Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ପ୍ରଶାସନିକ ସ୍ତରରେ ବସୁଛି ଘନଘନ ବୈଠକ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ସ୍ଥିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜୁଲାଇ ୨୫ ତାରିଖ ଦିନ ରାଜ ଭବନ ଠାରେ ରାଷ୍ଟ୍ରପତି ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ଥିବାବେଳେ ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଏହି ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥା ଓ ଖୋର୍ଦ୍ଧା ଜିଲ୍ଲାପ୍ରଶାସନର ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା, ରାଜଭବନ ଓ ତମାଣ୍ଡୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯେଭଳି ତ୍ରୁଟିଶୂନ୍ୟ ଓ ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥିପାଇଁ ଯନିବାନ ହେବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ସମୟରେ ସଭାସ୍ଥଳୀକୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟିପିସିଓଡିଏଲ ଏବଂ ଓପିଟିସିଏଲକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଜ୍ଞ ଯନ୍ତ୍ରୀମାନେ ଉପସ୍ଥିତ ରହି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଏବଂ ମହଜୁଦ୍‌ ଜେନେରେଟରଗୁଡ଼ିକର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ଯାଞ୍ଚ କରିବେ।

କାର୍ଯ୍ୟକ୍ରମ ସ୍ଥଳରେ ପାନୀୟ ଜଳ ଯୋଗାଣ, ଅନୁମୋଦିତ ଯୋଜନା ଅନୁସାରେ ସଭା ମଂଚ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା, ଚିକିତ୍ସା ଓ ଆମ୍ବୁଲାନ୍ସ, ଡାକ୍ତରୀ ଟିମ ମୁତୟନ, ଉତ୍ସବସ୍ଥଳୀକୁ ଯାତାୟତ ରାସ୍ତାର ମରାମତି ଓ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟେଲିଫୋନ, ବ୍ରଡବ୍ୟାଣ୍ଡ ଓ ହଟଲାଇନ୍‌ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ବୈଠକରେ ଉପସ୍ଥିତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏହି ସମୟରେ ଗସ୍ତସୂଚୀରେ ଥିବା ରୁଟରେ ସମସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଯାନବାହାନକୁ ହଟାଇନେବା ପାଇଁ କୁହାଯାଇଥିଲା। ପୁଲିସ ବିଭାଗ ତରଫରୁ କାରକେଡ୍‌, ଟ୍ରାଫିକ୍‌ ଏବଂ ଯାନବାହାନ ପାର୍କିଂକୁ ସୁବ୍ୟବସ୍ଥିତ କରାଯିବ।

ସଭାମଞ୍ଚ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ, ବ୍ୟାରିକେଡିଂ ବ୍ୟବସ୍ଥା, ଅତିଥିମାନଙ୍କ ବସିବା ବ୍ୟବସ୍ଥା, ଆବଶ୍ୟକ ପାସ୍‌ ବ୍ୟବସ୍ଥା, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭନ୍ନ ଗଣମାଧ୍ୟମକୁ ସୂଚନା ପ୍ରଦାନ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକୀୟ ଯାନବାହନ ଯୋଗାଣ, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମୁତୟନ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ଉପସ୍ଥିତ ଥିବା ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନଙ୍କ ସହ ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍‌ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହିତ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ସମସ୍ତ ଆୟୋଜନ କରିବାକୁ କୁହାଯାଇଥିଲା।

ବିଭାଗୀୟ ଅଧିକାରୀମାନେ ନିଜ ନିଜ ମଧ୍ୟରେ ଉଚିତ ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ଏଥି ନିମନ୍ତେ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଦଳାଇ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମସ୍ତେ ନିଜ ନିଜ ଦାୟିତ୍ୱକୁ ପ୍ରାଥମିକତା ଦେଇ ତାହାକୁ ସୁଚାରୁ ରୂପେ ସମ୍ପାଦନ କରିବେ। ଦାୟିତ୍ୱରେ ଅବହେଳା କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ସଫଳ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ମହାପାତ୍ର, ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀ, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କାର୍ଯ୍ୟକ୍ରମ

ଭୁବନେଶ୍ୱର: ର।ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।ସେ ଏହି ଜୁଲ।ଇ ୨୬ ଏବଂ ୨୭ ରେ କଟକ ଏବଂ ଭଦ୍ରକ ଗସ୍ତରେ ଆସିବାର କ।ର୍ଯ୍ୟକ୍ରମ ରହିଛି। ର।ଷ୍ଟ୍ରପତି ତ।ଙ୍କର ଦୁଇ ଦିନିଆ ଓଡିଶା ଗସ୍ତ ସମୟରେ ସେ ଅନେକ କ।ର୍ଯ୍ୟକ୍ରମରେ ଯୋଗ ଦେବେ।

ସେ କଟକସ୍ଥିତ ଏସସିବି ମେଡିକ।ଲ କଲେଜର ଷ୍ଟୁଡେଣ୍ଟସ୍ ୟୁନିଅନ୍ ବାର୍ଷିକ ଉତ୍ସବରେ ଯୋଗଦେବେ। ଏ ନେଇ ର।ଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ କଲେଜ କର୍ତ୍ତୃପକ୍ଷଙ୍କ ଚିଠି କରାଯାଇଛି। ସେହିପରି କଟକରେ ରାଷ୍ଟ୍ରପତି ଓଡ଼ିଶା ହ।ଇକୋର୍ଟର ୭୫ ତମ ବାର୍ଷିକ ଉତ୍ସବରେ ମଧ୍ୟ ଯୋଗ ଦେବେ।

