Categories
ଆଜିର ଖବର ରାଜ୍ୟ ଖବର

ପବିତ୍ର ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ କର୍ମଚାରୀଙ୍କ ସେବାର ସୁଯୋଗ ମିଳିବା ରିଲାଏନ୍ସର ସୌଭାଗ୍ୟ

ପୁରୀ: ପବିତ୍ର ରଥଯାତ୍ରାରେ ଅନ୍ନ ସେବା ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ପୋଲିସ ତଥା କର୍ତ୍ତବ୍ୟରତ କର୍ମଚାରୀଙ୍କୁ ୧୩ ଦିନ ବ୍ୟାପୀ ପୁଷ୍ଟିକର ଏବଂ ଗରମ ଭୋଜନ ବିତରଣ ସମେତ ବିବିଧ ସେବା ପ୍ରଦାନର ସୁଯୋଗ ଦେଇଥିବାରୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଜୁନ ୨୬ ତାରିଖରୁ ଆରମ୍ଭ ହୋଇଥିବା ରିଲାଏନ୍ସର ଏହି ୧୩ ଦିନ ବ୍ୟାପୀ ଅନ୍ନ ସେବା ଜୁଲାଇ ୮, ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଉଭୟ ମଧ୍ୟାହ୍ନ ଏଵଂ ସନ୍ଧ୍ୟାରେ ପୁରୀରେ ପ୍ରମୁଖ ସ୍ଥାନଗୁଡିକରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପୋଲିସ କର୍ମଚାରୀଙ୍କୁ ପୁଷ୍ଟିକର ଗରମ ଭୋଜନ ପରିବେଷଣ କରିଛି। ଏଥିସହିତ ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ, ରିଲାଏନ୍ସ ପକ୍ଷରୁ ପରିବେଶ ଅନୁକୂଳ ସାମଗ୍ରୀରେ ତିଆରି ଦେଢ଼ ଲକ୍ଷରୁ ଅଧିକ ହାତପଙ୍ଖା ବା ବିଞ୍ଚଣା ବିତରଣ କରାଯାଇଛି।

ରଥଯାତ୍ରା ପାଇଁ ରିଲାଏନ୍ସ ପକ୍ଷରୁ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ୧୦୦ ଟି ପୋଲିସ ସହାୟତା ପୋଷ୍ଟ ଏବଂ ଆଶ୍ରୟସ୍ଥଳ ସ୍ଥାପନରେ ସହାୟତା କରାଯାଇଥିଲା ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ସହଜ ଓ ସୁଗମ ସହାୟତା ସ୍ଥାନ ଉପଲବ୍ଧ କରିଥିଲା। ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନଙ୍କୁ ୩,୫୦୦ ରେନକୋଟ୍ ବିତରଣ କରାଯିବା ସହିତ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ସେବା ଯୋଗାଉଥିବା ସ୍ୱେଚ୍ଛାସେଵୀ, ପୌର କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କୁ ରିଫ୍ରେସମେଣ୍ଟ କିଟ୍ ମଧ୍ୟ ପ୍ରଦାନ କରାଯାଇଛି। ରିଲାଏନ୍ସର ୪୦୦୦ ରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ ଭିଡ ପରିଚାଳନା ତଥା ଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାରେ ସହାୟତା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏହି ସେବା କାର୍ଯ୍ୟର ପ୍ରାରମ୍ଭରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଏମ୍ ଅମ୍ବାନୀ କହିଥିଲେ “ପୁରୀରେ ଭକ୍ତଗଣଙ୍କର ସେବା କରିବାର ଏହି ସୁଯୋଗ ବାସ୍ତବରେ ଏକ ଆଶୀର୍ବାଦ। ଆମେ ବିଶ୍ୱାସ କରୁଛୁ ଯେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀଙ୍କ ସେବା କରି ଆମେ ଈଶ୍ୱରଙ୍କ ସେବା କରୁଛୁ। ଭୋଜନ ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ଅନୁଭୂତିକୁ ସୁଗମ, ନିରାପଦ ଓ ଆରାମଦାୟକ କରି ସମୃଦ୍ଧ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ”।

ପୌରପାଳିକା ସହିତ ସହଭାଗିତାରେ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ପକ୍ଷରୁ ସ୍ୱତନ୍ତ୍ର ଆବର୍ଜନା ସଂଗ୍ରହ ବ୍ୟାଗ ଯୋଗାଇ ଦିଆଯାଇଥିଲା ଏବଂ ପୋଲିସ ଶିବିରଗୁଡ଼ିକୁ ପରିଚ୍ଛନ୍ନତା ଓ ପରିମଳ ସୁବିଧା ଉପଲବ୍ଧ କରାଯାଇଥିଲା।

ଚଳିତ ବର୍ଷ ପ୍ରାରମ୍ଭରେ ମହାକୁମ୍ଭ ୨୦୨୫ ରେ ପ୍ରୟାଗରାଜ ଠାରେ ରିଲାଏନ୍ସ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ଭୋଜନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିବହନ ସେବା ସମେତ ବିବିଧ ପଦକ୍ଷେପ ଜରିଆରେ ସେବା ପ୍ରଦାନ କରିଥିଲା। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜନ ସମୁଦାୟକୁ ସହାୟତା କରି ସମସ୍ତଙ୍କୁ ଏକ ସୁରକ୍ଷିତ, ସୁସ୍ଥ ଅନୁଭୂତି ପ୍ରଦାନ କରିବାନେଇ ରିଲାଏନ୍ସ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶିତ କରିଆସିଛି। ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ କାର୍ଯ୍ୟକାରୀ କରାଯାଇଥିବା ବିବିଧ ପ୍ରୟାସ ମାନବତା ଓ ଈଶ୍ୱରଙ୍କ ସେବା କରିବାରେ ରିଲାଏନ୍ସ ପାଇଁ ଆଉ ଏକ ଅନନ୍ୟ ସୁଯୋଗ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସଂପୂର୍ଣ୍ଣ ରୂପେ ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ରୂପେ ଶେଷ ହୋଇଛି। ୯୫ ଦିନ ମଧ୍ୟରେ ୩୩୨ ଘଣ୍ଟା ୪୭ ମିନିଟ ଧରି କାର୍ଯ୍ୟ କରାଯାଇ ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି। ରତ୍ନଭଣ୍ଡାରର ଚଟାଣ ଗ୍ରାନାଇଟରେ ନିର୍ମାଣ କରାଯାଇ ଛାତରେ ୧୫ଟି ଷ୍ଟେନଲେସ ଷ୍ଟିଲ ବିମ ଲଗାଯାଇଛି। ବର୍ମାତିକ କାଠରେ ଦ୍ବାର ନିର୍ମାଣ କରାଯାଇଥିବା ବେଳେ ବାହାର ଭଣ୍ଡାର ଘର ଦ୍ବାର ରୂପା ଛାଉଁଣୀ କରାଯିବ।

