍ରିଲ ୨୪, ୨୦୨୪ ତରବକ୍ଷ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ରାଉଣ୍ଡ ଟେବୁଲ ସମ୍ମିଳନୀରେ ଦୁବାଇଠାରେ ଅନୁଷ୍ଠିତ କୋପ୍୨୮ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କିଭଳି ପଟ୍ଟ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମନ୍ତ୍ରିସ୍ତରୀୟ ରାଉଣ୍ଡ ଟେବୁଲରେ ଶକ୍ତି କ୍ଷେତ୍ରରେ ନବସୃଜନ ଏବଂ ସହଯୋଗ ତଥା ଶକ୍ତି କ୍ଷେତ୍ରରେ ଦେଖା ଦେଇଥିବା ତ୍ରିବିଧ ସମସ୍ୟାର ମୁକାବିଲା ଓ ପରିଚାଳନା ନିମନ୍ତେ ପୁଙ୍ଖାନୁପୁଙ୍ଖ ବିଚାରବିମର୍ଷ କରାଯାଇଥିଲା। ବିଶ୍ୱ ଶକ୍ତି କଂଗ୍ରେସର ତୃତୀୟ ଦିନରେ ଏହି ରାଉଣ୍ଡ ଟେବୁଲର ଆୟୋଜନ କରାଯାଇଥିଲା ଏବଂ ଏଥିରେ ନେଦରଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ଏବଂ ଜଳବାୟୁ ତଥା ଶକ୍ତି ନୀତି ନିର୍ଦ୍ଧାରଣ ମନ୍ତ୍ରୀ ମାନ୍ୟବର ରବ୍ ଜେଟେନ୍, ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲ ଏବଂ ବିଭିନ୍ନ ରାଷ୍ଟ୍ର ତଥା ସଂଗଠନର ବରିଷ୍ଠ ପ୍ରତିନିଧି ଓ ପଦାଧିକାରୀମାନେ ଯୋଗ ଦେଇଥିଲେ।

ଏହି ସମ୍ମିଳନୀ ଅବସରରେ କେନ୍ଦ୍ର ଶକ୍ତି ସଚିବ କୋପ୍୨୮ରେ ଭାରତ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ଏବଂ ବିଶ୍ୱ ଶକ୍ତି ପର୍ଯ୍ୟାନ୍ତରଣ କ୍ଷେତ୍ରରେ ଭାରତ ନୀତି ପରିବର୍ତ୍ତକ ଭାବରେ କିପରି ନେତୃତ୍ୱ ନେଉଛି ଏବଂ ଏହାର ଗୁରୁତ୍ୱ ସଂପର୍କରେ ସୂଚାଇଥିଲେ । ସେ ସୂଚାଇଥିଲେ ଯେ ଜି୨୦ ନୂଆଦିଲ୍ଲୀ ନେତୃ ଘୋଷଣାନାମା ହେଉଛି ଏହାର ଏକ ନମୁନା ଏବଂ ଭାରତ କୋପ୍୨୮ ନବୀକରଣ ଶକ୍ତି ଏବଂ ଶକ୍ତି ସକ୍ରିୟତା ପ୍ରତିବଦ୍ଧତା ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଏହାକୁ ନିଷ୍ଠାର ସହ ପ୍ରବର୍ତ୍ତନ କରୁଛି ଯାହା ଫଳରେ ପ୍ରତିବର୍ଷ ବିଶ୍ୱରେ ଶକ୍ତି ସକ୍ରିୟତା ଉନ୍ନତି ଦ୍ୱିଗୁଣିତ ହୋଇ ଚାଲିଛି ଏବଂ ୨୦୩୦ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ତିନିଗୁଣ ଅଧିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କରିପାରିବ। ସଚିବ ଶ୍ରୀ ଅଗ୍ରୱାଲ କହିଲେ ଯେ ଭାରତର ‘ମିଶନ ଲାଇଫ୍’ ପୋଷଣୀୟ ଜୀବନଶୈଳୀ ଆପଣାଇବା ସକାଶେ ଲୋକମାନଙ୍କୁ ଯେଉଁଭଳି ଭାବରେ ପ୍ରୋତ୍ସାହିତ କରୁଛି ତାହାକୁ ସଭିଏଁ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ଏହା କୋପ୍୨୭ ଏବଂ ଜି୨୦ ଫୋରମରେ ହୋଇଥିବା ସହମତକୁ ପ୍ରତିଫଳିତ କରୁଛି। ସେହିଭଳି କୋପ୍୨୮ ଯେଉଁଭଳି ଭାବରେ କାର୍ବନ ନ୍ୟୁଟ୍ରାଲିଟି ଦିଗରେ ପର୍ଯ୍ୟାନ୍ତରଣକୁ ଗ୍ରହଣ କରିଛି ଏବଂ ସେଥିରେ କାର୍ବନ୍ ଆହରଣ, ଉପଯୋଗ ଏବଂ ସଂରକ୍ଷଣ (ସିସିୟୁଏସ) ଏବଂ ସବୁଜ ହାଇଡ୍ରୋଜେନ ଉପରେ ପ୍ରାଧାନ୍ୟ ଦିଆଯାଇଛି ତାହା ପ୍ରଶଂସନୀୟ।

ଭାରତର ଶକ୍ତି ସଚିବ ଶକ୍ତି ପର୍ଯ୍ୟାନ୍ତରଣ ପରିଚାଳନାର ଜଟିଳତା ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ସେଥିରେ ଥିବା ସମାବେଶୀ ଆଭିମୁଖ୍ୟ ସଂପର୍କରେ ଅବତାରଣା କରିଥିଲେ। ସେ କହିଥିଲେ ଯେ ପ୍ରଯୁକ୍ତିର ବିକାଶ ଏବଂ ସହଯୋଗର ଏଥିରେ ବିଶେଷ ଭୂମିକା ରହିଛି ଏବଂ ଏହାକୁ ସାଧନ ଭାବରେ ଗ୍ରହଣ କରି ‘ରିଭାମ୍ପଡ୍ ଇଣ୍ଡିଆ ଏନର୍ଜି ସିକ୍ୟୁରିଟି ସେନାରିଓ’ (ଆଇଇଏସଏସ) ୨୦୪୭ର ପରିକଳ୍ପନା କରାଯାଇଛି ଏବଂ ଏହି ଡ୍ୟାସବୋର୍ଡ (https://iess2047.gov.in/) ନିଷ୍ପତ୍ତି ଗ୍ରହଣରେ ସୂଚନା ତଥା ସହାୟତା ପ୍ରଦାନ କରୁଛି । ସଚିବ ଶ୍ରୀ ଅଗ୍ରୱାଲ କହିଲେ ଯେ ଶକ୍ତି ନିରାପତ୍ତା, ଉପଲବ୍ଧତା ଏବଂ ପୋଷଣୀୟତା ମଧ୍ୟରେ ସନ୍ତୁଳନ ରକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ‘ପିଏମ-କୁସୁମ ଯୋଜନା’ ଭଳି ଉପକ୍ରମ ମାଧ୍ୟମରେ ଏବଂ ଛାତ ଉପର ସୌର ପାନେଲ ଖଞ୍ଜା କାର୍ଯ୍ୟକ୍ରମ ଜରିଆରେ ପରିବେଶ ପୋଷଣୀୟତା ଏବଂ କର୍ମନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଭାରତୀୟ କାର୍ବନ ବଜାର ଏହି ପୋଷଣୀୟତା ପ୍ରୟାସକୁ ଆହୁରି ଆଗକୁ ଆଗେଇ ନିଆଯିବ ବୋଲି ସେ ସୂଚାଇଥିଲେ।

ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସେ ସୂଚାଇଥିଲେ ଯେ ବିକାଶଶୀଳ ରାଷ୍ଟ୍ରମାନେ ଆର୍ଥିକ ତଥା ସ୍ୱଚ୍ଛ ପ୍ରଯୁକ୍ତି ଉପଲବ୍ଧତା ଘେନି ସହଯୋଗ ଆବଶ୍ୟକ କରନ୍ତି ଯାହା ଫଳରେ ସେମାନେ ଶକ୍ତି କ୍ଷେତ୍ରରେ ଦେଖା ଦେଇଥିବା ଏହି ତ୍ରିବିଧ ସମସ୍ୟାକୁ ସଫଳତାର ସହିତ  ମୁକାବିଲା କରିପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତର କୂଟନୈତିକ ବିଜୟ!, କାତାରରେ ୮ ପୂର୍ବତନ ନୌସୈନିକଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଏହି ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଯାଇଛି। ଏ ସମ୍ପର୍କରେ ଭାରତ ସରକାର କହିଛନ୍ତି ଯେ, ଆମେ ସବୁବେଳେ ଆଠ ଜଣଙ୍କ ପରିବାର ସହିତ ଛିଡ଼ା ହୋଇଛୁ। ବିଜେପି ଏହାକୁ ମୋଦୀ ସରକାରଙ୍କ ବିଜୟ ବୋଲି କହିଥିବାବେଳେ କଂଗ୍ରେସ ଏଥିରେ ଖୁସି ବ୍ୟକ୍ତ କରିଛି।

ଏହା ଭାରତ ପାଇଁ କୂଟନୈତିକ ବିଜୟ ଭାବରେ ଦେଖାଯାଉଛି। କାରଣ ଦୁବାଇରେ ଡିସେମ୍ବର ୧ ତାରିଖରେ ହୋଇଥିବା ସିଓପି-୨୮ ଶିଖର ସମ୍ମିଳନୀରେ କତାରର ଅମିର ଶେଖ ତମିମ ବିନ ହେମାଦ ଅଲ-ଥାନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତ କରିଥିଲେ। ଦୁଇ ନେତାଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିନ୍ ହେମାଦ୍ ଅଲ-ଥାନି କହିଛନ୍ତି ଯେ, ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ସମ୍ପର୍କରେ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି।

ବୈଦେଶିକ ମନ୍ତ୍ରଣାଳୟ କ’ଣ କହିଛି?:

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଦହାରା ଗ୍ଲୋବାଲ ମାମଲାରେ କତାରର କୋର୍ଟର ଆଜିର ନିଷ୍ପତ୍ତିକୁ ଆମେ ଲକ୍ଷ୍ୟ କରିଛୁ ଯେଉଁଥିରେ ଦଣ୍ଡ ହ୍ରାସ କରାଯାଇଛି। ଆଜି ଆମ ରାଷ୍ଟ୍ରଦୂତ ଏବଂ ଅନ୍ୟ ଅଧିକାରୀମାନେ ପରିବାର ସଦସ୍ୟଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ। ମାମଲାର ଆରମ୍ଭରୁ ଆମେ ତାଙ୍କ ପାଖରେ ଛିଡ଼ା ହୋଇଛୁ ଏବଂ ଆମେ ତାଙ୍କୁ ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ଯୋଗାଇବା ଜାରି ରଖିବୁ। କତାର କର୍ତ୍ତୃପକ୍ଷଙ୍କ ସହ ଆମେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବା ଜାରି ରଖିବୁ। ”

ବିଜେପି ମୋଦୀ ସରକାରଙ୍କ ବିଜୟ ଘୋଷଣା କରିଛି:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ପାଇଁ ଏହା ଏକ ବିଜୟ ବୋଲି ବିଜେପି କହିଛି। ସୋସିଆଲ ମିଡିଆରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ କହିଛନ୍ତି ଯେ କତାରରେ ଭାରତୀୟ ପୂର୍ବତନ ନୌସେନାର ୮ ଜଣ କର୍ମଚାରୀଙ୍କ ମୃତ୍ୟୁଦଣ୍ଡରେ ମୁକ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତିର କୂଟନୈତିକ ପ୍ରୟାସ ପାଇଁ ଏକ ବିଜୟ। ଏହି ଖବର ପୁଣି ଥରେ ସ୍ପଷ୍ଟ କରିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ବିଶ୍ୱ ଭାରତର ବୈଦେଶିକ ନୀତିର ଶକ୍ତିକୁ ସ୍ୱୀକୃତି ଦେଇଛି।

କଂଗ୍ରେସ କ’ଣ କହିଲା?:

ଏହି ନିଷ୍ପତ୍ତି ଉପରେ କଂଗ୍ରେସ ମଧ୍ୟ ଖୁସି ବ୍ୟକ୍ତ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ସମଗ୍ର ଦେଶ ଆଶ୍ଵସ୍ତି ଅନୁଭବ କରୁଛି ଏବଂ ଏଥିରେ କଂଗ୍ରେସ ମଧ୍ୟ ଜଡିତ ଅଛି। ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଥିବାବେଳେ ଆମେ ଆଶା କରୁଛୁ ଯେ, ମୃତ୍ୟୁଦଣ୍ଡ ବଦଳରେ ଜେଲ ଦଣ୍ଡ ପ୍ରତ୍ୟାହାର କରାଯିବ ଏବଂ ଅଧିକାରୀମାନେ ମୁକ୍ତ ହେବେ। ”

Categories
ଆଜିର ଖବର ଖେଳ ଜାତୀୟ ଖବର

IPL: ନିଲାମରେ ବିପୁଳ ପରିମାଣର ଅର୍ଥ ପାଇପାରନ୍ତି ଏହି ୫ ଅଲରାଉଣ୍ଡର, ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ୍-୨୦୨୪ ପାଇଁ ନିଲାମ ଆୟୋଜିତ ହେବ। ଏହି ନିଲାମରେ ଭାରତ ସମେତ ୧୨ ଟି ଦେଶରୁ ମୋଟ ୩୩୩ ଖେଳାଳି ଅଂଶଗ୍ରହଣ କରିବେ। ଏଥିରେ ଭାରତର ୨୧୪ ଖେଳାଳି ଏବଂ ବିଦେଶରୁ ୧୧୯ ଖେଳାଳି ଅଂଶଗ୍ରହଣ କରିବେ। କିନ୍ତୁ ସେହି ପାଞ୍ଚ ଅଲରାଉଣ୍ଡର ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନଙ୍କ ଉପରେ ଦଳଗୁଡିକ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି। ଏଥିରେ ଜଣେ ଭାରତୀୟ ଅଲରାଉଣ୍ଡର ମଧ୍ୟ ଅନ୍ତର୍ଭୁକ୍ତ।

ଟ୍ରାଭିସ୍ ହେଡ୍:

