Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଶ୍ରମିକଙ୍କୁ ନେଇଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ନିକଟସ୍ଥ ପେଟ୍ରୋଲ ପମ୍ପ ଠାରେ ଶ୍ରମିକଙ୍କୁ ନେଇଯାଉଥିବା ଅଟୋଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା କୈରାସୀ ଅଞ୍ଚଳରୁ ୧୦ ଜଣ ଶ୍ରମିକଙ୍କୁ ନେଇ ଅଟୋଟି ବାଲୁଗାଁ ରେଳ ଷ୍ଟେସନ ଅଭିମୁଖେ ଯାଉଥିଲା। ଉକ୍ତ ଶ୍ରମିକ ମାନେ କୋଣାର୍କ ଏକ୍ସପ୍ରେସ ଜରିଆରେ ଆଜି ସଂନ୍ଧ୍ୟାରେ ମୁମ୍ବାଇ ଯାଇଥାନ୍ତେ। ତେବେ ଅପରାହ୍ନ ୨.୩୦ ଘଟିକା ସମୟରେ ଭାରସାମ୍ୟ ହରାଇ ଅଟୋଟି ନାଭାଲ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଓଲଟି ପଡିଥିଲା। ଫଳରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳବାସୀ ଗୁରୁତର ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଅନ୍ୟ ଏକ ଅଟୋ ଜରିଆରେ ବାଲୁଗାଁ ମେଡିକାଲକୁ ପଠାଇଛନ୍ତି। ଦୁର୍ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବଡକୁଳ ପାନ୍ଥନିବାସରେ ଆରଟିଓ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୂଳ ପାନ୍ଥନିବାସ ପରିସର ମଧ୍ୟରେ ଭୁବନେଶ୍ୱର-୧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ଦିଲ୍ଲୀରୁ ଆସିଥିବା ପ୍ରଶିକ୍ଷକ ପ୍ରଦୀପ କୁମାର ଭଟ୍ଟାଚାର୍ଯ୍ୟ, ଓଡ୍ରାଫ ଯବାନ ରଜନୀକାନ୍ତ ମିଶ୍ର, ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଆଙ୍କୁଲାଚଟି ର ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ରବି ଶଙ୍କର ହୋତା,ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାଙ୍ଗୀର ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଏବଂ ଭୁବନେଶ୍ୱର-୧ ଆରଟିଓ ର କନିଷ୍ଠ ମୋଟର ଯାନ ନିରୀକ୍ଷୀକା ପଦ୍ମଜା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କୁ କିପରି ଆଶୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରାଯିବ ତାହା ଉପରେ ପ୍ରଥମ ଜୀବନ ରକ୍ଷାକାରି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉକ୍ତ ଶିବିରରେ ଆଈଏନ୍ଏସ୍ ଚିଲିକା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵ ରେ ଥିବା ପାଖାପାଖି ୩୦ ଜଣ ବ୍ୟବସାୟୀ ପ୍ରଥମ ଜୀବନ ରକ୍ଷାକାରି ଭାବେ ତାଲିମ ନେଇଥିଲେ।

ସୂଚନା ଥାଉକି ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଡକ ସୁରକ୍ଷା ପାଇଁ ଉକ୍ତ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ତାଲିମ ପାଇବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଗ୍ରାମରୁ ବାସନ୍ଦ ବ୍ୟକ୍ତିଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଛେଡାପଦର ଗ୍ରାମର ବାଉରିବନ୍ଧୁ ଜାଲି (୬୫) ଗତକାଲି ସଂନ୍ଧ୍ୟାରେ ନିଜ ଘରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ମୃତ ବ୍ୟକ୍ତି ଜଣକ କିଛି ଦିନ ହେବ ପାରିବାରିକ କଳହ ସମସ୍ୟାକୁ ନେଇ ଦୁଶ୍ଚିନ୍ତାରେ ରହୁଥିଲେ। ଏପରିକି ପରିବାର କଳହକୁ ନେଇ ଗ୍ରାମ ସଭାରେ ମଧ୍ୟ ଆଲୋଚନା କରାଯାଇଥିଲା। ମାତ୍ର ନିଜ ଘର କଥା ଆମେ ନିଜେ ବୁଝିବୁ ଓ ଆପଣମାନେ ଏଥିରେ କୌଣସି ରାଜନୀତି ନ କରନ୍ତୁ କହି ଏହାର ଘୋର ବିରୋଧ କରିଥିଲେ ମୃତ ବାଉରିବନ୍ଧୁ। ଏଥିଲାଗି କଙ୍ଗାରୁ କୋର୍ଟ ପରି ବାଉରିବନ୍ଧୁଙ୍କୁ ଗ୍ରାମରୁ ବାସନ୍ଦ କରିଦିଆଯାଇଥିଲା। ଏପରିକି ନିଆଁ, ପାଣି ବାସନ୍ଦ ସାଙ୍ଗକୁ କାହା ସହ କଥାବାର୍ତ୍ତା ହେଲେ ଜରିମାନା ଦେବାକୁ ହେବ ବୋଲି ଫରମାନ ଜାରି କରାଯାଇଥିବା ଶୁଣିବାକୁ ମିଳିଛି।

