Categories
ଆଜିର ଖବର ରାଜ୍ୟ ଖବର ସିନେମା

ଲୋକାର୍ପଣ ହେଲା ଚଳଚ୍ଚିତ୍ର ‘ଟି’ ର ଟ୍ରେଲର, ୨୫ ମେ’ରେ ମୁକ୍ତିଲାଭ

ଭୁବନେଶ୍ଵର: ଚଳଚ୍ଚିତ୍ର “ଟି” ର ଟ୍ରିଜର ରିଲିଜ ପରେ ଭୁବନେଶ୍ୱର ସ୍ଥିତ ସିନେପଲିସ୍ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଟ୍ରେଲର ରିଲିଜ ହୋଇଯାଇଛି। ଏହି ଟ୍ରେଲର ରିଲିଜ ଅବସରରେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି ର ବହୁ ଖ୍ୟାତନାମା ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ଅନେକ ସିନେ ସମୀକ୍ଷକ ଯୋଗଦେଇଥିଲେ। ଟ୍ରିଜର ଦେଖି ଯେଉଁମାନେ ଚଳଚ୍ଚିତ୍ର ସମ୍ପର୍କ ରେ ସୁଚିନ୍ତିତ ମତାମତ ଦେଇଥିଲେ ସେମାନଙ୍କୁ ମଧ୍ୟ ଟ୍ରେଲର ଦେଖିବା ପାଇଁ ଆମନ୍ତ୍ରଣ କରାଯାଇଥିଲା।

ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଯିବା ପରେ ପ୍ରଯୋଜନା ସଂସ୍ଥା ତଥା ଦର୍ଶକଙ୍କ ମନ ଆନନ୍ଦିତ ହୋଇଥିଲା।

ତେବେ ସୂଚନାଯୋଗ୍ୟ ଯେ ; ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର “ଟି” ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ।

ଟ୍ରେଲର ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଥିବା ଚଳଚ୍ଚିତ୍ର ‘ଟି’। ଟ୍ରାନ୍ସଜେଣ୍ଡର ଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଛୋଟ ପରଦାରେ ପୂର୍ବରୁ ପରିକଳ୍ପନା ହୋଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ପରିକଳ୍ପନା କରିଛନ୍ତି ଏବଂ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟି’ ନିର୍ମାଣ କରିଛନ୍ତି। ପୂର୍ବରୁ ଓଲିଉଡ଼ର ବିଭିନ୍ନ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦେବାଶିଷ ସାହୁ (ଦେବ୍) ମେଘନା ସାହୁ ଚରିତ୍ରରେ ନଜର ଆସିବେ। ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ତେବେ ‘ଟି’ ଆସନ୍ତା ମେ ୨୫ ତାରିଖ ରେ ସମଗ୍ର ରାଜ୍ୟର ପ୍ରାୟ ତିରିଶ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ର “ଟି” ର ଟିଜର ଦେଖିଥିବା ଦର୍ଶକ ତଥା ମିଡ଼ିଆ ବନ୍ଧୁ ମାନଙ୍କ ମନରେ ଥିବା ଆଗ୍ରହକୁ ଆଖିରେ ରଖି ପ୍ରଯୋଜକ ତଥା ନିର୍ଦ୍ଦେଶକ ଏକ ବଡ଼ ପରଦାରେ ଟ୍ରେଲର ଲୋକାର୍ପଣ ପାଇଁ ମନସ୍ଥ କରିଥିଲେ। ସମାଜ ପାଇଁ ଅନେକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଛି ଚଳଚ୍ଚିତ୍ର “ଟି”। ତେଣୁ ସମସ୍ତ ସିନେପ୍ରେମୀ ଚଳଚ୍ଚିତ୍ର ‘ଟି’ କୁ ଦେଖିବା ଉଚିତ ବୋଲି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ଜିତେଶ କୁମାର ଫିଲ୍ମଜ ଓ ଆର ଆର ମୋସନ ପିକ୍ଚର୍ସ ର ପ୍ରଯୋଜନା ତଥା ବିଘ୍ନହର୍ତ୍ତା ମୁଭିଜ, ମୋହିତ କୁମାର ପୁରୀ, ହିମାଦ୍ରି ତନୟ ଦାସ ସହ ପ୍ରଯୋଜନା ଏବଂ ଥମ୍ରିତା ମୋହନ ଶମ୍ଭୁତି, ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଟି’।

ଆଜି ଟ୍ରେଲର ରିଲିଜ ଅବସରରେ ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମିଡ଼ିଆ ବନ୍ଧୁ ମାନଙ୍କ ନିମନ୍ତେ ପ୍ରଥମଥର ପାଇଁ ପ୍ରେକ୍ଷାଳୟ ରେ ସ୍ୱତନ୍ତ୍ର ପ୍ରଦର୍ଶନ ହେବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର ପରିଡା ପୁଣି ଥରେ ସୁନିଶ୍ଚିତ କରିଛନ୍ତି।

Categories
ବିଶେଷ ଖବର

କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଲୋକାର୍ପିତ କରିଛନ୍ତି। ଯେଉଁ ପ୍ରକଳ୍ପ ଗୁଡ଼ିକ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ସେଗୁଡିକ ମଧ୍ୟରେ ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ଅନ୍ତର୍ଭୁକ୍ତ ଏବଂ ସେ ମଧ୍ୟ ମହୀଶୂର – କୁଶାଲନଗର ୪ – ଲେନ ବିଶିଷ୍ଟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଦେବୀ ଭୁବନେଶ୍ୱରୀ ଏବଂ ଆଦିଚୁନଚନାଗିରି ଏବଂ ମେଲୁକୋଟେର ଗୁରୁ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କର୍ଣ୍ଣାଟକର ଲୋକମାନଙ୍କ ମଧ୍ୟରେ ଉପସ୍ଥିତ ହେବାର ସୁଯୋଗ ପାଇ ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ବିଶେଷ କରି ମାଣ୍ଡ୍ୟାର ଲୋକମାନଙ୍କ ଦ୍ୱାରା ତାଙ୍କୁ କରା ଯାଇଥିବା ସ୍ୱାଗତ ଉପରେ ବିଶେଷ ରୂପରେ ମନ୍ତବ୍ୟ ଦେଇ କହିଥିଲେ ଯେ , ସେମାନଙ୍କର ଆଶୀର୍ବାଦ ମଧୁରତାରେ ଭରି ରହିଛି। ରାଜ୍ୟର ଲୋକ ମାନଙ୍କର ପ୍ରେମ ଏବଂ ସ୍ନେହ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଦ୍ରୁତ ବିକାଶ ସହ ପ୍ରତ୍ୟେକ ନାଗରିକଙ୍କ ଚାହିଦା ପୂରଣ କରିବାକୁ ଡବଲ୍ ଇଞ୍ଜିନ ସରକାର ଚେଷ୍ଟା କରୁଛନ୍ତି। ସେ ଦର୍ଶାଇଛନ୍ତି ଯେ, ହଜାର ହଜାର କୋଟି ଟଙ୍କା ମୂଲ୍ୟର ଆଜିର ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକ କର୍ଣ୍ଣାଟକର ଲୋକମାନଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଗୁଡିକର ଏକ ଅଂଶ ବିଶେଷ।

ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେକୁ ନେଇ ଜାତୀୟ ସ୍ତରରେ ହେଉଥିବା ଚର୍ଚ୍ଚା ସମ୍ପର୍କରେ ଉତ୍ଥାପନ କରି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଯୁବକମାନେ ଏଭଳି ଆଧୁନିକ ତଥା ଉଚ୍ଚମାନର ଏକ୍ସପ୍ରେସୱେ ପାଇଁ ଗର୍ବ ଅନୁଭବ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଏହି ଏକ୍ସପ୍ରେସୱେ ଯୋଗୁଁ ମହୀଶୂର ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା ସମୟ ଅଧାକୁ ହ୍ରାସ ହୋଇଛି । ସେ ମଧ୍ୟ ମହୀଶୂର – କୁଶାଲନଗର ୪- ଲେନ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ପ୍ରକଳ୍ପ ଗୁଡ଼ିକ ‘ସବ୍କା ବିକାଶ’ ର ଭାବନାକୁ ଆହୁରି ଆଗକୁ ବୃଦ୍ଧି କରିବ ଏବଂ ସମୃଦ୍ଧିର ଦ୍ୱାରକୁ ଉନ୍ମୁକ୍ତ କରିବ । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତରେ ଭିତ୍ତିଭୂମି ବିକାଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦୁଇ ଜଣ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ମନେ ପକାଇ ଥିଲେ । “କର୍ଣ୍ଣାଟକର ମହାନ ପୁତ୍ର କୃଷ୍ଣରାଜ ୱାଡିୟର୍ ଏବଂ ସାର୍ ଏମ୍ ବିଶ୍ୱେଶ୍ୱରାୟ ଦେଶକୁ ଏକ ନୂତନ ଦର୍ଶନ ଏବଂ ଶକ୍ତି ପ୍ରଦାନ କରିଥିଲେ । ଏହି ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିଥିଲେ ଏବଂ ଭିତ୍ତିଭୂମି ସଂରଚନାର ମହତ୍ତ୍ୱକୁ ବୁଝିଥିଲେ ଏବଂ ବର୍ତ୍ତମାନର ପିଢ଼ି ସେମାନଙ୍କ ଉଦ୍ୟମର ଲାଭ ପାଉଥିବାରୁ ଭାଗ୍ୟଶାଳୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେମାନଙ୍କ ପଦାଙ୍କ ଅନୁସରଣ କରି ଦେଶରେ ଉନ୍ନତ ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକର ବିକାଶ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଭାରତମାଳା ଏବଂ ସାଗରମାଳା ପ୍ରକଳ୍ପ ଆଜି ଭାରତ ଏବଂ କର୍ଣ୍ଣାଟକର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣୁଛି ।”

ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ ଦେଶର ଭିତ୍ତିଭୂମି ବଜେଟ୍ ବହୁଗୁଣିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଚଳିତ ବର୍ଷର ବଜେଟରେ ଦେଶର ଭିତ୍ତିଭୂମି ବିକାଶ ପାଇଁ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସହଜତା ବ୍ୟତୀତ ଭିତ୍ତିଭୂମି ସଂରଚନା ଚାକିରି, ପୁଞ୍ଜି ବିନିଯୋଗ ଏବଂ ରୋଜଗାରର ସୁଯୋଗ ଆଣିଥାଏ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଥିଲେ । ସେ ସୂଚନା ଦେଇଛନ୍ତି ଯେ, କେବଳ କର୍ଣ୍ଣାଟକରେ ସରକାର ରାଜପଥ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକରେ ୧ ଲକ୍ଷ କୋଟିରୁ ଅଧିକ ବିନିଯୋଗ କରିଛନ୍ତି ।

କର୍ଣ୍ଣାଟକର ପ୍ରମୁଖ ସହର ଭାବରେ ବେଙ୍ଗାଲୁରୁ ଏବଂ ମହୀଶୂରର ମହତ୍ତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଏହି ଦୁଇଟି କେନ୍ଦ୍ର ଟେକ୍ନୋଲୋଜି ଏବଂ ପରମ୍ପରାର ସଂଯୋଗ କ୍ଷେତ୍ରରେ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଦୁଇ ସହର ମଧ୍ୟରେ ଯାତ୍ରା କରିବା ସମୟରେ ଲୋକମାନେ ପ୍ରାୟତଃ ଭାରି ଟ୍ରାଫିକ୍ ବିଷୟରେ ଅଭିଯୋଗ କରି ଆସୁଥିଲେ ଏବଂ ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଏକ୍ସପ୍ରେସୱେ ଦୁଇ ସହର ମଧ୍ୟରେ ଯାତାୟତ ସମୟକୁ ଦେଢ଼ ଘଂଟା ଼ ହ୍ରାସ କରିବ ଏବଂ ଏହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ସହାୟତା ପ୍ରଦାନ କରିବ ।

ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ରାମନଗର ଏବଂ ମାଣ୍ଡ୍ୟାର ଐତିହ୍ୟ ସହର ଗୁଡିକ ଦେଇ ଯାଇଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଫଳରେ ପର୍ଯ୍ୟଟନର ସମ୍ଭାବନା କେବଳ ବୃଦ୍ଧି ପାଇବ ନାହିଁ, ବରଂ ମାଆ କାବେରୀଙ୍କ ଜନ୍ମସ୍ଥାନକୁ ଯିବା ମଧ୍ୟ ସମ୍ଭବ ହେବ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ବେଙ୍ଗାଲୁରୁ – ମାଙ୍ଗାଲୁରୁ ରାଜପଥ, ଯାହା ମୌସୁମୀ ସମୟରେ ସର୍ବଦା ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇ ଆସୁଥିଲା , ଏହି ଅଞ୍ଚଳର ବନ୍ଦର ସଂଯୋଗକୁ ମଧ୍ୟ ପ୍ରଭାବିତ କରୁଥିବା, ବେଙ୍ଗାଲୁରୁ – ମାଙ୍ଗାଲୁରୁ ରାଜପଥକୁ ଚଉଡା କରି ଏହି ସମସ୍ୟାକୁ ସମାଧାନ କରାଯିବ । ସେ କହିଛନ୍ତି ଯେ, ସଂଯୋଗର ବୃଦ୍ଧି ସହିତ ଏହି ଅଞ୍ଚଳର ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଦେଖାଦେବ ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି କହିଛନ୍ତି ଯେ, ଗରିବ ଲୋକମାନଙ୍କ ବିକାଶ ପାଇଁ ଆବଣ୍ଟିତ ଅର୍ଥର ଅଧିକ ଅଂଶ ଚୋରି ହୋଇଛି । ସେ କହିଛନ୍ତି ଯେ, ୨୦୧୪ ରେ, ଗରିବ ଲୋକ ମାନଙ୍କର ଏକ ସମ୍ବେଦନଶୀଳ ସରକାର, ଯାହା ଗରିବ ଶ୍ରେଣୀର ଯନ୍ତ୍ରଣା ବୁଝିଥାଏ, ସେହି ସରକାର କ୍ଷମତାକୁ ଆସିଥିଲେ । ଗରିବ ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରିଥିଲେ ଏବଂ ବାସଗୃହ, ପାଇପ୍ ଜଳ, ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ, ବିଦ୍ୟୁତ୍, ସଡକ, ଡାକ୍ତରଖାନାକୁ ପ୍ରାଥମିକତା ପ୍ରଦାନ କରିଥିଲେ ଏବଂ ଗରିବ ଲୋକଙ୍କ ଚିକିତ୍ସାର ଚିନ୍ତାକୁ କମ୍ କରିଥିଲେ । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର ଗରିବ ଲୋକଙ୍କ ଘରକୁ ଯାଇ ସହଜ ଜୀବନଯାପନ ସୁନିଶ୍ଚିତ କରିଛନ୍ତି ଏବଂ ମିଶନ ମୋଡରେ ସଂତୃପ୍ତି ହାସଲ କରାଯାଉଛି ।

ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଛନ୍ତି ଯେ, ଗତ ୯ ବର୍ଷ ମଧ୍ୟରେ ୩ କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି ଯେଉଁଥିରୁ କର୍ଣ୍ଣାଟକରେ ଲକ୍ଷ ଲକ୍ଷ ଘର ଏବଂ ୪୦ ଲକ୍ଷ ନୂତନ ଘର ନିର୍ମାଣ କରାଯାଇଛି । ଜଳ ଜୀବନ ମିଶନ ଅଧୀନରେ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ଉପର ଭଦରା ପ୍ରକଳ୍ପ ପାଇଁ ୫,୩୦୦ କୋଟି ଟଙ୍କା ଆବଣ୍ଟିତ ହୋଇଥିବାବେଳେ ଅନେକ ଦଶନ୍ଧି ଧରି ଅଟକି ରହିଥିବା ଜଳସେଚନ ପ୍ରକଳ୍ପ ମଧ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯାଉଛି । ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ସମ୍ମୁଖୀନ ହେଉଥିବା ଜଳସେଚନ ସମସ୍ୟାର ସମାଧାନ ହେବ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କର୍ଣ୍ଣାଟକର କୃଷକମାନେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ ସମସ୍ୟା ଗୁଡିକର ସମାଧାନ କରିବା ବ୍ୟତୀତ, ସରକାର କର୍ଣ୍ଣାଟକର ଚାଷୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୧୨,୦୦୦ କୋଟି ଟଙ୍କା ସିଧାସଳଖ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପଠାଇଛନ୍ତି, ଯାହା ଫଳରେ ୨.୭୫ ଳକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । କେବଳ ମାଣ୍ଡ୍ୟା ଅଞ୍ଚଳକୁ କେନ୍ଦ୍ର ସରକାର ୬୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୬୦୦୦ ଟଙ୍କା କିସ୍ତିରେ ୪୦୦୦ ଟଙ୍କା ଯୋଡି ଥିବାରୁ କର୍ଣ୍ଣାଟକ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ଡବଲ୍- ଇଞ୍ଜିନ ସରକାରରେ କୃଷକ ମାନଙ୍କୁ ଦୁଇ ଗୁଣା ଲାଭ ମିଳିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫସଲ ଉତ୍ପାଦନର ଅନିଶ୍ଚିତତା କାରଣରୁ ଚିନି ମିଲର ପାଖରେ ଆଖୁ ଚାଷୀ ମାନଙ୍କର ଦୀର୍ଘ ଦିନ ଧରି ଅର୍ଥ ବକେୟା ରହୁଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଥାନଲ ଆରମ୍ଭ ହେବା ଦ୍ୱାରା ଏହି ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇଛି । ବମ୍ପର ଫସଲ ଉତ୍ପାଦନ କ୍ଷେତ୍ରରେ, ଅତିରିକ୍ତ ଆଖୁରୁ ଇଥାନଲ ଉତ୍ପାଦନ କରାଯିବ, ଯାହା କୃଷକ ମାନଙ୍କ ପାଇଁ ସ୍ଥିର ଆୟ ସୁନିଶ୍ଚିତ କରିବ । ସେ ସୂଚନା ଦେଇଛନ୍ତି ଯେ, ଗତ ବର୍ଷ ଦେଶର ଚିନି ମିଲଗୁଡିକ କମ୍ପାନୀ ଗୁଡିକୁ ୨୦ ହଜାର କୋଟି ମୂଲ୍ୟର ଇଥାନଲ ବିକ୍ରି କରିଛନ୍ତି , ଯାହା ଆଖୁ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୩ – ୧୪ ପର ଠାରୁ ଚିନି ମିଲରୁ ୭୦ ହଜାର କୋଟି ମୂଲ୍ୟର ଇଥାନଲ କ୍ରୟ କରାଯାଇଛି ଏବଂ ଟଙ୍କା ଚାଷୀଙ୍କ ନିକଟରେ ପହଞ୍ଚିଛି । ଚଳିତ ବର୍ଷର ବଜେଟରେ ମଧ୍ୟ ଆଖୁ ଚାଷୀଙ୍କ ପାଇଁ ଅନେକ ପ୍ରାବଧାନ କରାଯାଇଛି, ଯେପରିକି ଚିନି ସମବାୟ ସମିତି ପାଇଁ ୧୦ ହଜାର କୋଟି ଟଙ୍କା ସହାୟତା ଏବଂ ଟିକସ ରିହାତି ଏହି ଚାଷୀ ମାନଙ୍କୁ ଉପକୃତ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତ ଏକ ସୁଯୋଗର ଦେଶ ଏବଂ ସାରା ବିଶ୍ୱରୁ ଲୋକମାନେ ଏହି ଦେଶ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଭାରତ ୨୦୨୨ ରେ ରେକର୍ଡ ବିଦେଶୀ ନିବେଶ ପ୍ରାପ୍ତ କରିଛି ଏବଂ ଏଥିରେ କର୍ଣ୍ଣାଟକ ସବୁଠାରୁ ବଡ ହିତାଧିକାରୀ ଭାବରେ ୪ ଲକ୍ଷ କୋଟିରୁ ଅଧିକ ବିଦେଶୀ ପୁଞ୍ଜି ପାଇଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, “ଏହି ରେକର୍ଡ ପୁଞ୍ଜି ନିବେଶ ଡବଲ ଇଞ୍ଜିନ୍ ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଇଟି ବ୍ୟତୀତ ବାୟୋଟେକ୍ନୋଲୋଜି, ପ୍ରତିରକ୍ଷା ଉତ୍ପାଦନ ଏବଂ ଇଭି ଉତ୍ପାଦନ ଭଳି ଉଦ୍ୟୋଗ ଗୁଡିକ ଦ୍ରୁତ ଗତିରେ ବିସ୍ତାର କରୁଥିବାବେଳେ ଏରୋସ୍ପେସ୍ ଏବଂ ମହାକାଶ ଭଳି ଉଦ୍ୟୋଗ ଗୁଡିକରେ ଅଭୂତପୂର୍ବ ପୁଞ୍ଜି ନିବେଶ ହେଉଥିବା ଦେଖିବାକୁ ମିଳୁଛି ।