ଏହି ତାଲିକାର ଶୀର୍ଷରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡଙ୍କ ନାମ ରହିଛି, ଯିଏକି ନିକଟରେ ଶେଷ ହୋଇଥିବା ଏକଦିବସୀୟ ବିଶ୍ୱକପ୍‌ରେ କେବଳ ନିଜ ବ୍ୟାଟ୍‌ ସହିତ ଚମତ୍କାର କରିନାହାଁନ୍ତି, ବରଂ ସେ ନିଜ ବଲରେ ସେମିଫାଇନାଲରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଦଳକୁ ଜିତିବାରେ ସାହାଯ୍ୟ କରିଥିଲେ। ଟ୍ରାଭିସ୍ ହେଡ୍ ଭଲ ଫର୍ମରେ ଅଛନ୍ତି ଏବଂ ଏହି ସମୟର ଆଇପିଏଲ୍ ନିଲାମରେ ୨ କୋଟି ଟଙ୍କା ମୂଲ୍ୟରେ ନିଜକୁ ପଞ୍ଜୀକୃତ କରିଛି। ଏଭଳି ପରିସ୍ଥିତିରେ ଅନେକ ଦଳ ହେଡ୍ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିବେ।

ରଚିନ୍ ରବିନ୍ଦ୍ର:

ନ୍ୟୁଜିଲ୍ୟାଣ୍ଡର ଏହି ସ୍ପିନ୍ ଅଲରାଉଣ୍ଡର ବିଶ୍ୱକପରେ ପ୍ରଥମ ମ୍ୟାଚ୍ ପରଠାରୁ ଚର୍ଚ୍ଚା ହେଉଛି। ପ୍ରାରମ୍ଭରେ, ଏହି ଖେଳାଳିଙ୍କୁ ଅଧିକାଂଶ କ୍ରିକେଟ୍ ପ୍ରଶଂସକ ଏକ ମୁଖ୍ୟ ସ୍ପିନ୍ ବୋଲର ଭାବରେ ବିବେଚନା କରିଥିଲେ, ଯିଏ ମଧ୍ୟ ବ୍ୟାଟିଂ କରିପାରନ୍ତି, କିନ୍ତୁ ବିଶ୍ୱକପ୍ ରେ ଏହି ଖେଳାଳି ନ୍ୟୁଜିଲ୍ୟାଣ୍ଡ ପାଇଁ ୧, ୨ ଏବଂ ୩ ରେ ବ୍ୟାଟିଂ କରିଥିଲେ ଏବଂ ତାଙ୍କ ଦଳ ପାଇଁ ମଧ୍ୟ ବ୍ୟାଟର ହୋଇଥିଲେ। ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଏହା ବ୍ୟତୀତ ଏହି ଖେଳାଳି ବୋଲିଂ କରି କିଛି ୱିକେଟ୍ ନେଇଥିଲେ। ଏଭଳି ପରିସ୍ଥିତିରେ ଦଳଗୁଡିକ ଏହି ବାମହାତୀ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିବ।

ଅଜମତୁଲ୍ଲା ଉମରଜାଇ:

ଆଫଗାନିସ୍ତାନର ଏହି ଦ୍ରୁତ ବୋଲିଂ ଅଲରାଉଣ୍ଡର ଅଜମାତୁଲ୍ଲା ଉମରଜାଇଙ୍କ ପାଇଁ ଅନେକ ଫ୍ରାଞ୍ଚାଇଜ୍ ର ଦ୍ୱାର ମଧ୍ୟ ଖୋଲା ରହିବ। ଏହି ଆଫଗାନିସ୍ତାନ ଖେଳାଳି ମଧ୍ୟ ODI ବିଶ୍ୱକପ ସମୟରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ଉମରଜାଇ କେବଳ ମଧ୍ୟମ କ୍ରମରେ ଅନେକ ଉଜ୍ଜ୍ୱଳ ଇନିଂସ ଖେଳି ନଥିଲେ, ବରଂ ଉଭୟ ନୂଆ ଏବଂ ପୁରୁଣା ବଲ ସହ ୱିକେଟ୍ ନେଇଥିଲେ। ମଧ୍ୟମ କ୍ରମରେ ବ୍ୟାଟିଂ କରିବା ସହିତ ଏହି ଖେଳାଳୀ ତାଙ୍କର ଉତ୍କୃଷ୍ଟ ଫିନିସିଂ ଏବଂ ଦ୍ରୁତ ବୋଲିଂ ପାଇଁ ମଧ୍ୟ ଜଣାଶୁଣା। ତେଣୁ, ଆଇପିଏଲ୍ ନିଲାମରେ ଏହି ଉତ୍କୃଷ୍ଟ ଅଲରାଉଣ୍ଡରଙ୍କ ପାଇଁ କୋଟି କୋଟି ଟଙ୍କା ମୂଲ୍ୟର ବିଡ୍ କରାଯାଇପାରିବ।

ପ୍ୟାଟ୍ କମିନ୍ସ:

ଏହି ତାଲିକାରେ ପରବର୍ତ୍ତୀ ଅଷ୍ଟ୍ରେଲୀୟ ଖେଳାଳିଙ୍କ ନାମ ହେଉଛି ପ୍ୟାଟ୍ କମିନ୍ସ, ଯିଏ ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆକୁ ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ODI ବିଶ୍ୱକପ୍ ଜିତିଛନ୍ତି। ଯଦିଓ ପ୍ୟାଟ୍ କମିନ୍ସ ମୁଖ୍ୟତଃ ତାଙ୍କ ଦ୍ରୁତ ବୋଲିଂ ପାଇଁ ଜଣାଶୁଣା, ଆଇପିଏଲ୍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଛୋଟ ଫର୍ମାଟରେ, କମିନ୍ସଙ୍କ ବ୍ୟାଟ୍ ମଧ୍ୟ କଥା ହୁଏ। ଏଭଳି ପରିସ୍ଥିତିରେ ଏହି ନିଲାମରେ ପ୍ୟାଟ୍ କମିନ୍ସଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇପାରନ୍ତି।

ଶାର୍ଦ୍ଦୁଲ ଠାକୁର:

ଏହି ତାଲିକାରେ ଜଣେ ଭାରତୀୟ ଖେଳାଳିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଲୋକମାନେ ଶାର୍ଦ୍ଦୁଲ ଠାକୁରଙ୍କୁ ଲର୍ଡ ବୋଲି ମଧ୍ୟ ଡାକନ୍ତି, କାରଣ ସେ ପ୍ରାୟତଃ ଏକ ସମୟରେ ୨-୩ ୱିକେଟ୍ ନେଇଥିବାର ଜଣା ପଡିଛି। ଏହା ବ୍ୟତୀତ ଶାର୍ଦ୍ଦୁଲଙ୍କ ବ୍ୟାଟିଂ ସହ ନିମ୍ନ କ୍ରମରେ କିଛି ବଡ ସଟ୍ ମାରିବା କ୍ଷମତା ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ଦଳ ସହ ଶାର୍ଦ୍ଦୁଲ ଖେଳିଛନ୍ତି। ତେଣୁ କିଛି ଦଳ ଏହି ଅଲରାଉଣ୍ଡର ପାଇଁ ଉଦାର ଭାବରେ ଟଙ୍କା ଖର୍ଚ୍ଚ କରିପାରନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଦୁବାଇର ତାନସିକ୍ କମ୍ପାନିରେ ନିଯୁକ୍ତି ପାଇଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ମଙ୍ଗଳବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଦୁବାଇର ତାନସିକ୍ କମ୍ପାନି ପକ୍ଷରୁ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୨୧ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତା’ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୧୦ ଜଣ ଅଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୧୧ ଜଣଙ୍କୁ ତାନସିକ୍ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ବିଦେଶରୁ କ୍ୟାରିୟରର ପ୍ରଥମ ଚାକିରି ଆରମ୍ଭ କରୁଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।

