Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୫ ପର୍ଯ୍ୟଟକ

ପୁରୀ: ଆଜି ପଶ୍ଚିମବଂଗର ୫ ଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭିତରକୁ ଭାସି ଯାଉଥିଲେ। ଏହି ସମୟରେ ସେଠାରେ ସୁରକ୍ଷା ପାଇଁ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ସେମାନେ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ପଶ୍ଚିମବଂଗର ଏକ ପରିବାର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ସମୁଦ୍ରକୂଳରେ ବୁଲାବୁଲି କରିବା ପରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେହି ପରିବାରର ୫ ଜଣ ସଦସ୍ୟ ପାଣି ଭିତରକୁ ପଶିଯାଇଥିଲେ। ପାଣି ଭିତରେ ସମସ୍ତେ ଚିତ୍କାର କରିବାରୁ ସେଠାରେ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

Categories
ଆଞ୍ଚଳିକ

ପ୍ରତିଭାକୁ ସମ୍ମାନ ଦେଲେ ପ୍ରତିଭା ବିକଶିତ ହେବ: ସମ୍ବିତ ପାତ୍ର

ପୁରୀ: ପୁରୀ ଜିଲ୍ଲାର ଗଙ୍ଗାନାରାୟଣପୁରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏଇ ବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଥିବା ଆଶୁତୋଷ ସାହୁ ଓ ଋତୁପର୍ଣ୍ଣା ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି।

ଋତୁପର୍ଣ୍ଣାଙ୍କ ରେଙ୍କ ୯୩ ଥିବାବେଳେ ଆଶୁତୋଷଙ୍କ ରେଙ୍କ ୧୫୮। ଏହା ସହ ଦାମିନି ଦିବ୍ୟଜ୍ୟୋତି ମହାରଣା (ମାଟ୍ରିକ ପରୀକ୍ଷାରେ ଟପର), ବିଭୂତି ଭୂଷଣ ଚମ୍ପତି (ବରିଷ୍ଠ ସାମ୍ବାଦିକ), ସମୀର ସାହୁ (ଗୋଟି ପୁଅ ନୃତ୍ୟ ଶିଳ୍ପୀ ), ରଶ୍ମୀ ରଞ୍ଜନ ସ୍ବାଇଁ (ଆନ୍ତର୍ଜତୀୟ ସ୍ତରରେ ସଫଳତା ପାଇଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ) ଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବିତ ପାତ୍ର ସମ୍ମାନୀତ କରିଛନ୍ତି।

କାର୍ଯ୍ୟକ୍ରମରେ ହରଚଣ୍ଡି ହାଇ ସ୍କୁଲର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର 500ରୁ ଉର୍ଦ୍ଧ ବ୍ୟକ୍ତି ସମ୍ମିଳିତ ହେଇଥିଲେ।

ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରତ୍ୟେକ ପ୍ରତିଭାକୁ ସମ୍ମାନ ହେବା ଉଚିତ୍। ଏହି ପ୍ରତିଭା ଆମ ଦେଶର ସମ୍ବଳ। ପ୍ରତିଭାକୁ ସମ୍ମାନ ଦେଲେ ହେଁ ପ୍ରତିଭା ବିକଶିତ ହେବ। ଆମ ସମସ୍ତଙ୍କ ଦାଇତ୍ୱ ଆମ ଯୁବ ପ୍ରତିଭାଙ୍କୁ ଆଗକୁ ବଢେଇବାର। ଏମାନେ ସମସ୍ତେ ଆମ ମାଟିର ଗୌରବ।

କାର୍ଯ୍ୟକ୍ରମ ଶେଷରେ ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ହରଚଣ୍ଡି ହାଇ ସ୍କୁଲରେ ବୃକ୍ଷ ରୋପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀ: ଦାଦା ବଟି ଆଦାୟ କରି ଦୁଇ ଗିରଫ

ପୁରୀ: ଦାଦା ବଟି ମାଗି ପୁରୀ ଟାଉନ ଥାନା ପୋଲିସ ହାତରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ। ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅଞ୍ଚଳର ରାକେଶ ପ୍ରଧାନ (୨୦) ଏବଂ ଜ୍ଞାନରଞ୍ଜନ ଦାସ (୨୧)।

ଉକ୍ତ ଦୁଇ ଅଭିଯୁକ୍ତ ଆଜି ମାର୍କେଟ ଛକ ନିକଟରେ ଥିବା ମାଛ ମାର୍କେଟ ଦୋକାନୀଙ୍କୁ ଡରାଇ ଧମକାଇ ଦାଦା ବଟି ଆଦାୟ କରୁଥିଲେ। ଅଭିଯୋଗ ପାଇ ଟାଉନ ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ସମ୍ପୃକ୍ତ ସ୍ଥାନକୁ ଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଦୁଇ ଗୋଟି ଆଇରନ ରଡ଼ ଓ କିଛି ଟଙ୍କା ଜବତ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀରେ ଅଣଓଡିଆ ମହିଳା ଚେନ ଲୁଟେରାଙ୍କ ଆତଙ୍କ, ଚୋରୀ ବେଳେ ମାଡି ବସିଲେ ଭକ୍ତ