ଯାହାଫଳରେ ବାଉରିବନ୍ଧୁ ମାନସିକ ଦୁଶ୍ଚିନ୍ତାରେ ଏଭଳି କରିଥିବା ନେଇ ସ୍ଥାନୀୟ ଜନସାଧାରଣ ଆଲୋଚନା କରୁଛନ୍ତି। ତେବେ ଏ ନେଇ ମୃତକଙ୍କ ପତ୍ନୀ କସ୍ତୁରୀ ଦେଇ ନାଭାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିବାରୁ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପହଞ୍ଚି ଶବକୁ ଜବତ କରିବା ସହ କେସ ନମ୍ବର ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରେ ପଶି ଲାପଟପ ଚୋରି ଘଟଣା: ବାଣପୁରରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ଚିଲିକା: ଘରେ ପଶି ଲାପଟପ ଚୋରି କରିନେଇଥିଲା ଚୋର। ଚୋରକୁ କାବୁ କରି ଗିରଫ କଲା ପୋଲିସ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ।

ସୂଚନା ମୁତାବକ ଚିଲିକା ରୋଡ଼ସ୍ଥିତ ବିକ୍ରମ ଗଜେନ୍ଦ୍ରଙ୍କ ଘରୁ ଗତକାଲି ସଂନ୍ଧ୍ୟାରେ କେହି ଜଣେ ଦୁର୍ବୁତ୍ତ ଏକ ଲାପଟପ ଚୋରି କରି ନେଇଯାଇଥିଲା। ଏ ନେଇ ବିକ୍ରମଙ୍କ ପୁତ୍ର ବିଶ୍ୱଜିତ ଗଜେନ୍ଦ୍ର (୨୪) ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ କେସ ନମ୍ବର ୧୮୩/୨୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବାବେଳେ ଆଜି ବାଣପୁର ଅଞ୍ଚଳରୁ ଉକ୍ତ ଲାପଟପ ଚୋରକୁ ଗିରଫ କରିବା ସହ ଚୋରି ହୋଇଥିବା ଲାପଟପକୁ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଅଞ୍ଚଳର ନୌସଦ ମିର୍ଜା (୨୨)। ତେବେ ନୌସଦଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସ୍ତ୍ରୀକୁ ବିଷ ଦେଇ ସ୍ୱାମୀ ମାରିଦେଇଥିବାର ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସ୍ତ୍ରୀକୁ ସ୍ୱାମୀ ବିଷ ଦେଇ ମାରିଦେଇଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ଏନଏସି ରାଜୀବ ନଗର ଅଞ୍ଚଳରେ।

ଅଭିଯୋଗ ମୁତାବକ ବୋଲଗଡ ଥାନା ଆରିକମା ଗ୍ରାମର ମୁନା ନାୟକଙ୍କ ଝିଅ ନମିତା ନାୟକ (୩୨) ନଅ ବର୍ଷ ତଳେ ବାଲୁଗାଁ ଥାନା ରାଜୀବ ନଗର ନିବାସୀ ମାନସ ନାୟକ (୩୫) ଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ। ନମିତାଙ୍କ ତିନି ଗୋଟି ସନ୍ତାନ ଅଛନ୍ତି। ତେବେ ହଠାତ ଗତକାଲି ସଂନ୍ଧ୍ୟାରେ ନମିତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ସ୍ୱାମୀ ମାନସ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାର ୨୦ ମିନିଟ ମଧ୍ୟରେ ନମିତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଡାକ୍ତର ବାଲୁଗାଁ ପୋଲିସକୁ ଜଣାଇବାପରେ ପୋଲିସ ନମିତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

କିନ୍ତୁ ନମିତାଙ୍କ ଭାଇ ମନୋଜ ନାୟକ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି କି ତାଙ୍କ ଭଉଣୀଙ୍କୁ ମାନସ ବିଷ ଦେଇ ମାରିଦେଇଛନ୍ତି। ଏହାପରେ ବାଲୁଗାଁ ପୋଲିସ କେସ ନମ୍ବର ୧୭୭/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ତେବେ ନମିତାଙ୍କ ମୃତ୍ୟୁ ସନ୍ଦେହଘେରରେ ଥିବାବେଳେ ଆଜି ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ଅନ୍ୟ ଅଧିକାରୀମାନେ ଯାଇ ଘଟଣାର ଛାନଭିନ କରିଛନ୍ତି।