ଡବଲ୍ ଇଞ୍ଜିନ୍ ସରକାରଙ୍କ ଉଦ୍ୟମରେ ଅଭୂତପୂର୍ବ ବିକାଶ ଘଟୁଥିବାବେଳେ ପ୍ରଧାନମନ୍ତ୍ରୀ କିଛି ରାଜନୈତିକ ଦଳର କାର୍ଯ୍ୟକଳାପ ଆଡକୁ ଇସାରା କରିଛନ୍ତି ଯେଉଁମାନେ ମୋଦୀଙ୍କ କବର ଖୋଳିବା ସ୍ୱପ୍ନରେ ବ୍ୟସ୍ତ ଥିବାବେଳେ ବେଙ୍ଗାଲୁରୁ – ମହୀଶୂରଏକ୍ସପ୍ରେସୱେର ବିକାଶ କାର୍ଯ୍ୟରେ ମୋଦୀ ବ୍ୟସ୍ତ ଅଛନ୍ତି ଏବଂ ଗରିବ ଲୋକମାନଙ୍କର ଜୀବନ ସହଜ କରୁଛନ୍ତି । ସେ ତାଙ୍କ ବିରୋଧୀ ମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, କୋଟି କୋଟି ମାଆ, ଭଉଣୀ ଏବଂ ଝିଅ ଏବଂ ଭାରତର ଲୋକ ମାନଙ୍କର ଆଶୀର୍ବାଦ ତାଙ୍କ ପ୍ରତିରକ୍ଷା ଢାଲ ଭାବରେ କାର୍ଯ୍ୟ କରୁଛି । ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ କର୍ଣ୍ଣାଟକର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ କର୍ଣ୍ଣାଟକର ଦ୍ରୁତ ଗତିରେ ହେଉଥିବା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ ଅଟେ” । ଏହି ଅବସରରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀ, ମାଣ୍ଡ୍ୟାର ସାଂସଦ ସଦସ୍ୟ ଶ୍ରୀମତୀ ସୁମଲତା ଅମ୍ବରୀଶ ଏବଂ କର୍ଣ୍ଣାଟକ ସରକାରଙ୍କ ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭିତ୍ତିଭୂମି ପ୍ରକଳ୍ପର ବିକାଶର ଦ୍ରୁତ ଗତି ସମଗ୍ର ବିଶ୍ୱରେ ବିଶ୍ୱ ସ୍ତରୀୟ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରମାଣ ଅଟେ । ଏହି ପ୍ରୟାସରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ- ମହୀଶୂର ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପରେ ଏନ୍ଏଚ୍ – ୨୭୫ ର ବେଙ୍ଗାଲୁରୁ- ନିଦାଘଟ୍ଟା – ମହୀଶୂର ବିଭାଗକୁ ୬ ଲେନ୍ କରିବା ଅନ୍ତର୍ଭୁକ୍ତ ଅଟେ । ୧୧୮ କିଲୋମିଟର ଦୀର୍ଘ ପ୍ରକଳ୍ପକୁ ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି । ଏହା ବେଙ୍ଗାଲୁରୁ ଏବଂ ମହୀଶୂର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଣ୍ଟାରୁ ୭୫ ମିନିଟକୁ ହ୍ରାସ କରିବ । ଏହା ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶ ପାଇଁ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ମହୀଶୂର – କୁଶାଲନଗର ୪ ଲେନ ବିଶିଷ୍ଟ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୯୨ କିଲୋମିଟରରୁ ଅଧିକ ବ୍ୟାପି ଏହି ପ୍ରକଳ୍ପ ପ୍ରାୟ ୪୧୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ଏବଂ ବେଙ୍ଗାଲୁରୁ ସହିତ କୁଶାଲନଗରର ସଂଯୋଗ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ଯାତ୍ରା ସମୟ ପ୍ରାୟ ୫ ଘଣ୍ଟାରୁ ମାତ୍ର ୨.୫ ଘଣ୍ଟାକୁ ହ୍ରାସ ପାଇବ ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ପୁରୀ ଠାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ଭାରତୀୟତା, ଭାରତୀୟ ପରମ୍ପରା ଓ ହିନ୍ଦୁତ୍ୱ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ ଭାବେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ପବିତ୍ର ପୁରୀ ଧାମ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସରେ ଦେଶର ଦ୍ୱିତୀୟ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ରାଜ୍ୟରୁ ଆସିଥିବା ବେଦ ବିଶାରଦଙ୍କ ଉପସ୍ଥିତିରେ ଯଜ୍ଞ ଉତ୍ସବରେ ସାମିଲ ହୋଇ ପୂର୍ଣ୍ଣାହୁତି ଦେଇ ଏହି ବେଦ ବିଦ୍ୟାଳୟର ଲୋକାର୍ପଣ କରିଥିଲେ। ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ମଧ୍ୟ ଶୁଭାରମ୍ଭ  କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଶ୍ରୀସଦାଶିବ କ୍ୟାମ୍ପସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଜାତୀୟ ଶିକ୍ଷା ନୀତି ଆଧାରରେ ବେଦ ବିଦ୍ୟାର ପୃଥକ ବୋର୍ଡ ତିଆରି କରାଯାଇଛି। ଉଜ୍ଜୟିନୀ ସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନକୁ ଏହାର ମାନ୍ୟତା ଦିଆଯାଇଛି। ଦେଶରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କ୍ରମରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନାମରେ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ନାମକରଣ କରାଯାଇଛି। ଋଗ୍ ବେଦର କେନ୍ଦ୍ର ପୁରୀରେ ଏହି ବେଦ ବିଦ୍ୟାଳୟ ମୁଖ୍ୟ ବେଦ ଗୁଡ଼ିକର ସବିଶେଷ ଅଧ୍ୟୟନର ଅବସର ତିଆରି କରିବ। ବେଦର ଜ୍ଞାନର ଭଣ୍ଡାରକୁ ସଂରକ୍ଷଣ କରିବା ସହ ପ୍ରଚାର ପ୍ରସାର କରିବା ଲୋକାର୍ପିତ ହୋଇଥିବା ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ୟୁନିୟନ ଗ୍ରାଣ୍ଟ କମିଶନ(ୟୁଜିସି) ବିଧିବଦ୍ଧ ଭାବେ ହିନ୍ଦୁ ଅଧ୍ୟୟନକୁ ପୋଷ୍ଟ ଗ୍ରାଜୁଏସନର ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଚଳିତବର୍ଷ ଠାରୁ ଶ୍ରୀସଦାଶିବ କ୍ୟାମ୍ପସରେ ପିଜି ପାଠ୍ୟକ୍ରମରେ ହିନ୍ଦୁ ଅଧ୍ୟୟନ ଆରମ୍ଭ କରାଯିବାର ବ୍ୟବସ୍ଥା କରାଯାଇଛି। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଦ୍ୱାରା ଉତ୍କଳୀୟ ପରମ୍ପରାରେ ଥିବା ହିନ୍ଦୁତ୍ୱକୁ ଅଧ୍ୟୟନ କରାଯିବ। ଏହା କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବରଂ ଆନ୍ତର୍ଜାତିକ ସ୍ତରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଅନାଦି ଅନନ୍ତ କାଳରୁ ଜ୍ଞାନ, ସଂସ୍କୃତି, ବିଜ୍ଞାନ ଓ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି। ଆମ ସଭ୍ୟତାର ମୌଳିକ ଜ୍ଞାନ ବେଦ ଉପନିଷେଦ ସମ୍ପର୍କରେ ନୂଆପିଢିଙ୍କୁ ଆଧୁନିକ ସ୍ୱୀକୃତି ସହ ପଢାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଆରମ୍ଭ କରାଯାଇଛି। ସେହିପରି ଅନେକ ଭାଷା ଓ ସଂସ୍କୃତିକୁ ଶିଖାଇବାରେ ଶ୍ରୀକ୍ଷେତ୍ର ପୁରୀ ହିଁ ଏକ ବଡ଼ ବିଶ୍ୱବିଦ୍ୟାଳୟ। ସବୁ ଶିକ୍ଷା କେବଳ ଶ୍ରେଣୀଗୃହରେ ନୁହେଁ ବରଂ ଅନୁଭବରୁ ହିଁ ଶିକ୍ଷା ଗ୍ରହଣ ହୁଏ।  ପୁରୀ ଶ୍ରୀମନ୍ଦିର ସେବକ, ପୂଜକ ଭାଇ ମାନେ ଏହାର ବଡ଼ ଉଦାହରଣ।