ଏହି ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅବସରରେ ତାନସିକ୍ କମ୍ପାନିର ନିର୍ଦ୍ଦେଶକ ରାମ କୁମାର ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଅତ୍ୟାଧୁନିକ ଲାବୋରେଟୋରି ବୁଲି ଦେଖିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏଭଳି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୨-୨୩ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍‌, ଦୁବାଇର ଏମରିଲ ଗ୍ରୁପ୍ ଆଦି କମ୍ପାନିରେ ନିଯୁକ୍ତି ପାଇଛନ୍ତି।

Categories
ଆଞ୍ଚଳିକ

ଚିଲିକା: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହଯୋଗରେ ଦୁବାଇରୁ ଫେରିଲା ଶ୍ରମିକଙ୍କ ମୃତ ଦେହ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବିଧାନସଭା ଅନ୍ତର୍ଗତ ସିଙ୍ଗେଶ୍ୱର ପଞ୍ଚାୟତ ସ୍ଥିତ ପାଟ୍ଟସାଣିପୁର ଗ୍ରାମର ବାସିନ୍ଦା ଲକ୍ଷ୍ମୀଧର ସାହୁ ହୃଦଘାତ ଜନିତ ସମସ୍ୟାରେ ପୀଡିତ ହୋଇ ଗତ ୧୦ ତାରିଖ ଦିନ ଦୁବାଇରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରିବାର ଲୋକ ଏହି ଖବର ଶୁଣି ମର୍ମାହତ ହୋଇଥିଲେ।

ତେବେ ଲକ୍ଷ୍ମୀଧରଙ୍କ ପରିବାରବର୍ଗ ଅତ୍ୟନ୍ତ ଗରିବ ଥିବାରୁ ଦୁବାଇରୁ ତାଙ୍କ ମର ଶରୀର ନିଜ ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାରବର୍ଗଙ୍କ ପାଖେ ଆବଶ୍ୟକ ସାଧନ ନ ଥିଲା। ଏହି ବିଷୟରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାଣିବା ପରେ, ସେ ବିଦେଶ ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କ ସହିତ ଯୋଗାଯୋଗ କରି ଲକ୍ଷ୍ମୀଧରଙ୍କ ଶବ ଦୁବାଇରୁ ଚିଲିକା ଆଣିବାର ସମସ୍ତ ବ୍ୟବସ୍ଥା କରିଥିଲେ।

ଗତ କାଲି ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ଶବ ଚିଲିକାରେ ପହଂଚିଲା ପରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ସମ୍ବିତ ପାତ୍ର। ସମ୍ବିତଙ୍କ ଉକ୍ତ କାର୍ଯ୍ୟକୁ ଚିଲିକାବାସୀ ପ୍ରଶଂସା କରିଥିବା ବେଳେ, ସେ ସଦାସର୍ବଦା ଚିଲିକା ବାସୀଙ୍କ ସେବା ପାଇଁ ସମର୍ପିତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରୁ ସିଧା ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ, ଜାଣନ୍ତୁ କେବେ

ଭୁବନେଶ୍ବର: ଭୁବନେଶ୍ବରରୁ ସିଧା ସିଙ୍ଗାପୁର ଓ ବ୍ୟାଙ୍କକୁ ଉଡିବ ବିମାନ। ଏ ନେଇ ଇଣ୍ଡିଗୋ ବିମାନ ତାହାର ପ୍ରସ୍ତୁତି ଆରମ୍ଭ କରିଛି। ସେହି ଅନୁସାରେ ଇଣ୍ଡିଗୋ ଏୟାରଲାଇନସ ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ଆରମ୍ଭ କରିବ। ସପ୍ତାହକୁ ଦୁଇଦିନ ଏହି ବିଦେଶ ଯାତ୍ରା କରାଯିବ ବୋଲି ଜଣାପଡିଛି। ଏହି ଯାତ୍ରା ସଂପର୍କରେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୁପକ୍ଷ ମଧ୍ୟ ନିଶ୍ଚିତ କରିଛନ୍ତି।

ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ଘୋଷଣା କରିଛି। ସେହି ଅନୁସାରେ ଦୁବାଇକୁ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ କରିଛି। ସେହିପରି ସିଙ୍ଗାପୁର ଓ ବ୍ୟାଙ୍କକ୍‌ ନେଇ ଖୁବ ଶିଘ୍ର ଟିକେଟ ବୁକିଂ ଆରମ୍ଭ କରାଯିବ ବୋଲି ଇଣ୍ଡିଗୋ ତରଫରୁ କୁହାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶୀଘ୍ର ଅବସର ନେବେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା, ଦୁବାଇରେ ଖେଳିପାରନ୍ତି ଶେଷ ମ୍ୟାଚ୍

ନୂଆଦିଲ୍ଲୀ: ଭାରତର ତାରକା ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ସହ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ସେମାନଙ୍କ ଛାଡପତ୍ର ଖବର ମଧ୍ୟ ଦୀର୍ଘ ସମୟ ଧରି ଚାଲିଛି। ଏହି ସମୟରେ ସାନିଆ ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସାନିଆ ଖୁବ ଶୀଘ୍ର ବୃତ୍ତିଗତ ଟେନିସରୁ ଅବସର ନେବେ।

ଦୁବାଇ ଟେନିସ୍ ଚାମ୍ପିଅନସିପରେ ସାନିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିପାରନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ତାରିଖରୁ ଆୟୋଜିତ ହେବ। ସାନିଆ କହିଛନ୍ତି ଯେ, ମୁଁ ଗତ ବର୍ଷ ନିଜେ ଏକ ଅବସର ଯୋଜନା ପ୍ରସ୍ତୁତ କରିଥିଲି। କିନ୍ତୁ ଡାହାଣ କାନ୍ଧରେ ଆଘାତ ହେତୁ, ୟୁଏସ୍ ଓପନ୍ ଏବଂ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟରୁ ନାମ ପ୍ରତ୍ୟାହାର କରିବାକୁ ପଡିଲା। ମୁଁ ଜଣେ ବ୍ୟକ୍ତି ଯିଏ ମୋ ନିଜ ସର୍ତ୍ତରେ ବଞ୍ଚେ। ଏହି କାରଣରୁ, ମୁଁ ଆଘାତ ହେତୁ ବାହାର ହେବାକୁ ଚାହୁଁନଥିଲି ଏବଂ ବର୍ତ୍ତମାନ ମୁଁ ଟ୍ରେନିଂ ନେଉଛି। ଦୁବାଇ ଟେନିସ୍ ଚାମ୍ପିଅନସିପ୍ ପରେ ମୁଁ ବର୍ତ୍ତମାନ ଅବସର ପାଇଁ ଯୋଜନା ପ୍ରସ୍ତୁତ କରିଛି।

