Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁରେ ଲକଡାଉନ କଟକଣା: ପ୍ରଥମ ଦିନରେ ଅମାନିଆଙ୍କଠୁ ଆଦାୟ ହେଲା ୩ଠ ହଜାର ଜରିମାନା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ସାରା ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ଦମନ କରିବା ପାଇଁ ବିଭିନ୍ନ ଦିଗରୁ ସରକାର, ଜିଲ୍ଲାପାଳ ଓ ପୋଲିସ୍ ପ୍ରଶାସନ ଜନତାଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର୍‌, ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଅମାନିଆ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିବା ସହ ସମସ୍ତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଲକ୍‌ଡାଉନ୍‌ର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସକାଳ ୬ଟାରୁ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ଦିନତମାମ ପଇଁତରା ମାରିବା ସହ କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୩୦ ହଜାର ଟଙ୍କାର ଫାଇନ ଆଦାୟ କରିଛନ୍ତି।

କିନ୍ତୁ ପୋଲିସର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କେତେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ସେମାନଙ୍କ ମତରେ ପ୍ରଥମ ଦିନ ପୋଲିସ ଜନସାଧାରଣଙ୍କଠାରୁ ଫାଇନ ନକାଟି ସେମାନଙ୍କୁ ତାଗିଦ କରିବା କଥା। ତେବେ ଜନସାଧାରଣଙ୍କ ଠାରୁ ଜରିମାନା ଆଦାୟ କରିବା ପୋଲିସର ଉଦ୍ଦେଶ୍ୟ ନୁହେଁ ବୋଲି ବାଲୁଗାଁ ଆଇଆଇସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି।

ବାରମ୍ବାର ନିବେଦନ କଲା ପରେ ମଧ୍ୟ କିଛି ଆମାନିଆଙ୍କ ଲାଗି ସାରା ଅଞ୍ଚଳରେ ମହାମାରୀ ବ୍ୟାପିବାର ସମ୍ଭାବନା ବଢୁଛି। ଲକଡ଼ାଉନରେ ଯଦି ମହାମାରୀ କମିବା ବଦଳରେ ବଢିବ ତେବେ ଲକଡ଼ାଉନର ମୂଲ୍ୟ କିଛି ରହିବନାହିଁ। ସେଥିପାଇଁ ପୁନଶ୍ଚ ଗଣମାଧ୍ୟମ ଜରିଆରେ ଲକଡ଼ାଉନ ନିୟମକୁ ମାନିବାପାଇଁ ବାଲୁଗାଁ ବାସୀଙ୍କୁ ଆଇଆଇସି ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କୁ ସହାୟ ହେବେ ବାଲୁଗାଁ ଏସଡିପିଓ: ଜାରି କଲେ ହେଲ୍ପଲାଇନ ନମ୍ବର

ସୀତାରମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ହେବାକୁ ଯାଉଛି। ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ।

କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆସନ୍ତା ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ  ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି। ଏହାପରେ ଉକ୍ତ ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ନିକଟରେ ପୋଲିସ ପକ୍ଷରୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ପହଂଚିବ ବୋଲି ସେ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ପାଇଁ ଏସଡ଼ିପିଓଙ୍କୁ ସ୍ଥାନୀୟ ଅଞ୍ଚଳରେ  ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ସଂକ୍ରମଣକୁ ଦେଖି ଆଇଏନ୍‌ଏସ୍ ଚିଲିକାରେ ଖୋଲିଲା କୋଭିଡ୍ ସେଣ୍ଟର

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କ୍ଷିପ୍ର ଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷରେ ପହଞ୍ଚିଛି। ଏହାସହିତ ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍‌ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର କରାଯାଇଛି।

କୋଭିଡ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବା ପାଇଁ ନୌସେନା ଷ୍ଟେସନ ଓ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କେନ୍ଦ୍ର କରାଯାଇଛି। ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ କରାଯାଇଛି। ଜିଲ୍ଲା ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଡାକ୍ତର, ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ସୁବିଧାରେ ୨୪ ଘଣ୍ଟିଆ କାମ କରିବ।

ରୋଗୀମାନେ ସମସ୍ତ ସତର୍କତା ବୁଝିବା ପାଇଁ ଲିଫ୍‌ଲେଟ୍ ବିତରଣ କରିବାର ଯୋଜନା କରାଯାଇଛି। ରୋଗୀମାନଙ୍କୁ ଏକ ନିରାପଦ ଏବଂ ଆରାମଦାୟକ ରହଣୀ ପାଇଁ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ।

ପୁନଶ୍ଚ ଏହି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ପାଇଁ ୟୁନିଟ୍ ଦ୍ୱାରା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୃଦ୍ଧି କରାଯାଇଛି। ଆଡମିସନ ଚାହୁଁଥିବା ରୋଗୀମାନଙ୍କ ପାଇଁ ଯୋଗଯୋଗର ଏକ ବିନ୍ଦୁ ହେଉଛି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର, ବାଲୁଗାଁ। ଷ୍ଟେସନ ମଧ୍ୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନୀତି ଅନୁଯାୟୀ ସମସ୍ତ ସତର୍କତା ଏବଂ ପଦକ୍ଷେପ, ଷ୍ଟେସନ ସମ୍ପ୍ରଦାୟକ ପାଇଁ ବିଚ୍ଛିନ୍ନତା ଏବଂ ସଙ୍ଗରୋଧର ସମସ୍ତ ବ୍ୟବସ୍ଥା ଯଥାସ୍ଥାନରେ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ବାଲୁଗାଁରେ ରାଜ ରାସ୍ତା ଅବରୋଧ କଲେ ଆନ୍ଦୋଳନରତ ଛାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ଘୋଷଣା କରିବା ପରେ ଏଥିରେ ଛାତ୍ରଛାତ୍ରୀ ଉତକ୍ଷିପ୍ତ ହୋଇପଡିଛନ୍ତି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ବନ୍ଦ ପାଇଁ ଦାବି ଜୋର ଧରିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ଛାତ୍ରୀ।

କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ବନ୍ଦ ପଡିଥିବା ହେତୁ ସଠିକ ଭାବରେ ପାଠ ପଢ଼ାଯାଇପାରିନଥିଲା। ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖେ ପାଠ ପଢା ସମ୍ଭବ ହୋଇପାରିନି। ତେବେ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ର ଛାତ୍ରୀମାନେ ସଠିକ ଭାବରେ ମହାବିଦ୍ୟାଳୟ ଗୁଡିକରେ ପଢ଼ାପଢି ହୋଇନଥିବା ହେତୁ ଏବଂ ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବା ପାଇଁ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ଦୀର୍ଘ ସମୟ ଧରି ବାଲୁଗାଁ ଗାନ୍ଧିଛକ ଠାରେ ରାସ୍ଥା ଅବରୋଧ କରିଥିଲେ।

ପରିକ୍ଷା ବାତିଲ ନ ହେଲେ ଆଗାମୀ ଦିନମାନଙ୍କରେ ବାଲୁଗାଁ ଏବଂ ବାଣପୁର ଅଞ୍ଚଳର ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ସରକାରଙ୍କୁ ଆନ୍ଦୋଳନରତ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ତେବେ କୌଣସି ଅଘଟଣକୁ ଏଡ଼େଇବା ତଥା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦୃଷ୍ଟିରୁ ବିକ୍ଷୋଭ ସ୍ଥଳରେ ବାଲୁଗାଁ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପହଂଚି ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣା: ବାଲୁଗାଁ ରେଳ ଷ୍ଟେସନରେ ପଞ୍ଜିକରଣ କରିବେ ପ୍ରବାସୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ କରୋନା ମହାମାରୀ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଚିଲିକା ନିର୍ବାଚନମଣ୍ଡଳୀରେ ଏହା ବ୍ୟାପକ ରୂପ ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କରୋନାକୁ ପ୍ରତିହିତ କରିବା ପାଇଁ ଅଣ୍ଟା ଭିଡିଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ତୁହାକୁ ତୁହା  ବାଲୁଗାଁ ଏବଂ ବାଣପୁର ଗସ୍ତ କରି କୋଭିଡ ସମୀକ୍ଷା କରୁଥୁବାର ଦେଖାଯାଉଛି।

ତେବେ ଆଜି ବାଲୁଗାଁ ଏନଏସି ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ପ୍ରୟାସ ହାତକୁ ନିଆଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଏନଏସି ପ୍ରଶାସନ ପକ୍ଷରୁ ବାଲୁଗାଁ ରେଳ ଷ୍ଟେସନରେ ଏକ  ପଞ୍ଜିକରଣ କ୍ୟାମ୍ପ ଖୋଲାଯାଇଛି। ଓଡିଶା ବାହାରୁ ଯେଉଁ ଲୋକ ରେଳ ଦ୍ୱାରା ବାଲୁଗାଁ ଆସିବେ ସେମାନେ ଉକ୍ତ କାଉଣ୍ଟରରେ ନିଜକୁ ପଂଜିକୃତ କରାଇବେ। ଯାହାଦ୍ୱାରା ସେମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରହିବ ଏବଂ ଭବିଷ୍ୟତରେ କୋଭିଡକୁ ପ୍ରତିହିତ କରିବାରେ ସହାୟ ହେବ।

ତେବେ ବାଲୁଗାଁ ଷ୍ଟେସନରେ ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉକ୍ତ କ୍ୟାମ୍ପରେ ପଞ୍ଜିକରଣ କରାଇବା ପାଇଁ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଭାଲ ଫାଣ୍ଡି ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୪ ଟାରେ ଏକ ଘରୋଇ କାର( ଓ ଆର ୨୪ ବି ୫୨୯୩) ଯୋଗେ କଟକ ବଡ଼ ମେଡ଼ିକାଲରୁ ଚିକିତ୍ସିତ ହୋଇ ଜୟପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଅଚାନକ ଚଳନ୍ତା କାରର ପଛ ଚକା ଛିଣ୍ଡି ଯିବାରୁ ରାସ୍ତା ମଝିରେ ବାରମ୍ଵାର ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ସମ୍ପୃକ୍ତ କାରରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରା କରୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଅନିଲ କୁମାର ପାତ୍ର ବୋଲି ଜଣାପଡିଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ସମେତ ଗୁରୁତର ଆହାତ ଦ୍ଵୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସଂପୂକ୍ତ କାରକୁ ଜବତ କରିବା ସହ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ଆସିନଥିବା ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଆସନ୍ତାକାଲି ଆଠ ଘଣ୍ଟା ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଆଠ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୯ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର କେବଳ ସୋରଣ, କଳକଳେଶ୍ୱର ଏବଂ ଜରିପଡ଼ା ପଞ୍ଚାୟତ‌କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁରୁ ଫେରୁଥିବା ବେଳେ ବାଇକ୍ ସମ୍ମୁଖକୁ ଆସିଲା ଷଣ୍ଢ: ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।

ଖବର ମୁତାବକ ଟାଙ୍ଗୀ ଥାନା କାଳୁପଡ଼ା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମର ଲିପିକାନ୍ତ ନାଥ (୫୦) ନିଜ ବାଇକ୍ ଯୋଗେ ବାଲୁଗାଁରୁ ଘରକୁ ଫେରୁଥିଲେ। ହଠାତ୍ ବ୍ରାହ୍ମଣ ଡିହ ଗ୍ରାମ ନିକଟରେ ଏକ ଷଣ୍ଢ ତାଙ୍କ ବାଇକ୍ ସମ୍ମୁଖକୁ ପଳିଆସିଥିଲା।