ଗଜପତି ମହାରଜଙ୍କ ପ୍ରତିନିଧି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କରାଯାଇଛି। ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନଗୁଡିକ ସ୍ଥାନାନ୍ତର କରାଯିବ। ଏହାପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସ୍ବତନ୍ତ୍ର ସିଓପି ମାଧ୍ୟମରେ ରତ୍ନଗୁଡିକ ଗଣତି ମଣତି କରାଯିବ। ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ୬ ମାସରୁ ଅଧିକ ସମୟ ଲାଗିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

Categories
ଆଜିର ଖବର ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏବେ ପୁରୀ ପୌରପାଳିକା ହେବ ମହାନଗର ନିଗମ

ଭୁବନେଶ୍ବର: ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ପୌରପାଳିକାକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିଛନ୍ତି। ଫଳରେ ଏଣିକି ଏହି ପ୍ରସିଦ୍ଧ ସହର ମହାନଗର ନିଗମ ହେବ। ଏଠାର କାଉନସିଲର କରପୋର୍ରେଟର ଏବଂ ମେୟର ରହିବେ। ଫଳରେ ପୁରୀ ପରି ଐତିହାସିକ ସହରଟିର ଉନ୍ନତି ହେବ ବୋଲି ଆଶା କରାଯାଉଛି।

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି।

ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ। ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଆନ୍ତି। ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ  ବଡଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ। ମୁଁ ବି ଏହି ଅସଂଖ୍ଯ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ।

ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରିଛନ୍ତି, ସେଥି ମଧ୍ୟରୁ, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା। ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡିବ। ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି। କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାଯତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଆସନ୍ତା କାଲି ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ।

ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ଗୋଳିବାକୁ ଆମ ସରକାର ବଦ୍ଧପରିକର। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ। ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁଙ୍କ ଜନ୍ମବେଦୀରେ ପାଳିତ ହେଲା ହେରା ପଞ୍ଚମୀ ନୀତି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିବା ପରେ ମଙ୍ଗଳବାର ପାଳିତ ହେଇଛି ହେରା ପଞ୍ଚମୀ ନୀତି। ରଥଯାତ୍ରାର ପଞ୍ଚମ ଦିବସରେ ଏହି ନୀତି ପାଳନ କରାଯାଇଥାଏ। ଲକ୍ଷ୍ମୀଠାକୁରାଣୀଙ୍କୁ ଶ୍ରୀମନ୍ଦିରରେ ଛାଡି ଭାଇ ଓ ଭଉଣୀଙ୍କ ସହ ନବଦିନାତ୍ମକ ଯାତ୍ରାରେ ଆସିଥିବାରୁ ଅଭିମାନୀ ମହାଲକ୍ଷ୍ମୀ କାଳିଆ ଠାକୁରଙ୍କୁ ଫେରାଇ ନେବାଲାଗି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। କିନ୍ତୁ ୯ ଦିନର ଯାତ୍ରା ଶେଷ ହେବା ପୂର୍ବରୁ ଶ୍ରୀମନ୍ଦିର ଫେରିବାକୁ  ମହାପ୍ରଭୁ ଜଗନ୍ନାଥ ରାଜି ନ ହେବାରୁ କ୍ରୋଧରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥକୁ ଭାଙ୍ଗି ଫେରିଯାଆନ୍ତି।

ଦାମ୍ପତ୍ୟ ଜୀବନର ଏହି କଳହକୁ ଗୁଣ୍ଡିଚା ମନ୍ଦିରରେ ବେଶ ଉପଭୋଗ୍ୟ ଭାବେ ପାଳନ କରାଯାଇଥାଏ। ଏହା ହେରାପଞ୍ଚମୀ ନୀତି ଭାବେ ସୁପରିଚିତ। ରାତିରେ ଏହି ନୀତି ପାଳନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମୀକ୍ଷା ବୈଠକ ପୂର୍ବରୁ ଆଜି ପୁରୀରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବାହୁଡା ଯାତ୍ରା ନେଇ ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ବାହୁଡ଼ା ଯାତ୍ରା ସହ ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ଆଦି ନୀତି କିଭଳି ଶୃଙ୍ଖଳିତ ଭାବେ ସଂପନ୍ନ ହେବ ସେ ସମ୍ପର୍କରେ ବିଚାର ବିମର୍ଶ ହୋଇଥିଲା।

ସେବାୟତ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା ଉପରେ ଆଇନ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ରଥଯାତ୍ରା ଦିନ ରଥ ଉପରୁ କିଛି ସେବାୟତଙ୍କୁ କାଢି ଦିଆଯିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତି ତିନି ମାସ ଅନ୍ତରରେ ଶ୍ରୀମନ୍ଦିର ନୀତିକାନ୍ତି ନେଇ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରାଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ରଙ୍କନାଥ ଓ ଚରଣ ଚକାଦେବଙ୍କ ରଥଯାତ୍ରା ଅନୁଷ୍ଠିତ

ବାଣପୁର: ଆଜି ଚଳିତ ବର୍ଷର ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପୁରୀ ସମେତ ସମଗ୍ର ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ବେଳେ ବାଣପୁରର ଆରାଧ୍ୟ ଦେବ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବ ଏବଂ ବଡହନ୍ତୁଆଡ଼ ଠାରେ ଥିବା ଶ୍ରୀଶ୍ରୀଶ୍ରୀ ଚରଣ ଚକାଦେବଙ୍କ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ରଙ୍କନାଥଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ଅପରାହ୍ନରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ପାରିକୁଦ ରାଜା ସନ୍ତୋଷ ସିଂ ଦେଓ ତିନି ରଥରେ ଛେଡା ପହରା କରିବା ପରେ ବିଭିନ୍ନ ବ୍ୟବସାୟୀ ମହାସଂଘ ତରଫରୁ ପ୍ରସ୍ତୁତ ଭୋଗ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା। ୫ଘଟିକା ସମୟରେ ରଥଟଣା ଆରମ୍ଭ କରାଯାଇ ସନ୍ଧ୍ୟା ପୂର୍ବରୁ ମାଉସୀମା ଘରେ ତିନି ରଥ ପହଞ୍ଚିଥିଲା।

ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ସଂସ୍ଥାର କର ସେବକ ମାନେ ଶ୍ରଦ୍ଧାଳୁ ମାନଙ୍କୁ ପାଣି, ଅଭଡ଼ା ତୋରାଣି ବଣ୍ଟନ କରିଥିଲେ। ଏକତା ପରିଷଦ ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଲଡ଼ୁ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚରଣ ଚକାଦେବଙ୍କ ରଥ ସୁରୁଖୁରୁରେ ମାଉସୀମା ଘରେ ମଧ୍ୟ ପହଁଚିଛି। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ ଏସ୍ଡ଼ିପିଓ ସଞ୍ଜୟ ପଟ୍ଟନାୟକ ଓ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ କରାଯାଇଥିବା ବେଳେ ସମସ୍ତ ପୋଲିସ ବନ୍ଧୁ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁରୀ ବୀରଗୋବିନ୍ଦପୁରରେ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପ ଲୋକାର୍ପିତ

ବୀରଗୋବିନ୍ଦପୁର/ପୁରୀ:  ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ସ୍ଥିତ ମାଆ ଦକ୍ଷିଣକାଳୀ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡ଼ିକ ଲୋକାର୍ପଣ କରିଛନ୍ତି।

ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ହେଲା କମ୍ୟୁନିଟି ହଲ, ବହୁମୁଖୀ ଦକ୍ଷତା ତାଲିମ କେନ୍ଦ୍ର, ଯୋଗକେନ୍ଦ୍ର, ଆଲୋକୀକରଣ ସହ ଶୌଚାଳୟ, ପାନୀୟ ଜଳର ସୁବିଧା, ପୋଖରୀ ସୌନ୍ଦର୍ଯ୍ୟକରଣ ଓ ପାର୍କ କାର୍ଯ୍ୟ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଜି ଲୋକାର୍ପିତ ପ୍ରକଳ୍ପଗୁଡ଼ିକ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ।

ସେ ଆହୁରି କହିଛନ୍ତି ଯେ ବୀରଗୋବିନ୍ଦପୁର ଗ୍ରାମର ପୁଞ୍ଜି ହେଉଛି କଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷପତି ଦିଦିର କଳ୍ପନା କରିଛନ୍ତି। ବହୁମୁଖୀ ଦକ୍ଷତା ତାଲିମ୍ କେନ୍ଦ୍ରରେ ଆମର ମାଆ ଭଉଣୀମାନେ ସିଲେଇ ମେସିନ୍, ହସ୍ତଶିଳ୍ପ, ପଟ୍ଟଚିତ୍ର ଆଦିର ପ୍ରଶିକ୍ଷଣ ପାଇପାରିବେ। ଆମର ଗାଁ ଝିଅମାନେ କମ୍ପୁଟର ଶିକ୍ଷା ଗ୍ରହଣ କରି ଦେଶ ଦୁନିଆର ଖବର ଜାଣିପାରିବେ। ଏହା ଦ୍ୱାରା ଏଠାରେ ଆମର ଐତିହ୍ୟ ଓ ପରମ୍ପରାକୁ ଆଗକୁ ନେବାର ବ୍ୟବସ୍ଥା କରାଯିବା ସହ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି। ଆଜିର ଏହି ପଦକ୍ଷେପ ଦ୍ୱାରା ଏହି ଗ୍ରାମ କଳା, ଦକ୍ଷତା ବିକାଶ ଓ ଜ୍ଞାନ ପରିପ୍ରକାଶର କେନ୍ଦ୍ର ହେବ। ଏଥିପାଇଁ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲକୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖନୀୟ ଯେ, Ø୩ ଜୁନ୍ ୨୦୨୨ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗ୍ରାମକୁ ଆସି ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ବୀରଗୋବିନ୍ଦପୁର ହେଉଛି ଐତିହାସିକ ଗ୍ରାମ, ଯେଉଁ ସ୍ଥାନଟି ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଏହି ଗ୍ରାମ ୫୦୦ ବର୍ଷରୁ ଅଧିକ ପୁରୁଣା । ଆମ ଓଡ଼ିଆ ଜାତିର, ଓଡ଼ିଆ ପରମ୍ପରାର ତଥା ମହାପ୍ରଭୁଙ୍କ ସଂସ୍କୃତିର ଅନ୍ୟତମ କେନ୍ଦ୍ର । ଗ୍ରାମରେ ଜନ୍ମ ନେଇଥିବା ଅନେକ ମହାନୁଭବ ଓ ପ୍ରତିଭାବାନ ବ୍ୟକ୍ତିବିଶେଷମାନେ ପଦ୍ମ ପୁରସ୍କାର ପାଇବା ସହ ପୋଲିସ ସେବା, ଡାକ୍ତରସେବା ଓ ରାଜନୀତି ସମେତ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଏହି ଗ୍ରାମ ସହ ମୋର ଦୀର୍ଘ ବର୍ଷର ସମ୍ପର୍କ ରହିଛି । ମୋର ପିଲାବେଳର ବନ୍ଧୁଙ୍କ ଆମନ୍ତ୍ରଣରେ ମୁଁ ଏଠାକୁ କାଳିପୂଜା ଦେଖିବାକୁ ଆସିଥିଲି । ବୀରଗୋବନ୍ଦପୁର ସବୁ ଦିନ ପାଇଁ ମୋର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତର ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକାଠି କରିବାକୁ ପଡିବ । ଏଆଇ ଟୁଲର ଉପଯୋଗ କରି ଆମର ପ୍ରାଚୀନ ଜ୍ଞାନ ଆମକୁ କଣ ସହାୟତା କରିପାରେ, ଭବିଷ୍ୟତ ପାଇଁ କଣ ସହାୟକ ହୋଇପାରେ, ସେ ଦିଗରେ ଯୋଜନା କରିବା ଦରକାର । ଏହି ଅବସରରେ ଶ୍ରୀ ପ୍ରଧାନ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ ବକୁଳ ବନ ବିଦ୍ୟାଳୟ ମାଧ୍ୟମରେ ସେ ଆରମ୍ଭ କରିଥିବା ଶିକ୍ଷା ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ମତପ୍ରକାଶ କରିଥିଲେ । ବକୁଳ ବନବିଦ୍ୟାଳୟର ପୁର୍ନବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବିତ୍ତୀୟ ପ୍ରବନ୍ଧନ କରିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲାର ବିଭିନ୍ନ ବିଧାୟକ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ରଥଟଣାର ମକ୍‌ଡ୍ରିଲ୍‌