ମହାପ୍ରଭୁଙ୍କର ନୀତି କାନ୍ତି ଜ୍ଞାନର ଅପାର ଭଣ୍ଡାର ଓ ସାମାଜିକ ଜୀବନରେ ବିଜ୍ଞାନ, ସାହିତ୍ୟ, କଳା, ସ୍ୱାସ୍ଥ୍ୟସେବା ଓ ସମାଜ ନୀତିର ତତ୍ତ୍ୱ ହେଉଛି ବେଦ ଓ ଉପନିଷେଦ। ବେଦ ଏକ ମନ୍ତ୍ର ନୁହେଁ ବରଂ ବେଦରେ ଲିଖିତ ପ୍ରତିଟି ମନ୍ତ୍ର ବିଜ୍ଞାନ ପ୍ରମାଣିତ ତତ୍ତ୍ୱ। ବେଦର ସଠିକ୍ ଉଚ୍ଚାରଣରେ ହିଁ ମାନବତାର ଉପଚାର ଅଛି। ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ଓ ଅନ୍ୟାନ୍ୟ ସାଂସ୍କୃତିକ କଳା ଓ ପରମ୍ପରା ବେଦ ଏବଂ ସଂସ୍କୃତରେ ଅନ୍ତର୍ନିହିତ। ପୁରୀ ଶଙ୍କରାଚାର୍ଯ୍ୟ ମହାରାଜ ଏହି ଜ୍ଞାନ ଦ୍ୱାରା ଆଜି ଜଣେ ବିଦ୍ୱାନ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି। ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ବେଦ ଅଧ୍ୟୟନରେ ସମାଜକୁ ନୂଆ ଦିଗଦର୍ଶନ ଦେବ। ଶ୍ରୀଜଗନ୍ନାଥ ସଂସ୍କୃତି ବିନା ହିନ୍ଦୁତ୍ୱର କଳ୍ପନା କରାନଯାଇପାରେ। ଆମର ପର୍ବ ପର୍ବାଣୀ ଗୁଡ଼ିକ ଏକ ଉତ୍ସବ ନୁହେଁ ବରଂ ବୈଜ୍ଞାନିକ ପଦ୍ଧତିରେ ସମାଜକୁ ଚଲାଇବା ଏବଂ ଭାଇଚାରାକୁ ସୁଦୃଢ଼ କରିବାର ମହାନ ପରମ୍ପରା। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଆମର ସଂସ୍କୃତି ଓ ପରମ୍ପରାର ବୈଜ୍ଞାନିକ ପ୍ରକ୍ରିୟା ଓ ଉଦ୍ଦେଶ୍ୟର ପରିପ୍ରକାଶ କରିବ। ଏ ସବୁ ଗୁଡ଼ିକ ବିଷୟରେ ଶ୍ରୀ ସଦାଶିବ ପରିସରର ଏହି ହିନ୍ଦୁ ଅଧ୍ୟୟନ ସେଣ୍ଟର ଉତ୍କଳୀୟ ପରମ୍ପରା ଅନୁସାରେ ଜଗତର କଲ୍ୟାଣ ଅନୁଯାୟୀ କାମ କରିବ।

ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ। ଅତୀତରେ ସଂସ୍କୃତ ଭାଷାର ପ୍ରଚଳନ ସମୟରେ ହିଁ ମହାପ୍ରଭୁଙ୍କ ବଡ଼ ଦେଉଳ ହଜାର ବର୍ଷ ପୂର୍ବରୁ ତିଆରି ହୋଇଛି। ସେତେବେଳେ ଇଞ୍ଜିନିୟରିଂ ଓ ଆଇଆଇଟି ଭଳି ଅନୁଷ୍ଠାନ ନଥିବା ସତ୍ତ୍ୱେ ଏଠାକାର କୁଶଳୀ କାରିଗରମାନେ ବିନା ଲୁହା ଓ ସିମେଣ୍ଟରେ ଭବ୍ୟ ମନ୍ଦିର ତିଆରି କରିବାରେ ସକ୍ଷମ ହେଉଥିଲେ। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ, ସିଭିଲ୍ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ଆର୍ଟ ସାଇନ୍ସ ଇଞ୍ଜିନିୟରିଂର ସମ୍ମିଶ୍ରଣରେ ମହାପ୍ରଭୁଙ୍କ ମନ୍ଦିର ତିଆରି ହୋଇଛି। ସେତେବେଳେ ଭାଷା ବି ଏବଂ ସୂତ୍ର ବି ସଂସ୍କୃତିରେ ଥିବା ଅନେକ ଇତିହାସକାରମାନେ ମତ ଦେଇଛନ୍ତି।

ଭାରତୀୟ ଜ୍ଞାନ ପ୍ରଣାଳୀର ମୂଳାଧାର ହେଉଛି ବେଦ। ଦେଶର ପ୍ରଖ୍ୟାତ ଜ୍ଞାନପୀଠ ମହାକାଳନଗରୀ ଇଜ୍ଜୟିନୀ ଠାରେ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ବେଦ ଅଧ୍ୟୟନକୁ ପୁର୍ନଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଭାରତୀୟ ଭାଷା ଓ ଜ୍ଞାନ ଆଧାରିତ କରିବାକୁ ପଡ଼ିବ। ମୂଳ ଭାରତ ସହ ମୂଳ ସଭ୍ୟତା ସାଙ୍ଗରେ ଯୋଡ଼ିବାକୁ ହେବ।

ଭାରତକୁ ଲମ୍ବା ସମୟ ପରାଧୀନ କରିବା ପାଇଁ ବ୍ରିଟିଶମାନେ ଏଠାକାର ଭାଷା ଓ ଜ୍ଞାନକୁ ଭ୍ରମିତ କରିଥିଲେ। ମାତ୍ର  ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଜ୍ଞାନ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ନିଜ ମାତୃଭାଷାରେ ପଢ଼ିଲେ ହିଁ ଗୋଟିଏ ପିଲାର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ। ଜାତୀୟ ଶିକ୍ଷା ନୀତିର ଆଭିମୁଖ୍ୟ ରହିଛି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ ଶିକ୍ଷାଭିତ୍ତିକ କରିବା ଏବଂ ଗବେଷଣା ମାଧ୍ୟମରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ। ପୁରୀରେ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ବୀର ରାମଚନ୍ଦ୍ରପୁରର ଗ୍ରାମ ଦେବତୀ ମା’ ମଣିନାଗ ଦୁର୍ଗା ମନ୍ଦିର ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ମନ୍ଦିର ପ୍ରାଙ୍ଗଣରେ ଗାଁର ଗୁରୁଜନଙ୍କ ସହ ସ୍ଥାନୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

Categories
ବିଶେଷ ଖବର

ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ଜଟଣୀ: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଆଇଆଇଟି ଭୁବନେଶ୍ୱର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରଥମେ ଲୋକାର୍ପିତ ଶ୍ରେଣୀ ଗୃହରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏହି ବିଦ୍ୟାଳୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱର ଯୋଗାଇଥିବା ୧୦ ଏକର ପରିମିତ ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହେବା ପରେ ପିଲାଙ୍କ ପାଠପଢା ଏଠାକୁ ସ୍ଥାନାନ୍ତର କରାଯିବ। ଏହି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ୨୫ କୋଟି ଖର୍ଚ୍ଚ ହେବ ଏବଂ ସ୍କୁଲର ପରିଚାଳନା ପାଇଁ ଅତିରିକ୍ତ ବାର୍ଷିକ ୪ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। ସମସ୍ତ ଖର୍ଚ୍ଚ ଭାରତ ସରକାରଙ୍କ ଶିକ୍ଷା ସଂସ୍ଥା ଆଇଆଇଟି ଭୁବନେଶ୍ୱର ବହନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଏହି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରାଯିବ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱର ଏକ ସମ୍ମାନସ୍ପଦ ଅନୁଷ୍ଠାନ। ଏଠାକାର ଅନୁକୂଳ ପରିବେଶରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ଟେକ୍ନୋଲୋଜିର ବ୍ୟବହାରକୁ ଜାଣିବା ପାଇଁ ଆଗ୍ରହୀ ହେବେ। ଫଳରେ ପିଲାମାନେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଅବଦୁଲ କଲାମ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ସ୍ୱପ୍ନ ଦେଖିବେ।

ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଶିକ୍ଷକ ମାନଙ୍କ ପାଇଁ ଗୋଟିଏ ନୂଆ ବ୍ୟବସ୍ଥା ବିଗତ ଦିନ ମାନଙ୍କରେ ଆରମ୍ଭ କରାଯାଇଛି। ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ଚଳିତବର୍ଷ ୪ ବର୍ଷୀୟା ଇଂଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ (ଆଇଟେପ)ର ପାଇଲଟ୍ ମଡ଼େଲ ଆରମ୍ଭ କରାଯିବ। ଏହା ଦ୍ୱାରା ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ହେବ। ଏହାବ୍ୟତିତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ପ୍ରତ୍ୟେକ ବ୍ଲକରେ ପ୍ରାୟ ୧୫ ହଜାର ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ।

ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୋଦି ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟର ୬୬ତମ କେନ୍ଦ୍ରୀୟ ବିଦ୍ୟାଳୟ ଭାବରେ ସ୍ଥାନିତ ହେବ। ସାମଗ୍ରିକ ଶିକ୍ଷା ଯୋଜନାରେ ଆଗାମୀ ୪ ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଓଡ଼ିଶା ସମେତ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବା ପାଇଁ ଭାରତ ସରକାର ପଦକ୍ଷେପ ନେବେ। ସେହିପରି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୪୫ ହଜାର ସ୍କୁଲକୁ ଭାରତ ସରକାର ସବୁ ପ୍ରକାର ସହଯୋଗର ଦାୟିତ୍ୱ ନେବେ। ବର୍ତ୍ତମାନର ପିଲାମାନେ ଆମର ଭବିଷ୍ୟତ। ଏମାନଙ୍କୁ ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ।

ରାଜ୍ୟରେ ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଭୁବନେଶ୍ୱରେ ମଡର୍ଣ୍ଣ ଡ଼ିଏମ ସ୍କୁଲ, ଆଂଚଳିକ ଶିକ୍ଷା କେନ୍ଦ୍ର ଓ କୋରାପୁଟ ବିଶ୍ୱବିଦ୍ୟାଳୟ ଅଛି। ଏହାବ୍ୟତିତ ଏମ୍ସ, ନାଇଜର, କେମିକାଲ ଟେକ୍ନୋଲୋଜି, ସିଆଇଏସଆର, ଆଇସିଏଆରର ଲାବ୍ରୋଟୋରୀ, ଫୁଡ୍ ଏଣ୍ଡ୍ ମାଉଥ ଡିଜିର ଅତ୍ୟାଧୁନିକ କେନ୍ଦ୍ର, କଟକ ବିଦ୍ୟାଧରପୁରରେ ଧାନ ଗବେଷଣା କେନ୍ଦ୍ର ଅଛି। ସେହିଭଳି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ୍‌, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟୁର୍ ଏଣ୍ଡ୍ ଟୋରିଜମ୍ ଇନଷ୍ଟିଚ୍ୟୁଟ୍‌, ସ୍କିଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌, ସିପେଟ୍‌, କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଭଳି ଭାରତ ସରକାରଙ୍କ ଅନୁଷ୍ଠାନକୁ ମିଶାଇ ମିଶନ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶାର ପିଲା ମାନଙ୍କୁ ବୌଦ୍ଧିକ ଜଗତରେ ଉଚ୍ଚ ସ୍ଥାନକୁ ନେବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍। ପୂର୍ବଦୋୟରେ ଓଡ଼ିଶାର ବିକାଶ ହେଲେ ହିଁ ଭାରତର ସାମଗ୍ରିକ ବିକାଶ ହେବ।

ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ଆଇଆଇଟି ଭୁବନେଶ୍ୱର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଆଗାମୀ ଦିନରେ ଏଠାରେ ଜାତୀୟ ଶିକ୍ଷା ନୀତି ଅନୁସାରେ ମଲଟି ଡ଼ିସପ୍ଲିନାରୀର ବ୍ୟବସ୍ଥା କରିବକୁ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର କର୍ତୃପକ୍ଷଙ୍କୁ ପରମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହଛନ୍ତି ଏଠାରେ ଇଞ୍ଜିନିୟରିଂ ପଢ଼ୁଥବା ପିଲା ଅର୍ଥନୀତି, ମ୍ୟାନେଜମେଂଟ୍‌, ସାଧାରଣ ବିଜ୍ଞାନ, ରସାୟନ ବିଜ୍ଞାନ ସହ ସବୁ ବିଷୟରେ ଶିକ୍ଷା ଆରୋହଣ କରନ୍ତୁ। ତେବେ ଯାଇ ଏହି ଶିକ୍ଷାନୁଷ୍ଠାନ ଅଭିନବ ପଦ୍ଧତିରେ ଗବେଷଣା ଭିତିକ ବିଦ୍ୟା ମନ୍ଦିର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ବମ୍ବେର ନୂତନ ଛାତ୍ରାବାସର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ଆଇଆଇଟି ବମ୍ବେ ନିଜ ଦକ୍ଷତା ବଳରେ ଭାରତକୁ ବିଶ୍ୱ ସ୍ତରରେ ଏକ ଶ୍ରେଷ୍ଠ ସ୍ଥାନକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ରବିବାର ଶିକ୍ଷାନୁଷ୍ଠାନର ନୂତନ ଛାତ୍ରାବାସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କୁ ଏହି ଉତ୍କର୍ଷ ଛାତ୍ରାବାସର ଉଦଘାଟନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ କ୍ୟାମ୍ପସରେ ଉତ୍ତମ ବାତାବରଣ ଏକ ସକରାତ୍ମକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରେ। ୧୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଛାତ୍ରାବାସ ଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ ସୁବିଧା ପାଇପାରିବେ।

ପରିବର୍ତ୍ତିତ ଦ୍ରୁତ ଭୌଗଳିକ ଦୃଶ୍ୟପଟ୍ଟ ଏବଂ କୋଭିଡ୍ ପରବର୍ତୀ ବୈଶ୍ୱିକ ଚ୍ୟାଲେଞ୍ଜ ଅନେକ ସୁଯୋଗ ଆଣିଦେଇଛି। ଭାରତ ବିଶ୍ୱର ଜଟିଳ ସମସ୍ୟାର ସମାଧାନର ରାସ୍ତା ବାହାର କରିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସ୍ୱଚ୍ଛ ଇନ୍ଧନ ଏବଂ ଆଗାମୀ ୫୦ ବର୍ଷ ପାଇଁ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଆଇଟି ବମ୍ବେର ଛାତ୍ରଛାତ୍ରୀମାନେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ସହ ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଆଇଆଇଟି ବମ୍ବେର ଦକ୍ଷତା ଉପରେ ଭାରତ ବିଶ୍ୱାସ କରୁଛି।

ଏହି ଶିକ୍ଷାନୁଷ୍ଠାନର ପ୍ରତିଭାବାନ ମାନବ ସମ୍ବଳ ଆଗାମୀ ଦିଗରେ ନିଯୁକ୍ତି ସୃଷ୍ଟି କରିବେ, ଉଦ୍ଭାବନ, ବିଶ୍ୱ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହ ଏକ ସଦୃଢ଼ ଓ ଆତ୍ମନିର୍ଭର ଭାରତ ଗଢ଼ିବା ଦିଗରେ ମଧ୍ୟ କାର୍ଯ୍ୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଆଇଆଇଟି ବମ୍ବେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର ପରାମର୍ଶକୁ ଅନୁସରଣ କରୁଥିବା ଜାଣି ଖୁସିବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇ-କଷ୍ଟଡି ସାର୍ଟିଫିକେଟ୍‌ ସିଷ୍ଟମ ଏବଂ ଅଟୋମେଟେଡ୍‌ ଇ-ମେଲ୍‌ ସର୍ଭିସର ଲୋକାର୍ପଣ