ଉଲ୍ଲେଖନୀୟ କଥା ହେଉଛି, ସାନିଆ ତାଙ୍କ କ୍ୟାରିଅର୍ ସମୟରେ ଅନେକ ବଡ଼ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ଏହା ସହିତ ତାଙ୍କୁ ଅନେକ ଥର ପୁରସ୍କାରରେ ସମ୍ମାନିତ କରାଯାଇଛି। ସାନିଆ ଅଷ୍ଟ୍ରେଲିୟ ଓପନ୍ ୨୦୧୬, ୱିମ୍ବଲଡନ୍ ୨୦୧୫, ୟୁଏସ୍ ଓପନ୍ ୨୦୧୫ ଏବଂ ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଜିତିଛନ୍ତି। ସେ ଫ୍ରେଞ୍ଚ ଓପନ୍ ଟାଇଟଲ୍ ମଧ୍ୟ ଜିତିଛନ୍ତି।

୨୦୦୪ ମସିହାରେ ସାନିଆଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ସେ ୨୦୦୬ ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ତାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଏବଂ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଭଳି ଏକ ଉତ୍ତମ କ୍ୟାରିୟର ପରେ ସାନିଆ ବର୍ତ୍ତମାନ ଅବସର ଆଡ଼କୁ ଗତି କରୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁବାଇର ଟେକ୍ ଇଭେଂଟ୍‌ରେ ସୋଆର ଷ୍ଟାର୍ଟ -ଅପ୍ ପୁରସ୍କୃତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍‌” ଦୁବାଇରେ ସୁପର୍‌ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି। ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀ ରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର ଷ୍ଟାର୍ଟ – ଅପ୍ “ୱିୱେର୍‌”।

ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍‌ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍‌” ଟିମ୍ ର ଜଣେ ସଦସ୍ୟ କହିଥିଲେ।

ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍ ଡକ୍ଟର ଓମ୍‌କାର ରାଏ “ୱିୱେର୍‌”ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

କାରଖାନା ମାର୍କେଟ୍ ସ୍ପେସ୍ ପ୍ରାୟୋଜିିତ ସୋଆ ଫାବ୍‌ଲାବ୍‌ର ଏହି ଉଦ୍ୟୋଗୀ ଟିମ୍ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିିଇଆର୍‌)ର ଛାତ୍ରଛାତ୍ରୀ ଅଟନ୍ତି।

ପୁରସ୍କୃତ ହେବା ପରେ ଏହି ଟିମ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, ଆଇଟିିଇଆର୍ ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ , ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଅନୁରାଗ ଶତପଥୀ ଓ ଡକ୍ଟର ତାପସ ମହାପାତ୍ର ଙ୍କୁ ସେମାନଙ୍କ ର ସମସ୍ତ ସହଯୋଗ ଓ ଦକ୍ଷତା ପ୍ରତିପାଦିତ କରିବା ନିମନ୍ତେ ସେମାନଙ୍କୁ ପ୍ଲ୍‌ାଟ୍‌ଫର୍ମ ଯୋଗାଇଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଟିମ୍ ର ସଦସ୍ୟମାନେ ହେଲେ ପୁରୁ ଅନିକେତ୍‌,ଭିନିତ୍ ଜାନା, ଭୌମିକା ସିଂ, ମୁଦାସିର ଅନ୍‌ସାରୀ, ମୋହିତ କୁମାର ସରାଫ, ଅତୁଲ୍ ସାହୁ, ସୋହନ କୁମାର ରାଉତ, ଅରଚନ କୁମାର ବୋଷ,ଦେବାଙ୍ଗନ ଚକ୍ରବର୍ତୀ, ବିଶ୍ୱନାଥ ପାତ୍ର, ପ୍ରଥମ୍ ରାଜ, ଏ.ଅରିଜିତ୍ ଓ ୟଶ୍ କୁମାର।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

୮ ବର୍ଷ ପରେ ଏସିଆର ନୂଆ ଚାମ୍ପିଅନ୍ ହେଲା ଶ୍ରୀଲଙ୍କା: ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୂଳି

ଦୁବାଇ: ଦୁବାଇରେ ଖେଳାଯାଇଥିବା ୨୦୨୨ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନ୍ ରେ ପରାସ୍ତ କରିଛି। ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ କେବଳ ୧୪୭ ରନ୍ ସ୍କୋର କରିପାରିଥିଲା। ଆଠ ବର୍ଷ ପରେ ଶ୍ରୀଲଙ୍କା ଏସିଆ କପ୍ ଟାଇଟଲ୍ ଜିତିଛି। ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି।

ଶ୍ରୀଲଙ୍କାର ଏହି ଦମଦାର ବିଜୟର ଭାନିନ୍ଦୁ ହାସରାଙ୍ଗା ଏବଂ ଭାନୁକା ରାଜପକ୍ସ ହିରୋ ଥିଲେ। ହାସରାଙ୍ଗା ଉଭୟ ବଲ ଏବଂ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ହାସାରାଙ୍ଗା ପ୍ରଥମେ ୨୧ ଟି ବଲରେ ୩୬ ରନ୍ ର ଏକ ଇନିଂସ ଖେଳିଥିଲେ ଏବଂ ପରେ ଗୁରୁତ୍ୱପୂର୍ଣ୍ଣ ତିନୋଟି ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ରାଜପକ୍ସ ୭୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ଯୁବ ଦ୍ରୁତ ବୋଲର ପ୍ରମୋଦ ମଧୁସାନ୍ ମଧ୍ୟ ଏହି ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୩୪ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆ କପରେ ପାକିସ୍ତାନ ମାରିଲା ବାଜି: ଏହି ପାଞ୍ଚଟି କାରଣ ଯୋଗୁଁ ହାରିଲା ଭାରତ

ଦୁବାଇ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍‌ର ସୁପର-୪ ରେ ପାକିସ୍ତାନ ୫ ୱିକେଟରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଶେଷ ଓଭରରେ ଟାର୍ଗେଟକୁ ପୁରା କରିଥିଲା। ଏଥି ସହିତ, ଏହି ପରାଜୟରେ ଭାରତ ଦଳ ଅନେକ ଭୁଲ କରିଥିଲା। ଆସନ୍ତୁ ଜାଣିବା ଭାରତର ପରାଜୟର ପାଞ୍ଚଟି କାରଣ…

ଦୀପକ ହୁଡା ବୋଲିଂ ନକରିବା:

ଭାରତ ପାକିସ୍ତାନ ମ୍ୟାଚରେ ଭାରତର ପରାଜୟର ଏକ ପ୍ରମୁଖ କାରଣ ହେଉଛି ଦୀପକ ହୁଡା ବୋଲିଂ ନକରିବା। ବାସ୍ତବରେ ଭାରତୀୟ ଦଳ କେବଳ ପାଞ୍ଚ ଜଣ ବୋଲରଙ୍କ ସହ ବୋଲିଂ କରିଥିଲା। ଯେତେବେଳେ ସମସ୍ତ ବୋଲରମାନେ ପାକିସ୍ତାନ ବିପକ୍ଷରେ ଅସହାୟ ଦେଖାଯାଉଥିଲେ। ତା’ପରେ ସମସ୍ତେ ଆଶା କରିଥିଲେ ଯେ ରୋହିତ ଶର୍ମା ଦୀପକ ହୁଡାଙ୍କୁ ବୋଲିଂରେ ଆଣିବେ। କିନ୍ତୁ ସେ ଦୀପକ ହୁଡାଙ୍କୁ ବୋଲିଂ କରିବାକୁ ସୁଯୋଗ ଦେଇନଥିଲେ।

ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅର୍ଶଦୀପ କ୍ୟାଚ୍ ଛାଡିବା:

ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆସିଫ ଅଲିଙ୍କ ଏକ ସରଳ କ୍ୟାଚ୍ ଛାଡିଥିଲେ। ଟିମ୍ ଇଣ୍ଡିଆ ପାଇଁ ଅର୍ଶଦୀପଙ୍କ ଏହି କ୍ୟାଚ୍ ଛାଡିବା ମହଙ୍ଗା ସାବ୍ୟସ୍ତ ହେଲା ଏବଂ ଭାରତୀୟ ଦଳ ମ୍ୟାଚକୁ ୫ ୱିକେଟ୍ ରେ ହରାଇଥିଲା।

କାକର:

ଦୁବାଇରେ ଅନୁଷ୍ଠିତ ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍ ରେ କାକର ମଧ୍ୟ ଭାରତକୁ ବହୁତ ବାଧା ଦେଇଥିଲା। କାକର ଯୋଗୁଁ ଭାରତୀୟ ବୋଲରମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥି ସହ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ମାନେ ଏହାର ଫାଇଦା ଉଠାଇ ନିଜ ଦଳକୁ ଭାରତ ବିପକ୍ଷରେ ୫ ୱିକେଟ୍ ବିଜୟ ପ୍ରଦାନ କରିଥିଲେ।

ଭାରତ ଟସ୍ ହାରିବା:

ଏସିଆ କପ୍‌ର ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଟସ୍ ହାରିବା ମଧ୍ୟ ପରାଜୟର ମୁଖ୍ୟ କାରଣ ପାଲଟିଛି। ଏହି ପିଚରେ ଭାରତୀୟ ଦଳ ପ୍ରଥମେ ବୋଲିଂ କରି ରନ୍ ପିଛା କରିବାକୁ ଚାହୁଁଥିଲା, କିନ୍ତୁ ଭାରତୀୟ ଦଳକୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଥିଲା।

ଅଧିକ ଅତିରିକ୍ତ ରନ ଦେବା:

ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ୧୮୨ ର ଟାର୍ଗେଟକୁ ଅଟକାଇବାବେଳେ ଭାରତୀୟ ବୋଲରମାନେ ଅନେକ ଅତିରିକ୍ତ ରନ୍ ଦେଇଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଦଳ ମୋଟ ୧୪ ଅତିରିକ୍ତ ରନ୍ ଖର୍ଚ୍ଚ କରିଥିଲେ। ୧୦ ଟି ୱାଇଡ ବଲ ଫିଙ୍ଗିଥିଲେ। ଏହି ଅତିରିକ୍ତ ରନ୍ ଆଜି ଭାରତୀୟ ଦଳକୁ ବହୁତ ପ୍ରଭାବିତ କରିଛି ଏବଂ ସେମାନଙ୍କର ପରାଜୟର ଏକ ବଡ଼ କାରଣ ପାଲଟିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜିଠୁ ଏସିଆ କପ୍: ୬ ଟି ଦଳ ମଧ୍ୟରେ ହେବ ୧୩ ଟି ମ୍ୟାଚ୍, ପଢନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ

ନୂଆଦିଲ୍ଲୀ: ଆଜିଠାରୁ ଏସିଆ କପ୍-୨୦୨୨ ଆରମ୍ଭ ହେବ। ଭାରତ ଏବଂ ପାକିସ୍ଥାନର ଦଳ ଅଗଷ୍ଟ ୨୮ ତାରିଖରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଏଥି ସହିତ ସେପ୍ଟେମ୍ବର ୧୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଏସିଆ କପ୍ ୨୦୨୨ର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପ୍ରାୟ ୪ ବର୍ଷ ପରେ ଏସିଆ କପ୍ ଆୟୋଜିତ ହେଉଛି। ଏହାପୂର୍ବରୁ ୨୦୧୮ ମସିହାରେ ଏସିଆ କପ୍ ଖେଳାଯାଇଥିଲା।

ଟି -୨୦ ଫର୍ମାଟରେ ଖେଳାଯିବ ମ୍ୟାଚ୍:

ଏସିଆ କପ୍ ୨୦୨୨ର ମ୍ୟାଚ୍ ଟି -୨୦ ଫର୍ମାଟରେ ଖେଳାଯିବ। ତେବେ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ବାସ୍ତବରେ, ସେହି ବର୍ଷ ଟି -୨୦ ବିଶ୍ୱକପ୍ ଆୟୋଜନ କରାଯାଉଥିଲା, ଯେଉଁ କାରଣରୁ ୨୦୧୬ ଏସିଆ କପ୍ ଟି -୨୦ ଫର୍ମାଟରେ ଖେଳାଯାଇଥିଲା। ଏଥି ସହିତ, ଚଳିତ ବର୍ଷ ମଧ୍ୟ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି, ତେଣୁ ଏଥର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଟି -୨୦ ଫର୍ମାଟରେ ଖେଳାଯିବ।

କିପରି ଦେଖିବେ ଲାଇଭ୍ ପ୍ରସାରଣ ଏବଂ ଷ୍ଟ୍ରିମିଂ?:

ଏସିଆ କପ୍ ୨୦୨୨ ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ହେବ। ବାସ୍ତବରେ, ଏସିଆ କପ୍-୨୦୨୨ ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସର ଚ୍ୟାନେଲରେ କରାଯିବ। ଏହା ବ୍ୟତୀତ ହଟଷ୍ଟାର ଆପ୍ ଏବଂ ୱେବସାଇଟରେ ଲାଇଭ୍ ଷ୍ଟ୍ରିମିଂ କରାଯିବ।

ଏସିଆ କପ୍ ର ଇତିହାସ:

ଏସିଆ କପ୍ ଇତିହାସ ବିଷୟରେ କହିବାକୁ ଗଲେ ଏହା ୧୯୮୪ ମସିହାରେ ଆରମ୍ଭ ହୋଇଥିଲା। ସେହି ବର୍ଷ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏସିଆ କପ୍ ୧୯୮୪ ରେ ଚାମ୍ପିଅନ୍ ହୋଇଥିଲା। ଏଥି ସହିତ ଏସିଆ କପ୍ ଏପର୍ଯ୍ୟନ୍ତ ୧୪ ଥର ଆୟୋଜିତ ହୋଇଛି। ଯେଉଁଥିରେ ଭାରତ ସର୍ବାଧିକ ୭ ଥର ଟ୍ରଫି ଜିତିଥିବାବେଳେ ଶ୍ରୀଲଙ୍କା ୫ ଥର ଏସିଆ କପ୍ ଜିତିଛି।

ଏସିଆ କପରେ ସନାଥ ଜୟସୁରିୟା ସର୍ବାଧିକ ରନ୍ କରିଛନ୍ତି:

ଏସିଆ କପ୍‌ରେ ଶ୍ରୀଲଙ୍କାର ସନାଥ ଜୟସୁରିୟା ସର୍ବାଧିକ ରନ୍ ସ୍କୋର କରିଛନ୍ତି। ଜୟସୁରିଆ ୨୫ ଟି ମ୍ୟାଚ୍ ରେ ୧୨୨୦ ରନ୍ ସଂଗ୍ରହ କରିଛନ୍ତି। ଏଥି ସହିତ, ଲାସିଥ ମାଲିଙ୍ଗା ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ବୋଲର। ଏସିଆ କପରେ ଲାସିଥ ମାଲିଙ୍ଗା ହାରାହାରି ୨୦.୫୫ ରେ ୧୪ ଟି ମ୍ୟାଚରେ ମୋଟ ୨୯ ୱିକେଟ୍ ନେଇଛନ୍ତି।