ସେ ସେହି ଦିନ କଟକସ୍ଥିତ ଜ।ତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାରୋହରେ ମଧ୍ୟ ଯୋଗଦେବେ। ସେହିପରି ର।ଷ୍ଟ୍ରପତି ଜୁଲ।ଇ ୨୭ ତ।ରିଖରେ ଭଦ୍ରକ ସ୍ୱୟଂଶ।ସିତ ମହାବିଦ୍ୟ।ଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ୍। ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା ଏବଂ ପରୋପକାର ତଥା ଭାରତୀୟ ମୂଲ୍ୟବୋଧ ଆଧାରରେ ଶିକ୍ଷାର ଉପଯୋଗ କରିବା ପାଇଁ ସମର୍ଥ କରିବାକୁ ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’ର ଉଦଘାଟନ ସମାରୋହରେ ପରାମର୍ଶ ଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଶିକ୍ଷାବିତ ମାନଙ୍କୁ ମାର୍ଗଦର୍ଶନ ନିମନ୍ତେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାବ୍ୟତିତ ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ଆମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ଭାରତ ବିଶ୍ୱଗୁରୁ ହେବା ପାଇଁ ଯାଉଛି। ଭାରତ ବିଶ୍ୱର ଜ୍ଞାନର ମହାଶକ୍ତି ହେବା ଦିଗରେ ମଧ୍ୟ ଗତି କରୁଛି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ରୂପ ଦିଆଯାଇଛି। ବିଗତ ଜାତୀୟ ଶିକ୍ଷା ନୀତିରେ ଅନେକ ପଦକ୍ଷେପ ନିଆଯାଇଛି। ଭାରତରେ ପ୍ରଥମ ଥର ପାଇଁ ୩ ବର୍ଷ ପିଲାଙ୍କୁ ସାଧାରଣ ଶିକ୍ଷାରେ ଯୋଡା ଯାଉଅଛି। ବାଲବାଟିକା ୧, ୨, ୩ ଏବଂ ଶ୍ରେଣୀ ପ୍ରଥମ ଓ ଦ୍ୱିତୀୟର ଶିକ୍ଷା ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହୋଇସାରିଛି। ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ସାର୍ବଜନୀନ ହେବାକୁ ଯାଉଛି। ଆଗାମୀ ପ୍ରାୟ ଦୁଇ ବର୍ଷ ଭିତରେ ଦ୍ୱାଦଶ ପର୍ଯ୍ୟନ୍ତ ସେ ସବୁକୁ ପୁସ୍ତକରେ ରୂପାନ୍ତରିତ କରାଯିବ।

ପ୍ରଧାନମନ୍ତ୍ରୀ କହିବାନୁସାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଭାରତ ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି। ଏହି ଦଶକର ଅନେକ ନିର୍ଣ୍ଣୟ ବିଗତ ୧୦୦ ବର୍ଷକୁ ପ୍ରଭାବିତ କରିଛି। ଦେଶକୁ ସ୍ୱାଧୀନତା ମିଳିବା ସହ ଭାରତର ସମ୍ବିଧାନ ପ୍ରଣୟନ ହେଲା। ଦେଶରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲା। ଆଇଆଇଟି, ଏନଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନେକ ଉତ୍କର୍ଷ କେନ୍ଦ୍ର ଆଜି ଭାରତରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅନେକ ଅନୁଷ୍ଠାନର କ୍ୟାମ୍ପସ ବିଦେଶରେ ପ୍ରତିଷ୍ଠା ହେବା ପାଇଁ ଯାଉଛି। ଏହି ପ୍ରବାସ ବାସ୍ତବରେ ବୈଶ୍ୱିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତିଙ୍କ ଜାତି ଦର୍ଶାଇ ଉତ୍ତେଜନାମୂଳକ ବିବୃତ୍ତି!, କେଜ୍ରିୱାଲ ଏବଂ ଖଡଗେଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ନୂତନ ସଂସଦ ଭବନର ଉଦଘାଟନ ଆୟୋଜନ ସଂପର୍କରେ। ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତି ଏହାର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଦର୍ଶାଯାଇଥିଲା ଏବଂ ଏହା ଦ୍ଵାରା ସମ୍ପ୍ରଦାୟ / ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଥିଲା। ଉତ୍ତେଜନାମୂଳକ ବିବୃତ୍ତି ମଧ୍ୟ ଦିଆଯାଇଥିଲା। ଯାହାକି ଆଇପିସିର ଧାରା ୧୨୧,୧୫୩ଏ, ୫୦୫ ଏବଂ ୩୪ ଅଧୀନରେ ଅପରାଧ ବର୍ଗରେ ଆସିଥାଏ।

ବାସ୍ତବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ନକରିବାରୁ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ମଲ୍ଲିକାର୍ଜୁନ୍ ଖଡଗେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ସରକାରଙ୍କୁ ଆକ୍ରମଣ କରିଛନ୍ତି ଏବଂ କହିଛନ୍ତି ଯେ, କେବଳ ନିର୍ବାଚନ କାରଣରୁ ମୋଦୀ ସରକାର ଦଲିତ ଏବଂ ଆଦିବାସୀ ସମ୍ପ୍ରଦାୟରୁ ରାଷ୍ଟ୍ରପତି କରନ୍ତି। ଖଡଗେ କହିଛନ୍ତି ଯେ ଯେତେବେଳେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ ନାହିଁ।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ନାଗରିକ। ସେ କେବଳ ସରକାର ଏବଂ ବିରୋଧୀ ତଥା ପ୍ରତ୍ୟେକ ନାଗରିକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଯଦି ରାଷ୍ଟ୍ରପତି ନୂତନ ସଂସଦ ଭବନର ଉଦଘାଟନ କରିଥାନ୍ତେ, ତେବେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ ହୋଇଥାନ୍ତା। ଏଥି ସହିତ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଦଳିତ ସମାଜ ପଚାରୁଛି କି ସେମାନଙ୍କୁ ଅଶୁଭ ବୋଲି ବିବେଚନା କରାଯାଉଛି କି, ସେଥିପାଇଁ ସେମାନଙ୍କୁ ଡକାଯାଇ ନାହିଁ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ମୋଦୀ ସରକାରଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ରାମ ମନ୍ଦିରର ମୂଳଦୁଆ ପକାଇବାକୁ ନିମନ୍ତ୍ରଣ କରାଯାଇ ନାହିଁ। କିମ୍ବା ନୂତନ ସଂସଦର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏଥି ସହିତ ନୂତନ ସଂସଦ ଭବନର ଉଦଘାଟନ ମଧ୍ୟ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ କରାଯାଉନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ କଟିଗଲା ଲାଇନ, ଏହା ଦେଖି ରାଷ୍ଟ୍ରପତି କହିଲେ..