ତେବେ ପ୍ରାଥମିକ ଅନୁସନ୍ଧାନରୁ ନମିତାଙ୍କ ମୃତ୍ୟୁ ବିଷପାନ ଲାଗି ଅନୁମାନ କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି। ଅନୁରୂପଭାବେ ନମିତାଙ୍କ ଶ୍ୱଶୁର ଘରେ ସଦାବେଳେ ପାରିବାରିକ କଳହ ଲାଗିରହୁଥିବାର ସ୍ଥାନୀୟ ବାସିନ୍ଦାମାନେ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗ୍ରାମର ଅମିନ ପ୍ରଧାନଙ୍କ ପୁଅ ପାଣ୍ଡଵ ପ୍ରଧାନ ଚିଲିକା ରୋଡ଼ସ୍ଥିତ ଏକ ଟାଇଲ ଦୋକାନ ପଛପଟେ ଏକ ଦୌଡ଼ିରେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହେଉଛି। ତେବେ ମୃତ ଯୁବକ ଜଣକ ଜନୈକ ଟାଇଲସ ଦୋକାନରେ ପାଖାପାଖି ୧୫  ବର୍ଷ ଧରି କାମ କରୁଥୁବାବେଳେ ବର୍ତ୍ତମାନ ଏକ ମାସ ତଳେ ଦୋକାନରୁ ବ୍ୟକ୍ତିଗତ କାରଣ ଲାଗି ବାହାରିଯାଇଥିବାର ଦୋକାନ ମାଲିକ କହିଛନ୍ତି।

ଖବର ଲେଖା ହେବ ପର୍ଯ୍ୟନ୍ତ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମାହାଲିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାଣ୍ଡଵ ଆତ୍ମହତ୍ୟା କରିଛନ୍ତି ନା, ଏହା ପଛରେ ଆଉ କଣ ରହସ୍ୟ ଅଛି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟିଭିଏସ ଜୁପିଟର ସ୍କୁଟରକୁ ନିଆଁ ଲଗାଇ ପୋଡିଦେଇଥିବା ଅଭିଯୋଗ, ବାଲୁଗାଁ ଥାନାରେ ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତିଙ୍କ ସ୍କୁଟିକୁ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ସଂପୂର୍ଣ୍ଣ ପୋଡିଦେଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଧୂଆଁଳ ଗ୍ରାମର ସନାତନ ସାହୁ (୫୦) ସବୁଦିନ ପରି ନିଜ ଟିଭିଏସ ଜୁପିଟର ସ୍କୁଟର (ଓଡ଼ି-୦୨-ଏଇ-୬୩୦୨) କୁ ଘର ବାହାରେ ରଖିଥିଲେ। ତେବେ ଆଜି ସକାଳୁ ଉଠି ଦେଖିଲାବେଳକୁ ସ୍କୁଟିଟି ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ।

ତେବେ କିଏ କ’ଣ ପାଇଁ ଏପରି କାଣ୍ଡ କରିଛି ଜଣାପଡିନଥିବା ବେଳେ ଏ ନେଇ ସନାତନ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ତଦନ୍ତ ଆରମ୍ଭ କରିଦେବା ସହ ସହ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିବା ସାମ୍ବାଦିକ ଗୁରୁତର: ହସ୍ପିଟାଲରେ ହେଲେ ଭର୍ତ୍ତି

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାରଣାରେ ବସିଥିବା ଜଣେ ସାମ୍ବାଦିକ ହଠାତ ମୂର୍ଚ୍ଛା ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଏନେଇ ଥାନା ପରିସରରେ ଏକ ଉତ୍ତେଜନା ସୃଷ୍ଟି ହୋଇଛି। ସମ୍ପୃକ୍ତ ସମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସାମ୍ବାଦିକଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୁର୍ବ୍ୟବହାର ଘଟଣାରେ ଆଜି ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନାରେ ପ୍ରତିବାଦ କରୁଥିଲା। ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ଚିଲିକା ବିଧାୟକ ତାଙ୍କୁ ଜାତି ଆକ୍ଷେପ କରି ଗାଳି ଗୁଲଜ କରିବା ନେଇ ଥାନାରେ ଗତ ୮ ତାରିଖରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଘଟଣାରେ ପୋଲିସ ମାମଲା ରୁଜ୍ଜୁ କରିନଥିବାରୁ ଆଜି ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିବାଦ କରାଯାଉଥିଲା। ଉକ୍ତ ଘଟଣାରେ ପୀଡିତ ଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରା ଧାରଣାସ୍ଥଳରେ ହଠାତ ମୂର୍ଚ୍ଛା ହୋଇଯାଇଥିଲେ। ଧାରଣାସ୍ଥଳରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠୀ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଥାନା ଅଧିକାରୀ ରାମାକାନ୍ତ ମାହାଲିକ ଉପସ୍ଥିତ ଅଛନ୍ତି।

ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରାଯାଉଛି। କିନ୍ତୁ ଏହା ଭିତରେ ବିଧାୟକଙ୍କ ବିରୋଧରେ ଅଲଗା ମାମଲା ରୁଜ୍ଜୁ ହେବ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ମନା କରିଦେଇଥିବା ସୂଚନା ମିଳିଛି। ତେବେ ଏହାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି। ଯଦି ଏହି ଘଟଣା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ଏହାସହ ଏହି ଘଟଣାକୁ ନେଇ ଯଦି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ପୋଲିସ ଦାୟୀ ରହିବା ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସୁବୁଦ୍ଧିପାଟଣା ଛକରେ ସଡକ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ଟ୍ରକ ଚାଳକଙ୍କୁ କରାଗଲା ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଟ୍ରକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ରାଉରକେଲା କଇଡ଼ାରୁ ଆଇରନ ନେଇ ଏକ ଟ୍ରକ (ଓଡ଼ି-୦୯-ସି-୪୫୧୫) ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଯାଉଥିଲା। ସୁବୁଦ୍ଧିପାଟଣା ଛକ ନିକଟରେ ଟ୍ରକଟିର ଚକା ଫାଟିଯିବାରୁ ଟ୍ରକ ଚାଳକ ଗାଡିକୁ ସେଠାରେ ଠିଆ କରିଥିଲେ। ତେବେ ଭୋର ୫ ଘଟିକା ସମୟରେ ଭୁବନେଶ୍ୱର ଆଡୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ ବାଲି ବୋଝେଇ ଟ୍ରକଟି (ଏପି-୩୧-ଟିଜି-୯୫୬୯) ଭାରସାମ୍ୟ ହରାଇ ପୂର୍ବରୁ ଛିଡା ହୋଇଥିବା ଆଇରନ ବୋଝେଇ ଟ୍ରକଟିକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବାଲି ବୋଝେଇ ଟ୍ରକ ଚାଳକ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିଲେ।

ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ ଚାଳକଙ୍କୁ ଗ୍ୟାସ କଟର ଜରିଆରେ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି କରିଥିଲେ। ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ମଧ୍ୟ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ। ତେଣୁ ବହୁ ଚେଷ୍ଟା ପରେ ଚାଳକଙ୍କୁ ଗାଡି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଏହାପରେ ନାଭାଲ ଫାଣ୍ଡି ପୋଲିସ ଜାତୀୟ ରାଜପଥରୁ ଟ୍ରାଫିକ କ୍ଳିଅର କରୁଥିବାର ଦେଖାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଘର ଭିତରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁତ୍ର ଆଲୋକ କୁମାର ଜେନା କୌଣସିକାରଣ ବଶତଃ ଆଜି ସକାଳେ ନିଜ ଘରେ ବେକରେ ଦଉଡି ଲଗାଇ ଦେଇଥିଲେ। ତେବେ ପରିବାର ଲୋକ ଏହା ଜାଣିଲା ପରେ ତୁରନ୍ତ ଆଲୋକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ବାଲୁଗାଁ ପୋଲିସକୁ ଏନେଇ ସୂଚନା ଦେଇଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପହଞ୍ଚି ଆଲୋକଙ୍କ ଶବ ଜବତ କରିବା ସହ କେସ ନମ୍ବର ୭/୨୧ରେ  ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛନ୍ତି। ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ଏହାର କାରଣ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରୁ ବେଆଇନ ଦେଶୀ ମଦ ବୋଝେଇ ଅଟୋ ଜବତ: ଜଣଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ବାଲୁଗାଁ ପୋଲିସ ଏକ ବେଆଇନ ଦେଶୀ ମଦ ବୋଝେଇ ଅଟୋ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳ ୫ ଘଟିକାରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ସମୟରେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ ଅଟୋ ଉପରେ ସନ୍ଦେହ ହେବାରୁ ଅଟୋଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ଅଟୋରେ ଦେଶୀ ମଦ ବୋଝେଇ ବସ୍ତା ଥିବାର ଆଇଆଇସି ଜାଣିବାକୁ ପାଇଥିଲେ।

