Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁର: ପ୍ରଥମାଷ୍ଟମୀରେ ପରୁଆଁ ହେଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି।

ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ଅଙ୍ଗରାଗ, ମାଜଣା, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ ବଲ୍ଲଭ ପରେ ମାଙ୍କୁ ପିତା ଦକ୍ଷ ପ୍ରଜାପତିଙ୍କ ଘରୁ ଆସିଥିବା ନବପାଟବସ୍ତ୍ରରେ ବେଶ କରାଯାଇ ସାଧାରଣ ଦର୍ଶନ କରାଯାଇଥିଲା। ପରେ ଖେଚେଡି, ଡାଲି, ଏଣ୍ଡୁରି ରେ ଧୁପ କରାଯାଇ ଆରତି ବଢିଥିଲା।

ଆଜି ମା’ଙ୍କ ନିମନ୍ତେ ଅଷ୍ଟମୀ ଭାର ସହିତ ନୂତନ ବସ୍ତ୍ର ମା’ଙ୍କ ଛତିଶାସେବକ ଦଣ୍ଡ ସେଣା ଦକ୍ଷପ୍ରଜାପତି ମନ୍ଦିରରୁ ଏଣ୍ଡାଓମେଣ୍ଟ ଦ୍ୱାରା ପ୍ରସ୍ତୁତ ଭାର ନେଇ ମନ୍ଦିରରେ ପହଞ୍ଚାଇଥିଲେ। କାରଣ ମା’ ଭଗବତୀ ଦକ୍ଷପ୍ରଜାପତିଙ୍କ କନ୍ୟା ଭାବରେ ପୁରାଣରେ ବର୍ଣ୍ଣିତ ଅଛି। ଅନୁରୂପ ଭାବେ ବାଣପୁରର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ମଧ୍ୟ ପ୍ରଥମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।

Categories
ଧର୍ମ ବିଶେଷ ଖବର

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଥମାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ ମଧ୍ୟ ପଢୁଆଁ ହୁଅନ୍ତି

ଭୁବନେଶ୍ବର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ। ସେହିପରି ଭଗବାନ ହେଲେ ମଧ୍ୟ କଣ ହେଲା ପ୍ରଭୃ ଲିଙ୍ଗରାଜ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ଲିଙ୍ଗରାଜଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ସେଦିନ ଏକ ସ୍ବତନ୍ତ୍ର ପୂଜା କରାଯାଇଥାଏ।

ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠକୁ ପଢୁଆଁ ହେବା ପାଇଁ ଯାଆନ୍ତି। ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ଅଛି ।

ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକ ସନ୍ତାନ ଲାଭ କରିଛି ଏବଂ ଶସ୍ୟ ମଧ୍ୟ ପାଇଛି କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଏହା ଅତ୍ୟନ୍ତ ସୌଭାଗ୍ୟର କଥା। କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି ।

ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହିପୂଜା ଲୁପ୍ତ । ସ୍କନ୍ଧ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି ।

ତନ୍ତ୍ରସାଧକମାନଙ୍କ ସାଧନା ସମୟରେ ଯେଉଁ ଉଲ୍ଲେଖ ତନ୍ତ୍ର ପରମ୍ପରାରେ ରହିଛି, ସେଥି ମଧ୍ୟରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’। ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ଅଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା ।

Categories
ଧର୍ମ ବିଶେଷ ଖବର

ଆସନ୍ତାକାଲି ହେଉଛି ପ୍ରଥମାଷ୍ଟମୀ, ଜାଣନ୍ତୁ ଘରର ପ୍ରଥମ ସନ୍ତାନଙ୍କୁ କେମିତି କରିବେ ପୂଜା

ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ।

ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ

ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି । ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି।

ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି।  ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଧାପନା କରାଯାଇ ପୂଜା କରାଯାଇଥାଏ।

ପ୍ରଥମାଷ୍ଟମୀରେ କେମିତି କରାଯାଏ ପୂଜା

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାଆନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ ।

ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର, ତାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ। ଏହାପରେ ଦିଅଁଙ୍କ ଆଗରେ ଏକ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ସନ୍ତାନର ମାଆ ବନ୍ଦାପନା କରିଥାନ୍ତି ।

ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି।

ପ୍ରଥମାଷ୍ଟମୀର ମୁଖ୍ୟ ଭୋଗ ହେଉଛି ହଳଦୀ ପତ୍ରର ଏଣ୍ଡୁରି ପିଠା

ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ। ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇ ପୂଜା କରିବାର ପରଂପରା କେତେକ ଅଞ୍ଚଳରେ ରହିଛି।

ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ରହିଛି।