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ବବିଦ୍ୟାଳୟରେ ଭାଷଣ ଦେଉଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ରାଷ୍ଟ୍ରପତି ଭାଷଣ ଦେବାର କିଛି ସମୟ ପରେ ପ୍ରେକ୍ଷାଳୟର ଲାଇନ ଚାଲିଯାଇଥିଲା। ଫଳରେ ରାଷ୍ଟ୍ରପତି ଭାଷଣ ନ ଦେଇ ଲାଇନକୁ ଅପେକ୍ଷା କଲେ।

ହେଲେ କିଛି ସମୟ ଧରି ଲାଇନ ନ ଆସିବାରୁ ସେହି ଅନ୍ଧାରରେ ରାଷ୍ଟ୍ରପତି ଭାଷଣ ଦେବାକୁ ବାଧ୍ୟ ହୋଇଥିଲେ। ପୋଡିୟମରେ ଥିବା ଏକ ଚାର୍ଯ୍ୟ ଲାଇଟ ମାଧ୍ୟମରେ ସେ ଭାଷଣକୁ ଚାଲୁରଖିଲେ। ପ୍ରାୟ ନ ମିନିଟ ଧରି ପ୍ରେକ୍ଷାଳୟର ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା।

ଲାଇନ କଟିବାକୁ ନେଇ ରାଷ୍ଟ୍ରପତି ବିରକ୍ତି ଭାବ ଜଣାପଡୁଥିଲେ ମଧ୍ୟ ସେ ଏ ନେଇ କିଛି କହି ନ ଥିଲେ। ହେଲେ ସେ କହିଥିଲେ ଯେ, ‘ଆଲୁଅ ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବିନି ଥକି’। ପରିସ୍ଥିତିକୁ ହାଲକା କରିବା ପାଇଁ ରାଷ୍ଟ୍ରପତି ଏପରି କହିଥିଲେ। ହେଲେ ସେଠାକାର ଉପସ୍ଥିତ ଲୋକେ ତାହାକୁ ସହଜରେ ଗ୍ରହଣ କରି ନ ଥିଲେ।

ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଖବର ଜାଣିବା ପରେ ଆରଡିସି ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ବିଦ୍ୟୁତ ଯୋଗାଣ କଂପାନୀର ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ତେବେ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ପ୍ରତିକ୍ରିୟା ନେଇ ଲୋକେ ଅଧିକ ବିରକ୍ତିକର ହୋଇପଡିଛନ୍ତି। କୁଳପତି କହିଲେ ଯେ, ବିଭ୍ରାଟ ନ ଥିଲେ କାର୍ଯ୍ୟକ୍ରମର ସୁଆଗ ନ ଥାଏ। ଆମେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିସାରିଛୁ। ଲାଇନ କଟିବା ପରେ ହଠାତ ଜେନେରେଟର ଚାଲି ନ ଥିଲା।

ତେବେ ଏହି ଘଟଣା ନେଇ ଟାଟା ପାୱାର ତାହାର ଦୋଷ ତୁଟାଇ କହିଲା ଯେ, ଆମର କିଛି ଭୁଲ ନାହିଁ। ଟାଟା ପାୱାର ଏବଂ ଭିସିଙ୍କ ଉତ୍ତର ନେଇ ବିଭିନ୍ନ ମହଲରେ ବିରୋଧ କରିବା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଇରଙ୍ଗପୁରରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେଥିପାଇଁ ସେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ରାଇରଂଗପୁରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଆଜି ପୂର୍ବତନ ରାଷ୍ଟ୍ରପତି ସିଂହଙ୍କ ଜନ୍ମତିଥୀ ହୋଇଥିବାରୁ ସେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ମୟୁରଭଂଜର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଜନ୍ମମାଟି ଗସ୍ତ। ସେ ଗୁରୁବାରଠାରୁ ମୟୁରଭଂଜ ଜିଲ୍ଲାରେ ଅଛନ୍ତି। ଗତକାଲି ସେ ତାଙ୍କର ନିଜ ଘରେ ରାତ୍ରିଯାପନ କରିଥିଲେ। ଆଜି ସେ ସିମିଳିପାଳ ଗସ୍ତ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ସେ ଆସନ୍ତା ମେ ୯ ତାରିଖରେ ଆସିବାର ସମୟ ନିର୍ଦ୍ଧାରିତ ହୋଇଥିଲା। ହେଲେ ସେହି ଦିନ ପରିବର୍ତ୍ତେ ସେ ୪ ତାରିଖରେ ଓଡିଶା ଆସି ମୟୂରଭଞ୍ଜ ଯିବେ।

