Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ଓ ପୁରୀ ରେଳ ଷ୍ଟେସନର ହେବ ପୁନଃବିକାଶ; କଟକ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି

ଭୁବନେଶ୍ଵର: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ୧୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୫ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ପୁନଃବିକଶିତ ହେବାକୁ ଥିବା ରେଳ ଷ୍ଟେସନ ମଧ୍ୟରେ ପୁରୀ, ଭୁବନେଶ୍ବର ଏବଂ କଟକ ରେଳ ଷ୍ଟେସନ ସାମିଲ ରହିଛି। ଇତିମଧ୍ୟରେ କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଦେଶବ୍ୟାପୀ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଆର୍ଥିକ ବିକାଶରେ ସୁଧାର ଆସିବ। ଏହାଦ୍ବାରା ଦେଶର ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ପ୍ରଭାବ ପଡ଼ିବ।

ଏସବୁ ଷ୍ଟେସନର ବିକାଶ କାର୍ଯ୍ୟରେ ଅଧିକ ସ୍ଥାନ ଥିବା ରୁଫ୍‌ ପ୍ଲାଜା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ଏହାବ୍ୟତୀତ ଫୁଡକୋର୍ଟ, ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ମାନ୍ୟତାପ୍ରାପ୍ତ ସ୍ଥାନ ଆଦି ସୁବିଧା ବିକଶିତ କରାଯିବ। ଷ୍ଟେସନଗୁଡ଼ିକର ଉନ୍ନତିକରଣ ସମୟରେ ମେଟ୍ରୋ, ବସ ଆଦି ବିଭିନ୍ନ ପରିବହନ ମାଧ୍ୟମକୁ ରେଳ ଷ୍ଟେସନ ସହିତ ଯୋଡ଼ାଯିବ। ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ଅବଲମ୍ବନ କରାଯିବ ଏବଂ ଦିବ୍ୟାଙ୍ଗଜନଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ। ଇଣ୍ଟେଲିଜେଣ୍ଟ ବିଲ୍ଡିଂ ନିର୍ମାଣ ଲକ୍ଷ୍ୟ ନେଇ ଷ୍ଟେସନଗୁଡ଼ିକୁ ବିକଶିତ କରାଯିବ ଏବଂ ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ରେଳ ଷ୍ଟେସନ ନିକଟରେ ‘ସିଟି ସେଣ୍ଟର’ ଭଳି ସ୍ଥାନ ସୃଷ୍ଟି ହେବ। ଏହାଦ୍ବାରା ରେଳ ଯାତ୍ରୀ ଏବଂ ସାଧାରଣ ଜନତା ଉପକୃତ ହୋଇପାରିବେ।

ଇତିମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ରାଣୀ କମଳାପତି ଷ୍ଟେସନ, ପଶ୍ଚିମ ରେଳବାଇର ଗାନ୍ଧୀନଗର କ୍ୟାପିଟାଲ ଷ୍ଟେସନ ଏବଂ ଦକ୍ଷିଣ ପଶ୍ଚିମ ରେଳବାଇର ସାର ଏମ ବିଶ୍ବେଶ୍ବରାୟା ଟର୍ମିନାଲ ଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଏସବୁ କାର୍ଯ୍ୟକ୍ଷମ ହୋଇସାରିଛି।

ବର୍ତ୍ତମାନ ପରିସ୍ଥିତିରେ ଏସବୁ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ କାରଣ ଏହି କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇଥିବା ବେଳେ ଏଥିରେ ବହୁ ଅଂଶୀଦାରମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏଥିପାଇଁ ବିଭିନ୍ନ ବୈଧାନିକ ମଞ୍ଜୁରିର ଆବଶ୍ୟକତା ରହିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ! ବନ୍ଦରଗୁଡିକରେ ବିପଦ ସଂକେତ, ଆଜି ରାତିରୁ ବର୍ଷା

ଭୁବନେଶ୍ବର: ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅବପାତ ଗତ ୬ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭କିମି ବେଗରେ ଗତିକରୁଛି।

ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆଗାମୀ ୧୨ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

ଆଜି ରାତିରୁ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଦୀପାବଳିରେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଉତ୍ତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜି ପୁରୀ ଠାରୁ ବିଳମ୍ବରେ ଯାତ୍ରା କରିବ ଦୁଇଟି ଟ୍ରେନ

ପୁରୀ: ପୁରୀ ଅନ୍ତର୍ଗତ ମାଳାତିପାଟପୁର ଷ୍ଟେସନ ନିକଟରେ ଗୋଟିଏ ଯାତ୍ରୀବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି। ଯାହା ଫଳରେ ନିମ୍ନ ପ୍ରଦତ୍ତ ଦୁଇଟି ଟ୍ରେନ ପୁରିଠାରୁ ବିଳମ୍ବରେ ଯାତ୍ରା କରିବ…

ଆଜି ପୁରୀଠାରୁ ରାତ୍ରି ୮ ଘଣ୍ଟା ୧୫ ମିନିଟରେ ଛାଡିବାକୁ ଥିବା ୧୨୮୩୮ ପୁରୀ -ହାଓଡା ଏକ୍ସପ୍ରେସ ଆସନ୍ତାକାଲି (୨୩ ତାରିଖ) ଭୋର ୪ ଘଟିକାରେ ଛାଡିବ।

ସେହିପରି, ପୁରୀ ଠାରୁ ଆଜି ରାତ୍ରି ୯ ଘଣ୍ଟା ୧୫ ମିନିଟରେ ଛାଡିବାକୁଥିବା ୨୨୮୯୦ ପୁରୀ -ଦିଘା ଏକ୍ସପ୍ରେସ ମଧ୍ୟ ରାତ୍ରି ୧ ଘଟିକାରେ ଛାଡିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

୮୦ ବର୍ଷରେ ବିଗ୍-ବି, ବାଲୁକା କଳାରେ ଅଭିନନ୍ଦନନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ବିଗ୍-ବି ବା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଆଜି ଅମିତାଭ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି।

ସୁଦର୍ଶନ ପୁରୀ ବେଳାଭୂମିରେ ବିଗ୍-ବି ଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଅମିତାଭଙ୍କ ଧଳା ଦାଢି ସହିତ ତାଙ୍କର ଚଷମାକୁ ଅବିକଳ କରି ବାଲିରେ ନିର୍ମାଣ କରିଛନ୍ତି। ଏଥିସହିତ ସେ ବାଲୁକା ସ୍ଥାପତ୍ୟର ଉପରେ ତାଙ୍କର ପୁରୁଣା ସୁପରହିଟ ଚଳଚ୍ଚିତ୍ରଗୁଡିକର ଫଟୋ ଲଗାଇଛନ୍ତି। ମର୍ଦ୍ଦ, ଶରାବୀ, କୁଲି, ଲାୱାରିଶ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ଗୁଡିକର ଫଟୋ ବାଲୁକା କଳାରେ ସ୍ଥାନ ଦେଇଛନ୍ତି।

