ଭୁବନେଶ୍ବର: ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ। ସୋଆ ଭାବେ ପରିଚିତ ଏହି ଡିମ୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି।
୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଦେଶରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରାୟ ୧୫୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୫ଟି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୧୯୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟ ସୋଆକୁ ନିଜର ଭବିଷ୍ୟତ ନିର୍ଦ୍ଧାରଣକାରୀ ଶିକ୍ଷାନୁଷ୍ଠାନ ଭାବେ ଚୟନ କରିଛନ୍ତି।
ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିବାର ୧୫ ବର୍ଷ ପରେ ସୋଆ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗ୍ରେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି ସୋଆ।
ଚଳିତବର୍ଷ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ -୨୦୨୨ରେ ଦେଶର ୧୬ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନୀତ କରିଛି ସୋଆ। ଓଡ଼ିଶାରେ ଏକ ନମ୍ବର ଏବଂ ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ସୋଆ।
ଚଳିତ ଏନ୍ଆଇଆର୍ଏଫ୍ -୨୦୨୨ ତାଲିକାରେ ସୋଆ ଓଭରଅଲ୍ କ୍ୟାଟେଗୋରୀରେ ୩୦ତମ ସ୍ଥାନରେ ରହିଥିବା ବେଳେ ମେଡିକାଲ୍ ସାଇନ୍ସେସ୍ରେ୧୮ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍୍ସେସ୍ରେ ୧୦ମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ର୍ୟାଙ୍କିଙ୍ଗରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ କରିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ ତମ ସ୍ଥାନରେ ସ୍ଥାନୀତ ହୋଇଛି। ସୋଆର ଦୁଇଟି ଅନୁଷ୍ଠାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍) ଏବଂ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି । ସେହିପରି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲ’) ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି।
ନିକଟରେ ଏକ ବିରାଟ ସଫଳତା ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍) ବିଶ୍ୱବିଦ୍ୟାଳୟକୁ ମୋଟ ୪ ସ୍କୋରରୁ ୩.୮୮ ସିଜିପିଏ ସହ ସର୍ବୋଚ୍ଚ ଇ++ ଗ୍ରେଡ୍ର ସ୍ୱୀକୃତି ପ୍ରଦାନ କରିଛି। ଏହାଛଡ଼ା ନିକଟରେ ସୋଆକୁ ୟୁଜିସି ଦ୍ୱାରା କ୍ୟାଟେଗୋରୀ ୱାନ୍ ଗ୍ରେଡ଼ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି।
ସମ୍ମାଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍ରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ ୨୦୨୧ରେ ୪୦୧ ରୁ ୪୫୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି। ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍ ମିଳିଛି। ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍ ୧୯ ଲକ୍ଡାଉନ୍ ସମୟରେ ଅନ୍ଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମଧ୍ୟ ମିଳିଛି।
ସେହିପରି ଟାଇମ୍ସ ହାୟର୍ ଏଜୁକେସନ୍ (ଟିଏଚ୍ଇ) ୱାର୍ଲ୍ଡ ର୍ୟାଙ୍କିଙ୍ଗ୍ ୨୦୨୧ରେ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ କ୍ଷେତ୍ରରେ ୧୨୦୧ ପ୍ଲସ୍ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍ରେ ସ୍ଥାନ ପାଇପାରିଛି। ସେହିପରି ହେଲ୍ଥ ସାଇନ୍ସେସ୍ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍ ର୍ୟାଙ୍କରେ ରହିଥିବା ବେଳେ ଟିଏଚ୍ଇ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି। ସେହିପରି ଟିଏଚ୍ଇ ଏମିର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ସ ୨୦୨୧ ରେ ୫୦୧ ପ୍ଲସ୍ କ୍ୟାଟେଗୋରିରେ ସ୍ଥାନୀତ ହୋଇଛି ସୋଆ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେଉଛି ସୋଆର ୧୩ ଜଣ ଗବେଷକ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।
ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ ଏବଂ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ,୬୭ ପୋଷ୍ଟ ଗ୍ରାଜୁଏଟ୍, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ।
ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି। କୋଭିଡ୍ ମହାମାରୀ ସସତ୍ତ୍ୱେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ବିଶ୍ୱର ପ୍ରମୁଖ କମ୍ପାନୀ ମାନଙ୍କରେ ନିଯୁକ୍ତି ସୁଯୋଗ ପାଇଛନ୍ତି।
ସୋଆର ୫ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ୍ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ ପାଇଥିବା ବେଳେ ୩ଟି ପ୍ରୋଗ୍ରାମକୁ ୟୁଏସଏର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍) ର ସ୍ୱୀକୃତି ମିଳିଛି।
ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୯୩୨୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍-ଇଣ୍ଡେକ୍ସ ୮୫ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ୨୬ଟି କ୍ଷେତ୍ର କୁ ନେଇ ୧୬ଟି ଗବେଷଣା କେନ୍ଦ୍ର ରହିଛି।
ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଏନ୍ଏବିଏଚ୍ ଓ ଏନ୍ଏବିଏଲ୍ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ମେଡିକାଲ୍ କଲେଜରେ ୨୫୦ ଏମ୍ବିବିଏସ୍ ସିଟ୍ ରହିଛି। ଏଠାରେ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ଗ୍ରହଣ କରୁଥିବା ବେଳେ ରୋଗୀମାନେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି।
କୋଭିଡ ମହାମାରୀର ତିନୋଟି ଲହରୀ ରାଜ୍ୟକୁ ଆକ୍ରାନ୍ତ କରିଥିବା ବେଳେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସରକାରଙ୍କ ସହଭାଗିତାରେ ଓଡ଼ିଶାରେ ୨୪୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ୫ ଟି କୋଭିଡ ହସ୍ପିଟାଲ୍ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସୋଆ ସଫଳ ହୋଇଥିଲା।
ଏହି କୋଭିଡ ହସ୍ପଟାଲ୍ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା, ଚାନ୍ଦପୁର ଓ ପୁରୀଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା। ଏଥିରେ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ର ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ଚତୁର୍ଥ ଲହରୀର ମୁକାବିଲା କରିବା ପାଇଁ ମଧ୍ୟ ସୋଆ ପ୍ରସ୍ତୁତ।