ଯାହାଫଳରେ ସେ ବ୍ରେକ ଦେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍ ରୁ ଛିଟିକି ପଡିବାରୁ ଲିପିକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲିପିକାନ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବାବେଳେ ଚାରି ଜଣ ଦୁର୍ବୁତ୍ତଙ୍କୁ ବାନ୍ଧିଲା ବାଲୁଗାଁ ବନ ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)।  ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଜୀବନ୍ତ ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନାଞ୍ଚଳ ଆଇନ ଅନୁଯାୟୀ କେସ ନମ୍ବର ୩୩(ଖ) ୨୦/୨୧ ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବନପାଳ ଦୁଃଶାସନ ନାୟକ, ବନରକ୍ଷୀ ସନ୍ତୋଷ ପଟ୍ଟନାୟକ, ଇତିଶ୍ରୀ ଲେଙ୍କା, ସର୍ବେଶ୍ୱର ପ୍ରଧାନ, ସ୍ଥାନୀୟ ଗ୍ରାମବାସୀ ଏବଂ ଅର୍ଦ୍ଧ ସାମରିକ ଯବାନମାନେ ଆଦି ସାମିଲ ଥିଲେ।

ତେବେ ଏଭଳି ଘଟଣା ବାଲୁଗାଁ ବନଖଣ୍ଡ ଅଞ୍ଚଳରେ ବଢୁଥିବା ବେଳେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ପ୍ରମାଣିତ ହେଉଛି। ତେଣୁ ଏହାକୁ ଗୁରୁତର ସହ ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ବିହିତ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସ୍ ଧୁଆଁଳ ଛକ ନିକଟରେ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଧୁଆଁଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ୨୬ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।

ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମର ସାଗର ସାହୁ ଆଜି ଅପରାହ୍ନରେ ବାଣପୁରରୁ ଏକ କାର୍ଯ୍ୟ ସାରି ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ତେବେ ପାଖାପାଖି ୫ ଘଟିକା ସମୟରେ ଧୂଆଁଳ ଛକ ନିକଟରେ ଏକ ଅଜଣା ସ୍କୋର୍ପିଓ ଗାଡି ସାଗରଙ୍କ ବାଇକର ପଛପଟୁ ଧକ୍କା ଦେଇଥିଲା। ଯଦ୍ୱାରା ସାଗର ବାଇକରୁ ଛିଟିକି ରୋଡ଼ରେ ପଡ଼ିଥିଲେ ଏବଂ ଏକ ସିମେଣ୍ଟ ଖୁଣ୍ଟିରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ଅନୁରୂପ ଭାବେ ବାଇକ ପଛରେ ବସିଥିବା ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଖବର ପାଇ ବାଲୁଗାଁ ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁରେ ଉଦଘାଟିତ ହେଲା ସ୍ଵର୍ଣ୍ଣ ହୋମିଓ ହଲ୍: ଏହି ରୋଗୀମାନଙ୍କୁ ମିଳିବ ମାଗଣାରେ ଚିକିତ୍ସା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ହୋମିଓ ପ୍ୟାଥିକ ଚିକିତ୍ସା ଲୋକଙ୍କ ମଧ୍ୟରେ ପୁଣିଥରେ ଅସ୍ଥାଭାଜନ ହେଉଛି। ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ଅପେକ୍ଷା ସହରାଞ୍ଚଳର ଲୋକେ ଏହି ଚିକିତ୍ସାକୁ ଏବେ ବେଶୀ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚିକିତ୍ସା ମାଧ୍ୟମରେ ବହୁ ସାଂଘାତିକ ରୋଗ ମଧ୍ୟ ଦୂର ହେଉଥିବାର ଦେଖିବାକୁ ମିଳୁଛି। ତେଣୁ ଜନସାଧାରଣମାନେ ବର୍ତ୍ତମାନ ଏହି ଚିକିତ୍ସା ବ୍ୟବସ୍ଥା ଉପରେ ପୁଣିଥରେ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଏକ ହୋମିଓ କ୍ଲିନିକର ଶୁଭ ଉଦଘାଟନ ହୋଇଯାଇଛି। ଡାକ୍ତର ପ୍ରେମଲତା ଦେବୀ ତଥା ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଏହି କ୍ଲିନିକକୁ ଉଦଘାଟନ କରିଛନ୍ତି। ଏହି କ୍ଲିନିକର ନାମ ସ୍ଵର୍ଣ୍ଣ ହୋମିଓ ହଲ୍ ରଖାଯାଇଥିବା ବେଳେ ଦୁଇଜଣ ପ୍ରତିଷ୍ଠିତ ଡାକ୍ତର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଦେବେ।

ଉଲ୍ଲେଖ ଯୋଗ୍ୟ ଯେ, ପଦ୍ମାବତୀ ଶତୃଶଲ୍ୟ ଟ୍ରଷ୍ଟର ଆର୍ଥିକ ସହାୟତାରେ ଭିନ୍ନକ୍ଷମ ଏବଂ ୭୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ରୋଗୀମାନଙ୍କୁ ଏଠାରେ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଯିବ। ଶ୍ରୀମତୀ ଶତୃଶଲ୍ୟ ହେଉଛନ୍ତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ପତ୍ନୀ। ସେ ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମର ବାସିନ୍ଦା। କିନ୍ତୁ ସମ୍ବଲପୁରରେ ସ୍ଵାମୀ ବାଙ୍କନିଧି  ଶିକ୍ଷକତା କରୁଥିବାରୁ ସେମାନେ ବହୁ ବର୍ଷ ଧରି ସେଠାରେ ରହି ଆସୁଥିଲେ। ପଦ୍ମାବତୀ ଜଣେ ପରୋପକାରୀ, ଦୟାଳୁ ମହିଳା ଥିଲେ। ତାଙ୍କର ବିୟୋଗ ପରେ ‘ପଦ୍ମାବତୀ ଶତୃଶଲ୍ୟ ଟ୍ରଷ୍ଟ’ ନାମରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହି ଟ୍ରଷ୍ଟ ମାଧ୍ୟମରେ ବହୁ ଜନମଙ୍ଗଳକାରୀ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି।