Categories
ବିଶେଷ ଖବର

ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମା ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ସାଂସଦ ଶ୍ରୀ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ୩ ଜଣ ହବିଷ୍ୟାଳି ମା ଗଞ୍ଜାମ ର ଉର୍ମିଳା ପଟନାୟକ, ମୟୁରଭଞ୍ଜ ର ସାବିତ୍ରୀ ବିନ୍ଧାଣି ଓ ପୁରୀ ର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ମତବ୍ୟକ୍ତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।

ପୁରୀ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ରମାସରେ ମହିଳାମାନେ ମାସସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି। ଏହି ପବିତ୍ର ମାସ ସୋମବାରରୁ ଆରମ୍ଭ ହୋଇଥିବାରୁ ଏହାର ଗୁରୁତ୍ବ ଆହୁରି ବଢିଯାଇଛି।

ଗତ ଦୁଇ ବର୍ଷ ଧରି କରୋନା ପାଇଁ ହବିଷ୍ୟାଳିମାନେ ଏହି ବ୍ରତ ପୁରୀ ଆସି ପାଳନ କରିପାରି ନ ଥିଲେ। ନିଜ ଘରେ ରହି ପାଳନ କରିଥିଲେ। ଚଳିତ ବର୍ଷ କଟକଣ ହଟିଯାଇଥିବାରୁ ପୁରୀରେ ଏହି ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଛି। ସେମାନଙ୍କର ମାଗଣା ରହିବା ଖାଇବା ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ପୁରୀ ଠାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ଭାରତୀୟତା, ଭାରତୀୟ ପରମ୍ପରା ଓ ହିନ୍ଦୁତ୍ୱ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ ଭାବେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ପବିତ୍ର ପୁରୀ ଧାମ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସରେ ଦେଶର ଦ୍ୱିତୀୟ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ରାଜ୍ୟରୁ ଆସିଥିବା ବେଦ ବିଶାରଦଙ୍କ ଉପସ୍ଥିତିରେ ଯଜ୍ଞ ଉତ୍ସବରେ ସାମିଲ ହୋଇ ପୂର୍ଣ୍ଣାହୁତି ଦେଇ ଏହି ବେଦ ବିଦ୍ୟାଳୟର ଲୋକାର୍ପଣ କରିଥିଲେ। ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ମଧ୍ୟ ଶୁଭାରମ୍ଭ  କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଶ୍ରୀସଦାଶିବ କ୍ୟାମ୍ପସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଜାତୀୟ ଶିକ୍ଷା ନୀତି ଆଧାରରେ ବେଦ ବିଦ୍ୟାର ପୃଥକ ବୋର୍ଡ ତିଆରି କରାଯାଇଛି। ଉଜ୍ଜୟିନୀ ସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନକୁ ଏହାର ମାନ୍ୟତା ଦିଆଯାଇଛି। ଦେଶରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କ୍ରମରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନାମରେ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ନାମକରଣ କରାଯାଇଛି। ଋଗ୍ ବେଦର କେନ୍ଦ୍ର ପୁରୀରେ ଏହି ବେଦ ବିଦ୍ୟାଳୟ ମୁଖ୍ୟ ବେଦ ଗୁଡ଼ିକର ସବିଶେଷ ଅଧ୍ୟୟନର ଅବସର ତିଆରି କରିବ। ବେଦର ଜ୍ଞାନର ଭଣ୍ଡାରକୁ ସଂରକ୍ଷଣ କରିବା ସହ ପ୍ରଚାର ପ୍ରସାର କରିବା ଲୋକାର୍ପିତ ହୋଇଥିବା ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ୟୁନିୟନ ଗ୍ରାଣ୍ଟ କମିଶନ(ୟୁଜିସି) ବିଧିବଦ୍ଧ ଭାବେ ହିନ୍ଦୁ ଅଧ୍ୟୟନକୁ ପୋଷ୍ଟ ଗ୍ରାଜୁଏସନର ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଚଳିତବର୍ଷ ଠାରୁ ଶ୍ରୀସଦାଶିବ କ୍ୟାମ୍ପସରେ ପିଜି ପାଠ୍ୟକ୍ରମରେ ହିନ୍ଦୁ ଅଧ୍ୟୟନ ଆରମ୍ଭ କରାଯିବାର ବ୍ୟବସ୍ଥା କରାଯାଇଛି। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଦ୍ୱାରା ଉତ୍କଳୀୟ ପରମ୍ପରାରେ ଥିବା ହିନ୍ଦୁତ୍ୱକୁ ଅଧ୍ୟୟନ କରାଯିବ। ଏହା କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବରଂ ଆନ୍ତର୍ଜାତିକ ସ୍ତରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଅନାଦି ଅନନ୍ତ କାଳରୁ ଜ୍ଞାନ, ସଂସ୍କୃତି, ବିଜ୍ଞାନ ଓ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି। ଆମ ସଭ୍ୟତାର ମୌଳିକ ଜ୍ଞାନ ବେଦ ଉପନିଷେଦ ସମ୍ପର୍କରେ ନୂଆପିଢିଙ୍କୁ ଆଧୁନିକ ସ୍ୱୀକୃତି ସହ ପଢାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଆରମ୍ଭ କରାଯାଇଛି। ସେହିପରି ଅନେକ ଭାଷା ଓ ସଂସ୍କୃତିକୁ ଶିଖାଇବାରେ ଶ୍ରୀକ୍ଷେତ୍ର ପୁରୀ ହିଁ ଏକ ବଡ଼ ବିଶ୍ୱବିଦ୍ୟାଳୟ। ସବୁ ଶିକ୍ଷା କେବଳ ଶ୍ରେଣୀଗୃହରେ ନୁହେଁ ବରଂ ଅନୁଭବରୁ ହିଁ ଶିକ୍ଷା ଗ୍ରହଣ ହୁଏ।  ପୁରୀ ଶ୍ରୀମନ୍ଦିର ସେବକ, ପୂଜକ ଭାଇ ମାନେ ଏହାର ବଡ଼ ଉଦାହରଣ।