ତେବେ ଅଟୋ ଭିତରୁ ପୋଲିସ ୨୮୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲୁଗାଁ ଥାନା ଛେଡାପଦର ଗ୍ରାମର କନ୍ଦର୍ପ ଦାସ। ତେବେ ଘଟଣାସ୍ଥଳରୁ ଅଟୋ ମାଲିକ ଫେରାର ହୋଇଯାଇଛନ୍ତି। ବାଲୁଗାଁ ଥାନା ପୋଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୧୦୮/୨୧ ରେ ମାମଲା ରୁଜୁ କରିବା ସହ ଆଜି କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବାପା ଘରେ ବିଷ ପିଇ ଆତ୍ମହତ୍ୟା କଲେ ବିବାହିତା ମହିଳା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥବାର ଅଭିଯୋଗ ହୋଇଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିଲିକା ବ୍ଲକ ନିମିଖେତା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମର ମାଟିଆ ପଲେଇଙ୍କ ଧର୍ମପତ୍ନୀ ଅଟନ୍ତି ସଜି ପଲେଇ(୫୮)। ସଜି ତାଙ୍କ ବାପଘର ତୋଟାପଡ଼ା ଗ୍ରାମକୁ ଯାଇଥିବାବେଳେ ଆଜି ରାତି ୮ ଘଟିକା ସମୟରେ କୌଣସି କାରଣରୁ ନିଜ ବାପଘରେ ବିଷପିଇ ଦେଇଥିଲେ। ସଙ୍ଗେ ସଙ୍ଗେ ବାପ ଘର ଲୋକମାନେ ସଜିଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଙ୍କ ସୂଚନା ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଜାରିରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ଥାନା ତଦାରଖ କଲେ ଡିଜିପି ଅଭୟ: ପୋଲିସକର୍ମୀଙ୍କୁ କରୋନା ସହ ଲଢିବା ଲାଗି କଲେ ଉତ୍ସାହିତ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ପୋଲିସ ପ୍ରଶାସନର ମୁଖ୍ୟ ଭୂମିକା ରହିଛି। ଆଜି ଅପରାହ୍ନରେ ଓଡିଶା ଡିଜିପି ଅଭୟ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ତଦାରଖ କରିଛନ୍ତି। ଏହି ସମୟରେ ବାଲୁଗାଁ ଅଞ୍ଚଳରେ କରୋନା ସ୍ଥିତିକୁ ନେଇ ଆଇଆଇସି ରମାକାନ୍ତ ମାହାଲିକଙ୍କ ସହ ଆଲୋଚନା କରିବା ସହ ଥାନାର ପ୍ରତ୍ୟେକ ପୋଲିସ କର୍ମୀଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।

ଲକଡାଉନ କଟକଣାକୁ କିପରି ଅଧିକ କଡାକଡି କରାଯିବ, ତାହା ଉପରେ ବିଶେଷ ଗୁରୁତ୍ଵାରୋପ କରିଥିଲେ ଡିଜିପି। ଏହା ଭିତରେ ଅନେକ ପୋଲିସ କର୍ମୀ ମଧ୍ୟ ସଂକ୍ରମଣ ହେଉଥିବାରୁ ଡିଜିପି ଅଭୟଙ୍କ ଏହି ଗସ୍ତ ଦ୍ଵାରା ସେମାନଙ୍କ ମନୋବଳ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଡ଼ିଜିପିଙ୍କ ବାଲୁଗାଁ ଥାନା ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଉପସ୍ଥିତ ଥିଲେ।

ସୂଚନା ଥାଉକି ଆଜି ଓଡିଶା ଡ଼ିଜିପି ଏବଂ ଅତିରିକ୍ତ ଡ଼ିଜି(ଆଇନ ଏବଂ ଶୃଙ୍ଖଳା) କୋଭିଡ ଏନ୍ଫୋର୍ସମେଣ୍ଟର ସମୀକ୍ଷା ପାଇଁ ଦିନିକିଆ ବ୍ରହ୍ମପୁର ଗସ୍ତ କରିଥିଲେ। ଏହି ଗସ୍ତରୁ ଫେରିବା ସମୟରେ ବାଲୁଗାଁ ଥାନା ପରିଦର୍ଶନ କରି ପୋଲିସକର୍ମୀଙ୍କ ମନୋବଳ ବୃଦ୍ଧି କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନାଭାଲ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲୁଗାଁ ଥାନା କର୍ମଚାରୀ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ବାଲୁଗାଁ ଥାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ବାଲୁଗାଁ ଥାନାର ଗୃହରକ୍ଷୀ ଜଗତ ଜୀବନ ସେଠି(୪୩) ବାଲୁଗାଁରୁ ନିଜ ସମ୍ପର୍କୀୟଙ୍କ ଘର କେଶପୁରକୁ ସ୍କୁଟି ଯୋଗେ ଯାଉଥିବା ବେଳେ ଚିଲିକା ରେଳ ଷ୍ଟେସନ ରୋଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଆମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି।