ତେବେ ୯ ତାରିଖରୁ ଯାହା କାର୍ଯ୍ୟକ୍ରମ ଥିଲା ତାହା ପୂର୍ବ ନିର୍ଦ୍ଧାରିତ ଅନୁସାରେ ୪ ତାରିଖରୁ କରାଯିବ। ରାଷ୍ଟ୍ରପତି ସେଦିନ ଓଡିଶା ଆସି ରାତିରେ ବାରିପଦା ସର୍କିଟ୍ ହାଉସରେ ରହିବେ । ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ହେଉଛି ତାଙ୍କ ଜନ୍ମମାଟିକୁ ପ୍ରଥମ ଗସ୍ତ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏଥର ଗସ୍ତ ହେବ ଐତିହାସିକ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଆସିବେ। ତେବେ ଏଥର ଗସ୍ତ ତାଙ୍କ ପାଇଁ ଏକ ଐତିହାସିକ ହେବ। କାରଣ ସେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ତାଙ୍କର ଜନ୍ମମାଟି ମୟୁରଭଂଜକୁ ଯିବେ। ସେଥିପାଇଁ ଜିଲ୍ଲାବାସୀ ବେଶ ଉତ୍ସାହିତ ହୋଇଥିବାର ଜଣାପଡିଛି।

ରାଷ୍ଟ୍ରପତି ମୁର୍ମୁ ଆସନ୍ତା ମେ 9 ତାରିଖରେ ଆସିବେ ବୋଲି ଜଣାପଡିଛି। ସେହିଦିନ ସେ ମୟୁରଭଂଜ ଜିଲ୍ଲାର ବାରିପଦା ଯିବେ। ସେଠାରେ ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଭଂଜ ଦେଓ ବିଶ୍ବବିଦ୍ୟାଳୟର 12 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏ ନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତି ଭବନରୁ ଚିଠି କରି ଅବଗତ କରାଯାଇଛି।

ମୟୁରଭଂଜରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସେ ଦୁଇଥର ଓଡିଶା ଗସ୍ତରେ ଆସିଛନ୍ତି। ହେଲେ ସେ କେବେ ତାଙ୍କ ଜନ୍ମମାଟିକୁ ଯାଇପାରି ନାହାଁନ୍ତି। ପ୍ରଥମେ ସେ ପୁରୀ ଗସ୍ତ କରି ଜଗନ୍ନାଥ ଦର୍ଶନ କରିଥିଲେ। ଏହାପରେ ଦ୍ବିତୀୟ ଗସ୍ତରେ ମଧ୍ୟ ସେ ରମାଦେବୀ ବିଶ୍ବବିଦ୍ୟାଳୟ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହେଲେ ମୟୁରଭଂଜ ଗସ୍ତ କରି ନାହିଁନ୍ତି।

ବାରିପଦା ଆସିବେ ବୋଲି ଜଣାପଡିବା ପରେ ମହାରାଜା ଶ୍ରୀରାମ ଭଂଜଦେଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ପ୍ରସ୍ତୁତି ବୈଠକ ଆରମ୍ଭ କରିସାରିଲେଣି। ଏହାପରେ ସଚିବାଳୟରେ ରାଷ୍ଟ୍ରପତିଙ୍କ ଗସ୍ତର ସମୀକ୍ଷା ହେବ।

Categories
ଆଜିର ଖବର ଜାତୀୟ ଖବର

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲିଙ୍ଗରାଜ ମନ୍ଦିର ବେଢା ଭିତରେ କାହିଁକି ବସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଭୃ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯାଇଥିଲେ। ସେ ସକାଳୁ ରାଜଭବନରୁ ବାହାରି ମନ୍ଦିରକୁ ଯାଇଥିଲେ। ସେଠାରେ ସେ ପୁରା ପରିବାର ପ୍ରଭୃଙ୍କୁ ଦର୍ଶନ କରିବା ସହିତ ଖିର ଅଭିଷେକ କରିଥିଲେ। ଏଥିସହିତ ସେ ବେଢା ପରିକ୍ରମା ମଧ୍ୟ କରି ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଭିତର ମନ୍ଦିର ପାହଚରେ କିଛି ସମୟ ପାଇଁ ବସିଥିଲେ। ତଳେ ସୁରକ୍ଷା କର୍ମିଙ୍କ ସହିତ ଜିଲ୍ଲାପାଳ ମଧ୍ୟ ଅପେକ୍ଷା କରିଥିଲେ। ହେଲେ କେହି ବୁଝିପାରି ନ ଥିଲ ଯେ, ରାଷ୍ଟ୍ରପତି ବୋଧହୁଏ ହାଲିଆ ହୋଇ ବସି ପଡିଲେ।

ତେବେ କଥାଟି ସେୟା ନୁହେଁ। ପ୍ରକୃତ ଘଟଣା ହେଲା ଯେ କେହି ମନ୍ଦିର ଦର୍ଶନରେ ଯାଏ ସେ ବେଢା ପରିକ୍ରମା ପରେ ମନ୍ଦିରରେ କିଛି ସମୟ ବସିବାର ନିୟମ ରହିଛି। ବିଭିନ୍ନ ଶାସ୍ତ୍ରରେ ମଧ୍ୟ ରହିଛି ଯେ, ମନ୍ଦିର ପରିକ୍ରମା ପରେ କିଛି ସମୟ ବସିରହିବା ଉଚିତ। ଯାହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଲ ଭାବରେ ଅବଗତ ଅଛନ୍ତି। ଫଳରେ ସେ ତାଙ୍କର ପରିବାର ସହିତ ମନ୍ଦିର ବେଢା ମଧ୍ୟରେ କିଛି ସମୟ ପାଇଁ ବସି ରହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କଟକରେ ଦ୍ବିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦଘାଟନ କଲେ ରାଷ୍ଟ୍ରପତି