ପୁରୀ: ପୁରୀ ଶ୍ରୀଲୋକନାଥ ମନ୍ଦିରରେ ଜଣେ ମହିଳା ଲୁଟେରା ଜଣେ ଭକ୍ତଙ୍କ ବେକରୁ ସୁନା ଚେନ ଲୁଟିଥିବା ବେଳେ ଧରାପଡିଛନ୍ତି। ଲୁଟେରାକୁ ପୁରୀର ବାସେଳି ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଲୁଟେରାଠାରୁ ସେହି ଚେନ ସହିତ ଆଉ କିଛି ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ଲୁଟେରା ଜଣଙ୍କ ହେଉଛନ୍ତି ଜାମସେଦପୁରର ପଚାଶ ବର୍ଷ ବୟସର ଏ ସାଲଭୀ।

ଘଟଣାରୁ ଜଣାପଡିଛି ଯେ, ଗତକାଲି ଭୁବନେଶ୍ବର ନାଗେଶ୍ବରଟାଙ୍ଗୀରେ ରହୁଥିବା ଉର୍ମିବାଳା ପ୍ରଧାନ ଶ୍ରୀଲୋକନାଥ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ଲୋକନାଥ ମନ୍ଦିର ଗର୍ଭଗୃହରେ ସେ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରୁଥିବା ବେଳେ ଆଗରୁ ଟାର୍ଗେଟ କରିଥିବା ଏହି ମହିଳା ଲୁଟେରା ତାଙ୍କ ବେକରୁ ଚେନ କାଟି ଦେଇଥିଲା। ହେଲେ ଭାଗ୍ୟବସତଃ ସେ ଚେନଟି ଲୁଟେରା ନେବା ପୂର୍ବରୁ ଭକ୍ତଙ୍କ ହାତ ଉପରେ ଖସି ପଡିଥିଲା।

ଏକଥା ଜଣାପଡିବା ପରେ ଲୁଟେରାକୁ ସେହି ଗର୍ଭଗୃହରେ ଅନ୍ୟଭକ୍ତ ଏବଂ ସେବାୟତ ମାଡି ବସିଥିଲେ। ଏହାପରେ ଲୁଟେରାକୁ ମନ୍ଦିର ବାହାରକୁ ଆଣି ପୋଲିସକୁ ଖବର ଦେବା ପରେ ତାଙ୍କୁ ଥାନାକୁ ନେଇ ପଚାରାଉଚୁରା କରାଯାଇଥିଲା। ଏହାପରେ ସେ ଚେନ ଲୁଟିଥିବା ଘଟଣାକୁ ସ୍ବୀକାର କରିଥିଲା।

ବର୍ତ୍ତମାନ ପୁରୀରେ ଅଣଓଡିଆ ମହିଳା ଲୁଟେରାଙ୍କ ଆତଙ୍କରାଜ ଦିନକୁ ଦିନ ବଢିବାରେ ଲାଗିଛି। ରଥଯାତ୍ରା ପୂର୍ବରୁ ପୁରୀକୁ ଝାଡଖଣ୍ଡର ଏକ ମହିଳା ଲୁଟେରା ଗୋଷ୍ଠୀ ଆସି ଆତଙ୍କରାଜ ଚାଳାଇଥିବାର ଜଣାପଡିଛି। ସେମାନେ ବିଭିନ୍ନ ମନ୍ଦିରରେ ଭିଡ ଦିନକୁ ନଜରରେ ରଖି ଏହି ଚୋରୀ କରି ଖସି ପଳାଉଛନ୍ତି। ଗତକାଲି ଏହି ମହିଳା ଲୁଟେରା ଧରାପଡିବା ପରେ ପୁରୀ ପୋଲିସ ଅଧିକ ଅନୁସନ୍ଧାନ ଜାରୀ ରଖିଛି।

Categories
ଆଞ୍ଚଳିକ

ପିପିଲିରେ ବୁଣାକାରଙ୍କ ସମସ୍ୟା ବୁଝିଲେ ସମ୍ବିତ ପାତ୍ର

ପୁରୀ: ପିପିଲି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ରୁପଦେଇପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲା ସଭାପତି ଆଶ୍ରିତ କୁମାର ପଟ୍ଟନାୟକ ଓ ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ।

ରୁପଦେଇପୁର ପଞ୍ଚାୟତରେ ଅନୁଷ୍ଠିତ ଏହି ପଦ ଯାତ୍ରାରେ ମୋଦି ସରକାର ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ରୁପଦେଇପୁର ପଞ୍ଚାୟତବାସୀଙ୍କୁ ଅବଗତ କରାଯାଇଛି।