ପୁରୀ: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହି ଯାତ୍ରାରେ ଦେଶ ଓ ଦେଶ ବାହାରୁ ସାମିଲ ହେବେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରଥ ଟଣାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପୁରୀ ରିଜର୍ଭ ପୁଲିସ ଲାଇନ ପଡିଆରେ ରଥଟଣାର ମକ୍‌ଡ୍ରିଲ୍‌ କରାଯାଇଥିଲା। ରଥଟଣା ବେଳେ ଇନର ଓ ଆଉଟଡୋର କର୍ଡନ କିପରି ରହିବ ଏବଂ ସେଥିରେ ନିୟୋଜିତ ମାଜିଷ୍ଟ୍ରେଟମାନଙ୍କ ଦ୍ବାରା ରଥଟଣାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତିକାତ୍ମକ ଭାବେ ୩ଟି ଜିପ୍‌କୁ ପୁଲିସବାହିନୀ ଟାଣିବା ସହ ବିଗୁଲ ଓ ପତାକାର ନିର୍ଦ୍ଦେଶରେ ରଥଟଣା ଅଭ୍ୟାସ କରାଯାଇଥିଲା।

ଏହି ଅଭ୍ୟାସରେ ମାଜିଷ୍ଟ୍ରେଟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ବିଏସ୍‌ଏଫ୍‌ ଏବଂ ଆରଏଏଫ୍‌ର ଯବାନ ଓ ଅଧିକାରୀ ତଥା କର୍ମଚାରୀମାନେ ସାମିଲ ହୋଇଥିଲେ। ରଥଟଣା ବେଳେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିନେଇ ଆଜିର ମକଡ୍ରିଲ୍‌ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦଶମୂଳ ମୋଦକ ଚୋରୀ ଘଟଣା: ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ?

ପୁରୀ: ଦଶମୂଳ ମୋଦକ ଚୋରୀ ଘଟଣାର ସତ୍ୟତା ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏ ସମ୍ପର୍କରେ ଗୁରୁତ୍ଵର ସହ ତଦନ୍ତ କରାଯିବ। ସିସଟିଭିରୁ ପ୍ରମାଣ ମିଳିଲେ କେହି ଯଦି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପାଢୀ କହିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ 365ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର: ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ ମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ରଥଯାତ୍ରା 2025 ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ବ୍ୟତୀତ 365ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଉଅଛି।

ଏହି ସ୍ୱତନ୍ତ୍ର ଟ୍ରେନ ସେବାଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି ଏବଂ ରଥଯାତ୍ରା ମହୋତ୍ସବର ପ୍ରମୁଖ ଦିନଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଅଛି ଯାହା ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବାଦାମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୁଳ, ଗୁଣୁପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ଭଦ୍ରକ, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡ଼ବିଲ, ପଲାସା ଏବଂ ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ), ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼) ଏବଂ ସାନ୍ତ୍ରାଗାଛି / କଲିକତା (ପଶ୍ଚିମବଙ୍ଗ) ସହିତ ଟ୍ରେନ ସେବା ସଂଯୋଗ କରିବ।

ଏହି ବ୍ୟାପକ ରେଳ ସଂଯୋଗୀକରଣ କେବଳ ମହୋତ୍ସବ ସମୟରେ ତୀର୍ଥଯାତ୍ରୀଙ୍କ ବିପୁଳ ସଂଖ୍ୟାକୁ ପୂରଣ କରିବ ନାହିଁ ବରଂ ଦୂରଦୂରାନ୍ତ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ଲୋକଙ୍କ ପାଇଁ ଯାତ୍ରାକୁ ଯଥେଷ୍ଟ ସହଜ କରିବ।

ଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନାବେଶ ବ୍ୟତୀତ ରଥଯାତ୍ରା ମହୋତ୍ସବର ଅନ୍ୟ ଦିନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ଯେଉଁଥିରେ ରାଉରକେଲା, ବାଦାମପାହାଡ଼, ବୀରମିତ୍ରପୁର, ବାଙ୍ଗିରିପୋଷି, ବାଲେଶ୍ୱର, ବଡ଼ବିଲ, ଅନୁଗୁଳ, ପାରାଦୀପ, ଭଦ୍ରକ, କେନ୍ଦୁଝର, ପଲାସା, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବଡ଼ବିଲ, ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼), ସନ୍ତ୍ରାଗାଛି (ପଶ୍ଚିମବଙ୍ଗ) ଏବଂ ପଲାସା ଓ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ବ୍ୟତୀତ ଅନ୍ୟାନ୍ୟ ସ୍ଥାନରୁ ଉତ୍ସର୍ଗୀକୃତ ସେବା ଉପଲବ୍ଧ ହେବ।

ଚଳିତ ବର୍ଷ ରଥଯାତ୍ରା ବ୍ୟବସ୍ଥା 2024 ରଥଯାତ୍ରା ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧିକୁ ସୁନିଶ୍ଚିତ କରିଛି ଯେତେବେଳେ 315 ଟି ସ୍ୱତନ୍ତ୍ର ଟ୍ରେନ ପରିଚାଳିତ ହୋଇଥିଲା। ଏହି ବର୍ଦ୍ଧିତ ସଂଖ୍ୟା ସହିତ ପୂର୍ବ ତଟ ରେଳପଥ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଆଧ୍ୟାତ୍ମିକ ପର୍ବ ସମୟରେ ସମସ୍ତ ଭକ୍ତଙ୍କ ପାଇଁ ନିରାପଦ, ଆରାମଦାୟକ ଏବଂ ଦକ୍ଷ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରୁଅଛି।