କଟକ: ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ମୁଖ୍ୟ ଆଧାର ଏବଂ ଆମ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । କଟକ ସ୍ଥିତ ଆଇସିଏଆର – ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆଜି (ଫେବୃଆରୀ ୧୧, ୨୦୨୩) ଦ୍ବିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଆଜି ଭାରତ ଚାଉଳର ଏକ ପ୍ରମୁଖ ଉପଭୋକ୍ତା ଏବଂ ବଡ଼ ରପ୍ତାନିକାରୀ, କିନ୍ତୁ ଦେଶ ସ୍ବାଧୀନ ହେବା ସମୟରେ ପରିସ୍ଥିତି ଭିନ୍ନ ଥିଲା। ସେତେବେଳେ ଆମେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲୁ। ଅଧିକାଂଶ ସମୟରେ ଆମକୁ ପେଟପୂରା ଖାଇବାକୁ ମିଳୁନଥିଲା। ଦେଶ ଆଜି ଏପରି ନିର୍ଭରଶୀଳତାରୁ ମୁକ୍ତ ହୋଇପାରିଛି ଏବଂ ବିଶ୍ବର ସର୍ବବୃହତ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଏହାର ଯଥେଷ୍ଟ ଶ୍ରେୟ ଦିଆଯିବା ଉଚିତ୍। ଏହି ଗବେଷଣା ପ୍ରତିଷ୍ଠାନ ଭାରତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଯୋଗଦାନ ଦେଇଛି ଏବଂ ଚାଷୀଙ୍କ ଜୀବନରେ ସୁଧାର ଆଣିପାରିଛି।

ରାଷ୍ଟ୍ରପତି କହିଥିଲେ ଯେ ବିଗତ ଶତାବ୍ଦୀରେ ଜଳସେଚନ ସୁବିଧାର ସମ୍ପ୍ରସାରଣ ହୋଇଥିଲା। ନୂଆ ସ୍ଥାନରେ ଧାନ ଅମଳ ହେଲା ଏବଂ ଧାନକୁ ନୂଆ ଉପଭୋକ୍ତା ମିଳିଥିଲେ। ଧାନ ଫସଲ ପାଇଁ ପ୍ରଚୁର ମାତ୍ରାରେ ଜଳର ଆବଶ୍ୟକତା ରହିଛି, କିନ୍ତୁ ଆଜି ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଜଳାଭାବ ସମସ୍ୟା ଦେଖା ଦେଇଛି। ମରୁଡ଼ି, ମନ୍ୟା ଓ ବାତ୍ୟା ଭଳି ବିପର‌୍ୟ୍ୟୟ ଏବେ ବାରମ୍ବାର ଦେଖିବାକୁ ମିଳୁଛି ଯାହାକି ଧାନ ଚାଷକୁ ଅଧିକ ବିପଦରେ ପକାଉଛି । ସେ କହିଥିଲେ ଯେ, ଏବେ ଧାନ ଚାଷର ନୂତନ ପଦ୍ଧତି ଆବିଷ୍କାର ହୋଇଥିଲେ ମଧ୍ୟ ପାରମ୍ପରିକ କିସମର ଧାନ ଚାଷକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି।

ଏଭଳି ପରିସ୍ଥିତିରେ ଆମେ ମଧ୍ୟମ ମାର୍ଗ ଆପଣାଇବା ଉଚିତ୍ । ଗୋଟିଏ ପଟେ ପାରମ୍ପରିକ କିସମର ସଂରକ୍ଷଣ ଏବଂ ସୁରକ୍ଷା ସହିତ ଅନ୍ୟପଟେ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ହେବ । ଆଉ ଏକ ସମସ୍ୟା ହେଉଛି ଅତ୍ୟଧିକ ରାସାୟନିକ ସାର ଉପଯୋଗ କାରଣରୁ ହେଉଥିବା ମୃତ୍ତିକା କ୍ଷୟକୁ ରୋକିବା। ଆଧୁନିକ ଧାନ ଚାଷ ପାଇଁ ଏହାକୁ ଜରୁରି ବୋଲି ବିବେଚନା କରାଯାଇଥାଏ। ମୃତ୍ତିକାକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଏଭଳି ସାର ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ । ଆମର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ଧାନ ଚାଷ ପଦ୍ଧତି ଉଦ୍ଭାବନ କରିପାରିବେ ବୋଲି ରାଷ୍ଟ୍ରପତି ବିଶ୍ବାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ଚାଉଳ ଆମ ଖାଦ୍ୟ ସୁରକ୍ଷାର ଆଧାର, ଆମେ ଏହାର ପୋଷକ ତତ୍ତ୍ବ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ । କମ ଆୟ ବର୍ଗର ବହୁ ସଂଖ୍ୟାରେ ଲୋକମାନେ ଖାଦ୍ୟ ପାଇଁ ଚାଉଳ ଉପରେ ନିର୍ଭର କରିଥାନ୍ତି, ଏହା ସେମାନଙ୍କ ପାଇଁ ଦୈନିକ ପୋଷଣର ଏକମାତ୍ର ଉତ୍ସ। ତେଣୁ ଚାଉଳ ମାଧ୍ୟମରେ ପ୍ରୋଟିନ, ଭିଟାମିନ ଓ ଅନ୍ୟ ଜରୁରି ପୋଷକ ତତ୍ତ୍ବ ଯୋଗାଇ ଦେବା ଦ୍ବାରା କୁପୋଷଣକୁ ଦୂର କରାଯାଇପାରିବ ।

ଆଇସିଏଆର-ଏନଆରଆରଆଇ ପକ୍ଷରୁ ଭାରତର ପ୍ରଥମ ଉଚ୍ଚ ପ୍ରୋଟିନଯୁକ୍ତ ଧାନ ‘ସିଆର ଧାନ ୩୧୦’ ବିକଶିତ କରାଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବିଜ୍ଞାନ କିଭଳି ସମାଜ ସେବା କରିପାରୁଛି ତାହା ଏଭଳି ଜୈବପୋଷଣ ଯୁକ୍ତ କିସମର ଧାନ ବିକଶିତ କରାଯିବା ଦ୍ବାରା ପ୍ରମାଣିତ ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ି ଚାଲିଥିବାରୁ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବା ଲାଗି ଏଭଳି ଅଧିକରୁ ଅଧିକ ପ୍ରୟାସ କରାଯିବା ଉଚିତ୍ । ଭାରତର ବୈଜ୍ଞାନିକ ସମୁଦାୟ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହେବେ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜଭବନରେ ନୂତନ ଅଭିଷେକ ହଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର ଶୁଭ ଉଦ୍‌ଘାଟନ କରିଛନ୍ତ।