 

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ

ସୀତାରମ ଅଗ୍ରୱାଲ

ବାଲୁଗାଁ: ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ମିଶି  ବୋହୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ମୃତକ ମହିଳାଙ୍କ ପିତା ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବବି ରାଉତ ୭ ବର୍ଷ ପୂର୍ବେ ବେଲପଡା ଗ୍ରାମର କୃଷ୍ଣ ରାଉତଙ୍କୁ ବିବାହ କରିଥିଲେ। ବବିଙ୍କ ଦୁଇ ପୁଅ ଝିଅ ଥିବାବେଳେ ସଦାବେଳେ ତାଙ୍କୁ ତାଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ମାରଧାର କରୁଥିଲେ। ଏପରିକି ବବିଙ୍କ ଶାଶୁ ଏଵଂ ଶ୍ୱଶୁର ତାଙ୍କୁ ଜୀବନରୁ ମାରିଦେଇ ସ୍ୱାମୀ କୃଷ୍ଣଙ୍କୁ ଅନ୍ୟତ୍ର ବିବାହ କରାଇବାକୁ ମଧ୍ୟ ଧମକ ଦେଉଥିଲେ।

ଏ କଥା ଶୁଣି ନିକଟରେ ବବିଙ୍କ ପିତା ପ୍ରମୋଦ ଗ୍ରାମର କେତେଜଣ ଭଦ୍ର ବ୍ୟକ୍ତିଙ୍କୁ ନେଇ ବବିଙ୍କ ଶ୍ୱଶୁର ଘରକୁ ଯାଇ ବୁଝାସୁଝା କରି ଘଟଣାର ସମାଧାନ କରି ଆସିଥିଲେ।

ତେବେ ଗତକାଲି ରାତିରେ ବବିଙ୍କ ଶାଶୁ, ଶ୍ୱଶୁର, ସ୍ୱାମୀ ଏବଂ ତାଙ୍କ ଧରମ ପୁଅ ମିଶିକରି ବବିଙ୍କ ଦେହରେ କିରୋସିନି ଢାଳି ଜାଳିଦେଇଥିବାର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରମୋଦ। ପରବର୍ତ୍ତୀ ସମୟରେ କିଏ କାଳେ ସନ୍ଦେହ କରିବ ସେ ଭୟରେ ଉଭୟ ଶାଶୁ ଶ୍ୱଶୁର ବବିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଇଥିବାବେଳେ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରିଥିଲେ।

ତେବେ ଆଜି ସକାଳେ ବବିଙ୍କ କଟକରେ ମୃତ୍ୟୁ ଘଟିଥିଲା। ଅଭିଯୋଗ ପାଇ ବାଲୁଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବାବେଳେ ବର୍ତ୍ତମାନ ଖବର ଲେଖାହେଲା ପର୍ଯ୍ୟନ୍ତ ବବିଙ୍କ ମୃତଦେହ ଗ୍ରାମରେ ପଡିରହିଥିବାର ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁରେ ବ୍ୟବସାୟୀ ସଂଗଠନ ପକ୍ଷରୁ ରାଲି: ଜିଏସଟି ଆଇନରେ ବ୍ୟାପକ ପରିବର୍ତ୍ତନକୁ ନେଇ ବନ୍ଦ ଡାକରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: କେନ୍ଦ୍ର ସରକାରଙ୍କ ଜିଏସଟି ଆଇନରେ ବାରମ୍ବାର ସଂଶୋଧନ ବା ପରିବର୍ତ୍ତନ ପ୍ରକ୍ରିୟାକୁ ନେଇ ସର୍ବଭାରତୀୟ ସ୍ତରର ବ୍ୟବସାୟୀ ସଂଗଠନ ସିଏଆଇଟି (CAIT) ଏବଂ ଓଡିଶା ବ୍ୟବସାୟୀ ମହାସଂଘ ଓବିଏମ (OBM) ବିରୋଧ କରୁଛି।

ତେବେ ଏନେଇ ସଂଗଠନ ପକ୍ଷରୁ ଆସନ୍ତା ୨୬ ତାରିଖ ଶୁକ୍ରବାର ଦିନ ସାରା ଭାରତରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ସରକାରଙ୍କ ନିକଟରେ ପ୍ରତିବାଦ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରତିବାଦକୁ ସମର୍ଥନ ଜଣାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ଶତାଧିକ ସଦସ୍ୟ ଏକ ରାଲିର ଆୟୋଜନ କରିଥିଲେ। ଏହି ରାଲିରେ ସଂଘ ପକ୍ଷରୁ ସମଗ୍ର ବାଲୁଗାଁ ବଜାର ପରିକ୍ରମା କରି ଆଇନ ବିରୋଧରେ ହେବାକୁ ଥିବା ପ୍ରତିବାଦ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ସେମାନେ କେନ୍ଦ୍ର ସରକାରଙ୍କ ଏହି ଆଇନ ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବା କର ଆଇନ (GST) କୁ ୨୦୧୭ ମସିହା ଠାରୁ ପ୍ରଚଳନ କରାଯାଇଛି। ଏହି ଆଇନ ପରଠାରୁ ଆଜି ପର୍ଯ୍ୟନ୍ତ ୪ ବର୍ଷ ମଧ୍ୟରେ ୯୫୦ ଥରରୁ ଅଧିକ ଥର ଅର୍ଥାତ ପ୍ରାୟ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ସଂଶୋଧନ ବା ପରିବର୍ତ୍ତନ କରାଯାଇଛି। ଯାହାଫଳରେ ଏହାର ମୂଳ ସ୍ବରୁପକୁ ସମ୍ପୂର୍ଣ୍ଣ ଭାବରେ ବଦଳାଯାଇ ଏକ ଗୋଳମାଳିଆ ବ୍ୟବସ୍ଥା ବା ଜଟିଳ ଟିକସରେ ପରିବର୍ତ୍ତନ କରାଯାଇଛି। ଏହା ବ୍ୟବସାୟୀ ତଥା ଜନସାଧାରଣ ବିରୋଧ ଆଇନରେ ପରିଣତ ହୋଇଛି ବୋଲି ସଂଗଠନ ଅଭିଯୋଗ କରିଛି।

ଦୁଃଖର କଥା କୌଣସି ସଂଶୋଧନ ପୂର୍ବରୁ କେବେହେଲେ ବ୍ୟବସାୟୀଙ୍କ ମତାମତ ନିଆଯାଇ ନାହିଁ। ଏହି ସଂଶୋଧନକୁ ବୁଝି କାର୍ଯ୍ୟକାରୀ କରିବା କାଠିକର ପାଠ ହୋଇଗଲାଣି। ଭାରତୀୟ ସଂବିଧାନ ଅନୁଯାୟୀ ଶହେ ଦୋଷୀ ଯାଉ ପଛେ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ କିନ୍ତୁ ଏହି ଆଇନରେ ଏହାର ବିପରୀତ ଅର୍ଥାତ ଜଣେ ବ୍ୟବସାୟୀ ଯଦି ଭୁଲ କରିଦିଏ ତେବେ ତା’ର ଦଣ୍ଡ ଶହେ ବ୍ୟବସାୟୀଙ୍କୁ ଭୋଗିବାକୁ ବାଧ୍ୟ କରାଯାଉଅଛି।

ମଣିଷ ମାତ୍ରକେ ଭୁଲ ଅଛି, ଯଦି କୌଣସି କାରଣ ବଶତଃ ଭୁଲ ଏଣ୍ଟ୍ରି ହୋଇଗଲା ତେବେ ତାର ସଂଶୋଧନ କରିବାର ଅବକାଶ ଦିଆଯାଉ ନାହିଁ। ଏହିପରି କଥାକଥାକେ ପେନାଲଟି, ଲାଇସେନ୍ସ ରଦ୍ଦ ଇତ୍ୟାଦି। ଏହିପରି ଅନେକ ସଂଶୋଧନ ଅଛି ଯାହାକି ମୌଳିକ ଅଧିକାରକୁ ଛଡାଇ ହିଟଲରୀ ଆଇନରେ ପରିଣତ କରାଯାଉଛି ବୋଲି ସଂଗଠନ ଅଭଯୋଗ କରିଛି।

Categories
ଆଞ୍ଚଳିକ

ଊମାମହେଶ୍ଵର ବଣିକ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ: ଭାଗ୍ୟଶାଳୀ ବିଜେତାମାନଙ୍କୁ ମିଳିଲା ଆକର୍ଷଣୀୟ ପୁରଷ୍କାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀ ଶ୍ରୀ ଊମାମହେଶ୍ଵର ବଣିକ ସଂଘ, ବାଲୁଗାଁର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ସଂଘ ସଭ୍ୟମାନଙ୍କ ଉପସ୍ଥିତିରେ କୁପନର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ପ୍ରିୟ ଗ୍ରାହକମାନଙ୍କୁ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରାଯାଇଛି।  ପ୍ରଥମ ଭାଗ୍ୟଶାଳୀ ବିଜେତା ଭାବେ ସାମନ୍ତରାପୁରର ନିହାର ରଂଜନ ସାମନ୍ତରାୟଙ୍କୁ ବଜାଜ ପ୍ଳାଟିନା ମୋଟର ସାଇକେଲ ପୁରସ୍କାର ପ୍ରଦାନ କରାଯାଇଥିବା ବେଳ ଦ୍ବିତୀୟ ବିଜେତା ଭାବେ ବେଲପଡାର କାର୍ତ୍ତିକ ମହାରଣାଙ୍କୁ ୪୩ ଇଞ୍ଚ ସାମସଙ୍ଗ ଏଲ.ଇ.ଡି ଟିଭି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ତୃତୀୟ ବିଜେତା ଭାବେ ଘୁମୁସରପଦରର ମଂଜୁଲତା ରାଉତଙ୍କୁ ଭୋଲଟାସ ଡବଲଡୋର ୧୬୫ ଲିଟର ଫ୍ରିଜ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏତଦବ୍ୟତୀତ ୧୯୧ ଟି ସାନ୍ତ୍ଵନାମୂଳକ ପୁରସ୍କାର ମିଲଟନ ହଟକେସର ଉଠାଣ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଏସଡିପିଓ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସଙ୍ଘର ସଭାପତି ରବିନାରାୟଣ ନାୟକ, ଉପସଭାପତି ସେଖ ଗନିଫ୍, ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ଅଧ୍ୟକ୍ଷ ଧୀରେନ୍ଦ୍ରନାଥ ପାତ୍ର, ସଂପାଦକ ସରୋଜ କୁମାର ପାତ୍ର, ସହସଂପାଦକ ପ୍ରଦୀପ କୁମାର ସ୍ବାଇଁ ଓ ମନୋଜ କୁମାର ପାତ୍ର ପ୍ରଭୃତି କର୍ମକର୍ତ୍ତାଙ୍କ ସହିତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ହିମାଂଶୁ କୁମାର ପାତ୍ର, ନୃସିଂହ ପ୍ରସାଦ ସେନାପତି, ସନ୍ଦୀପ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, ସରୋଜ କୁମାର ଦାସ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥରେ ପୁଣି ଲୁଟେରା ସକ୍ରିୟ: ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ସୀତାରାମ ଅଗ୍ରୱାଲ