ପଦଯାତ୍ରା ସମୟରେ ସମ୍ବିତ ପାତ୍ର ଓ ଆଶ୍ରିତ କୁମାର ପଟ୍ଟନାୟକ ମେଜବେଗ ଗ୍ରାମର ବିଭିନ୍ନ ବୁଣାକାରଙ୍କ ଘରକୁ ଯାଇ ତାଙ୍କ ସମସ୍ୟା ବୁଝି ଥିଲେ ଓ ଏହାର ସମାଧାନ ପାଇଁ ସମ୍ବନ୍ଧିତ ଅଧିକାରୀଙ୍କ ସହିତ ଚର୍ଚ୍ଚା କରିଥିଲେ। ଆଗକୁ ଏହି ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ତରଫରୁ ପଞ୍ଚାୟତରେ ବୁଣାକାରଙ୍କ ପ୍ରଶିକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସମ୍ବିତ ପାତ୍ର ସୂଚନା ଦେଇଛନ୍ତି।

ଏହା ସହିତ ସମ୍ବିତ ପାତ୍ର ବୁଣାକାରମାନଙ୍କୁ ମୋଦୀ ସରକାରଙ୍କ ଦ୍ଵାରା ବୁଣାକାରଙ୍କ ହିତ ପାଇଁ ଚାଲୁଥିବା ଯୋଜନା ବିଷୟରେ ଅବଗତ କରାଇଥିଲେ। ଏହି ପଦଯାତ୍ରାରେ ଜିଲ୍ଲାର ୧୦୦ ରୁ ଅଧିକ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହେବା ସହିତ ୩୦୦ରୁ ଅଧିକ ସାଧାରଣ ଜନତା ସାମିଲ ହେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀ ବୋମାମାଡ଼ ଘଟଣାରେ ୫ ଦୁର୍ଦାନ୍ତ ଅପରାଧିଙ୍କୁ ଗିରଫ କଲା ସଦର ଥାନା ପୋଲିସ

ପୁରୀ: ପୁରୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ଘଟଣାରେ ଆଜି ୫ ଦୁର୍ଦାନ୍ତ ଅପରାଧି ଗିରଫ ହୋଇଛନ୍ତି। ଏ ନେଇ ବାସେଳୀ ସାହି ଥାନା ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁରୀ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ନିଲୁ ବରାଳ(୨୪), ନାରାୟଣ ମଲ୍ଲିକ(୨୨ ),ବୁଲୁ ମଲ୍ଲିକ(୨୪)ଜିତେନ୍ଦ୍ର ସାହୁ(୩୦) ଏବଂ ଟାଉନ ଥାନା ଅଞ୍ଚଳର ରମିନ ସିଂ(୨୩ )। ଉପରୋକ୍ତ ଅପରାଧୀଙ୍କ ନିକଟରୁ ଚାରି ଗୋଟି ଅଫୁଟା ବୋମା,ଗୋଟାଏ ବାଇକ, ଗୋଟାଏ ସ୍କୁଟି ଏବଂ ବୋମାର ଅବଶେଷ ଜବତ କରିଛି ପୋଲିସ। ତେବେ ଅଭିଯୁକ୍ତ ନିଲୁ, ରମି ଓ ନାରାୟଣଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ପୁର୍ବରୁ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡିଛି।

ସୂଚନା ଥାଉକି ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଅଞ୍ଚଳର ବିଜୟ କୁମାର ଖୁଣ୍ଟିଆ(୪୪) ଙ୍କ ସହ ଅଭିଯୁକ୍ତ ନିଲୁ ବରାଳଙ୍କ ଦୀର୍ଘ ଦିନର ପୂର୍ବ ଶତ୍ରୁତା ଥିଲା। ଫଳରେ ନିଲୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବିଜୟଙ୍କୁ ଜୀବନରୁ ମାରିଦେବା ପାଇଁ ସଦାବେଳେ ସୁଯୋଗ ଅପେକ୍ଷାରେ ଥିଲେ। ଏହି ପରିପ୍ରେକ୍ଷୀରେ ଗତ ୨୭ ତାରିଖରେ ନିଲୁ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ବିଜୟଙ୍କ ଘରକୁ ୩ ଗୋଟି ବୋମା ମାଡ଼ କରିଥିଲେ।

ତେବେ ବିଜୟ ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ସ୍ତ୍ରୀ ଙ୍କ ଉପରକୁ ଉକ୍ତ ବୋମା ଅଭିଯୁକ୍ତମାନେ ଫୋପାଡ଼ିଥିବା ବେଳେ ବିଜୟଙ୍କ ସ୍ତ୍ରୀ ଭୟରେ ଘରେ ଭିତରକୁ ପଳାଇଥିଲେ।ଏହା ଜାଣିବା ପରେ ବିଜୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ ନମ୍ବର ୧୩୯ /୨୩ ରେ ମାମଲା ରୁଜୁ କରିଥିବା ବେଳେ ପୁରୀ ଏସପିଙ୍କ ନିର୍ଦେଶକ୍ରମେ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦୁଇ ଗୋଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।