ଉଦ୍‌ଘାଟନ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି।

ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ। ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍‌ ହଲ୍‌, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି। ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ନିଜ ଛାତ୍ରୀ ଜୀବନର ସ୍ମୃତି ଚାରଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଅପରାହ୍ନ ୪ଟା ୦୫ମିନିଟ୍  ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଉପସ୍ଥିତ ଛାତ୍ରୀ,ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ଜଣେ ପୁରାତନ ଛାତ୍ରୀଭାବେ ଏଠାରେ ବିତାଇଥିବା ନିଜ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ମା ରମାଦେବୀଙ୍କ ପ୍ରତି ସାଦର ଶ୍ରଦ୍ଧା, ସୁମନ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍କଳର ଅନ୍ୟ ବରପୁତ୍ରମାନଙ୍କୁ ପ୍ରଣିପାତ କରିଥିଲେ। ଏହି ଅନୁଷ୍ଠାନର ପୁରାତନ ଛାତ୍ରୀଭାବେ ସେ ନିଜକୁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ମନେ କରି ସେ ସମୟର ଅଧ୍ୟାପିକା ବିଣାପାଣି ମହାନ୍ତି ଓ ଶକୁନ୍ତଳା ବଳିୟାର ସିଂଙ୍କର ନାମ ନେଇ ସେତେବେଳର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଶିକ୍ଷାଦାନ ପଦ୍ଧତି ସେମାନଙ୍କୁ ଅନୁପ୍ରାଣିତ କରୁଥିଲା ବୋଲି କହିଥିଲେ।

ରାଷ୍ଟ୍ରପତି ଭାରତର ବହୁ ମହିୟସୀ ମହିଳାମାନଙ୍କର ଉଦାହରଣ ଦେଇ କହିଲେ ଯେ, ସାହିତ୍ୟ, ସଂସ୍କୃତି, ନୃତ୍ୟ, କଳା, ମହାକାଶ ବିଜ୍ଞାନ ,ରାଜନୀତି, ଶାସନ ବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ନାରୀମାନ ନିଜକୁ ପ୍ରତିଷ୍ଠିତ କରି ନିଜ ନିଜର ଶ୍ରେଷ୍ଠତ୍ୱ ପ୍ରତିପ୍ରାଦନ କରିଛନ୍ତି। ଏହି ଅବସରରେ ସେ କସ୍ତୁରବା ଗାନ୍ଧୀ,ମା ସରଳା ଦେବୀଙ୍କ ଠାରୁ ଆରମ୍ଭ କରି ପ୍ରତିଭା ରାୟ, ୟାମିନୀ କୃଷ୍ଣମୂର୍ତ୍ତୀ, କଳ୍ପନା ଚାଓଲା, କଳ୍ପନା ଦାସ, ସୋନାଲ ମାନସିଂହ ପର୍ଯ୍ୟନ୍ତ ଉଲ୍ଲେଖୀନୀୟ ସଫଳତା ତଥା ଦେଶପାଇଁ ଯୋଗଦାନ ରହିଥିବା ବହୁ ପ୍ରେରଣାଦାୟୀ  ନାରୀମାନଙ୍କର ଉଦାହରଣ ଦେଇଥିଲେ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଲେ ଯେ,ଭାରତ ସରକାର ଓ ରାଜ୍ୟ ସରକାର ଦେଶ ତଥା ରାଜ୍ୟର ବିକାଶ ପାଇଁ ସବୁ ପ୍ରକାର  ପ୍ରକାଶ ଜାରି ରଖିଛନ୍ତି। ତେବେ ପ୍ରତ୍ୟେକ ନାଗରିକ କଠିନ ପରିଶ୍ରମ ଓ  ନିଜ  ଦାୟିତ୍ୱକୁ  ସଠିକ ରୁପେ ନିର୍ବାହ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ଜୀବନ ବିଶ୍ୱବିଦ୍ୟାଳୟରେ ସଫଳ ହେବା ପାଇଁ ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ ଗଭୀର ଆତ୍ମବିଶ୍ୱାସ ରଖିବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।  ପ୍ରଥମେ ଦେଶ ଓ ଶେଷରେ ବ୍ୟକ୍ତି ବୋଲି କହିବା ସହିତ ନିଜ ଦେଶକୁ ଶ୍ରେଷ୍ଠ ରୂପେ ଦେଖିବା ପାଇଁ ବ୍ୟକ୍ତିକୁ ପ୍ରଥମେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ।