ଭୁବନେଶ୍ୱର: ସୁପ୍ରିମକୋର୍ଟର ଜଜ୍‌ ଏବଂ ସୁପ୍ରିମକୋର୍ଟର ଇ-କମିଟିର ଅଧ୍ୟକ୍ଷ ଡ. ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଆଜି ଅନୁଗୋଳ ଓ ନୟାଗଡ଼ ଜିଲ୍ଲା ପାଇଁ ଆଦର୍ଶ ଆଭାସୀ କୋର୍ଟରୁମ୍‌ର ଶୁଭଉଦ୍‌ଘାଟନ ସହ କେଶ୍‌ ସମ୍ବନ୍ଧୀୟ ସୂଚନା ନିମନ୍ତେ ଇ-କଷ୍ଟଡି ସାର୍ଟିଫିକେଟ୍‌ ସିଷ୍ଟମ ଏବଂ ମାମଲା ସମ୍ବନ୍ଧିତ ସୂଚନା ପ୍ରଦାନ ନିମନ୍ତେ ସ୍ୱୟଂକ୍ରିୟ ଇ-ମେଲ୍‌ ସର୍ଭିସର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍‌ ଏସ୍‌. ମୁରଲୀଧର, ଓଡ଼ିଶା ହାଇକୋର୍ଟର ଜଜ ଏବଂ ହାଇକୋର୍ଟର ଆଇଟି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱଜିତ ମହାନ୍ତି, ଓଡ଼ିଶା ହାଇକୋର୍ଟର ଜଜ୍‌ ଏବଂ ହାଇକୋର୍ଟର ଆଇଟି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କମିଟିର ସଦସ୍ୟ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କ ସମେତ କୋର୍ଟର ଅନ୍ୟ ଜଜ୍‌ମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ପୋଲିସ ମହାନିର୍ଦ୍ଦେଶକ ଅଭୟ, ପୋଲିସ ମହାନିର୍ଦ୍ଦେଶକ (କାରାଗାର) ସନ୍ତୋଷ ଉପାଧ୍ୟାୟ, ଅନୁଗୋଳର ଜିଲ୍ଲା ଜଜ୍‌ ଭାଗ୍ୟଲକ୍ଷ୍ମୀ ରଥ, ନୟାଗଡ଼ର ଜିଲ୍ଲା ଜଜ୍‌ ରୂପଶ୍ରୀ ଚୌଧୁରୀଙ୍କ ସମେତ ରାଜ୍ୟର ଅନ୍ୟ ପଦାଧିକାରୀ ପ୍ରମୁଖ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏସସିବିରେ ଇକୋମ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି କଟକ ସ୍ଥିତ ଏସସିବିରେ ଇକୋମ୍ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛି। ମୁଖ୍ୟମନ୍ତ୍ରୀ ଏସସିବିରେ ମୋଟ ୯ ଟି ଇକୋମ୍ ମେସିନର ଲୋକାର୍ପଣ କରିଛନ୍ତି। ଗୁରୁତର ରୋଗୀଙ୍କୁ ଇକୋମ୍ ଚିକିତ୍ସା ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ ସରକାର ଏହି ସେବା ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ। ଏହାର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି।

ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର ଗନ୍ଧ ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜଳ ସାରସ୍ବତ ପ୍ରତିଭାର ପ୍ରତିଶୃତି ବହନ କରୁଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବ୍ରହ୍ମପୁର: ଆଜି ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କରିଛନ୍ତି। ମୋଟ ୨ କୋଟି ଟଙ୍କାରେ ଏହି ପ୍ଳାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୨୦ ହଜାର ଲିଟର ଅମ୍ଳଜାନ ଉତ୍ପାଦନ ହେବ। ଏହାଦ୍ବାରା ଦକ୍ଷିଣ ଓଡିଶା ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ

କନ୍ଦର୍ପ ବେହେରା
ରେଢାଖୋଲ: ଜଳ ସଂପଦ ବିଭାଗ ତରଫରୁ ନାକଟିଦେଉଳ ବ୍ଲକ୍‌ରେ ୪ ଟି ସ୍ଥାନରେ କ୍ଷୁଦ୍ର ଜଳ ସଂପଦ ପ୍ରକଳ୍ପର ଲୋକାର୍ପଣ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।
ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଂଚାୟତର ଧଳପୁର ଠାରେ କ୍ଷୁଦ୍ରଜଳ ସେଚନ ବିଭାଗ ତରଫରୁ ଧଳପୁର କଟା ଟ୫୭ ଲକ୍ଷ, ୯୯ହଜାର,୭୬୦ ଟଙ୍କା, ଗିରିଶ୍ଚନ୍ଦ୍ରପୁର ମୁଖ୍ୟ କେନାଲ ର କଂକ୍ରିଟକରଣ ପାଇଁ ଟ ୪୮ ଲକ୍ଷ, ୯୩ ହଜାର, ୯୯୩ ଟଙ୍କା, ବାଟଗାଁ ଗ୍ରାମପଂଚାୟତର ଶଙ୍କରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତରଫରୁ କଟାର ଉନ୍ନତିକରଣ ପାଇଁ ୪୯ ଲକ୍ଷ, ୩୦ ହଜାର, ୫୦ଟଙ୍କା ଓ କେଉଟବେନୀ କଟାର ଉନ୍ନତି ପାଇଁ ୫୩ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପ କୁ ରେଢାଖୋଲ ବିଧାୟକ ତଥା ରାଜ୍ୟସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀ ଲୋକାର୍ପଣ କରିଥିଲେ।

ଏହି ଲୋକାର୍ପଣରେ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପଟ୍ଟନାୟକ , ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ, ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨୭ଟି ଜିଲ୍ଲା ପାଇଁ ଆଉ ୮୪ ଟି ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ୨୭ଟି ଜିଲ୍ଲା ପାଇଁ ୮୪ଟି ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ତନ୍ମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ବୋଲି ଜଣାଯାଇଛି।

ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ୨୦୧୩ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ଏତଦବ୍ୟତୀତ ରାଜ୍ୟରେ ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ୫୦୦ଟି ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ଅଛି।