ବାଣପୁର: କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଲୁଟ ହୋଇଛି।

ସୂଚନା ମୁତାବକ ଗତକାଲି କଟକ ଜଗତପୁରରୁ ଏକ ଘରୋଇ ଆଇସକ୍ରିମ କମ୍ପାନୀ ଗାଡି (ଓଡ଼ି୦୫ ଏଭି୩୮୯୫) ଆଇସକ୍ରିମ ନେଇ ବ୍ରହ୍ମପୁର ଯାଇଥିଲା। ବ୍ରହ୍ମପୁରରୁ ଆଇସକ୍ରିମ ଖାଲି କରି ଜଗତପୁର ଫେରୁଥୁବା ବେଳେ ଆଜି ପାଖାପାଖି ସକାଳ ୬ ଘଟିକାରେ ବାଣପୁର-ବାଲୁଗାଁ ବାଇପାସ ଓଭରବ୍ରିଜ ଠାରେ ପୂର୍ବରୁ ପିଛା କରି ଆସୁଥିବା ଏକ ପିକ୍ ଅପ ଗାଡିରେ ଚାରି ଜଣ ଦୁର୍ବୃତ୍ତ ଆସି ଆଇସକ୍ରିମ ଗାଡିକୁ ଅଟକାଇଥିଲେ। ପରବର୍ତ୍ତୀ ସମୟରେ ଆଇସକ୍ରିମ ଗାଡି ଚାଳକ ଏବଂ ତାଙ୍କ ସହଯୋଗିଙ୍କୁ ମାରଧର କରିବା ସହ ଖଣ୍ଡା ଦେଖାଇ ଭୟଭୀତ କରାଇ ୨ ଟି ମୋବାଇଲ ଏବଂ ଗାଡି ଚାବି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇବା ମାତ୍ରେ ବାଲୁଗାଁ ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ପୋଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛି।

ଉଲ୍ଲେଖଯୋଗ୍ୟ ଗତ ୧ ତାରିଖରେ ଜାତୀୟ ରାଜପଥରେ ଲୁଟ୍ କୁ ରୋକ ଲଗେଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା ଉଦଘାଟନ କରିଥିଲେ। ତେବେ ଆଜିର ଲୁଟ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର-ବାଲୁଗାଁରେ ମାପ ଏବଂ ଓଜନ ବିଭାଗ ପକ୍ଷରୁ ଚଢ଼ାଉ: ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଦ୍ୱାରା ଓଜନରେ ଠକେଇ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନେଇ ଗତକାଲି ମାପ ଏବଂ ଓଜନ ବିଭାଗ ଦ୍ୱାରା ଉଭୟ ଅଞ୍ଚଳର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଜିଲ୍ଲା ସହକାରୀ ନିୟନ୍ତ୍ରକ ସୁଶୀଲ କୁମାର କାନ୍ଦୁଲଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ମାପ, ଓଜନ ଏବଂ କାଗଜପତ୍ର ଆଦି କାର୍ଯ୍ୟରେ ଅନିୟମିତତା ଦେଖାଦେଇଥିଲା।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ସହକାରୀ ନିୟନ୍ତ୍ରକ ଅଞ୍ଚଳର ବିଭିନ୍ନ ହାର୍ଡୱେର, ଫଳ, ମାଛ, ଲୁଗା ଦୋକାନ ସହ ଗୋଟିଏ ପାଣି ଫାକ୍ଟ୍ରି ଏବଂ ପାଉଁରୁଟି କାରଖାନା ଠାରୁ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।  ଉକ୍ତ ଚଢ଼ାଉ ଅଭିଯାନରେ ବରିଷ୍ଠ ନିରୀକ୍ଷକ ପ୍ରଦୋଷ ହରିଚନ୍ଦନ ଏବଂ ସୁଶ୍ରୀ ରଥ ଆଦି ସାମିଲ ଥିଲେ।

ତେବେ ପୂର୍ବରୁ ଖବର ପାଇ କେତେ ଜଣ ମାଲିକ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା। ତେଣୁ ଅଞ୍ଚଳରେ ଏପରି ଚଢ଼ାଉ  ନିୟମିତ ଭାବେ ଜାରି ରହୁ ବୋଲି ଜନସାଧାରଣମାନେ ବରିଷ୍ଠ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବଢୁଛି ଲୁଟ୍ ଘଟଣା: ବାଲୁଗାଁରେ ବାଇକ୍ ସୋ ରୁମ୍ ରୁ ଲୁଟିଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ଥିବା ବିଭିନ୍ନ ଦୋକାନର ସଟର ତାଡି ଲୁଟ୍ ହୋଇଛି। ବର୍ତ୍ତମାନ ଏଭଳି ଲୁଟ୍ ଘଟଣା ଚିଲିକା ଅଞ୍ଚଳରେ ବଢୁଥିବାର ଦେଖିବାକୁ ମିଳୁଛି। ଦୁର୍ବୃତ୍ତମାନେ ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ କରି ଚାଲିଛନ୍ତି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କେତେ ଜଣ  ଦୁର୍ବୃତ୍ତ ବାଲୁଗାଁ ବଜାରରେ ଥିଵା ମହାମାୟୀ ହିରୋ ନାମକ ଏକ ବାଇକ୍ ସୋ ରୁମ୍ ର ସଟର ତାଡି ସୋ ରୁମ୍ ଭିତରୁ ବିଭିନ୍ନ ବାଇକ୍ ପାର୍ଟସ ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହାସହ ଦୁର୍ବୃତ୍ତମାନେ ସୋ ରୁମ୍ ର ପଡିଶା ଏକ ଫର୍ଣ୍ଣିଚର ଦୋକାନର ସଟରକୁ ତାଡିବ‍ାକୁ ଉଦ୍ୟମ କରିଛନ୍ତି। ବୁଲା କୁକୁର ମାନେ ଭୁକିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳ ଛାଡି ପଳାଇଥିବା ସନ୍ଦେହ କରାଯାଉଛି।