ଦୁଇଟି ଗୃପରେ ରହିବେ ଟିମ:

ଏସିଆ କପ୍ ୨୦୨୨ ର ୬ ଟି ଦଳକୁ ୨ ଟି ଗୃପରେ ବିଭକ୍ତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୩ ଟି ମ୍ୟାଚ୍ ଖେଳାଯିବ।

ଗ୍ରୁପ୍ ୧: ଭାରତ, ପାକିସ୍ଥାନ ଏବଂ ହଂକଂ।
ଗ୍ରୁପ୍ ୨: ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁବାଇର ଓବରାଇ ହୋଟେଲରେ ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଇନଭେଷ୍ଟର ମିଟ୍

ଦୁବାଇରୁ ସୁଧାଶ୍ରୀ ଦାସଙ୍କ ରିପୋର୍ଟ

ବହୁ ପ୍ରତିକ୍ଷୀତ ଦୁବାଇ ଇନଭେଷ୍ଟର ମିଟ ଦୁବାଇର ଓବରାଇ ହୋଟେଲର ବିଜିନିନେସ ବେଏ ରେ ଆରମ୍ଭ ହୋଇଛି। ଏଥିରେ ଦୁବାଇ ସମେତ ବିଭିନ୍ନ ଦେଶର ବହୁ ଶିଳ୍ପପତି ଯୋଗ ଦେଇଛନ୍ତି। ଆଜି ସକାଳ 11ଟାରୁ ଏହି ବିଜିନେସ ମିଟରେ ଯୋଗଦେବା ପାଇଁ ପଂଜୀକରଣ ଆରମ୍ଭ ହୋଇଥିଲା। ଏଥିରେ ଦୁବାଇର ବହୁ ନାମିଦାମି ଉଦ୍ୟୋଗପତି ଯୋଗ ଦେଇଛନ୍ତି।

ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଦିନ 11ଟାରେ ପଂଜୀକରଣ କରାଯାଇଥିଲା। ଏହାପରେ 12ଟାରୁ 2 ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେହି ହୋଟେଲରେ କେତେକ ବଡ ବଡ ଶିଳ୍ପପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ମୁଖ୍ୟମନ୍ତ୍ରୀ ପ୍ରାୟ ପାଞ୍ଚଶହ ପ୍ରବାସୀ ଓଡିଆଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦୁବାଇ ସହିତ ଓମାନ ଏବଂ ବେହେରିନ ପ୍ରଭୃତି ଦେଶରେ ଥିବା ଓଡିଆମାନେ ଯୋଗଦେବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ମ୍ୟାଚ୍ ଜିତିବା ସହ ବିରାଟ କୋହଲିଙ୍କ ଶେଷ ହେଲା ଟି -୨୦ ଅଧିନାୟକତ୍ୱ: ଜାଣନ୍ତୁ କିଭଳି ରହିଛି ତାଙ୍କର ରେକର୍ଡ

ଦୁବାଇ: ଗତକାଲି ରାତିରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନାମିବିଆ ମ୍ୟାଚ୍ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଶେଷ ଟି -୨୦ ମ୍ୟାଚ୍ ଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୯ ୱିକେଟ୍ ଜିତି କୋହଲିଙ୍କ ଅଧିନାୟକତ୍ୱ ବିଜୟ ସହ ସମାପ୍ତ କରିଛି। କ୍ୟାପଟେନ କୋହଲିଙ୍କ ନେତୃତ୍ୱରେ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଏହା ଟିମ୍ ଇଣ୍ଡିଆର ୩୦ ତମ ବିଜୟ ଥିଲା।

ମହେନ୍ଦ୍ର ସିଂ ଧୋନିଙ୍କ ପରେ କୋହଲି ଟି -୨୦ କ୍ରିକେଟରେ ଟିମ୍ ଇଣ୍ଡିଆ ପାଇଁ ଦ୍ୱିତୀୟ ସଫଳ ଅଧିନାୟକ ହୋଇଛନ୍ତି। ଧୋନି ୨୦୧୬ ମସିହାରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିଥିଲେ। କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୫୦ ଟି ମ୍ୟାଚ୍ ଖେଳିଥିଲା। ଏଥିମଧ୍ୟରେ ୩୦ ଟି ବିଜୟ ଏବଂ ୧୬ ଟି ପରାଜୟ ସହିତ ଟିମ୍ ଇଣ୍ଡିଆର ବିଜୟର ସଫଳତା ହାର ୬୪% ଥିଲା।

ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ରନ୍ ସ୍କୋର କରିବାରେ ବିରାଟ ଅଧିନାୟକ ଭାବରେ ଦ୍ୱିତୀୟ ସଫଳ ଖେଳାଳି ହୋଇଛନ୍ତି। ବିରାଟ ହାରାହାରି ୪୭.୫୭ ରେ ୫୦ଟି ମ୍ୟାଚର ୪୭ ଇନିଂସରେ ୧୫୭୦ ରନ୍ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ପ୍ରଥମ ସ୍ଥାନରେ ଅଛନ୍ତି।

ଅଧିନାୟକ ଭାବରେ ବିରାଟଙ୍କ ପ୍ରଦର୍ଶନ ଭଲ ଥିଲା କିନ୍ତୁ ତାଙ୍କ ପାଇଁ ସବୁଠାରୁ ଖରାପ କଥା ହେଲା ଯେ, ସେ ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ କୌଣସି ଆଇସିସି ଟ୍ରଫି ହାସଲ କରିପାରିନଥିଲେ। ୨୦୧୭ ରେ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ରେ ଦିନିକିଆ ବିଶ୍ୱକପ, ୨୦୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଟିମ୍ ଇଣ୍ଡିଆ ଖାଲି ହାତରେ ଫେରିଛି। ସେ ଅଧିନାୟକ ଭାବରେ ଟି-୨୦ ବିଶ୍ୱକପ୍‌ରେ ଏହି ସୁଯୋଗ ପାଇଥିଲେ, କିନ୍ତୁ ସେ ପ୍ରଥମ ଦୁଇଟି ମ୍ୟାଚ୍‌ ହରାଇ ଏହି ସୁଯୋଗ ହରାଇଥିଲେ।

ଟେଷ୍ଟ ମ୍ୟାଚରେ ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୬୫ ଟି ମ୍ୟାଚ ମଧ୍ୟରୁ ୩୮ ଟି ଜିତିଛି। ଏଠାରେ ତାଙ୍କର ସଫଳତା ହାର ୫୮% ହୋଇଛି। ଜଣେ ଅଧିନାୟକ ଭାବରେ ସେ ଟେଷ୍ଟ ମ୍ୟାଚରେ ହାରାହାରି ୫୬୬୭ ରନ୍ ସଂଗ୍ରହ କରିଛନ୍ତି। ଅଧିନାୟକ ଭାବରେ ଦିନିକିଆରେ ତାଙ୍କର ପ୍ରଦର୍ଶନ ଖରାପ ହୋଇନାହିଁ। ସେ ୯୫ ଟି ଦିନିକିଆରେ ୬୫ ଟି ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଛନ୍ତି। ଏହି ମ୍ୟାଚଗୁଡିକରେ ସେ ୭୪ ହାରରେ ୫୪୪୯ ରନ୍ ସଂଗ୍ରହ କରିଛନ୍ତି।