ଉକ୍ତ ଟିମ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହାୟତାରେ ଡ଼ିଏସପି ଶ୍ରୀ ସାହୁ ଉକ୍ତ ୫ ଅଭିଯୁକ୍ତଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଗିରଫ କରିବାରେ ସଫଳ ହୋଇଛନ୍ତି l ତେବେ ଗିରଫ ଭୟରେ ସମସ୍ତ ଅଭିଯୁକ୍ତ ଖୁବ ଶୀଘ୍ର ରାଜ୍ୟ ଛାଡିବା ଚକ୍କରରେ ଥିଲେ ବୋଲି ପୋଲିସ କହିଛି l ଆଜିର ଉକ୍ତ ପ୍ରେସ ମିଟରେ ସଦର ଥାନା ଆଇଆଇସି ଭାବଗ୍ରାହୀ ରାଉତ ଏବଂ ବାସେଳୀ ସାହି ଥାନା ଆଇଆଇସି ରମାକାନ୍ତ ମୁଦୁଲି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚନ୍ଦ୍ରଯାନ3 ଅଭିଯାନ ନେଇ ବାଲୁକା କଳା କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବିଶ୍ବ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ନୂଆ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରଯାନ3 ସଫଳତାର ସହ ଉତକ୍ଷେପଣ କରିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସଫଳତା ନେଇ କରିଛନ୍ତି ବାଲୁକା କଳା।

ପୁରୀ ବେଳେ ଭୂମିରେ ସେ ଏହି କଳା କରିଛନ୍ତି। ସୁଦର୍ଶନ ଏଥିରେ ପାଞ୍ଚ ହଜାର ଷ୍ଟିଲ ବୋତଲ ବ୍ୟବହାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ଏଥିରେ ସୁଦର୍ଶନ ବିଜୟୀ ଭବ ବୋଲି ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବାତିଲ ହେଲା ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ଭୁବନେଶ୍ଵର: ଆଜି ପୁରୀ ଠାରୁ ଛାଡିବାକୁଥିବା ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ।

ଋଷିକେଶ ଠାରୁ ପୁରୀ ପହଞ୍ଚିବାକୁ ଥିବା ସଂଯୋଗକାରୀ ଟ୍ରେନର ମାତ୍ରାଧିକ ବିଳମ୍ବ ଯୋଗୁଁ ଏବଂ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତା ପାଇଁ ଏହି ପଦକ୍ଷେପ ନିଆଯାଇଅଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଜନ୍ମବେଦୀରେ ତିନିଠାକୁର, ଆଜିଠାରୁ ଆଡପ ମଣ୍ଡପ ଦର୍ଶନ

ପୁରୀ: ତିନିଦିନର ପଥକ୍ଲାନ୍ତ ପରେ ଗତକାଲି ତିନିଠାକୁର ଆଡପ ମଣ୍ଡପ ବିଜେ କରିଛନ୍ତି। ରଥଯାତ୍ରା ଦିନ ରଥରେ ଠାକୁର ଦର୍ଶନ ଦେଇଥିଲେ। ଏହାପରେ ବୁଧବାରଦିନ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯିବା ପରେ ସେଠାରେ ଦର୍ଶନ ଦେଇଥିଲେ। ଏହାପରେ ତିନିଠାକୁର ବର୍ତ୍ତମାନ ଅଡପମଣ୍ଡପରେ ବିଜେ କରିଛନ୍ତି।

ଆଜି ମଧ୍ୟ ଆଡପ ଅଭଡା ବାହାରିବ। ଏହି ଅଭଡା ଖାଇବାକୁ ଏବଂ ଆଡପ ଦର୍ଶନ କରିବାକୁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି। ବିଶ୍ବାସ ରହିଛି ଯେ, ଥରେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ସମସ୍ତ ପାପ ନାଶନ ହୋଇଥାଏ। ସେଥପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥାଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶବିଦେଶର ବିଭିନ୍ନ ପୁରାଣ ଶାସ୍ତ୍ରରେ ରହିଛି ପୁରୀ ରଥଯାତ୍ରାର ବର୍ଣ୍ଣନା

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି।

ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ଏଥିରେ ଏହି ରଥଯାତ୍ରାକୁ ‘ନବଦିନାତ୍ମିକା ଯାତ୍ରା’ କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ ବୋଲି ବର୍ଣ୍ଣନା କରାଯାଇଛି।

ସେହିପରି ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ। ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ। ସେ ସମୟରେ ରଥ ଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ।

ନୀଳାଦ୍ରୀ ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା। ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା। ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା।

ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ। ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର

ରଥଯାତ୍ରା ବେଳକୁ କମିବ ତାତି, ପାଣିପାଗ ବିଭାଗ ଦେଲା ବଡ ସୂଚନା

ଭୁବନେଶ୍ବର: ମହାପ୍ରଭୃଙ୍କ ରଥଯାତ୍ରା ଆସନ୍ତାକାଲି ମଙ୍ଗଳବାରରେ ଅନୁଷ୍ଠିତ ହେବ। ହେଲେ ଗତ କିଛିଦିନ ଧରି ରାଜ୍ୟରେ ଯେପରି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଭକ୍ତମାନେ ବହୁ କଷ୍ଟ ପାଇବେ ବୋଲି ଅନୁମାନ କରିହେଉଛି। ହେଲେ ଏହି ସମୟରେ ପାଣିପାଗ ବିଭାଗ ଦେଇଛି ଏକ ଖୁସି ସୂଚନା।