ଖବର ପାଇ ସଙ୍ଗେସଙ୍ଗେ ବାଲୁଗାଁ ଅଗ୍ନିଶମ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଁଚି ଜଗତଙ୍କ ମୃତ ଶରୀରକୁ ରାସ୍ତାରୁ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ବର୍ତ୍ତମାନ ନାଭାଲ ଫାଣ୍ଡି ଅଧିକାରୀ ଏବଂ ବାଲୁଗାଁ ଆଇଆଇସି ଦୁର୍ଘଟଣାସ୍ଥଳରେ ପହଁଚି ଉକ୍ତ ଦୁର୍ଘଟଣାର ଶୋକ ବ୍ୟକ୍ତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା: ପରକ୍ରିୟା ପ୍ରିତିକୁ ନେଇ ଉତ୍ୟକ୍ତ ମହିଳାଙ୍କ ଲଙ୍କାକାଣ୍ଡ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ରାଉତରାପଲ୍ଲୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା, ଗଞ୍ଜାମ, ପୁରୀ, ବାଲେଶ୍ୱର ସମେତ ଭୁବନେଶ୍ୱରରୁ ମାତ୍ରାଧିକ ମହିଳା ରାଉତରାପଲ୍ଲୀ ଗ୍ରାମରେ ତୁମୁୂଳକାଣ୍ଡ ଘଟାଇଛନ୍ତି। ଅଭିଯୋଗକ୍ରମେ ରାଉତରାପଲ୍ଲୀ ଗ୍ରାମର ଜନୈକ ମହିଳା ଦୀର୍ଘଦିନ ଧରି ବିବାହିତ ପୁରୁଷମାନଙ୍କୁ ମୋହରା କରି ଅନୈତିକ କାର୍ଯ୍ୟ କରିବା ସହ ବିବାହ ବନ୍ଧନରେ ବାନ୍ଧିହୋଇ ଟଙ୍କା ପଇସା ଲୁଟୁଥିଲା। କିଛି ସମୟର ଦେଖା ସାକ୍ଷାତ ହେଉ ଅଥବା ମୋବାଇଲ ବାର୍ତ୍ତାଳାପରେ ପୁରୁଷମାନଙ୍କୁ ଆକୃଷ୍ଟ କରି ଅନୈତିକ ସମ୍ପର୍କ ରଖିବା ସହ ଗୋପନରେ ଭିଡ଼ିଓ ରେକଡିଂ, ଅଶ୍ଲିଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ବିବାହର ନାଟକ କରି ଟଙ୍କାପଇସା ଲୁଟୁଥିଲା।

ଯାହାଫଳରେ ବିବାହିତ ମହିଳାମାନେ ନିଜର ବୈବାହିକ ସମ୍ପର୍କ ହରାଇବା ସହ ଅଦ୍ୟାବଧି ଛାଡ଼ପତ୍ର ମାମଲା ମଧ୍ୟ ଲାଗି ରହିଛି। ଏ ସଂକ୍ରାନ୍ତରେ ମହିଳାମାନେ ନିଜ ନିଜ ଅଞ୍ଚଳରେ ପୋଲିସ୍ କେଶ୍ ରୁଜୁ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଦୀର୍ଘଦିନ ହେବ ଅନୈତିକ କାର୍ଯ୍ୟରେ ଲିପ୍ତଥିବା ଜନୈକ ମହିଳା ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖି ଅନେକ ପରିବାର ଉଜାଡୁଥିବା ଯୋଗୁଁ କୌଣସି ସୂତ୍ରରୁ ନିଜର ସ୍ୱାମୀଙ୍କୁ ହରାଇଥିବା ମହିଳାମାନେ ମଙ୍ଗଳବାର ପୂର୍ବାହ୍ନରେ ନାଭାଲ୍ ଫାଣ୍ଡିରେ ପହଁଚି ଫାଣ୍ଡି ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ମହିଳା ଏକତ୍ରିତ ହୋଇ ରାଉତରାପଲ୍ଲୀ ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ। ମାତ୍ର କିଛି ଦୂରରୁ ଏମାନଙ୍କୁ ଦେଖି ଜନୈକ ମହିଳାଙ୍କ ଘରୁ କିଛି ଯୁବକ ଏବଂ ଯୁବତୀ ଚମ୍ପଟ ମାରିଥିଲେ। ଏପରି ଦୃଶ୍ୟ ଦେଖି ମହିଳାମାନେ ଉତ୍ତେଜିତ ହେବା ସହ ଭଙ୍ଗାରୁଜା କରିଥିଲେ।