ମହାପ୍ରଭୁଙ୍କର ନୀତି କାନ୍ତି ଜ୍ଞାନର ଅପାର ଭଣ୍ଡାର ଓ ସାମାଜିକ ଜୀବନରେ ବିଜ୍ଞାନ, ସାହିତ୍ୟ, କଳା, ସ୍ୱାସ୍ଥ୍ୟସେବା ଓ ସମାଜ ନୀତିର ତତ୍ତ୍ୱ ହେଉଛି ବେଦ ଓ ଉପନିଷେଦ। ବେଦ ଏକ ମନ୍ତ୍ର ନୁହେଁ ବରଂ ବେଦରେ ଲିଖିତ ପ୍ରତିଟି ମନ୍ତ୍ର ବିଜ୍ଞାନ ପ୍ରମାଣିତ ତତ୍ତ୍ୱ। ବେଦର ସଠିକ୍ ଉଚ୍ଚାରଣରେ ହିଁ ମାନବତାର ଉପଚାର ଅଛି। ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ଓ ଅନ୍ୟାନ୍ୟ ସାଂସ୍କୃତିକ କଳା ଓ ପରମ୍ପରା ବେଦ ଏବଂ ସଂସ୍କୃତରେ ଅନ୍ତର୍ନିହିତ। ପୁରୀ ଶଙ୍କରାଚାର୍ଯ୍ୟ ମହାରାଜ ଏହି ଜ୍ଞାନ ଦ୍ୱାରା ଆଜି ଜଣେ ବିଦ୍ୱାନ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି। ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ବେଦ ଅଧ୍ୟୟନରେ ସମାଜକୁ ନୂଆ ଦିଗଦର୍ଶନ ଦେବ। ଶ୍ରୀଜଗନ୍ନାଥ ସଂସ୍କୃତି ବିନା ହିନ୍ଦୁତ୍ୱର କଳ୍ପନା କରାନଯାଇପାରେ। ଆମର ପର୍ବ ପର୍ବାଣୀ ଗୁଡ଼ିକ ଏକ ଉତ୍ସବ ନୁହେଁ ବରଂ ବୈଜ୍ଞାନିକ ପଦ୍ଧତିରେ ସମାଜକୁ ଚଲାଇବା ଏବଂ ଭାଇଚାରାକୁ ସୁଦୃଢ଼ କରିବାର ମହାନ ପରମ୍ପରା। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଆମର ସଂସ୍କୃତି ଓ ପରମ୍ପରାର ବୈଜ୍ଞାନିକ ପ୍ରକ୍ରିୟା ଓ ଉଦ୍ଦେଶ୍ୟର ପରିପ୍ରକାଶ କରିବ। ଏ ସବୁ ଗୁଡ଼ିକ ବିଷୟରେ ଶ୍ରୀ ସଦାଶିବ ପରିସରର ଏହି ହିନ୍ଦୁ ଅଧ୍ୟୟନ ସେଣ୍ଟର ଉତ୍କଳୀୟ ପରମ୍ପରା ଅନୁସାରେ ଜଗତର କଲ୍ୟାଣ ଅନୁଯାୟୀ କାମ କରିବ।

ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ। ଅତୀତରେ ସଂସ୍କୃତ ଭାଷାର ପ୍ରଚଳନ ସମୟରେ ହିଁ ମହାପ୍ରଭୁଙ୍କ ବଡ଼ ଦେଉଳ ହଜାର ବର୍ଷ ପୂର୍ବରୁ ତିଆରି ହୋଇଛି। ସେତେବେଳେ ଇଞ୍ଜିନିୟରିଂ ଓ ଆଇଆଇଟି ଭଳି ଅନୁଷ୍ଠାନ ନଥିବା ସତ୍ତ୍ୱେ ଏଠାକାର କୁଶଳୀ କାରିଗରମାନେ ବିନା ଲୁହା ଓ ସିମେଣ୍ଟରେ ଭବ୍ୟ ମନ୍ଦିର ତିଆରି କରିବାରେ ସକ୍ଷମ ହେଉଥିଲେ। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ, ସିଭିଲ୍ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ଆର୍ଟ ସାଇନ୍ସ ଇଞ୍ଜିନିୟରିଂର ସମ୍ମିଶ୍ରଣରେ ମହାପ୍ରଭୁଙ୍କ ମନ୍ଦିର ତିଆରି ହୋଇଛି। ସେତେବେଳେ ଭାଷା ବି ଏବଂ ସୂତ୍ର ବି ସଂସ୍କୃତିରେ ଥିବା ଅନେକ ଇତିହାସକାରମାନେ ମତ ଦେଇଛନ୍ତି।

ଭାରତୀୟ ଜ୍ଞାନ ପ୍ରଣାଳୀର ମୂଳାଧାର ହେଉଛି ବେଦ। ଦେଶର ପ୍ରଖ୍ୟାତ ଜ୍ଞାନପୀଠ ମହାକାଳନଗରୀ ଇଜ୍ଜୟିନୀ ଠାରେ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ବେଦ ଅଧ୍ୟୟନକୁ ପୁର୍ନଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଭାରତୀୟ ଭାଷା ଓ ଜ୍ଞାନ ଆଧାରିତ କରିବାକୁ ପଡ଼ିବ। ମୂଳ ଭାରତ ସହ ମୂଳ ସଭ୍ୟତା ସାଙ୍ଗରେ ଯୋଡ଼ିବାକୁ ହେବ।

ଭାରତକୁ ଲମ୍ବା ସମୟ ପରାଧୀନ କରିବା ପାଇଁ ବ୍ରିଟିଶମାନେ ଏଠାକାର ଭାଷା ଓ ଜ୍ଞାନକୁ ଭ୍ରମିତ କରିଥିଲେ। ମାତ୍ର  ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଜ୍ଞାନ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ନିଜ ମାତୃଭାଷାରେ ପଢ଼ିଲେ ହିଁ ଗୋଟିଏ ପିଲାର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ। ଜାତୀୟ ଶିକ୍ଷା ନୀତିର ଆଭିମୁଖ୍ୟ ରହିଛି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ ଶିକ୍ଷାଭିତ୍ତିକ କରିବା ଏବଂ ଗବେଷଣା ମାଧ୍ୟମରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ। ପୁରୀରେ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ବୀର ରାମଚନ୍ଦ୍ରପୁରର ଗ୍ରାମ ଦେବତୀ ମା’ ମଣିନାଗ ଦୁର୍ଗା ମନ୍ଦିର ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ମନ୍ଦିର ପ୍ରାଙ୍ଗଣରେ ଗାଁର ଗୁରୁଜନଙ୍କ ସହ ସ୍ଥାନୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ଗସ୍ତ ପୂର୍ବରୁ ସେମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଆତିଥେୟ ପ୍ରଦାନ କରିଥିବା ଭୁବନେଶ୍ବରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଜିଆଇଏଫଟି) ପକ୍ଷରୁ ଏକ ଉପସ୍ଥାପନା ମାଧ୍ୟମରେ ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଆଜିର ଦିନରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ଏକ ଭାଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମରାଠୀ ଏବଂ ଓଡ଼ିଆ ଭାଷାରେ ସାମଞ୍ଜସ୍ୟ ଥିବା କେତେକ ଶବ୍ଦ ବିଷୟରେ ଛାତ୍ରଛାତ୍ରୀ ଜାଣିବାକୁ ପାଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ସମ୍ପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଆପୋସ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ଦେଶବ୍ୟାପୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ

କୋଲକାତା: ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ପୂଜା ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି।

୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଅକ୍ଟୋବର ୧,୨୦୨୨ରୁ ଅକ୍ଟୋବର ୨୯,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ଶନିବାର ରାତି ୧୧.୫୦ରେ ସିଆଲଦାରୁ ବାହାରି ପରଦିନ ପୁରୀ ଠାରେ ସକାଳ ୯.୩୫ରେ ପହଞ୍ଚିବ ଓ ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେଶାଲ ଅକ୍ଟୋବର ୨,୨୦୨୨ରୁ ଅକ୍ଟୋବର ୩୦,୨୦୨୨ ମଧ୍ୟରେ (୫ ଟ୍ରିପ)  ପ୍ରତି ରବିବାର ପୁରୀ ଠାରୁ ଅପରାହ୍ନ ୩.୫୦ରେ ବାହାରି ପରଦିନ ରାତି ୨ଟାରେ ସିଆଲଦାରେ ପହଞ୍ଚିବ।