ପାଣିପାଗ ବିଭାଗ ସୂଚନା ଅନୁସାରେ ୨୦ ତାରିଖରୁ ରାଜ୍ୟର ତାତିର ପ୍ରକୋପ କମିବ। ଆଗାମୀ ୨୦ ଜୁନରୁ ପରବର୍ତୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ବିଶେଷ ଖବର

ସଫଳତା ପୂର୍ବକ ଅନୁଷ୍ଠିତ ହେଲା ‘‘ନବମନ୍ତ୍ର: ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଉପରେ ଜାତୀୟ ସମ୍ମିଳନୀ

ପୁରୀ: ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ବିଷୟବସ୍ତୁ ଉପରେ ଜାତୀୟ ସମ୍ମିଳନୀ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଜାପାନ ଟୋକିଓସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ଏବଂ ଉଦ୍ୟୋଗ ସହଯୋଗୀ ଭାବେ ଇଣ୍ଡିଆନ୍‌ ପଟାଶ ଲିମିଟେଡ୍‌ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିଲା।

ଜୁନ ୫ ତାରିଖରେ ଆୟୋଜିତ ଏହି ସମ୍ମିଳନୀରେ ବିଶେଷଜ୍ଞ, ନୀତି ନିର୍ମାତା, ଶିଳ୍ପ ନେତୃବର୍ଗ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ଉତ୍ପାଦକତା ଲକ୍ଷ୍ୟ ହାସଲ ନିମନ୍ତେ ବିଚାରବିମର୍ଶ କରିବା ସହିତ ରଣନୀତି ଅନ୍ୱେଷଣ କରିବା ଉପରେ ଜୋର ଦେଇଥିଲେ।

ଏହି ସମ୍ମିଳନୀରେ ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପାନେଲ ଆଲୋଚନା, ବିଶିଷ୍ଟ ଅଧିକାରୀମାନଙ୍କ ଦ୍ୱାରା ଦୀକ୍ଷାନ୍ତ ଭାଷଣ ଆଦି ସାମିଲ ରହିଥିଲା। ତିନୋଟି ପ୍ରମୁଖ ବିଷୟରେ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଥିଲା।

ପ୍ରଥମ ଅଧିବେଶନରେ ‘‘ଅମୃତ କାଳ ଏବଂ ୨୦୪୭ ରେ ଏନପିସି’’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ୨୦୪୭ ସୁଦ୍ଧା ସମାବେଶୀ ଏବଂ ନବସୃଜନ ଆଧାରିତ ଉତ୍ପାଦକତା ବିକାଶ, ଏନପିସିର ଭୂମିକା ଉପରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଉତ୍ପାଦକତା ପରିଷଦର ଇନ୍ଧନ, ପରିବେଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ବିଭାଗ ନିର୍ଦ୍ଦେଶକ ଓ ବିଭାଗ ମୁଖ୍ୟ କେଡି ଭରଦ୍ୱାଜ ବକ୍ତବ୍ୟ ରଖିଥିଲେ। ଏହି ଅଧିବେଶନରେ ‘‘ନବମନ୍ତ୍ର’’ ପାଞ୍ଚଟି ବିଷୟଗତ କ୍ଷେତ୍ର ଏବଂ ଚାରିଟି ଭୌଗଳିକ ଲକ୍ଷ୍ୟ ଆଧାରିତ କ୍ଷେତ୍ରକୁ ସାମିଲ କରାଯାଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ୯ ଟି ବହୁମୁଖୀ ଦୃଷ୍ଟିକୋଣ ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ କରାଯାଇଥିଲା। ଯୁବ ଓ ଉତ୍ପାଦକତା, ମହିଳା ଓ ଉତ୍ପାଦକତା, ନବସୃଜନ, କୃଷି ଓ ସମବାୟ ଏବଂ ଉଦ୍ୟୋଗ ଭାଗିଦାରୀ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଥିଲା।

ଦ୍ୱିତୀୟ ଅଧିବେଶନରେ ‘‘ଦୀର୍ଘସ୍ଥାୟୀ ଖଣି ଖନନ ପଦ୍ଧତି’’ ଉପରେ ଆଲୋଚନା କରାଯାଇଥିଲା ଏବଂ ଏଥିରେ ନକାରାତ୍ମକ ପରିବେଶ ଓ ସାମାଜିକ ପ୍ରଭାବକୁ ହ୍ରାସ କରି ଖଣିଜ ଓ ପ୍ରାକୃତିକ ସମ୍ପଦର ଉତ୍ତୋଳନ ଲାଗି ଦୀର୍ଘସ୍ଥାୟୀ ଖଣି ଖନନ ପଦ୍ଧତିକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅଧିବେଶନରେ ଓଡ଼ିଶା ଖଣି ନିଗମର ଅତିରିକ୍ତ ମହାପ୍ରବନ୍ଧକ (ଏସଡିପିଏଫ) କେ. ସି ଷଡ଼ଙ୍ଗୀ ଏବଂ ଉପଦେଷ୍ଟା (ଏସଡିଏଫ) ଏ. ବି ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ ।