ଅପରପକ୍ଷରେ ଜନୈକ ମହିଳାଙ୍କ ବାପା ଏହି ମହିଳାମାନଙ୍କୁ ପଥରରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଯାହାଫଳରେ ଜଣେ ମହିଳାଙ୍କ ମୁଣ୍ଡ ଫାଟିଯାଇଛି। ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ା, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ୫ଜଣ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ସମ୍ପୃକ୍ତ ମହିଳାମାନେ ନାଭାଲ ଫାଣ୍ଡିର ଏକଲିଖିତ ଅଭିଯୋଗ କରିଛନ୍ତି। ମହିଳାମାନଙ୍କ ଅଭିଯୋଗକୁ ଆଧାରକରି ବାଲୁଗାଁ ପୋଲିସ ୬୩/୨୧ ରେ ଏକ ମାମଲା ରୁଜୁକରିବା ସହ ଜଣଙ୍କୁ ଗିରଫ କରିଛି।

ପୂର୍ବରୁ ଏହାକୁ ନେଇ ଗ୍ରାମର କିଛି ଯୁବକ ଏକାଧିକବାର ବିରୋଧ କରିଥିଲେ ମଧ୍ୟ ତାଙ୍କ ନାମରେ ମିଥ୍ୟା ମାମଲା ଦେବାକୁ ସମ୍ପୃକ୍ତ ପରିବାର ପକ୍ଷରୁ ଧମକ ଦେଉଥିବାର ଅଭିଯୋଗ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଭାବନୀୟ ଘଟଣା: ମା’ ସହ ୩ ବର୍ଷୀୟ ପୁଅର ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଂକୁଲା ପଞ୍ଚାୟତ ବାଉରୀ ସାହିରେ ଏକ ଲୋମ ହର୍ଷଣକାରି ଘଟଣା ଘଟିଯାଇଛି। ଏକା ସାଙ୍ଗରେ ମା ଏବଂ ପୁଅର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ବ୍ରାହ୍ମଣକୋଷଡ଼ିହ ଗ୍ରାମ ବାଉରୀ ସାହିର ବିଭୁ ନାୟକଙ୍କ ପତ୍ନୀ ସସ୍ମିତା ନାୟକ (୨୫) ଏବଂ ୩ ବର୍ଷର ପୁତ୍ର (ହାପି)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତେବେ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ବୋଲି ଦାବି ହେଉଛି। ପରିବାର ବର୍ଗଙ୍କ ମୁତାବିକ ଉଭୟ ମା ଏବଂ ପୁଅ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି।

ତେବେ ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡ଼ିପିଓ, ବାଲୁଗାଁ ଆଇ ଆଇ ସି, ଥାନାର ଉଭୟ ଏସଆଇ ଏବଂ ସାଇଣ୍ଟିଫିକ୍ ଦଳ ପହଁଚି ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷେ ପରିବାର ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ବାଇପାସରୁ ୩ ଜଣ ଲୁଟେରାଙ୍କୁ କାବୁ କରିଥିଲେ ଗ୍ରାମବାସୀ, ଆଜି ଧରା ହେଲେ ଆଉ ତିନି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲି ବ୍ରିଜ ନିକଟରେ ଏକ ଡକାୟତି ହୋଇଥିଲା। ଉକ୍ତ ଡକାୟତିରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ କାବୁ କରି ବାଲୁଗାଁ ପୋଲିସ ଜିମା ଦେଇଥିଲେ। ତେବେ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି ଏବଂ ଲୁଟ ଦ୍ରବ୍ୟ ସେମାନଙ୍କ ନିକଟରୁ ବରାମଦ କରିଛି।

ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ।

ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଟ୍ରକ ଚାଳକ ଶଙ୍କର ସାହୁ ନିଜ ବନ୍ଧୁ ଶିଶିର ପ୍ରଧାନଙ୍କ ସହ ଚେନ୍ନାଇରୁ ଟ୍ରକ ନେଇ କଲିକତା ଯାଉଥିଲେ।  ତେବେ ଦୁହେଁ ପାଖାପାଖି ଦିବା ୧ ଘଟିକା ସମୟରେ ଗାଧୋଇବା ଉଦ୍ଦେଶ୍ୟରେ ଟ୍ରକଟିକୁ  ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ବ୍ରିଜ ନିକଟରେ ରଖିଥିଲେ। ସେହି ସମୟରେ ହଠାତ ଏକ ଅଟୋରେ ୭ ଜଣ ଲୁଟେରା ଆସି ଟ୍ରକ ଚାଳକ ଶଙ୍କର ଏବଂ ତାଙ୍କ ସାଙ୍ଗ ଶିଶିରଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ନକଦ ୧୧ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ , ଗୋଟେ ଏଟିଏମ୍ କାର୍ଡ, ଗୋଟେ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଟ୍ରକର ଚାବି ଛଡେଇନେଇଥିଲେ।