ଏହି ସ୍ପେଶାଲ ଟ୍ରେନ ଉଭୟ ଦିଗରେ ଭଟ୍ଟନଗର, ଆନ୍ଦୁଲ, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୋଡ ଷ୍ଟେସନରେ ଅଟକିବ।

ସେପ୍ଟେମ୍ବର ୧୭, ୨୦୨୨ ଠାରୁ ପିଆରଏସ ଓ ଇଣ୍ଟରନେଟ ମାଧ୍ୟମରେ ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଟ୍ରେନ ପାଇଁ ବୁକିଂ ଆରମ୍ଭ ହେବ। ଏହି ପୂଜା ସ୍ପେଶାଲ ଟ୍ରେନ ପାଇଁ ସାଧାରଣ ଦେୟ ଠାରୁ ଅତିରିକ୍ତ ସ୍ୱତନ୍ତ୍ର ଦେୟ ନିଆଯିବ। ଏହି ଟ୍ରେନରେ କୌଣସି ରିହାତିଯୋଗ୍ୟ ବୁକିଂ ହେବ ନାହିଁ। ତତ୍କାଳ କୋଟା ମଧ୍ୟ ଉପଲବ୍ଧ ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀରେ କାର୍ତ୍ତିକ ହବିଷ୍ୟାଳୀମାନେ ମାଗଣା ରହିବା ପାଇଁ ହେଲା ବୁକିଂ ବ୍ୟବସ୍ଥା, ଜାଣନ୍ତୁ କେମିତି କରିବେ

ଭୁବନେଶ୍ବର: କାର୍ତ୍ତିକ ମାସରେ ବିଧବା ମହିଳାମାନେ ହବିଷ୍ୟ କରିଥାନ୍ତି। ସେଥିପାଇଁ ଏହି ମାସ ସାରା ପୁରୀରେ ଭିଡ ରହିଥାଏ। ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେହି ଅନୁସାରେ ସେମାନଙ୍କ ପାଇଁ ପୁରୀରେ ମାଗଣା ରହିବା ଏବଂ ଅଭଡା ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି। ରାଈଦାମୋଦର ବ୍ରତ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି।

ତେବେ ଏହି ସୁବିଧା ଯେଉଁମାନେ ନେବେ ସେମାନେ ପ୍ରଥମେ ବୁକିଂ କରିବାକୁ ପଡିବ। ସେଥିପାଇଁ ହ୍ବାଟସଆପ କିମ୍ବା ଫୋନ କରି ଏହି ବୁକିଂ କରାଯାଇପାରିବ। ଏ ନେଇ ପୁରୀ ପ୍ରଶାସନ ତରଫରୁ ନମ୍ବର ଜାରୀ କରାଯାଇଛି। ହ୍ବାଟସଆପ ନମ୍ବର ହେଲା ୯୪୩୭୩୩୩୮୨୩ ସେହିପରି ଜିଲ୍ଲା କାର‌୍ୟ୍ୟାଳୟ ନମ୍ବର ୦୬୭୫୨-୨୨୨୬୬୪ ରେ କଲ କରି ବିସ୍ତୁତ ତଥ୍ୟ ଜାଣିପାରିବେ। ତେବେ ଏହି ବୁକିଂ ଚଳିତ ସେପ୍ଟେମ୍ବର ୧୩ ତାରିଖରୁ ୨୯ ତାରିଖ ମଧ୍ୟରେ କରିବାକୁ ପଡିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀର କୌଣସି ସାଧାରଣ ସ୍ଥାନରେ ମଦ ପିଉଛନ୍ତି କି? ସାବଧାନ, ଏଥର ବାନ୍ଧିବ ପୋଲିସ

ପୁରୀ: ଯେଉଁମାନେ ସାଧାରଣ ଚଳପ୍ରଚଳ ସ୍ଥାନରେ ମଦ ପିଉଛନ୍ତି ସେମାନେ ଏଣିକି ସାବଧାନ ରୁହନ୍ତୁ। କାରଣ ଏହିପରି ବ୍ୟକ୍ତିଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି। ସଂଧ୍ୟା ହେଲେ ଅନେକ ଲୋକ ସାଧାରଣ ସ୍ଥାନରେ ନିର୍ଭୟରେ ମଦ ପିଉଛନ୍ତି। କେବଳ ସେତିକି ନୁହେଁ ସେମାନେ ମଧ୍ୟ ସାଧାରଣ ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗମାନ ହେବାରେ ଲାଗିଛି।

ଏସବୁ ଅଭିଯୋଗକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ତରଫରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଯେଉଁମାନେ ସାଧାରଣ ସ୍ଥାନରେ ମଦ ପିଉଛନ୍ତି ସେମାନଙ୍କୁ ଗୋଡାଇ ଗୋଡାଇ ପୋଲିସ ଧରିବା ଆରମ୍ଭ କରିଛି। ଗତକାଲି ରାତିରେ ପୁରୀ କୁମ୍ଭାରପଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପନ୍ଦର ଜଣଙ୍କୁ ଧରିଛି। ଏହି ଅଭିଯାନ ପ୍ରତିଦିନ ଚାଲିବ ବୋଲି ପୁରୀ ପୋଲିସ ନିଷ୍ପତି କରିଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ତିନିଠାକୁର ବାହାରକୁ ଆସିଲେ ତାଙ୍କ ମସ୍ତକରେ ଶୋଭା ପାଏ ଟାହିଆ, ଏହା କଣ, କିଏ କରେ

ଭୁବନେଶ୍ବର: ତିନିଠାକୁର ଯେତେବେଳେ ମନ୍ଦିର ବାହାରକୁ ଆସନ୍ତି ସେତେବେଳେ ତାଙ୍କ ମସ୍ତକରେ ଶୋଭା ପାଇଥାଏ ଟାହିଆ ବା ମୁକୁଟ। ଏହି ଟାହିଆ ଯେତେବେଳେ ଝୁଲେ ସେତେବେଳେ ଭକ୍ତର ମନପ୍ରାଣ ଉଲ୍ଲସିତ ହୋଇଯାଏ। ସାଧାରଣତଃ ସ୍ନାନ ପୂର୍ଣ୍ଣିମା ବେଳେ କିମ୍ବା ରଥକୁ ତିନିଠାକୁର ବିଜେ ବେଳେ ଏହି ଟାହିଆ ଲାଗି ହୋଇଥାଏ।

ପୁରୀର ରାଘବ ଦାସ ମଠରେ ଟାହିଆକୁ ଶିଳ୍ପୀମାନେ ପାରମ୍ପରିକ ଶୈଳୀରେ ନିର୍ମାଣ କରିଥାନ୍ତି। ଏହା ବାଉଁଶ କାଠି, କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, ସୁତାରେ ଏହି ଟାହିଆ ପ୍ରସ୍ତୁତି କାରାଯାଇଥାଏ। ପ୍ରଥମେ ବାଉଁଶ କାଠିକୁ ସ୍ୱତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ। ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ। ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ।

ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ ମଲ୍ଲୀ, ମାଳତୀ, ଟଗର, ପଦ୍ମ, ଏବଂ ଦୂବ  ଆଦି ଖଞ୍ଜା ଯାଇଥାଏ। ଟାହିଆର ଅଗ୍ରଭାଗରେ ଦୂବ ଓ କିଆ ଲଗାଯାଇଥାଏ। ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ। ସୋଲ ତିଆରି କଦମ୍ବ ଫୁଲ, ଟାହିଆକୁ ଆକର୍ଷଣୀୟ କରିଥାଏ। ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ।

ତିନିଠାକୁର ପହଣ୍ଡି ବିଜେ ନିମନ୍ତେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି। ତାହାକୁ ସେନାପଟା କୁହାଯାଏ। ପହଣ୍ଡି ସମୟରେ ବୀରବେଶୀ ଜଗନ୍ନାଥଙ୍କୁ ସୁଦୃଶ୍ୟ ଟାହିଆ ପିନ୍ଧାଯାଇଥାଏ। ବିଗ୍ରହମାନଙ୍କୁ ସେନାପଟା ଲାଗି ବେଶ ପରେ ମଙ୍ଗଳା ଅର୍ପଣ କରାଯାଇ ଡୋର କରାଯାଇଥାଏ।  ସ୍ନାନ ପୂର୍ଣ୍ଣିମା ଦିବସରେ ରତ୍ନବେଦୀରୁ ବିଗ୍ରହମାନେ ପହଣ୍ଡି ବିଜେରେ କଳାହାଟ ଦ୍ୱାର ଜୟବିଜୟ ଦ୍ୱାର, ଜଗମୋହନ, ସାତପାହାଚ, ପାଟ ଅଗଣା, ଆନନ୍ଦ ବଜାର ଦେଇ ସ୍ନାନବେଦୀକୁ ଆସନ୍ତି।

ସାତ ପାହାଚରେ ବିଗ୍ରହମାନଙ୍କୁ ଟାହିଆ ପିନ୍ଧା ଯାଇଥାଏ। ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡିରେ ବିଜେ ଟାହିଆ ଲାଗି ହୋଇଥାଏ। ସ୍ନାନବେଦୀକୁ ଗୋଟି ପହଣ୍ଡି ସମୟରେ, ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଧାଡ଼ି ପହଣ୍ଡିରେ, ଶ୍ରୀମନ୍ଦିରରୁ ରଥକୁ, ରଥରୁ ଆଡପ ମଣ୍ଡପରେ ଅବସ୍ଥାନ, ଯଜ୍ଞବେଦୀରୁ ବାହୁଡ଼ା ରଥକୁ ଧାଡ଼ି ପହଣ୍ଡିରେ, ନୀଳାଦ୍ରୀବିଜେ ସମୟରେ ଗୋଟି ପହଣ୍ଡିରେ ବିଗ୍ରହମାନଙ୍କୁ ଟାହିଆ ଲାଗି କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁଣି ପୁରୀରେ ଅଘଟଣ: ଗୁଣ୍ଡିଚା ମନ୍ଦିରର ୨୦ରୁ ଅଧିକ ଚୂଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ: ପୁଣି ପୁରୀରେ ଅଭାବନୀୟ ଘଟଣା ଘଟିଛି। ଗୁଣ୍ଡିଚା ମନ୍ଦିରର ରୋଷଘର ଚୂଲି ଭାଙ୍ଗିଥିବା ସୂଚନା ରହିଛି। ୨୦ରୁ ଅଧିକ ଚୂଲି ଭାଙ୍ଗିଥିବା ସୂଚନା ମିଳିଛି। ଆଡପ ଅବଢା ପାଇଁ ତିଆରି ହୋଇଥିବା ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। କିନ୍ତୁ କୋଠଭୋଗ ଚୂଲି ସୁରକ୍ଷିତ ଥିବା ବେଳେ ଆଉ ବାକି ସବୁ ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।

ଏହି ଘଟଣା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ସମୟରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଥିବା ବେଳେ ଆଡପ ଅବଢା ପାଇଁ ଚାହିଁବସିଛନ୍ତି। ତେଣୁ ଚୂଲିଗୁଡିକ କିପରି ଯଥାଶୀଘ୍ର ମରାମତି ହେଇପାରିବ ସେ ନେଇ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ଚୂଲି ଗୁଡିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପ୍ରଦର୍ଶନୀରେ ବିଗତ ୮ ବର୍ଷ ମଧ୍ୟରେ ଦେଶର ବିକାଶ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ପ୍ରଦର୍ଶିତ ହୋଇଛି। ଏହାକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି ପ୍ରଦର୍ଶନୀରେ ସୁଶାସନ ଓ ସରକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରାଯାଇଛି। ଲୋକମାନେ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରଚାର ଗାଡ଼ିକୁ ମଧ୍ୟ ସବୁଜ ପତାକା ଦେଇ ଶୁଭାରମ୍ଭ କରିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣିଚା ଯାତ୍ରାରେ ସାମିଲ ହୋଇଥିଲେ। କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଜନଜାତି ବ୍ୟାପାର, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତାର ପରିଚୟ। ତାଙ୍କର ଡୋରି ଲାଗିଥିବାରୁ ସେ ରଥଯାତ୍ରା ଦେଖିବାର ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରଥପାଖକୁ ଯାଇ ଠାକୁରଙ୍କ ପହଣ୍ଡି ଦେଖିଥିଲେ। ରଥଚକକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହି ଅବସରରେ ସେ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ବଡ଼ ଦାଣ୍ଡରେ ଉପସ୍ଥିତ ରହି ରଥଯାତ୍ରା ଦେଖିଥିଲେ। ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେର ଦୃଶ୍ୟ ଅତି ଅପୂର୍ବ। ରଥଯାତ୍ରା ଉପଲକ୍ଷେ ସେ ମହାପ୍ରଭୁଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଦୁଇ ବର୍ଷ ପରେ ଆଜି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ପୁରୀ: ଆଜି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଗତ ଦୀର୍ଘ ଦୁଇ ବର୍ଷ ଧରି ତିନିଠାକୁରଙ୍କୁ ତିନି ରଥରେ ଦେଖିବା ଭକ୍ତଙ୍କ ସୌଭାଗ୍ୟରେ ନ ଥିଲା। ହେଲେ ଆଜି ତିନିଠାକୁର ସିଧା ରଥ ଉପରେ ଭକ୍ତଙ୍କୁ ଦେବେ ଦର୍ଶନ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁସାରେ ଆଜି ସକାଳ ୬ଟାରେ ମଙ୍ଗଳ ଆଳତୀ କରାଯିବ।ସେହିପରି ୬ ଟା ୧୦ ରେ ମଇଲମ ଲାଗି ହେବ।  ୬.୩୦ ରେ ତଡପ ଲାଗି, ରୋଷ ହୋମ, ୭ ଟା ରେ ଅବକାଶ, ୭.୧୦ ରେ ସୂର୍ଯ୍ୟ ପୂଜା, ୭.୩୦ ରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ ହେବ।

କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୮ଟା ରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ  ଏବଂ ରଥ ପ୍ରତିଷ୍ଠା ହେବ। ୯.୧୫ ରେ ମଙ୍ଗଳାର୍ପଣ କରାଯିବ। ପ୍ରଭୁଙ୍କ ପହଁଣ୍ଡି ବିଜେ ସକାଳ ୯.୩୦ ଆରମ୍ଭ କରାଯାଇ ୧୨.୩୦ ରେ ଶେଷ ହେବ ବୋଲି ନିଷ୍ପତି ନିଆଯାଇଛି।

ସେହିପରି ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମଦନ ମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ନିତି କରାଯିବ। ସେହିପରି ଦିନ ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ବେଶ ଶେଷ ହେବ। ଅପରାହ୍ନ ୨.୩୦ ରୁ ୪ ପର୍ଯ୍ୟନ୍ତ ଗଜପତି ମହାରାଜା ଛେରା ପହଁରା କରିବେ।

ଏହାପରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗି କରାଯିବ। ଏହାପରେ ଦିନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଠାରେ ଲୋକ ମେଳା ଓ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ ୧୩ ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ ଜାତୀୟ ସ୍ତରର କୃଷି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳା ପରିସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିସହିତ ଜନଜାତି ସମ୍ପ୍ରଦାୟ ଦ୍ବାରା ପ୍ରସ୍ତୁତ ବନ୍ୟଜାତ, କୃଷି ଓ ପାରମ୍ପରିକ ସାମଗ୍ରୀର ଷ୍ଟଲ୍ ମଧ୍ୟ ପଡ଼ିଛି। ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ କରିବା ସହିତ ସମାଜର ସାମାଜିକ-ସାଂସ୍କୃତିକ ଚରିତ୍ରକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ।

ବିଂଶତମ ଲୋକମେଳାକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ଭାରତର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ। ଦୀର୍ଘ ୨୦ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଖୁସିର ବିଷୟ। ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତି ସାମଗ୍ରୀ, କୃଷି ଉତ୍ପାଦର ଷ୍ଟଲ୍‌ ପଡ଼ିଥିବାରୁ ଏସବୁ ସାମଗ୍ରୀ କିଣିବା ଲାଗି କେନ୍ଦ୍ର ମନ୍ତ୍ରୀ ଆହ୍ବାନ କରିଥିଲେ। କୃଷି କ୍ଷେତ୍ରରେ ଅଭିନବ ଉଦ୍ଭାବନ ଏବଂ ଜ୍ଞାନକୌଶଳ ବିଷୟରେ ଜ୍ଞାନ ଆହରଣ କରିବା ଲାଗି ପ୍ରଦର୍ଶନୀ ଏକ ସୁଯୋଗ ଆଣି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଜନଜାତି, ଲୋକକଳା ସଂସ୍କୃତି ବିଷୟରେ ଜ୍ଞାନବୃଦ୍ଧି ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ସୁଅବସର ଆଣିଛି। ରାଜ୍ୟରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ବିଗତ କିଛି ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟ ବିଶେଷ ପ୍ରଗତି ହାସଲ କରିଛି। ଜନଜାତି ସମୁଦାୟର ଜୀବନଶୈଳୀ, ଜୀବିକା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଦିଗରେ ଲୋକମେଳା ଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ଶ୍ରୀ ସ୍ବାଇଁ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଦଘାଟନୀ ସନ୍ଧ୍ୟାରେ ଲୋକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ, କୋଣାର୍କ ଓ ଖିଚିଂରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗଦେବେ ତିନି କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ଯୋଗକୁ ସାରା ବିଶ୍ବରେ ଲୋକପ୍ରିୟ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଭୂମିକା ରହିଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ମିଳିତ ଜାତିସଂଘର ଅନୁମୋଦନ କ୍ରମେ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ ସମାରୋହ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କର୍ଣ୍ଣାଟକର ମହୀଶୂର ଠାରେ ଆୟୋଜନ ହେବାକୁ ଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନ୍ୟ ସବୁ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଓଡ଼ିଶାର ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ ପାଳନ କରାଯିବ। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେବେ। ପୁରୀ ଶ୍ରୀ ବ୍ଲୁ ଫ୍ଲାଗ୍ ବିଚ୍ ପରିସରରେ ଯୋଗ ଦିବସ କାର୍ଯକ୍ରମରେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୟୁରଭଞ୍ଜର ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଭୋର୍ ୫ଟା ୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରଥମେ ସଭା ଆୟୋଜନ କରାଯିବ। ସକାଳ ୬ଟାରୁ ୬ଟା ୪୦ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ସ୍ବାଗତ ଭାଷଣ ଦେବେ। ୬ଟା ୪୦ରୁ ୭ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପ୍ରସାରିତ ହେବ। ୭ଟାରୁ ୭ଟା ୪୫ ପର୍ଯ୍ୟନ୍ତ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୭ଟା ୪୬ରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବ।

ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଜନସାଧାରଣ ଯୋଗାଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଆୟୋଜିତ ହେବ ବିଂଶତମ ଲୋକ ମେଳା ୨୦୨୨

ପୁରୀ: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଆୟୋଜିତ ହେବ ବିଂଶତମ ଲୋକମେଳା ୨୦୨୨। ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ଶରଧାବାଲି ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ଏହି ଲୋକ ସାଂସ୍କୃତିକ ମହୋତ୍ସବ। ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସାଂସ୍କୃତିକ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ।

ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ। ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟ ଓ ଦେଶର ୨୨%ରୁ ଅଧିକ ଜନଜାତି ବର୍ଗର ଲୋକ ରହିଥାନ୍ତି। ରାଜ୍ୟରେ ଜନଜାତି ସଂସ୍କୃତିର ଅଭିନବ ସମାହାର ଦେଖିବାକୁ ମିଳିଥାଏ। ଏପରିକି ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂଳ ସ୍ବରୂପ ନୀଳମାଧବଙ୍କୁ ଆଦିବାସୀ ରାଜା ବିଶ୍ବାବସୁ ପୂଜା କରୁଥିଲେ।

ରାଜ୍ୟର ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ଜୀବନ ଉପରେ ଜନଜାତି ସମୁଦାୟର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥାଏ। ଦ୍ରୁତ ଆଧୁନିକୀକରଣ କାରଣରୁ ପାରମ୍ପରିକ ଲୋକ ଏବଂ ଜନଜାତି ସଂସ୍କୃତି ଉପରେ ବିପଦ ମାଡ଼ି ଆସଛି ଫଳରେ ଏହା ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଲୋକ ମେଳା ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଜଗନ୍ନାଥ ପୁରୀ ମନ୍ଦିରର ୫ ଟି ରହସ୍ୟ, ଯାହା ବିଜ୍ଞାନ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହିଁ

ପୁରୀ: ବଦ୍ରିନାଥ ଧାମ ଜଗତର ରକ୍ଷକ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ବୈକୁଣ୍ଠ ଭାବରେ ବିବେଚନା କରାଯାଉଥିବାବେଳେ ଜଗନ୍ନାଥ ଧାମକୁ ପୃଥିବୀର ବୈକୁଣ୍ଠ ରୂପ ଭାବରେ ବିବେଚନା କରାଯାଏ। ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ ସହରରେ ଅବସ୍ଥିତ ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିର ଭଗବାନ ବିଷ୍ଣୁଙ୍କ ଅବତାର ଭଗବାନ କୃଷ୍ଣଙ୍କୁ ଉତ୍ସର୍ଗ କରାଯାଇଛି। ପୁରୀର ଏହି ପୌରାଣିକ ମନ୍ଦିର ଅତ୍ୟନ୍ତ ଅଲୌକିକ ଅଟେ। ଏହି ପବିତ୍ର ମନ୍ଦିର ସହିତ ଜଡିତ ଅନେକ ରହସ୍ୟମୟ ଏବଂ ଚମତ୍କାର ଜିନିଷ ଅଛି, ଯାହା ୮୦୦ ବର୍ଷରୁ ଅଧିକ ପୁରୁଣା ଅଟେ। ଏପରିକି ବିଜ୍ଞାନ ପାଖରେ ମଧ୍ୟ ଏହାର ଉତ୍ତର ନାହିଁ।

୧- ପବନର ବିପରୀତ ଦିଗରେ ପତିତପାବନ ବାନା ଉଡେ:

ସାଧାରଣତଃ ଦିନରେ ପବନ ସମୁଦ୍ରରୁ ସ୍ଥଳ ଭାଗକୁ ଏବଂ ସନ୍ଧ୍ୟାରେ ସ୍ଥଳ ଭାଗରୁ ସମୁଦ୍ରକୁ ପ୍ରବାହିତ ହୁଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଏହି ପ୍ରକ୍ରିୟା ଓଲଟା ହୋଇଛି। ମନ୍ଦିରର ବାନା ସବୁବେଳେ ପବନର ବିପରୀତ ଦିଗରେ ଉଡିଥାଏ।

୨- ରୋଷେଇ ଘରର ରହସ୍ୟ:

କୁହାଯାଏ ଜଗନ୍ନାଥ ମନ୍ଦିରରେ ଦୁନିଆର ସବୁଠୁ ବଡ ରୋଷେଇ ଘର ଅଛି। ରୋଷେଇ ଘରର ରହସ୍ୟ ହେଉଛି ଭଗବାନଙ୍କ ମହାପ୍ରସାଦ ପ୍ରସ୍ତୁତ କରିବା ପାଇଁ ଏଠାରେ ସାତୋଟି ବାସନକୁ ଗୋଟିଏ ଉପରେ ଗୋଟିଏକୁ ରଖାଯାଏ। ଏହି ବାସନଗୁଡିକ ମାଟିରେ ନିର୍ମିତ, ଯେଉଁଥିରେ ମହାପ୍ରସାଦକୁ ଚୁଲିରେ ରନ୍ଧାଯାଏ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସମୟ ମଧ୍ୟରେ ଉପରି ଭାଗରେ ରଖାଯାଇଥିବା ହାଣ୍ଡିର ପ୍ରସାଦ ପ୍ରଥମେ ପ୍ରସ୍ତୁତ ହୁଏ, ତାପରେ ଗୋଟିଏ ପରେ ଗୋଟିଏ ପ୍ରସାଦ ପ୍ରସ୍ତୁତ ହୁଏ। ଯଦିଓ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି, କିନ୍ତୁ ପ୍ରସାଦ କଦାପି କମ ପଡେ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ମନ୍ଦିର ବନ୍ଦ ହେବା ମାତ୍ରେ ପ୍ରସାଦ ମଧ୍ୟ ଶେଷ ହୁଏ।

୩- ମନ୍ଦିରର ଛାଇ ଦୃଶ୍ୟମାନ ହୁଏନାହିଁ:

ଜଗନ୍ନାଥ ମନ୍ଦିର ପ୍ରାୟ ଚାରି ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମିତ। ଏହାର ଉଚ୍ଚତା ୨୧୪ ଫୁଟ। କୌଣସି ବସ୍ତୁ କିମ୍ବା ମଣିଷ, ପଶୁ ଏବଂ ପକ୍ଷୀମାନଙ୍କର ଛାୟା ତ ରହିବା ବିଜ୍ଞାନର ନିୟମ। କିନ୍ତୁ ଜଗତର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ଉପର ଅଂଶ ବିଜ୍ଞାନର ଏହି ନିୟମକୁ ଚ୍ୟାଲେଞ୍ଜ କରେ। ଏଠାରେ ମନ୍ଦିରର ଉପର ଛାୟା ସବୁବେଳେ ଅଦୃଶ୍ୟ।

୪- ୧୨ ବର୍ଷରେ ପ୍ରତିମାର ନବକଳେବର ହୁଏ:

ଏଠାରେ ତିନୋଟି ମୂର୍ତ୍ତି ଜଗନ୍ନାଥ, ବଲଦେବ ଏବଂ ଭଉଣୀ ସୁଭଦ୍ରାଙ୍କ ପ୍ରତିମା ପ୍ରତି ୧୨ ବର୍ଷରେ ପରିବର୍ତ୍ତିତ ହୁଏ। ନୂତନ ପ୍ରତିମାଗୁଡ଼ିକ ସଂସ୍ଥାପିତ ହୋଇଛି। ପ୍ରତିମା ପରିବର୍ତ୍ତନ କରିବାର ଏହି ପ୍ରକ୍ରିୟା ସହିତ ଜଡିତ ଏକ ମଜାଦାର ଉପନ୍ୟାସ ମଧ୍ୟ ଅଛି। ମନ୍ଦିର ଚାରିପାଖରେ ସମ୍ପୂର୍ଣ୍ଣ ଅନ୍ଧକାର କରାଯାଏ। ସହରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଏ। ସୁରକ୍ଷା ବାହିନୀ ମନ୍ଦିର ବାହାରେ ନିୟୋଜିତ ହୁଅନ୍ତି। କେବଳ ସେବାୟତଙ୍କୁ ମନ୍ଦିର ଭିତରେ ନବକଳେବର କରିବାକୁ ଅନୁମତି ମିଳିଥାଏ।

୫- ପକ୍ଷୀମାନେ ଦେଖାଯା’ନ୍ତି ନାହିଁ:

ସାଧାରଣତଃ ପକ୍ଷୀମାନେ ମନ୍ଦିର, ମସଜିଦ କିମ୍ବା ବଡ଼ ଅଟ୍ଟାଳିକା ଉପରେ ବସିଥିବାର ଦେଖାଯାଏ। କିନ୍ତୁ ପୁରୀର ମନ୍ଦିର ଉପରେ କୌଣସି ବିମାନ ଉଡେ ନାହିଁ କିମ୍ବା କୌଣସି ପକ୍ଷୀ ମନ୍ଦିରର ଶୀର୍ଷରେ ବସନ୍ତି ନାହିଁ। ଏହା ଭାରତର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ରଥ ଯାତ୍ରାରେ ଅଂଶଗ୍ରହଣ କଲେ ମିଳିବ ୧୦୦ ଯଜ୍ଞର ପୂଣ୍ୟ, ଜାଣନ୍ତୁ କେବେ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ପର୍ବ