ଏହି ସମ୍ମିଳନୀରେ ସାମାଜିକ, ଆର୍ଥିକ ଓ ଶିଳ୍ପ ବିକାଶ ସହିତ ସବୁଜ ଉତ୍ପାଦକତାର ବାହକ ଓ ବାଧକଗୁଡ଼ିକ ଉପରେ ପାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସେମାନଙ୍କର ଅଭିଜ୍ଞତା ଓ ବିଶେଷଜ୍ଞତା ବାଣ୍ଟିବା ସହିତ ଅଭିବୃଦ୍ଧି, ଦୀର୍ଘସ୍ଥାୟୀତ୍ୱ ଓ ସାମାଜିକ ସମାବେଶୀତା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ। ଏଥିରେ ଆଇପିଏଲ୍‌ ସେଣ୍ଟର ଫର୍‌ ରୁରାଲ ଆଉଟରିଚ୍‌ର ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇଏଏସ ଡକ୍ଟର ରାଜୀବ ରଞ୍ଜନ, ପଶ୍ଚିମବଙ୍ଗ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଏସ ଡକ୍ଟର ଏମ.ଭି ରାଓ, ଭୁବନେଶ୍ୱରସ୍ଥିତ ଏସଏନଏମ ଗ୍ରୁପର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦିଲ୍ଲୀ ଉତ୍ପାଦକତା ପରିଷଦର ସଚିବ ଅରୁଣ ସରୀନ୍‌, ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ା, ବାଙ୍ଗାଲୋର ସ୍ଥିତ କେନ୍ଦ୍ରୀୟ ବିଦ୍ୟୁତ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏ.କେ. ତ୍ରିପାଠୀ, କୋଏମ୍ବାଟୁର ଉତ୍ପାଦକତା ପରିଷଦର ଅଧ୍ୟକ୍ଷ ଇଞ୍ଜିନିୟର କେ. ଅରୁଲ ପ୍ରମୁଖ ପାନେଲ ଆଲୋଚକ ଭାବେ ଅଂଶଗ୍ରହଣ କରିଥିଲେ।

ବରିଷ୍ଠ ଚାର୍ଟାଡ୍‌ ଏକାଉଣ୍ଟାଣ୍ଟ ଶ୍ରୀ ରାଜୀବ ଶେଖର ସାହୁ ଓଡ଼ିଶା ପରିଦୃଶ୍ୟରେ ୫ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ଓଡ଼ିଶାରେ ଏହି ସମ୍ମିଳନୀର ଆୟୋଜନ ଉପରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଡକ୍ଟର ରାଜୀବ ରଞ୍ଜନ ଦୀକ୍ଷାନ୍ତ ଅଭିଭାଷଣ ରଖି ଗ୍ରାମୀଣ କ୍ଷେତ୍ରରେ ନବସୃଜନ ଏବଂ ଉତ୍ପାଦକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜାତୀୟ ଉତ୍ପାଦକତା ପରିଷଦର ମହାନିର୍ଦ୍ଦେଶକ ସୁନ୍ଦୀପ କୁମାର ନାୟକ ତାଙ୍କର ଅଭିଭାଷଣରେ ଆର୍ଥିକ ବିକାଶକୁ ଆଗେଇ ନେବାର ଉଚ୍ଚ ଉତ୍ପାଦକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ନେସନାଲ ସେଣ୍ଟର୍ ଫର୍‌ ଗୁଡ୍‌ ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ଭରତ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଦୀକ୍ଷାନ୍ତ ଭାଷଣରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଉତ୍ପାଦକତା ଓ ଉତ୍ତମ ପ୍ରଶାସନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଉଦଘାଟନୀ ଅଧିବେଶନରେ ଭୁବନେଶ୍ୱର ଏନପିସିର ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ୍‌ ନାୟକ ସମ୍ମିଳନୀରେ ଯୋଗ ଦେଇଥିବା ବକ୍ତା, ଅତିଥି, ପ୍ରତିନିଧି ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଦଯାପନୀ ଅଧିବେଶନରେ ଜାତୀୟ ଉତ୍ପାଦକତା ପରିଷଦର ଉପମହାନିର୍ଦ୍ଦେଶକ ଶିରିଶ ପାଲିୱାଲ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଏନପିସି ଉପନିର୍ଦ୍ଦେଶକ ଶ୍ୟାମା ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସକୁ 15 ମଇ 2023 ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

12892 ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ 4ଘ.20ମି ରେ ଛାଡି ରାତ୍ରି 11ଘ.05ମି ରେ ବାଙ୍ଗିରିପୋଷି ଠାରେ ପହଞ୍ଚିବ। ଫେରିବା ମାର୍ଗରେ, 12891 ବାଙ୍ଗିରିପୋଷି – ଭୁବନେଶ୍ୱର ଏକ୍ସପ୍ରେସ ବାଙ୍ଗିରିପୋଷିରୁ ଭୋର 4ଘ.20ମି ରେ ଛାଡି ପୁରୀ ଠାରେ ପୂର୍ବାହ୍ନ 11ଘ.05ମି ରେ ପହଞ୍ଚିବ।

ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ସମ୍ପ୍ରସାରିତ ପଥରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ ଷ୍ଟେସନ ମାନଙ୍କଠାରେ ରହଣି କରିବ।

ଭୁବନେଶ୍ୱର ଏବଂ ବାଙ୍ଗିରିପୋଷି ମଧ୍ୟରେ ଏହି ଟ୍ରେନ୍ ପାଇଁ ସମୟ ଏବଂ ନିର୍ଦ୍ଧାରିତ ଷ୍ଟପେଜ୍ ଉଭୟ ଦିଗରୁ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆରେ ୮ଦେଶର ପ୍ରତିନିଧି: ବୁଲିଲେ କୋଣାର୍କ ମନ୍ଦିର, ପୁରୀ ଓ ରଘୁରାଜପୁର

ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି।

ଏହି ବିଦେଶୀ ପ୍ରତିନଧି ମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ ହୋଇଛନ୍ତି।

ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି।

ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ (ଆଇସିସିଆର୍‌) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀରେ ପହଞ୍ଚିଲା ୪୧୦୦ଟି ଇଭିଏମ, ନେତାଙ୍କ ଛାତି ଧଡଧଡ, କଣ ଆଗୁଆ ନିର୍ବାଚନ ହେବ କି?

ପୁରୀ: ଆଜି ହଠାତ ପୁରୀରେ ଆସି ପହଞ୍ଚିଛି ୪୧୦୦ ଟି ଇଭିଏମ। କଡା ସୁରକ୍ଷାରେ କେତେକ ଟ୍ରକରେ ଏହି ଇଭିଏମଗୁଡିକ ହାଇଦ୍ରାବାଦରୁ ଆସି ପୁରୀ ପହଞ୍ଚିଛି। ଏଥିରେ ରହିଛି ମୋଟ ୮୨୦୦ ଇଭିଏମ। ସେଥିମଧ୍ୟରୁ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ସାମିଲ ଅଛି।

ଏଗୁଡିକ ପୁରୀର ପେଣ୍ଠକଟାଠାରେ ଥିବା ୱେୟାରହାଉସରେ ରଖାଯାଇଛି। ଇଭିଏମ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନ ଗୁଡିକୁ ତଦାରଖ କରିଥିଲେ।ଏଥିସହିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ମେସିନ ଗୁଡିକୁ ମଧ୍ୟ ଦେଖିଥିଲେ।

ତେବେ ନିର୍ବାଚନ ଆହୁରି ବର୍ଷେ ଉପରେ ଥିବାରୁ ହଠାତ କାହିଁକି ଇଭିଏମଗୁଡିକ ଓଡିଶା ଆସିଲା ତାହାକୁ ନେଇ ସମସ୍ତଙ୍କର ଆଶଙ୍କା ବୃଦ୍ଧି ପାଇଛି। ଏହି ଖବର ପୁରୀ ବଡଦାଣ୍ଡରୁ ଗଡିଗଡି ସାରା ଓଡିଶାର ନେତାଙ୍କ ନିକଟରେ ପହଞ୍ଚିଗଲା। ସମସ୍ତେ ପରସ୍ପର ମୁହଁ ଚାହାଁଚାହିଁ ହେବାରେ ଲାଗିଛନ୍ତି। ସମସ୍ତେ ନିଶ୍ଚିତ ହୋଇଛନ୍ତି ଯେ, ବୋଧହୁଏ ଓଡିଶାରେ ଆଗୁଆ ନିର୍ବାଚନ ହୋଇଯିବ। ସମସ୍ତଙ୍କର ଛାତି ଧଡଧଡ ଆରମ୍ଭ ହୋଇଯାଇଛି।

ନିକଟରେ ଧର୍ମେନ୍ଦ୍ର ପ୍ରଧାନ ଏକ ସାକ୍ଷାତକାରରେ କହିଥିଲେ ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ। ସେ ନେଇ ତାଙ୍କ ପାଖରେ କୁଆଡେ ସୂଚନା ଅଛି। ଏହାପରେ ରାଜ୍ୟ ରାଜନୀତିରେ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। କାରଣ ସାଧାରଣ ନେତା କେହି କହିଥିଲେ ହୋଇଥାଆନ୍ତା। ଧର୍ମେନ୍ଦ୍ରଙ୍କ ପରି ନେତା କହିବା ଅର୍ଥ ସେଥିରେ କିଛି ସତ୍ୟତା ରହିଥିବ ବୋଲି ଅନେକ ଅନୁମାନ କରିଛନ୍ତି।