ଯାତ୍ରୀମାନଙ୍କୁ ସରକାରୀ ରେଳ ପୋର୍ଟାଲ ମାଧ୍ୟମରେ ସମୟସୂଚୀ ଏବଂ ଉପଲବ୍ଧତା ଯାଞ୍ଚ କରିବାକୁ ଏବଂ ରଥଯାତ୍ରା ମହୋତ୍ସବ ସମୟରେ ସାର୍ବଜନୀନ ଘୋଷଣା ମାଧ୍ୟମରେ ଟ୍ରେନ ଚଳାଚଳ ସମ୍ବନ୍ଧରେ ସଠିକ ସୂଚନା ପ୍ରାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ରେଳ ଷ୍ଟେସନରେ ବିଭିନ୍ନ ସୁରକ୍ଷା ସଂସ୍ଥାକୁ ନେଇ ମିଳିତ ଭାବେ ଆଣ୍ଟି ଟେରର ମକ୍‌ଡ୍ରିଲ୍‌ ଅନୁଷ୍ଠିତ

ପୁରୀ: ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଅବସରରେ ପୁରୀ ରେଳ ଷ୍ଟେସନରେ ବିଭିନ୍ନ ସୁରକ୍ଷା ସଂସ୍ଥାକୁ ନେଇ ମିଳିତ ଭାବେ ଆଣ୍ଟି ଟେରର ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି।

ଷ୍ଟେସନ କିମ୍ବା ଟ୍ରେନ ଭିତରେ ଆତଙ୍କବାଦୀ ଆକ୍ରମଣ ହେଲେ ଏହାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ମକ୍‌ଡ୍ରିଲ ହୋଇଛି। ଏଥିରେ ଆରପିଏଫ୍‌, ଜିଆରପି, ସ୍ପେସିଆଲ କମାଣ୍ଡୋ, ଏସଓଜି, ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ପୁରୀ ପୁଲିସ ପରି ୧୧ଟି ଟିମ ସାମିଲ ହୋଇଥିଲେ। ତପସ୍ବିନୀ ଏକ୍ସପ୍ରେସକୁ ଏହି ମକ୍‌ଡ୍ରିଲ୍‌ରେ ବ୍ୟବହାର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପରିଚ଼ାଳନା ପାଇଁ ଦ୍ବିତୀୟ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ପୁରୀ ପୋୖରସଦନ (ଟାଉନ ହଲ) ଠାରେ ଆୟୋଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା ପରିଚ଼ାଳନା ପାଇଁ ଦ୍ବିତୀୟ ସମନ୍ୱୟ କମିଟି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ରଥ ନିର୍ମାଣର ଅଗ୍ରଗତି, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଟ୍ରାଫିକ କଟକଣା ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ ବୃନ୍ଦ, ରଥଯାତ୍ରା ସମନ୍ୱୟ କମିଟି ଏବଂ ପୁରୀ ସହରର ବରିଷ୍ଠ ନାଗରିକ ମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ତତସହିତ ଶ୍ରଦ୍ଧାଳୁଙ୍କ ସମାଗମ ଆଶଙ୍କା କରାଯାଉଥିବାରୁ ପାନୀୟଜଳ, ଶୌଚାଳୟ, ରହଣି ସୁବିଧା, ଅପରାଧ ଦମନ, ଭିଡ଼ ନିୟନ୍ତ୍ରଣ, ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରିବା, ବସ ଓ ଟ୍ରେନ୍ ଯାତ୍ରାକୁ ସହଜ ଓ ସୁଗମ କରିବା, ସଫେଇ, ଉତ୍ତମମାନର ଖାଦ୍ୟ ବିକ୍ରି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସର୍ବୋପରି ରଥଯାତ୍ରାରେ ନୀତିନିର୍ଘଣ୍ଟ ଓ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ବୈଦ୍ୟୁତିକ ଓ ସୂଚ଼ନା ବୈଷୟିକ ବିଭାଗର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚ଼ନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ପୁରୀ ଜିଲ୍ଲାର ବିଧାୟକ ଗଣ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଉଛନ୍ତି କି?: ଆଜି ସର୍ବସାଧାରଣଙ୍କ ପାଇଁ ଏହି ସମୟରେ ଦର୍ଶନ ମନା

ପୁରୀ: ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୧.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୭ ରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା: ସକ୍ରିୟ ତଥା ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

କଟକ: ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟ।ଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ମଧ୍ୟରେ ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୬ ତାରିଖରେ  ନବଯୌବନ ଦର୍ଶନ, ଜୁନ ୨୭ ତାରିଖରେ ରଥଯାତ୍ରା,ଜୁଲାଇ ୦୧ ତାରିଖରେ ହେରା ପଞ୍ଚମୀ, ଜୁଲାଇ ୦୪ରେ ସନ୍ଧ୍ୟା ଦର୍ଶନ,  ଜୁଲାଇ ୦୫  ରେ ବାହୁଡା ଯାତ୍ରା, ଜୁଲାଇ ୦୬ ତାରିଖରେ ସୁନାବେଶ, ଜୁଲାଇ ୦୭ ରେ ଅଧରପଣା  ଓ ଜୁଲାଇ ୮  ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ।

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ  ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଆଦି  ରେଳ  ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ  ଆଲୋଚନା ହୋଇଥିଲା। ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।

ଏହା ସହ ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ  ଅପରାଧୀଙ୍କ ବିରୋଧରେ ସ୍ଵତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, K-୯ ସ୍କ୍ବାର୍ଡ ମୁତୟନ, ଦଳା ଚକଟା ଭଳି ପରିସ୍ଥିତିକୁ ଏଡାଇବା ନିମନ୍ତେ ସଜାଗ ତଥା ସ୍ୱତନ୍ତ୍ର ବ୍ୟବସ୍ଥା,  ଅତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ଼, ପୋଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ଼ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ଇତ୍ୟାଦି ସମ୍ପର୍କରେ ଡିଜିପି ବିସ୍ତୃତ  ଭାବେ ଆଲୋଚନା କରିଥିଲେ। ଏହାସହ ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା  ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି ବୈଠକରେ  ଆଭାସୀ ମାଧ୍ୟମରେ ନିର୍ଦ୍ଦେଶକ (ଗୁଇନ୍ଦା) ଆର. ପି. କୋଚେ,  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ  ମହାନିର୍ଦ୍ଦେଶକ (ରେଳ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ  ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ଯୁନିକେସନ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ  ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜି (କେନ୍ଦ୍ରାଞ୍ଚଳ) ଏସ. ପ୍ରବୀଣ କୁମାର, ଆଇଜି (ଅପରେସନ) ଡ. ଦୀପକ କୁମାର, ଆଇଜି (ବିପିଏସପିଏ) ଅନୁପ ସାହୁ, ଆଇଜି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡଙ୍ଗୀ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (ଏସଆଇଡବ୍ଲୁ) ଡ. କନୱାର ବିଶାଳ ସିଂ ,ଡିଆଇଜି (ଏସଟିଏଫ) ପିନାକ ମିଶ୍ର, ଏସପି (ରେଲୱେ) ବିବେକାନନ୍ଦ ଶର୍ମା, ଏସପି (ପୁରୀ) ଭିନୀତ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ଆଜିଠାରୁ ପୁରୀରୁ ଆରମ୍ଭ ହେବ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’