ତେବେ ଶଙ୍କର ଏବଂ ଶିଶିର ସହାୟତା ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ୩ ଜଣ ଲୁଟେରାଙ୍କୁ କାବୁ କରିନେଇଥିବା ସ୍ଥଳେ ଅଟୋ ଚାଳକଙ୍କ ସହ ଅନ୍ୟ ୩ ଜଣ ଲୁଟେରା ଅଟୋରେ କ୍ଷିପ୍ର ଗତିରେ ଫେରାର ହୋଇଯାଇଥିଲେ। ଗତକାଲି ବାଲୁଗାଁ ଥାନାରେ ଏନେଇ ୧୨/୨୧ ରେ କେସ ରୁଜୁ ହେବାପରେ ଏସଡିପିଓଙ୍କ ତତ୍ତ୍ବାବଧାନରେ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମିଳିତ ଭାବେ ଏକ ଟିମ ତିଆରି କରି ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲେ। ତେବେ ମାମଲା ରୁଜୁ ହେବାର ବାର ଘଣ୍ଟା ମଧ୍ୟରେ ବାଲୁଗାଁ ପୋଲିସ ଅନ୍ୟ ୩ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ଗୋଟିଏ ଡ୍ରାଭିଙ୍ଗ ଲାଇସେନ୍ସ, ନଗଦ ୫ ହଜାର ଟଙ୍କା ଏବଂ ଗୋଟିଏ ଅଟୋ ଜବତ କରିଛି। ପୋଲିସ ପକ୍ଷରୁ ୬ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସ୍ଥଳେ ଅଟୋ ଚାଳକଙ୍କୁ ଧରିବା ପାଇଁ ପୋଲିସ ତନାଘନା ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ନାଭାଲ ଫାଣ୍ଡି ନିକଟରେ ସଡ଼କ ଦୁର୍ଘଟଣା: ଚାରି ଆହତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଥିବାସ୍ଥଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୧୧ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ ନାଭାଲ ଛକ ଗୁରୁଦ୍ୱାର ନିକଟରେ ଏହି ଦୁର୍ଘଟଣା ଘଟିଛି।  ବାଲୁଗାଁ ଗାନ୍ଧୀ ନଗରର ଅକ୍ଷୟ ପରିଡ଼ା ତାଙ୍କ ପିଉସୀ ଉମା ଜେନାଙ୍କୁ ସାଇକେଲରେ ବସାଇ ବାଲୁଗାଁରୁ ନାଭାଲ ଅଭିମୁଖେ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ କାର୍‌ ପଛପଟୁ ଧକ୍କା ଦେଇଥିଲା। ଭୁବନେଶ୍ୱରରୁ ଆନ୍ଧ୍ରା ଫେରୁଥିବା  ଏପି.୩୦ ଏ.ଆର ୮୯୨୫ ନମ୍ବର ବିଶିଷ୍ଟ ଏକ କାର ଅକ୍ଷୟଙ୍କୁ ପଛପଟୁ ଧକା ଦେଇଥିଲା। ଫଳରେ ଅକ୍ଷୟ ଏବଂ ଉମା ସାଇକେଲରୁ ଛିଟିକି ପଡ଼ି ଗୁରୁତର ଆହତ ହେବା ସହ କାରଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡିଥିଲା। କାର ଚାଳକଙ୍କ ନାମ ଲୋକେଶ୍ୱର ରାଓ ଏବଂ ସେଥିରେ ତାଙ୍କ ସମ୍ପର୍କୀୟ ଉପେନ୍ଦ୍ର ରାଓ ଉପସ୍ଥିତ ଥିଲେ। ଉଭୟଙ୍କ ଘର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକିଲି ଗ୍ରାମ ବୋଲି ଜଣାପଡିଛି। କାର ଚାଳକ ତାଙ୍କ ଭଉଣୀଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ ଛାଡି ନିଜ ଗ୍ରାମ ଟେକିଲିକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ଖବର ପାଇ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାରି ଜଣ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ସାଇକେଲ ଚାଳକ  ଅକ୍ଷୟଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବାବେଳେ ଉମାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ କାର ଚାଳକ  ଲୋକେଶ୍ୱର ଏବଂ ଉପେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଉକ୍ତ ଦୁର୍ଘଟଣାରେ ସାଇକେଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କାରଟିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।