ଏବେ ହଠାତ ଇଭିଏମ ଓଡିଶା ଆସିବା ନେଇ ସେହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ତେବେ ସୂଚନା ଅନୁସାରେ ବର୍ତ୍ତମାନ ବିଭିନ୍ନ ରାଜ୍ୟକୁ ନିର୍ବାଚନ କମିଶନର ଇଭିଏମ ପଠାଉଛନ୍ତି। ଯେଉଁ ରାଜ୍ୟରେ ବିଧାନସଭା ଓ ଲୋକସଭା ଏକାଠି ହେଉଛି ସେହି ରାଜ୍ୟକୁ ଅଗ୍ରାଧୀକାର ଭିତିରେ ଇଭିଏମ ପଠାଯାଉଛି। ଏହାପରେ ପୁଣି ଆହୁରି ଇଭିଏମ ଗାଡି ଆସିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର ଓ ପୁରୀ ଷ୍ଟେସନ ନିରୀକ୍ଷଣ କରିବା ସହିତ ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିଛନ୍ତି। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ମଧ୍ୟ ଏହାରୀ ଶର୍ମା ଯାଞ୍ଚ କରିଛନ୍ତି।

ଶ୍ରୀ ଶର୍ମା ଭୁବନେଶ୍ୱର ଷ୍ଟେସନ ପରିଦର୍ଶନ କରି ଚାଲୁ ରହିଥିବା ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ସମୀକ୍ଷା କରିଥିଲେ। ଭୁବନେଶ୍ୱର ଠାରେ ଅତି ସୁନ୍ଦର ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ଅନୁସଙ୍ଗିକ ଯାତ୍ରୀ ସୁବିଧା ଓ ପରିସେବା ସ୍ଥାନ ପାଇବ। ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶର୍ମା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।

ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍‌ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।

ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।

ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ।

ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।

ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ଶର୍ମାଙ୍କୁ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ୱାର୍ଲ୍ଡ କ୍ଲାସ୍ ଷ୍ଟେସନ୍ ପାଇଁ ଚାଲୁରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମହାପ୍ରବନ୍ଧକ

ପୁରୀ: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତ କରି ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିବା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ଯାଞ୍ଚ କରିଛନ୍ତି।

ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ସୁନକର ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।

ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍‌ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।

ଏହା ବ୍ୟତୀତ, ଶ୍ରୀ ସୁନକର ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।  ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ। ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ସୁନକରଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।

ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ସୁନକରଙ୍କୁ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୁରୀରୁ ନାଚୁଣୀ ଫେରୁଥିଲେ ଯାତ୍ରୀ, ୫ ଗୁରୁତର

ଚାନ୍ଦପୁର: ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବାର ଖବର ହସ୍ତଗତ ହୋଇଛି।  ୧୬ ନମ୍ବର ଜାତୀୟ ରାଜପଥ କନ୍ଧ ନୟାଗଡ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଓଡି ୧୩ ଜି ୨୨୮୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋଟି ପୁରୀରୁ ନାଚୁଣୀ ନିକଟସ୍ଥ କହ୍ନେଇପୁୁର ଗ୍ରାମକୁ ଫେରୁଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଥିଲା। କୌଣସି କାରଣବଶତଃ ଡ୍ରାଇଭର ଅଟୋ ରିକ୍ସା ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତାର ଡିଭାଇଡର ସହ ପିଟି ହୋଇ ଯାଇଥିଲା। ଫଳରେ ଅଟୋଟି ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡିବାରୁ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଆହତମାନେ ହେଲେ କହ୍ନେଇପୁର ଗ୍ରାମର ମୀନା ମୁଦୁଲି (୫୦), ଉମାକାନ୍ତ ମୁଦୁଲି (୫୩), ପ୍ରକାଶ ଚନ୍ଦ୍ର ମୁଦୁଲି (୩୬), ରିନା ମୁଦୁଲି (୨୪) ଏବଂ ଅଖିଳେଶ ମୁଦୁଲି (୭)।

ସମସ୍ତ ଗୁରୁତର ଆହତଙ୍କୁ ଚାନ୍ଦପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ପୁରୀରୁ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ
ବାଣପୁର: ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅଭିଯୁକ୍ତଙ୍କୁ ପୁରୀରୁ ବାଣପୁର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମରି ଗ୍ରାମର ଲିପୁ ଜେନା (୨୫)।

ସୂଚନା ମୁତାବକ ବାଣପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚଳିତ ମାସ ୯ ତାରିଖରେ ଅଭିଯୁକ୍ତ ଲିପୁ ଅପହରଣ କରି ନେଇଯାଇଥିଲା। ନାବାଳିକାଙ୍କ ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୫୭୦/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।  ତେବେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଲିପୁଙ୍କ ବିରୁଦ୍ଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ପୁରୀରେ ଏଏସଆଇର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଟ୍ୱିଟ୍ କରି କହିଛନ୍ତି ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଓଡ଼ିଶା। ଆମର ସମୃଦ୍ଧ ପରମ୍ପରା, ଐତିହ୍ୟ ଓ ଗୌରବମୟ ସଭ୍ୟତାକୁ ପୁର୍ନସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ଦିଗରେ ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିଷ୍ପତି ଏକ ବଡ଼ ପଦକ୍ଷେପ। ରାଷ୍ଟ୍ରପତି ହେବା ପରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଏହି ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।