Categories
ଆଜିର ଖବର

ଟି-୨୦ ବିଶ୍ୱକପ: ଟିମ୍ ଇଣ୍ଡିଆ ବିରୋଧରେ ୧୨ ଜଣିଆ ଦଳ ଘୋଷଣା କଲା ପାକିସ୍ଥାନ

ନୂଆଦିଲ୍ଲୀ: ଆଇସିସି ଟି -୨୦ ବିଶ୍ୱକପରେ ମହାମୁକାବଲା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ଅଛି। ଆସନ୍ତାକାଲି ବଡ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ଟିମ୍ ଇଣ୍ଡିଆ ଏହାର ଅଭିଯାନ ଆରମ୍ଭ କରିବ। ଏହାପୂର୍ବରୁ ଆଜି ଭାରତ ବିରୋଧରେ ପାକିସ୍ତାନ ଖେଳାଳି ଘୋଷଣା କରିଛି। ବାବର ଆଜାମ ଏହି ୧୨ ଜଣିଆ ଦଳର ଅଧିନାୟକ।

ଭାରତ ବିରୋଧରେ ପାକିସ୍ତାନର କ୍ରିକେଟ୍ ଦଳ:

୧- ବାବର ଆଜାମ (କ୍ୟାପଟେନ)
୨- ଆସିଫ ଅଲି
୩- ଫକର ଜମାନ
୪- ହାଇଦର ଅଲି
୫- ମହମ୍ମଦ ରିଜୱାନ୍ (ୱିକେଟ୍ କିପର)
୬- ଇମାଦ ବସିମ
୭- ମହମ୍ମଦ ହାଫିଜ
୮- ଶାଦବ ଖାନ
୯- ଶୋଏବ ମଲିକ୍
୧୦- ହରିଶ ରାଉଫ
୧୧- ହାସନ ଅଲି
୧୨- ଶାହିନ୍ ଶାହା ଆଫ୍ରିଦି

ଅକ୍ଟୋବର ୨୪ ତାରିଖ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ବହୁତ ରୋମାଞ୍ଚକର ହେବାକୁ ଯାଉଛି। ଟିମ୍ ଇଣ୍ଡିଆର ପ୍ରଶଂସକମାନେ କେବଳ ଏହି ମୁହୂର୍ତ୍ତକୁ ଅପେକ୍ଷା କରିନାହାଁନ୍ତି, ସମଗ୍ର ବିଶ୍ୱର ଖେଳାଳିମାନେ ମଧ୍ୟ ଏହି ମ୍ୟାଚ୍ କୁ ଅପେକ୍ଷା କରିଛନ୍ତି। ଚିର-ପ୍ରତିଦ୍ୱନ୍ଦ୍ୱୀ ସହିତ ମ୍ୟାଚରେ ନିଜର ପୁରୁଣା ବିଜୟ ରେକର୍ଡ ବଜାୟ ରଖିବାକୁ ଟିମ୍ ଇଣ୍ଡିଆ ଯଥାସମ୍ଭବ ଚେଷ୍ଟା କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପୁଣିଥରେ ଦୁବାଇରେ ଖେଳାଯିବ ଆଇପିଏଲ-୧୪!: ଜାଣନ୍ତୁ କେଉଁ ତାରିଖରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ଆଇପିଏଲର ୧୪ ତମ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ଏହି ସବୁ ମ୍ୟାଚ ଖେଳାଯିବ, ତାହା ଏବେ ବିସିସିଆଇ ସ୍ପଷ୍ଟ କରିନାହିଁ।

କିନ୍ତୁ ମେ’ ୨୯ରେ ହେବାକୁ ଥିବା ବିସିସିଆଇର ସାଧାରଣ ବୈଠକରେ ଏହାର ତାରିଖ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଦୁବାଇରେ ଏହି ସଂସ୍କରଣର ବାକି ଥିବା ସମସ୍ତ ମ୍ୟାଚ ଆୟୋଜନ ହେବା ସମ୍ଭାବନା ରହିଛି। ତେବେ ସେଥିପାଇଁ ଅନ୍ୟ ଦେଶର କ୍ରିକେଟ ବୋର୍ଡ ଏବଂ ଆଇପିଏଲ ଫ୍ରାଞ୍ଚାଇଜ ସାଥିରେ ଆଲୋଚନା ଜାରି ରହିଛି।

ମିଳିଥିବା ଖବର ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ମାସର ୧୯-୨୦ ତାରିଖରେ ଆଇପିଏଲ-୧୪ ସଂସ୍କରଣ ପୁଣି ଥରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ହେବ ବୋଲି ଖବର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟ ୨୧ ଦିନ ଭିତରେ ସମ୍ପନ୍ନ ହେବ। ୨୧ ଦିନ ଭିତରେ ୧୦ ଟି ଡବଲ ହେଡର, ୭ ଦିନରେ ଗୋଟିଏ ଲେଖାଏଁ ମ୍ୟାଚ ଏବଂ ୪ ଟି ପ୍ଲେ ଅଫ ମ୍ୟାଚ ଖେଳାଯିବ।

ତେବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରୁ ସେପ୍ଟେମ୍ବର ୧୯ ତାରିଖରେ ଦୁବାଇରେ ପହଞ୍ଚିବେ। ସେଠାରେ ସେମାନେ ୩ ଦିନ କ୍ଵାରେଣ୍ଟିନରେ ରହିବେ। ଅନ୍ୟ ଦେଶର ଖେଳାଳି କାରାବିୟାନ ପ୍ରିମିୟର ଲିଗରୁ ସିଧା ଆଇପିଏଲ ଦଳରେ ସାମିଲ ହେବେ।

ଉଲ୍ଲେଖ ଯୋଗ୍ୟ ଯେ, ସିପିଏଲ ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସିପିଏଲ ଟୁର୍ଣ୍ଣାମେଣ୍ଟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ମଧ୍ୟ ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁବାଇରୁ ଆସିଲେ ପ୍ରବାସୀ : ରାଜ୍ୟରେ ଏକ ଲକ୍ଷ ଟପିଲା ପ୍ରବାସୀଙ୍କ ଆଗମନ

ଭୁବନେଶ୍ବର : ଦୁବାଇରୁ ଆସିଲେ ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ 150 ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। 12ଟି ଜିଲ୍ଲାର 150ଜଣ ଯାତ୍ରୀ ଆସିଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ପଠାଯିବାର ବ୍ୟବସ୍ଥା କରାଯାଉଛି। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଗତକାଲି ରେଳ ଓ ବିମାନ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସବୁ ପ୍ରବାସୀଙ୍କର ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଥିଲେ।

ସେହିପରି ପ୍ରବାସୀଙ୍କ ବାବଦରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି 11 ହଜାର 487ଜଣ ପ୍ରବାସୀ ଆସିଥିବାର ସୂଚନା ରହିଛି। ଏଯାବତ୍‌ ରାଜ୍ୟକୁ 1 ଲକ୍ଷ 30 ଜଣ ପ୍ରବାସୀ ଆସିଛନ୍ତି ବୋଲି ସୂଚନା ରହିଛି।