ଭୁବନେଶ୍ଵର: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଓଡ଼ିଶାର ପୁରୀରୁ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରିବେ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଦ୍ୱାରା ଆରମ୍ଭ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାରତୀୟ କୃଷିରେ ପରିବର୍ତ୍ତନ ଆଣିବା ଏବଂ ବୈଜ୍ଞାନିକ ନବସୃଜନ ଓ ତୃଣମୂଳ ଭାଗିଦାରୀ ମାଧ୍ୟମରେ ଦେଶର ଖାଦ୍ୟ ଭବିଷ୍ୟତକୁ ସୁରକ୍ଷିତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ। ଏହି 15 ଦିନିଆ ଅଭିଯାନରେ ଶ୍ରୀ ଚୌହାନ ପ୍ରାୟ 20ଟି ରାଜ୍ୟ ଗସ୍ତ କରିବେ। ଅଭିଯାନକୁ ସାକାର କରିବାରେ ରାଜ୍ୟ ସରକାରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ଏବଂ ସମସ୍ତ ରାଜ୍ୟ ସାମୂହିକ ମାଲିକାନା ଏବଂ ସମର୍ପଣ ମାଧ୍ୟମରେ ଏହି ଅଭିଯାନକୁ ସଫଳ କରିବେ ବୋଲି ଆଶା କରାଯାଉଛି।

ଏହି ଅଭିଯାନ ଦ୍ୱିମୁଖୀ ଯୋଗାଯୋଗ ଆଭିମୁଖ୍ୟ ଗ୍ରହଣ କରିବ, ଯେଉଁଥିରେ ବୈଜ୍ଞାନିକମାନେ କୃଷକମାନଙ୍କ ସହିତ ଗବେଷଣା ଏବଂ ବୈଷୟିକ ଜ୍ଞାନ ବାଣ୍ଟିବେ, ଅନ୍ୟପକ୍ଷରେ ସେମାନେ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସୂଚନା ସଂଗ୍ରହ କରିବେ। ଏହି ଫଳାଫଳଗୁଡ଼ିକ ଭବିଷ୍ୟତର ଗବେଷଣା ପ୍ରୟାସକୁ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରିବ ଏବଂ ବ୍ୟବହାରିକ, ସ୍ଥାନ-ନିର୍ଦ୍ଦିଷ୍ଟ ସମାଧାନ ପ୍ରଦାନ କରିବ।

ଆଜି ପୁଣିଥରେ ଗଣମାଧ୍ୟମ ସହ ଶିବରାଜ ସିଂହ ଚୌହାନ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା କରିଥିଲେ। ଶ୍ରୀ ଚୌହାନ କହିଥିଲେ ଯେ ଆସନ୍ତାକାଲି ଠାରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଭାରତୀୟ କୃଷି ଗବେଷଣା ପରିଷଦ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ ବା ପରୀକ୍ଷାଗାରରୁ ଚାଷ ଜମିକୁ ଯୋଡ଼ିବା ପାଇଁ ଏକ ଅଭିଯାନ ଆରମ୍ଭ କରିବେ।

ଶ୍ରୀ ଚୌହାନ କହିଥିଲେ ଯେ 16 ହଜାର ବୈଜ୍ଞାନିକଙ୍କୁ ନେଇ ସଂଖ୍ୟାଧିକ ଦଳ ଗଠନ କରାଯାଇଛି, ଯେଉଁମାନେ ଗାଁକୁ ଗାଁ ଯାଇ କୃଷକମାନଙ୍କ ସହ ଭାବ ବିନିମୟ କରିବେ। 2170ଟି ଦଳ ଗଠନ କରାଯାଇଛି, ଯେଉଁମାନଙ୍କ ସହ ଯୋଗାଯୋଗ କରାଯିବ। ଗୋଟିଏ ଦଳ ଗୋଟିଏ ଦିନରେ 2ଟି ଗ୍ରାମ ପରିଦର୍ଶନ କରିବ। ଏହି ଅଭିଯାନ 15 ଦିନ ଧରି ଚାଲିବ ଏବଂ କୃଷକମାନଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହେବ। ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଜଳ, ମୃତ୍ତିକାର ପୋଷକ ତତ୍ତ୍ୱ ଏବଂ ଅନ୍ୟାନ୍ୟ କାରକ, କେଉଁ ଫସଲ ବୁଣାଯିବା ଉଚିତ, କେଉଁ ପ୍ରକାର ରହିବା ଉଚିତ, ସାରର କେତେ ସନ୍ତୁଳିତ ବ୍ୟବହାର କରାଯିବା ଉଚିତ, ପ୍ରାକୃତିକ ଚାଷ ସହିତ ଡାଲି ଏବଂ ତୈଳବୀଜ ଚାଷ ଉପରେ କୃଷକମାନଙ୍କ ସହ ଆଲୋଚନା କରାଯିବ। ବୈଜ୍ଞାନିକମାନେ ସିଧାସଳଖ ବାର୍ତ୍ତାଳାପ ମାଧ୍ୟମରେ କୃଷକମାନଙ୍କ ବ୍ୟବହାରିକ ସମସ୍ୟାର ସମାଧାନ କରିବେ। ଫାର୍ମର ଆବଶ୍ୟକତା ଅନୁଯାୟୀ ଅଧିକ ଗବେଷଣାର ଦିଗ ମଧ୍ୟ ସ୍ଥିର କରାଯିବ।