୨୦୪୭ ସୁଦ୍ଧା  ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସଂପ୍ରତି  ବୈଷୟକ ଜ୍ଞାନ କୌଶଳ ଦ୍ରୁତ ପରିବର୍ତ୍ତନର ବାହକ ହୋଇଥିବା ବେଳେ ସଦ୍ୟତମ ଟେକ୍ନନୋଲୋଜିର ସହାୟତାରେ ବିକାଶ କ୍ଷେତ୍ରରେ ଅଗ୍ରସର ହେବା ସହ ଜ୍ଞାନ ବିଜ୍ଞାନରେ ସମସ୍ତଙ୍କୁ ଦକ୍ଷ ହେବାକୁ ପଡିବ ବୋଲି ମାନ୍ୟବର ରାଷ୍ଟ୍ରପତି ପ୍ରକାଶ କରିଥିଲେ। ଏଥି ସହିତ ପ୍ରକୃତ ପ୍ରଗତି ପାଇଁ  ମାନବୀୟ ମୂଲ୍ୟବୋଧକୁ ଜୀବନଧାରାର ଅଙ୍ଗ କରିବା ତଥା ପ୍ରତ୍ୟହ ଯୋଗାଭ୍ୟାସ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା  ବିଶ୍ୱବିଦ୍ୟାଳୟର  କୁଳାଧିପତି ପ୍ରଫେସର ଗଣେଶୀ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଥିଲେ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Exclusive: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ସେ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏଥିସହିତ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସେ ବିମାନ ବନ୍ଦରରୁ ସିଧା ଉତ୍କଳ ମଣ୍ଡପକୁ ଗସ୍ତ କରିଛନ୍ତି। ସେଠାରେ ସେ ଜ୍ଞାନପିଠ ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦିନ ୧୧ ଟା ୪୫ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ ବୋଲି ଜଣାପଡିଛି।  ସେ ପୂର୍ବହ୍ନରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଉତ୍ସବ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜନ କରାଯାଇଛି।

ଏହାପରେ ସେ ରାଜଭବନ ଯିବେ। ସେଠାରୁ ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେ ଏହି ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହିତ ଚାରି ଓଡିଆ ମହିଳାଙ୍କୁ ଡିଲିଟ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପବକ ବନ୍ଦୋବସ୍ତ କରାଯାଇଛି।

ସେହିପରି ସେ ଶୁକ୍ରବାରରେ ରାଜଭଭନରେ ରାତ୍ରୀ ଯାପନ କରିବେ। ଏହାପରେ ଶନିବାର ସକାଳୁ ସେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରୁ ସେ କଟକ ଅଭିମୁଖ୍ୟ ଯାତ୍ରା କରିବେ। କଟକସ୍ଥି ଧନ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ବର ଫେରିଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ନିଜ କଲେଜ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ବର: ଆସନ୍ତାକାଲି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦିନ ୧୧ ଟା ୪୫ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ ବୋଲି ଜଣାପଡିଛି। ଆସନ୍ତାକାଲି ସେ ପୂର୍ବହ୍ନରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଉତ୍ସବ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜନ କରାଯାଇଛି।

ଏହାପରେ ସେ ରାଜଭବନ ଯିବେ। ସେଠାରୁ ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେ ଏହି ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହିତ ଚାରି ଓଡିଆ ମହିଳାଙ୍କୁ ଡିଲିଟ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପବକ ବନ୍ଦୋବସ୍ତ କରାଯାଇଛି।

ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳାଧୀପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣପଦ ସେଠୀ ପ୍ରମୁଖ ଯୋଗଦେବେ। ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଉ ନ ଥିବାର ଜଣାପଡିଛି।

ପ୍ରଥମ ଥର ପାଇଁ ନିଜ କଲେଜକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଏହି କଲେଜରେ ୧୯୭୫ ମସିହାରୁ ୧୯୭୯ ପର‌୍ୟ୍ୟନ୍ତ ଛାତ୍ରୀଥିଲେ। ସେ ସମୟରେ ଯେଉଁମାନେ ତାଙ୍କର କ୍ଲାସମେଟ ଥିଲେ ସେମାନଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ରାଷ୍ଟ୍ରପତି ଏହି କଲେଜ ବୁଲି ନିଜର ଅନୁଭୂତିକୁ ସ୍ମୃତି ଚାରଣ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୨୦୧୯ ମସିହାରେ ରମାଦେବୀ ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଥିଲା। ସେତେବେଳେ ସେ ଝାଡଖଣ୍ଡର ରାଜ୍ୟପାଳ ଥିଲେ। ରାଷ୍ଟ୍ରପତି ଭାବେ ନିଜ କଲେଜକୁ ଆସୁଥିବାରୁ ଛାତ୍ରଛାତ୍ରୀ ତଥା ଅଧ୍ୟାପକଅଧ୍ୟାପିକାମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି।

ସେହିପରି ରାଷ୍ଟ୍ରପତି ୧୧ ତାରିଖ ଦିନ ସକାଳେ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରେ ସେ ପ୍ରଭୃଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାପରେ ସେ କଟକ କେନ୍ଦ୍ର ଧାନଗବେଷଣ କେନ୍ଦ୍ରର କାର‌୍ୟ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ସେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ଦ୍ବିତୀୟ ଓଡିଶା ଗସ୍ତ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଏମଏଲସି ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଗତ କିଛି ଦିନ ଧରି ରାମଚରିତମାନସ ଉପରେ ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାମଚରିତମାନସର ସେହି ପଦଗୁଡ଼ିକୁ ପରିବର୍ତ୍ତନ କିମ୍ବା ନିଷିଦ୍ଧ କରିବାକୁ ଦାବି କରିଛନ୍ତି।

ଏସପି ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ରାମଚରିତମାନସର କିଛି ଚୌପାଇରେ ଆପତ୍ତିଜନକ ଅଂଶ ଯେଉଁଥିରେ ସମସ୍ତ ମହିଳା, ଆଦିବାସୀ, ଦଳିତ ତଥା ପଛୁଆବର୍ଗଙ୍କୁ ସାମାଜିକ, ଧାର୍ମିକ ସ୍ତରରେ ପ୍ରତିଦିନ ଅପମାନିତ ହେବାକୁ ପଡିଥାଏ। ପୀଡିତ ଶ୍ରେଣୀଙ୍କୁ ସମ୍ମାନ ଦେବା ପାଇଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏହା ପରିବର୍ତ୍ତିତ/ ନିଷେଧ କରିବା ଲାଗି ଚିଠିରେ ନିବେଦନ କରାଯାଇଛି।