ବାଇକ ସୋ ରୁମ କର୍ମଚାରୀଙ୍କଠାରୁ ସୂଚନା ପାଇ ବାଇକ୍ ସୋ ରୁମ୍ ମାଲିକ ଏବଂ ଫର୍ଣ୍ଣିଚର ଦୋକାନର ମାଲିକ ଘଟଣା ସ୍ଥଳରେ ପହଂଚିଥିଲେ। ସେଠାରେ ସେମାନଙ୍କ ଦୋକାନର ସଟର ତଡା ଯାଇଥିବା ଦେଖିବାକୁ ପାଇଥିଲେ।

ଏନେଇ ବାଲୁଗାଁ ଥାନାରେ ଅଭିଯୋଗ କରାଯିଵା ପରେ ଘଟଣା ସ୍ଥଳରେ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମାହାଲିକ ଓ ବାଲୁଗାଁ ଏସ୍ ଡି ପି ଓ ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଂଚି ଘଟଣାର ଛାନ ବିନ୍ ଆରମ୍ଭ କରିଛନ୍ତି। ତେବେ ସୋ ରୁମ୍ ରୁ କେତେ କଣ ଲୁଟ୍ ହୋଇଛି ତାର ସଠିକ୍ ପରିମାଣ ତଦନ୍ତ ପରେ ଜଣାପଡିବ ବୋଲି ଏସ୍ ଡି ପି ଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଅଳ୍ପ ଦିନ ତଳେ ବାଣପୁର -ବାଲୁଗାଁ ବାଇପାସରୁ ୧୫ ଲକ୍ଷ ଟଙ୍କା ଲୁଟ ହେବା ସହ ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ବିଭିନ୍ନ ମୂର୍ତ୍ତି ଚୋରି ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ତେବେ ପୁଣି ବାଲୁଗାଁ ବଜାରରେ ଏହାର ପୁନରାବୃତ୍ତି ଘଟିବା ପୋଲିସକୁ ଦୁର୍ବୁତ୍ତଙ୍କ ଖୋଲା ଚାଲେଞ୍ଜ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ସୋଲରି ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣା: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ସୋଲରି ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ପ୍ରାଣଦେଇପୁର ଛକରେ ଏକ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସତ ହେଉଛନ୍ତି।

ସଂଗୃହିତ ତଥ୍ୟ ମୁତାବକ ଦୁଇ ଦିନ ପୂର୍ବରୁ ରାଉରକେଲାରୁ ବାଣପୁର ଯାଉଥିବା ସରିଆ ବୋଝେଇ ଟ୍ରକଟି (ଓଡି-୧୪ବି ୧୩୮୩) ପ୍ରାଣଦେଇପୁର ଛକରେ ଖରାପ ହୋଇଯିବାରୁ ସେଠାରେ ଅଟକିଯାଇଥିଲା। ତେବେ ସଂଧ୍ୟାରେ ଟ୍ରକଟିକୁ ମରାମତି କରି ଟ୍ରକ ଚାଳକ ବାଣପୁର ଯିବା ଉଦ୍ଦେଶ୍ୟରେ ସୋଲରି ୧୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥ ରାଇସ ମିଲ ସମ୍ମୁଖରେ ଠିଆ କରିଥିଲେ। ଗତକାଲି ପାଖପାଖି ରାତ୍ରି ୮ ଘଟିକା ସମୟରେ ରାଉରକେଲାରୁ ଗୋପାଳପୁର ପୋର୍ଟ ଯାଉଥିବା ଏକ ଆଇରନ ବୋଝଇ ଟ୍ରକ (ଓଡି-୦୭ ଏଏ ୧୦୪୭) ପୂର୍ବରୁ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଟ୍ରକର ଆଗ ପାର୍ଶ୍ଵ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାବେଳେ ଟ୍ରକ ହେଲ୍ପର ଚାପି ହୋଇ ରହିଯାଇଥିଲେ।

ତେବେ ଟ୍ରାଫିକ ଜାମ ହୋଇଯାଇଥିବାରୁ ସ୍ଥାନୀୟ ଜୀବନଦେଇପୁର ଗ୍ରାମର ଜଣେ ବାଇକ ଚାଳକ ( ଓଡି-୦୨ ଭି ୬୦୬୪) ବାଲୁଗାଁ ଆଡକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ଅନ୍ୟ ଏକ ଡିଜେଲ ଲୋଡ଼ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ବାଇକଟି ଭାଙ୍ଗିଯିବା ସହ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ପୋଲିସ ସମସ୍ତ ଗାଡ଼ିଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଲୁଗାଁର ନୂତନ ଏସଡିପିଓ ଭାବେ ଦାୟିତ୍ଵ ନେଲେ ଯୁବ ଓପିଏସ ମାନସ ରଞ୍ଜନ ବାରିକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୂତନ ଏସ.ଡି.ପି.ଓ ଭାବେ ଯୋଗଦେଇଛନ୍ତି ଯୁବ ଓପିଏସ ଅଧିକାରୀ ମାନସ ରଞ୍ଜନ ବାରିକ। ନିକଟରେ ବାଲୁଗାଁ ଏସ.ଡି.ପି.ଓ ସୁରେଶ କୁମାର ଦାସଙ୍କ କେଉଁଝର ଜିଲ୍ଲା ଆନନ୍ଦପୁର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଜାନୁଆରୀ ୧ ରେ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବାରିକ। ବାଣପୁର, ବାଲୁଗାଁ, ନିରାକାରପୁର ଏବଂ ଟାଙ୍ଗୀ ପରି ଚାରି ଗୋଟି ଗୁରୁତ୍ୱପୂର୍ଣ ଥାନା ଶ୍ରୀ ବାରିକଙ୍କ  ପ୍ରତ୍ୟେକ୍ଷ ତତ୍ୱାବଧାନରେ ରହିବ।