ଶ୍ରୀ ଚୌହାନ ପୁଣିଥରେ ସମସ୍ତ ଜନସାଧାରଣଙ୍କୁ ଏହି ଅଭିଯାନରେ ସାମିଲ ହେବା ଏବଂ ଦେଶବ୍ୟାପୀ ଏହାକୁ ଫଳପ୍ରଦ ତଥା ସଫଳ କରିବା ଲାଗି ଆହ୍ୱାନ କରିଥିଲେ।

ଏହି ଅଭିଯାନ ମେ 29 ରୁ 12 ଜୁନ୍ 2025 ପର୍ଯ୍ୟନ୍ତ 700ରୁ ଅଧିକ ଜିଲ୍ଲାରେ ଆୟୋଜନ ହେବ। ଏହି ଅଭିଯାନରେ 731ଟି କେଭିକେ, 113ଟି ଆଇସିଏଆର୍ ପ୍ରତିଷ୍ଠାନ, ରାଜ୍ୟସ୍ତରୀୟ ବିଭାଗ ଏବଂ କୃଷି, ଉଦ୍ୟାନ କୃଷି, ପ୍ରାଣୀସମ୍ପଦ, ମତ୍ସ୍ୟଚାଷ ଏବଂ ନବୋନ୍ମେଷୀ ଚାଷୀ ସାମିଲ ହେବେ। ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପାଇଁ ସଂକଳ୍ପ ଦିଗରେ ଏକ ଦୃଢ଼ ଅଧ୍ୟାୟ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୨୯ରୁ “ବିକଶିତ କୃଷି ସଂକଳ୍ପ ଅଭିଯାନ”: ପୁରୀରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପ ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ। ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ। ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବେ।

ଏହାକୁ ନେଇ କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଡ଼ ପାଢ଼ୀ କହିଛନ୍ତି।

କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମେତ ଅତିଥିବୃନ୍ଦ ପ୍ରଥମେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ପରେ ତ୍ରିରଙ୍ଗାଯାତ୍ରାରେ ସାମିଲ ହେବେ। ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ଅଭିଯାନର ଶୁଭାରମ୍ଭ କରାଯିବ। ଏହି ସମୟରେ କୃଷି ରଥର ଶୁଭାରମ୍ଭ ମଧ୍ୟ କରାଯିବ । ପରେ ପରେ CIFA ର କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହାବାଦ, କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ମ୍ୟାଙ୍ଗୋ ଫେଷ୍ଟିଭାଲରେ ଯୋଗଦେବେ ଏବଂ ପରବର୍ତ୍ତୀ ସମୟରେ ଓୟୁଏଟିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିବେ। ସମସ୍ତ କାର୍ଯ୍ୟକ୍ରମରେ ‘ଏକ୍ ପେଡ ମାଁ କେ ନାମ୍’ ଅନ୍ତର୍ଗତ ବୃକ୍ଷ ରୋପଣ କରାଯିବ।

ଏ ସମସ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, କୃଷକ ଭାଇ ଭଉଣୀମାନେ ଯୋଗଦେବେ। ଆୟୋଜିତ ପ୍ରସ୍ତୁତି ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ଓୟୁଏଟି କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଡ଼ାଇରେକ୍ଟର ସିଫା ପି କେ ସାହୁ, ଡେ଼ପୁଟି ଡ଼ାଇରେକ୍ଟର ଜେନେରାଲ ଆଇସିଏଆର, କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର (CHES), ଓୟୁଏଟି ଡିନ, କୃଷି ବିଜ୍ଞାନ କେନ୍ଦ୍ର ପ୍ରମୁଖରୁ ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ସ୍ନାନ ଯାତ୍ରା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ଉପରେ ସମୀକ୍ଷା କଲେ ଡିଜିପି ଶ୍ରୀ ଖୁରାନିଆ

ପୁରୀ: ଡିଜିପି ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ଆଗାମୀ ସ୍ନାନ ଯାତ୍ରା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଯାତାୟାତ ଓ ଶୃଙ୍ଖଳିତ ଦର୍ଶନ ତଥା ସୁରକ୍ଷିତ ରଥ ଟଣା ଆଦି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ଖୁରାନିଆ ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଭାରତ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୁରୀ ଜିଲ୍ଲାରେ ଥିବା ସମସ୍ତ ଚାରି ଗୋଟି ମାରାଇନ ଥାନା ଯଥା ଅସ୍ତରଙ୍ଗ, ଚନ୍ଦ୍ରଭାଗା, ପେଣ୍ଠକଟା ଓ ଅରଖକୁଦା ସାମୁଦ୍ରିକ ଥାନା ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଗୋଟିଏ ଲେଖାଏଁ ସେକ୍ସନ ଫୋର୍ସ ମୁତୟନ କରାଯିବା ସହ ସମ୍ଭାବ୍ୟ ପରିସ୍ଥିତି କୁ ମୁକାବିଲା ପାଈଁ ଜରୁରୀ ଉପକରଣ ଯୋଗାଇ ଦିଆଯାଇଛି।

ସମୁଦ୍ର ପଥରେ ସମ୍ଭାବ୍ୟ ଆକ୍ରମଣ କିମ୍ବା ଅନୁପ୍ରବେଶକୁ ରୋକିବା ପାଈଁ ଜଳପଥରେ ହାଇଆଲର୍ଟ ଜାରୀ କରାଯିବା ସହ ପାଟ୍ରୋଲିଙ୍ଗ ଜୋରଦାର କରାଯାଇଅଛି। ଜଳ ପଥରେ ଅଚିହ୍ନା ଡ଼ଙ୍ଗା,ମସ୍ୟଜୀବୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଅଛି। ସାମୁଦ୍ରିକ ଥାନା, ଉପକୂଳ ସୁରକ୍ଷା ବାହିନୀ, ସ୍ୱତନ୍ତ୍ର ସଶସ୍ତ୍ର ବଳ ତରଫରୁ ମିଳିତ ଭାବେ ସମୁଦ୍ର ଭିତରେ ୨୪ ସାଘଣ୍ଟିଆ ପ୍ରହରା ଦିଆଯାଉଥିବା ପୁରୀ ପୁଲିସ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ବଡଦାଣ୍ଡ ମାର୍କେଟ ଛକ ଠାରେ ମକ ଡ୍ରିଲ ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲାରେ ସମ୍ଭାଵ୍ୟ ଆକ୍ରମଣକୁ ନେଇ ସ୍ୱତନ୍ତ୍ର ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପୁରୀ ବଡଦାଣ୍ଡ ମାର୍କେଟ ଛକ ଠାରେ ହଟାତ ଅପରାହ୍ନ ଚାରି ଟା ରେ ସାଇରନ ବାଜି ଉଠିବା କ୍ଷଣି ପୋଲିସ ସମେତ ଏନସିସି ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଦୋକାନ ଗୁଡିକ ମଧ୍ୟ ସାଇରନ ଶବ୍ଦ ଶୁଣିକରି ବନ୍ଦ କରି ଦେଇଥିଲେ।