ଏହି ପତ୍ରରେ ସ୍ଵାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ସମଗ୍ର ଘଟଣାର ଗମ୍ଭୀରତାକୁ ଜାଣି ଦେଶର ସମସ୍ତ ଆଦିବାସୀ, ମହିଳା, ପଛୁଆ ତଥା ଦଳିତଙ୍କ କାରଣକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିବେ। ଆଜି ତଥାକଥିତ ବୁଦ୍ଧିଜୀବୀମାନେ ମୋର ଦାବିକୁ ବିକୃତ କରିବାର କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଫେବ୍ରୁଆରୀ ୧୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ଏବଂ ପରେ ରମାଦେବୀ ବିଶ୍ୱବିଦ୍ୟାଳୟର କନ୍‌ଭୋକେସନ୍‌ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେଠାରୁ ରାଷ୍ଟ୍ରପତି ଆସି ରାଜଭବନରେ ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ ଫେବ୍ରୁଆରୀ ୧୧ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଜ୍ଞାନ ମିଶନ ସହ ଆଉ କିଛି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୁଗୁଲ ସିଇଓ ସୁନ୍ଦର ପିଚାଇ ରାଷ୍ଟ୍ରପତିଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ। ଏଥିସହିତ ସେ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏଥିରେ ରାଷ୍ଟ୍ରପତି ତାଙ୍କୁ ଭାରତରେ ଡିଜିଟାଲ ସ୍ବାକ୍ଷରତା ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ।

ନିକଟରେ ସୁନ୍ଦର ପିଚାଇ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସେ ଭାରତ ଆସିପାରି ନ ଥିବାରୁ ତାଙ୍କୁ ସାନଫ୍ରାନସିକୋଠାରେ ରାଷ୍ଟ୍ରଦୂତ ଏହି ସମ୍ମାନ ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

୫୩ତମ ଆଇଏଫଏଫଆଇ ସମସ୍ତ ପ୍ରତିନିଧିଙ୍କୁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍‍ଏଫ୍‍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।

ଏସିଆର ଅନ୍ୟତମ ପୁରାତନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜକ ତଥା ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଆଇଏଫ୍‍ଏଫ୍‍ଆଇର ଅବଦାନକୁ ସୂଚିତ କରିଛନ୍ତି। ଏପରି କରିବା ଦ୍ୱାରା, ଚଳଚ୍ଚିତ୍ର ମହୋତ୍ସବ ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଆସୁଛି, ଚଳଚ୍ଚିତ୍ର ନିର୍ମାତା, କଳାକାର, ଶିଳ୍ପ ବିଶେଷଜ୍ଞ ଏବଂ ସିନେମା ପ୍ରେମୀମାନଙ୍କୁ ମତ ବିନିମୟ ଏବଂ ସେମାନଙ୍କର ସମୃଦ୍ଧ ଅନୁଭୂତି ବାଣ୍ଟିବାକୁ ସକ୍ଷମ କରାଏ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ ସିନେମାର ମୂଲ୍ୟ ସୃଜନଶୀଳତା ଏବଂ ମନୋରଞ୍ଜନର ମାଧ୍ୟମ। ସିନେମା ଏକ ମାଧ୍ୟମ ଯାହା ଦୃଶ୍ୟ, ଶବ୍ଦ ଏବଂ କାହାଣୀ କୌଶଳକୁ ଏକ ଗତିଶୀଳତା ପ୍ରଦାନ କରେ। ରାଷ୍ଟ୍ରପତି କହିଛନ୍ତି ଯେ ସେ ନିଶ୍ଚିତ ଯେ ଆଇଏଫ୍‍ଏଫ୍‍ଆଇର ୫୩ ତମ ସଂସ୍କରଣ ସମସ୍ତ ଉତ୍ସବର ପ୍ରତିନିଧିଙ୍କ ପାଇଁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ପୁରୀ ବଡଦାଣ୍ଡରେ ତଳେ ମୁଣ୍ଡ ଲଗାଇ ଧୂଳି ସ୍ପର୍ଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମସ୍ତଙ୍କ ମନ ମୋହି ନେଇଛି। ସମ୍ବାଧାନର ଉଚ୍ଚ ପଦବୀରେ ଥିବା ଦ୍ରୌପଦୀ ମୁର୍ମୁ ଯେପରି ଭକ୍ତି ପ୍ରଦର୍ଶନ କଲେ ତାହା ଥିଲା ନିଆରା। ସେ ଗତକାଲି ବଡ ଦାଣ୍ଡରେ ପ୍ରବେଶ କରିବା ମାତ୍ରେ ସୁରକ୍ଷା ବଳୟ ପରିତ୍ୟାଗ କରି ସେ ଚାଲିଚାଲି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।

ଶ୍ରୀମନ୍ଦିର ଟିକିଏ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡଦାଣ୍ଡରେ ଅଣ୍ଟା ଭାଙ୍ଗି ମୁଣ୍ଡ ନୁଆଁଇ ନୀଳଚକ୍ରକୁ ମୁଣ୍ଡିଆ ମାରିଥିଲେ। ଯାହା ସେଠାରେ ଉପସ୍ଥିତି ଥିବା ଲୋକଙ୍କ ବିମୋହିତ କରିଦେଇଥିଲା। ସେହିପରି ସେ ସିଂହଦ୍ବାର ସମ୍ମୁଖକୁ ଆସି ସେଠାରେ ଥିବା ଅରୁଣ ସ୍ତମ୍ବକୁ ଛୁଇଁ ମୁଣ୍ଡିଆ ମାରିଥିଲା। ଏସବୁ ଭକ୍ତି ଭାବକୁ ନେଇ ପୁରୀରେ କାହିଁକି ସାରା ଓଡିଶାରେ ବେଶ୍ ପ୍ରଶଂସା କରାଯାଇଛି।