ଜଣେ ଯୁବ କର୍ତ୍ତବ୍ୟନିଷ୍ଠ ଏବଂ ପରୋପକାରୀ  ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବାରିକ। ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ରେ ଓଡ଼ିଶା ପୋଲିସ ସେବା(ଓ.ପି.ଏସ)ରେ ଯୋଗଦେଇ ଦୁଇ ବର୍ଷ ଟ୍ରେନିଂ ପରେ ୨୦୧୮ ରେ  ପ୍ରଥମେ ମାଲକାନଗିରି ଜିଲ୍ଲାର  ଚିତ୍ରକୋଣ୍ଡା ଏସ.ଡି.ପି.ଓ ରୂପେ ପୋଷ୍ଟିଙ୍ଗ ପାଇଥିଲେ ଶ୍ରୀ ବାରିକ ଏବଂ ଏହାପରେ ସେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ଥିଲେ।

ଲକ ଡ଼ାଉନ ସମୟରେ ବାଲିଗୁଡା ଉପଖଣ୍ଡ ଅଞ୍ଚଳରେ  କୋଭିଡ ଆଇନ ଅମାନିଆଙ୍କୁ ଅଭିନଵ ତରିକାରେ ଦଣ୍ଡ ଦେବା ହେଉ କିମ୍ବା କାନ୍ଧିବନ୍ଧ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଡ୍ରାଇଭରର ଜୀବନ ବଞ୍ଚାଇବା ପରି ବହୁ ଘଟଣା ଲାଗି ସେ ଅନେକ ଥର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସମୀକ୍ଷା ମାଧ୍ୟମରେ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ  କରାଯିବ, ବିଶେଷ କରି ଉଭୟ ସହରରେ ବଢୁଥିବା ଟ୍ରାଫିକ ସମସ୍ୟା, ଜାତୀୟ ରାଜପଥ ଡକାୟତି, ଚୋରି ଏବଂ ସାଇବର କ୍ରାଇମ ପରି ଅପରାଧର ମୁଳୋତ୍ପାଟନ ଉପରେ ଗୁରୁତ୍ଵ ଦେବେ ବୋଲି ଆମ ପ୍ରତିନିଧିଙ୍କୁ ଏସ.ଡି.ପି.ଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ଏବଂ ବାଲୁଗାଁର କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା 

ଖୋର୍ଦ୍ଧା: କୋଭିଡ଼ ଯୋଗୁଁ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସମ୍ପୃକ୍ତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆବଶ୍ୟକ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ବାଣପୁର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଏଏସଆଇ ସ୍ଵର୍ଗତ ମୁରଲୀଧର ବଳିଆରସିଂହଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସେହିପରି ଭୁବନେଶ୍ଵର ରିଜର୍ଭ ବାଟାଲିଅନର ପୂର୍ବତନ କନେଷ୍ଟବଳ ସ୍ଵର୍ଗତ ଆଶିଷ କୁମାର ମହାକୁଳଙ୍କ ପତ୍ନୀ ମାନସୀଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିବା ବେଳେ ବାଲିଅନ୍ତା ବ୍ଲକ ବଇଁଚୁଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଗତ ବିଜୟ କୁମାର ସାହୁଙ୍କ ପତ୍ନୀ ବିଜୁଳିବତୀଙ୍କୁ ଏବଂ ବାଲୁଗାଁ ଏନଏସିର ଡ୍ରାଇଭର ସ୍ଵର୍ଗତ କବିନ୍ଦ୍ର କୁମାର ଜାଲିଙ୍କ ପତ୍ନୀ ଜ୍ୟୋତିର୍ମୟୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବଜାରରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାରି ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ସଂଧ୍ୟା ପାଖାପାଖି ୬.୩୦ ଘଟିକା ସମୟରେ ଏକ ନାଲି ରଙ୍ଗର ନୂଆ ଗ୍ଲାମର ମୋଟର ସାଇକେଲ ଯୋଗେ ଗଂଜାମ ଜିଲ୍ଲା ପଥରା ଗ୍ରାମର ବୃନ୍ଦାବନ ବୈଦ୍ୟ (୩୨) ତାଙ୍କ ଭଉଣୀ ସୁନେଲି ବୈଦ୍ୟ ଏବଂ ଝିଅ ଶ୍ରୀୟା ବୈଦ୍ୟଙ୍କୁ ନେଇ ବାଲୁଗାଁରୁ କାମ ସାରି ନିଜ ଘରକୁ ଫେରୁଥିବାବେଳେ ବାଲୁଗାଁ ବଜାର ହୋଣ୍ଡା ସୋ ରୁମ ନିକଟରେ ଏକ ବୁଲେଟ ଗାଡ଼ି ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ବୁଲେଟ ଚାଳକ ହେଲେ ଗଞ୍ଜାମ ଜିଲ୍ଲା କହେଁଇପୁରର ମହେଶ ସେଠି (୩୨)।  ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣାସ୍ଥଳରେ ସମସ୍ତ ଚାରିଜଣ ସଡ଼କରେ ଛିଟିକି ପଡ଼ିଥିଲେ।

ଖବର ପାଇ ବାଲୁଗାଁ ଦମକଳ ବାହିନୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଁଚି ଚାରିଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଛି। ହେଲେ ମିଳିଥିବା ସୂଚନା ଅନୁଯାୟୀ ବୁଲେଟ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।