ବଡଦାଣ୍ଡ ସମ୍ପୂର୍ଣ୍ଣା ଭାବେ ଲୋକ ଶୂନ୍ୟ ହୋଇପଡ଼ିଥିଲା। ପରେ ଦ୍ଵିତୀୟ ବାର ସାଇରନ ବାଜିଥିବା ବେଳେ ସମସ୍ତେ ସ୍ୱାଭାବିକ ଭାବେ ଚଳପ୍ରଚଳ କରିଥିଲେ। ଏହି ସମୟ ମଧ୍ୟରେ ବୋମା ପଡ଼ିଥିବା କାରଣରୁ ନିଆଁ ଲାଗିଯାଇଥିବା ବେଳେ ତାହାକୁ ନିୟନ୍ତ୍ରଣ ନେଇ ଅଗ୍ନିଶମ ବିଭାଗ କାର୍ଯ୍ୟ କରିଥିଲା।

ସେହିପରି ଆହତ ମାନଙ୍କୁ ସ୍ଵେଚ୍ଛାସେବୀ ମାନେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଇଥିବା ବେଳେ ଏହି ମକ ଡ୍ରିଲ ସଫଳ ତାର ସହ ଶେଷ ହୋଇଥିଲା। ଏପରି ମକ ଡ୍ରିଲ ସାଧାରଣ ଲୋକ ମାନଙ୍କ ମଧ୍ୟରେ ସମ୍ଭାଵ୍ୟ ଯୁଦ୍ଧ ସମୟରେ କିପରି ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେନେଇ ସଚେତନ ହେବା ସହ ଅନ୍ୟକୁ ମଧ୍ୟ ସାହାଯ୍ୟ କରିପାରିବେ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମୋକ ଡ୍ରିଲ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଭିନୀତ ଅଗ୍ରୱାଲ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

5,631 କୋଟି ବିନିଯୋଗରେ ବିକଶିତ ହେବ ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର: ବର୍ଷକୁ ଯାତାୟତ କରିବେ 46 ଲକ୍ଷ ଯାତ୍ରୀ

ଭୁବନେଶ୍ୱର: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି 5,631 କୋଟି ଟଙ୍କା ମୂଲ୍ୟରେ 1,164 ଏକର ଜମିରେ ବିକଶିତ ହେବ। ଏହି ନିର୍ମାଣ କାର୍ଯ୍ୟ 3ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ 46 ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ କରିବ।

ଏହି ବିମାନ ବନ୍ଦର ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧିହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ଏବଂ ପବିତ୍ର ପୁରୀ ସହର ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଛନ୍ତି।

ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଏବଂ ରାଜସ୍ଥାନ କୋଟାରେ ନୂଆ ବିମାନବନ୍ଦର ନିର୍ମାଣକୁ ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି। ଏହି କ୍ରମରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟା ଠାରେ ନୂଆ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜରପୁ ଏହି ଦୁଇଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି।

ଭାରତର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଦେଶ ତଥା ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର ନିଷ୍ପତ୍ତି ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ।

ଏହି ବିମାନ ବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। ଏହି ନିଷ୍ପତ୍ତି ପୁରୀ ଏବଂ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହା ଶେଷ ମାଇଲ ବିମାନ ସଂଯୋଗକୁ ମଜବୁତ କରିବ। ବିମାନ ଯାତ୍ରାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅନୁରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଅନୁରୂପ ଭାବେ କୋଟା ବିମାନ ବନ୍ଦର ନିର୍ମାଣ ଦ୍ୱାରା ଦୀର୍ଘ ପ୍ରତୀକ୍ଷିତ ଆଶା ପୂରଣ ହେବ। ଏହା ଲୋକସଭା ବାଚସ୍ପତି ତଥା କୋଟା-ବୁନ୍ଦୀର ସାଂସଦ ଶ୍ରୀ ଓମ୍ ବିର୍ଲାଙ୍କ ନିରନ୍ତର ପ୍ରୟାସର ପରିଣାମ। ସେ କୋଟା ପାଇଁ ଏକ ବିମାନ ବନ୍ଦରର ଉପଲବ୍ଧି ପାଇଁ ସକ୍ରିୟ ଭାବରେ ପ୍ରୟାସ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ତାଙ୍କର ନିରନ୍ତର ଆଲୋଚନା ଏହି ଅନୁମୋଦନକୁ ତ୍ୱରାନ୍ୱିତ କରିବାରେ ଅନ୍ୟତମ ପ୍ରେରକ ଶକ୍ତି।

ପ୍ରସ୍ତାବିତ ବିମାନବନ୍ଦର ଏକ ପ୍ରମୁଖ ଶିକ୍ଷା ଏବଂ ଶିଳ୍ପ କେନ୍ଦ୍ର ଭାବରେ ଜଣାଶୁଣା କୋଟା ସହରକୁ କେବଳ ବିମାନ ସେବା ପ୍ରଦାନ କରିବ ନାହିଁ, ବରଂ ହାଡୌତୀ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଏବଂ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ପୂରଣ କରିବ। ଏହାର ପ୍ରତିଷ୍ଠା ସହିତ କୋଟା ଭାରତ ଭିତରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ଗନ୍ତବ୍ୟସ୍ଥଳ ହେବାରେ ସକ୍ଷମ ହେବ।

ଏହି ନିଷ୍ପତ୍ତି ରାଜସ୍ଥାନ କୋଟାର ଭିତ୍ତିଭୂମି ବିକାଶରେ ଏକ ପ୍ରମୁଖ ମାଇଲଖୁଣ୍ଟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ସୁଗମ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଚିହ୍ନିତ କରିଥାଏ।