ଭୁବନେଶ୍ଵର: ପୁରୀର ଜଗନ୍ନାଥ ମନ୍ଦିର ହେଉଛି ଭାରତର ଚାରୋଟି ପବିତ୍ର ଧାମ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ଅର୍ଥ ଜଗତର ପ୍ରଭୁ। ଭଗବାନ ଜଗନ୍ନାଥ ଶ୍ରୀ ହରି ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣଙ୍କ ରୂପ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ପୁରୀରେ ଏକ ବଡ଼ ଜଗନ୍ନାଥ ରଥ ଯାତ୍ରା ଅତି ଉତ୍ସାହର ସହିତ ହୋଇଥାଏ। ଏଥର ରଥ ଯାତ୍ରା ଆଶାଢ ମାସ ଶୁକ୍ଲ ପକ୍ଷର ଦ୍ୱିତୀୟା ତିଥି ଅର୍ଥାତ ଜୁଲାଇ ୧ ତାରିଖ ୨୦୨୨ ରୁ ଆରମ୍ଭ ହେବ।

ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ପ୍ରତିମା ତିନୋଟି ଭିନ୍ନ ଭିନ୍ନ ଈଶ୍ୱରୀୟ ରଥରେ ଯାତ୍ରା କରନ୍ତି। ଏହି ଯାତା ପୁରା ୧୦ ଦିନ ପାଇଁ ପାଳନ କରାଯାଏ। ରଥରେ ପ୍ରଭୁ ଜଗନ୍ନାଥଙ୍କୁ ଗୁଣ୍ଡିଚା ମାତା ମନ୍ଦିରକୁ ନିଆଯାଏ। ଯେଉଁଠାରେ ମହାପ୍ରଭୁ ୭ ଦିନ ବିଶ୍ରାମ କରନ୍ତି। ଏହା ପରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଆରମ୍ଭ ହୁଏ।

ଯାତ୍ରାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ପୂଣ୍ୟ ପାଇଥାନ୍ତି:

ଭଗବାନ ଜଗନ୍ନାଥ, ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ହେଉଛନ୍ତି ରଥଯାତ୍ରାର ମୁଖ୍ୟ ଦେବତା। ଏହି ରଥ ଯାତ୍ରାରେ ଯେଉଁ ଭକ୍ତମାନେ ଅଂଶଗ୍ରହଣ କରନ୍ତି ଏବଂ ଭଗବାନଙ୍କ ରଥ ଟାଣନ୍ତି, ତା’ପରେ ସେମାନେ ୧୦୦ ଯଜ୍ଞର ପୂଣ୍ୟ କରିବାର ଫଳାଫଳ ପାଆନ୍ତି।

କୁହାଯାଏ ଯେ, ଏହି ଯାତ୍ରାରେ ଯେଉଁମାନେ ଅଂଶଗ୍ରହଣ କରନ୍ତି ସେମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି। ଏହି ଯାତ୍ରାରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାରେ ପହଞ୍ଚିଥାନ୍ତି। ସ୍କନ୍ଦ ପୁରାଣରେ ଏହା ବର୍ଣ୍ଣନା କରାଯାଇଛି ଯେ, ଆଶାଢ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ କରିବା ଦ୍ୱାରା ସମସ୍ତ ତୀର୍ଥସ୍ଥାନ ପରିଦର୍ଶନ କରିବାର ଉତ୍ତମ ଫଳ ମିଳିଥାଏ ଏବଂ ଭକ୍ତ ଶିବଲୋକ ପ୍ରାପ୍ତ କରନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପିଏଫଏମଏସର କାର୍ଯ୍ୟକାରିତାକୁ ନେଇ ପୁରୀ ଠାରେ ସମୀକ୍ଷା ବୈଠକ

ଭୁବନେଶ୍ବର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀ ଠାରେ ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପବ୍ଲିକ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ) ର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଧରିତ୍ରୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ସମୀକ୍ଷା ବୈଠକ ସମୟରେ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ପାଣ୍ଠି ଜାରି କରିବା ଲାଗି ନୂତନ ପଦ୍ଧତି ଏବଂ ପିଏଫଏମଏସ ସହିତ ଟ୍ରେଜରୀର ଏକୀକରଣ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ଗୋଆ ଆଦି ଛଅଟି ରାଜ୍ୟର ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ରାଜ୍ୟମାନଙ୍କ ପକ୍ଷରୁ ପିଏଫଏମଏସକୁ ଠିକ୍‌ ସମୟରେ ଓ ସଠିକ୍‌ ତଥ୍ୟ ପ୍ରଦାନ କରିବା ଉପରେ ଆଲୋଚନାରେ ଗୁରୁତ୍ବାରୋପ କରାଯାଇଥିଲା। ଯାହାଫଳରେ ସଠିକ୍‌ ଓ ଭରସାଯୋଗ୍ୟ ଆର୍ଥିକ ରିପୋର୍ଟିଂ ସୁନିଶ୍ଚିତ ହୋଇପାରିବ ଏବଂ ଏହି ପ୍ରଣାଳୀରେ କୌଣସି ସମସ୍ୟା ରହିବ ନାହିଁ । ବୃହତ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ) ଏବଂ ସିଙ୍ଗଲ ନୋଡାଲ ଆକାଉଣ୍ଟ୍ସ (ଏସଏନଏ) ପ୍ରସଙ୍ଗରେ ବ୍ୟାଙ୍କମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯାଇଥିଲା।

ବ୍ୟାଙ୍କ ସମୀକ୍ଷା ବୈଠକର ମୂଳ ଉଦ୍ଦେଶ୍ୟ ଥିଲା, ନୂତନ ପରିବର୍ତ୍ତନ ଲାଗି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ଗ୍ରହଣୀୟ କରିବା । ଏହି ବୈଠକରେ ନୂଆଦିଲ୍ଲୀସ୍ଥିତ ପିଏଫଏମଏସ ମୁଖ୍ୟାଳୟର ଯୁଗ୍ମ ସିଜିଏ ଶ୍ରୀମତୀ ଯଶପାଲ କୌର ପ୍ରଦ୍ୟୋତ, ପିଏଫଏମଏସ ମୁଖ୍ୟାଳୟର ପ୍ରଯୁକ୍ତି, ବ୍ୟାଙ୍କିଙ୍ଗ ଓ ରିପୋର୍ଟସ୍‌ ଭର୍ଟିକାଲର ଯୁଗ୍ମ ସିଜିଏ ଶ୍ରୀ ଏଡି ଏଲ. ଖାୱଲିରିଙ୍ଗ ଯୋଗ ଦେଇଥିଲେ । ଏଥିସହିତ ଏନଆଇସି-ପିଏଫଏମଏସ ଏବଂ ଛଅଟି ରାଜ୍ୟର ରାଜ୍ୟ ଅର୍ଥ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ଭଳି ଦଶଟି ବଡ଼ ବ୍ୟାଙ୍କର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ । ୟୁନିଅନ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଶ୍ରୀ ସୋଭନ ସେନଗୁପ୍ତ ୟୁନିଅନ ବ୍ୟାଙ୍କର ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ।